Unknown

 

 

 

 

 

 

 

 

 

 

 

ମୁଣ୍ଡମେଖଳା

ଅନାଦି ସାହୁ

 

ଉତ୍ସର୍ଗ

 

ନିତ୍ୟ ନୈମିତ୍ତିକ, ବୈଚିତ୍ର୍ୟହୀନ, କ୍ଳାନ୍ତ ପୁଲିସ୍‌–କର୍ମଚାରୀ ପାଖରେ ସାହସ, ସମବେଦନା ଏବଂ ଅନ୍ୟର ଜୀବନ ପ୍ରତି ଦରଦ ଆଶା କରିବା ଅସମୀଚୀନ ମନେହୁଏ ।

 

କିନ୍ତୁ ଅସମୀଚୀନକୁ ସମୀଚୀନ କରି ଭୟ ଓ ବିପଦକୁ ଭ୍ରୂକ୍ଷେପ ନକରି ଅନ୍ୟମାନଙ୍କର ସୁରକ୍ଷା ନିଜର କର୍ତ୍ତବ୍ୟ ମନେକରି ଗୋଟାଏ ଶୀତରାତିରେ ସର୍ଜେଣ୍ଟ ପି. କେ. ବାବୁ (ବର୍ତ୍ତମାନ ରିଜର୍ଭ ଇନିସ୍‌ପେକ୍ଟର) ଆଗେଇ ଯାଇଥିଲେ ଘନ ଅନ୍ଧକାର ଭିତରେ–ଦୁର୍ଗମ ପାହାଡ଼ ଅଞ୍ଚଳରେ ।

 

ଗୋଟିଏ ସାଧାରଣ ମନୁଷ୍ୟର ମନୁଷ୍ୟତ୍ୱ ଫୁଟିଉଠିଥିଲା ନିରନ୍ଧ୍ର ଅନ୍ଧକାର ଭିତରେ । ସେହି ମନୁଷ୍ୟତ୍ୱରୂପୀ ଆଲୋକ ଆଶାର ସଞ୍ଚାର କରିଥିଲା–ନୂଆ ଉନ୍ମାଦନା ଦେଇଥିଲା ।

 

ଘଟଣା ସାଧାରଣ–ଅଥଚ ପ୍ରଭାବ ସୁଦୂରପ୍ରସାରୀ ।

 

ସେହି ପ୍ରଭାବ ସୃଷ୍ଟି କରିଥିବା ପୁଲିସ୍‌ ଅଫିସର ଶ୍ରୀ ପି. କେ. ବାବୁଙ୍କ ହସ୍ତରେ ଏହି ‘‘ମୁଣ୍ଡମେଖଳା’’ ଉତ୍ସର୍ଗୀକୃତ ।

 

ଅନାଦି ସାହୁ

Image

 

 

 

 

 

 

 

 

 

 

 

 

 

ମୁଣ୍ଡମେଖଳା

 

 

 

 

 

 

 

 

 

 

ଲେଖକଙ୍କର ନାମ ଅନ୍ୟାନ୍ୟ ରଚନା :

 

୧.

ପାଣ୍ଡୁର ବଳୟ

୨.

ଭିନ୍ନବାଟ : ଅନ୍ୟତୁଠ

 

ବଂଶଧାରାର ସର୍ପିଳ ଶଯ୍ୟା ସହ ସମାନ୍ତରାଳ ଭାବରେ ଅବସ୍ଥିତ ଆଳତି ପାହାଡ଼ମାଳା-। କେତେବେଳେ ସେହି ପାହାଡ଼ମାଳା ଅଥବା କେତେବେଳେ ବଂଶଧାରାର ସର୍ପିଳ ଶଯ୍ୟା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମା ନିର୍ଦ୍ଧାରଣ କରେ । ସେହି ସୀମା ନିର୍ଦ୍ଧାରଣ ଏକ ସାମୟିକ ବ୍ୟବସ୍ଥା-। ଆଗେ ବଂଶଧାରା ଓ ପାହାଡ଼ ମଧ୍ୟବର୍ତ୍ତୀ ଅଞ୍ଚଳ ପାରଳାଖେମୁଣ୍ଡି ଜମିଦାରୀର ଅନ୍ତର୍ଭୁକ୍ତଥିଲା-। ଏବେ ଏହା ଆନ୍ଧ୍ରପ୍ରଦେଶ ଅଧୀନରେ । ସମୟ କ୍ରମେ ବିଭିନ୍ନ ରାଜା, ଜମିଦାର ଆସିଛନ୍ତି, ଯାଇଛନ୍ତି । ସେମାନଙ୍କ ରାଜ୍ୟ, ଜମିଦାରୀର ସୀମା ନିର୍ଦ୍ଧାରିତ ହୋଇଛି କିନ୍ତୁ ସେହି ଅଞ୍ଚଳର ଅଧିବାସୀ ଗୋଟିଏ ଭାଷା, ଗୋଟିଏ ପ୍ରକାର ଚାଲି–ଚଳନ, ରୀତିନୀତି, ଅଭାବ ଅସୁବିଧା, ସୁଖ ଦୁଃଖ ଭିତରେ ଗତିକରି ଆସିଛନ୍ତି କେଉଁ ବିସ୍ମୃତ ଅତୀତରୁ । ସେମାନେ ସେହି ଅଞ୍ଚଳର ଆଦିମ ଅଧିବାସୀ–ଆଦିବାସୀ । ଆଳତି ପାହାଡ଼ର ଦୁଇପାଖରେ ଅସଂଖ୍ୟ ଆଦିବାସୀ ଗାଁ । ଯେଉଁଠି ସମତଳ ଅଞ୍ଚଳ ଲୋକଙ୍କ ଅନୁପ୍ରବେଶ ହୋଇଛି ସେଇଠି ଆଦିବାସୀ ଓ ସମତଳ ବାସୀଙ୍କ ସମ୍ମିଶ୍ରଣରେ ଗଢ଼ିଉଠିଛି କେତେ ଖଣ୍ଡ ବଡ଼ ବଡ଼ ଗାଁ । ସେହି ଗାଁଗୁଡ଼ିକ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ନୁହେଁ କିମ୍ବା ପାହାଡ଼ର ଉତ୍ତୁଙ୍ଗ ଶିଖରରେ ଅବସ୍ଥାପିତ ହୋଇନାହିଁ । ଆଳତି ପାହାଡ଼ମାଳାର ମଧ୍ୟଭାଗରେ ଏହି ଗାଁଗୁଡ଼ିକ ଅବସ୍ଥିତ । ସେଗୁଡ଼ିକ ଆଳତି ପାହାଡ଼ର କଟିଦେଶରେ ମେଖଳା ସଦୃଶ କେଉଁ ଶତଶତ ବର୍ଷଧରି ବିଦ୍ୟମାନ । ମେଖଳା ସଦୃଶ ଗାଁଗୁଡ଼ିକ ଭିତରେ ଶ୍ରେଷ୍ଠ–ମୁଣ୍ଡମେଖଳା । ଓଡ଼ିଆ ଭାଷାରେ ତା’ର ନାଁ ମୁଣ୍ଡମେଖଳା । ଓଡ଼ିଶାର ଗୌରବ ଅସ୍ତମିତ ହେଲାପରେ ସେହି ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକଙ୍କର ଅନୁପ୍ରବେଶ ହୋଇ ସେ ଗାଁର ନାଁ ହେଲା ମୁଣ୍ଡମ୍‌ଖାଲ୍‌ । ଓଡ଼ିଆ ବ୍ରାହ୍ମଣ, ଶୁଣ୍ଢି, କୁମୁଟି, ସାହୁକାର, ରେଡ଼ିକା, ଗୋଲା, ଆଦିବାସୀମାନଙ୍କ ସମ୍ମିଶ୍ରଣରେ ସେହି ଗାଁ ଆନ୍ଧ୍ରର ଏଲ୍‌ଓ୍ୱିନ୍‌ପେଟା ଥାନା ଇଲାକାରେ ପ୍ରସିଦ୍ଧ ଲାଭ କଲା । ନୂଆଣିଆ ଝାଟିମାଟିର ଘରସହ ଆଟଦିଆ ବଡ଼ ମେରେଦା ଚାଳଘର ଏବଂ ପକ୍‌କା ଉଚ୍ଚାକାନ୍ଥର ପାଚିରିଘେରା ଘରର ଏକ ଅପୂର୍ବ ସମ୍ମିଶ୍ରଣ ଏହି ମୁଣ୍ଡମେଖଳା ।

 

ତା’ର ପ୍ରସିଦ୍ଧି ସୀମାବଦ୍ଧ ଥିଲା ପାଖ ଆଖ ପାଞ୍ଚଦଶ କୋଶ ଇଲାକା ଭିତରେ–ମହାଜନୀ କାରବାର ପାଇଁ, ଜଙ୍ଗଲଜାତ ଦ୍ରବ୍ୟ ପାଇଁ, ଲୁଣ କାରବାର ପାଇଁ । ଭାରତର ଅସଂଖ୍ୟ ଗାଁମାନଙ୍କ ଭିତରେ ସେ ଗୋଟିଏ ଗାଁ । ପାଖଆଖ ଇଲାକା ଛଡ଼ା ବାହାରେ କେହି ତାକୁ ଜାଣୁନଥିଲେ–ଅସଂଖ୍ୟ, ଅନାମଧ୍ୟେୟ, ଅବହେଳିତ, ରୋଗ ବ୍ୟାଧି, ଅଭାବ, ଅନଟନଗ୍ରସ୍ଥ ଗାଁ ଭିତରେ ସେ ଗୋଟିଏ । ତା’ର ଭାଗ୍ୟ ଥିଲା ସେ ପୁଣି ହେଲା ଗୋଟିଏ ଆଦର୍ଶର ମେଖଳା–ଗୋଟିଏ ଉଗ୍ରପନ୍ଥୀ ଆଦର୍ଶ ରୂପାୟନ କରିବାର କେନ୍ଦ୍ର ବିନ୍ଦୁ ଶୋଷିତ ଓ ଶୋଷକ ସଂଘର୍ଷର କୁରୁକ୍ଷେତ୍ର । ଏହି କାହାଣୀ ସେହି ଗାଁର, ସେହି ଅଞ୍ଚଳର । ଯୁଦ୍ଧ ସମୟ ପ୍ରାୟ ଦଶବର୍ଷ–ପ୍ରତିଷ୍ଠିତ ସମାଜ, ପ୍ରଚଳିତ ମୂଲ୍ୟବୋଧ ଏବଂ ତଥାକଥିତ ଗଣତନ୍ତ୍ର ପଦ୍ଧତି ଉପରେ କୁଠାରାଘାତର ପ୍ରଚେଷ୍ଟା ।

 

ଏହି କାହାଣୀର ଆଦ୍ୟପର୍ବ ସେହିଦିନ ଆରମ୍ଭହେଲା ଯେଉଁଦିନ ଯୁବକ ଭେଙ୍କେଟ ସତ୍ୟମ୍‌ ଭିଟାମାଟି କୋରକ ହୋଇଥିବା ପରଓ୍ୟାନାକୁ ଧରି ନିର୍ବୋଧ, ନିର୍ବାକ ହୋଇ ଚାହିଁରହିଥିଲା ନିଜର ଚାଳଘରକୁ । ପାଖରେ ଛିଡ଼ା ହୋଇଥିଲେ ତା’ର ସ୍ତ୍ରୀ ଏବଂ ଆଠ ବର୍ଷର ଝିଅ ଭାନୀ । ସେ ଦୁହେଁ ଭୋ, ଭୋ, ରଡ଼ି ପକେଇ ପାଖଆଖ ଅଞ୍ଚଳ ପ୍ରକମ୍ପିତ କରିଦେଉଥିଲେ । ଧୂଳିରେ ଗଡ଼ିଯାଉଥିଲେ । ଆକାଶକୁ ଅନେଇ ଅଭିସମ୍ପାତ ଛାଡ଼ୁଥିଲେ । ପାରିଡ଼ି ପାହାଡ଼ର ଚୂଡ଼ାକୁ ଅନେଇ ସାହାଯ୍ୟ ଭିକ୍ଷା କରୁଥିଲେ । ଆକାଶ ସ୍ଥିର ଥିଲା, ପାରିଡ଼ି ପାହାଡ଼ ଅବିଚଳିତ ଥିଲା । ଭେଙ୍କେଟ ଆଖିରେ ମଧ୍ୟ ଲୁହ ନଥିଲା । ତା’ର ବୁକୁ–ତଳେ ଚାପି ହୋଇଯାଉଥିଲା କ୍ରୋଧ, ପ୍ରତିହିଂସାର ବହ୍ନି । କିନ୍ତୁ କରିପାରିବ କ’ଣ ? ଗତ ପାଞ୍ଚବର୍ଷ ଧରି ଗାଁ ମହାଜନ ନାରସାୟା ସହ ରାଜାମ୍‌ ଓ ପରେ ପାର୍ବତୀପୁରରେ ମକଦ୍ଦମା ଲଢ଼ି ଲଢ଼ି ନୟାନ୍ତ ହୋଇଯାଇଥିଲା । ବାପା ମଲାବେଳେ ଯାହା ଜମିଥିଲା ସବୁ ବିକି କରଜ ଶୁଝିଦେଇଥିଲା, ଶୁଦ୍ଧକ୍ରିୟା କରିଥିଲା । କିନ୍ତୁ ସେ କ’ଣ ଭାବିଥିଲା ଯେ ନାରସାୟା ଆହୁରି ଅଧିକା ଟଙ୍କା ଦାବି କରିବ, ଅଧିକା ଦଲିଲ୍‌ ବାହାର କରିବ । କେଉଁ ଅନାଦିକାଳର ତମସୁକ ବାହାର କରି ଧମକେଇବ, ଟଙ୍କା ପରିଶୋଧ କରିବାପାଇଁ ତାଗିଦ୍‌ କରିବ ? ପ୍ରାଇମେରୀ ସ୍କୁଲ ଶିକ୍ଷକ ହିସାବରେ ସେ ମାସକୁ ପଚାଶ ଟଙ୍କା ଦରମା ପାଉଥିଲା । ପରେ ପରେ ବଢ଼ି ଷାଠିଏ ଟଙ୍କା ହେଲା । ନିଜେ, ସ୍ତ୍ରୀ ଓ ଝିଅଙ୍କୁ ଚଳେଇ କେତେ ବା ଟଙ୍କା ବଳେଇପାରିବ ? ତଥାପି ତିନିବର୍ଷ ଭିତରେ ଦେଢ଼ଶହ ଟଙ୍କା ପରିଶୋଧ କରିଥିଲା । ସାହୁକାର ମନ ସେଥିରେ ମାନିଲା ନାହିଁ, ତମସୁକର କାଳେ ମିଆଦ ପୂରିଯିବ, ସେଇଥିପାଇଁ ନାରସାୟା ଚାହିଁଥିଲା ଭେଙ୍କେଟ ନୂଆ ତମସୁଖରେ ଦସ୍ତଖତ କରିଦେଉ । ସେ ରାଜି ହୋଇନଥିଲା-। ରାଜିହେବ କେମିତି ? ଜାଣି ଜାଣି ଅର୍ଥିକ ଦୁର୍ଗତିକୁ ଗୋଡ଼ର ବେଡ଼ି କରିବ କେମିତି ? ତେଣୁ ମକଦ୍ଦମା ଆରମ୍ଭ ହୋଇଥିଲା । ତିନିଶହ ଟଙ୍କା ପାଇଁ ମହାଜନ ଅଢ଼େଇ ହଜାର ଟଙ୍କା ନେଇଗଲାଣି । ଚକ୍ରବୃଦ୍ଧି ଉପରେ ଚକ୍ରବୃଦ୍ଧି ସୁଧ ମୂଳ ଋଣଠାରୁ ଶହେଗୁଣ ଅଧିକା ହେଲାଣି କହିଲେ ଶୁଣେ କିଏ ? ବାପା ଟଙ୍କା ନେଇଥିଲା ପୁଅ ପରିଶୋଧ କରିବ–ନଚେତ୍‌ ଆଶ୍ରୟ ଖଣ୍ଡିକ ମଧ୍ୟ ଯିବ–ଏହାତ ପ୍ରଳିତ ପଦ୍ଧତି । ଶେଷରେ ତା’ ଘର ନିଲାମ ହେଲା । ସେ ହେବ ଗୃହହୀନ–ବାସ୍ତୁହରା–ବାରବୁଲା ।

 

ସ୍ଥାବର ସମ୍ପତ୍ତି ଉପରେ କବ୍‌ଜା କରିସାରି ଅସ୍ଥାବର ସମ୍ପତ୍ତି ଉପରେ ଆରମ୍ଭ ହେଲା ଚଢ଼ଉ । କେତେ ବା ଜିନିଷ ଅଛି ଘରେ ଯେ ତାଲିକା କରିବାରେ ଅସୁବିଧା ହେବ । କେଉଁ ବାପ, ଅଜା ଅମଳର ପିତଳ ଗରା, ପିତଳ ରୁଖା, ପିତଳ ଥାଳି, ଦିଖଣ୍ଡ ଆଲୁମିନିୟମ୍‌ ବାସନକୁସନ । ପୁରୁଣା ଖଟ ଗୋଟିଏ, ଲୁଗାପଟା ଦୁଇଚାରି ହଳ । ସବୁ ବାହାରକରି ଅଣାଗଲା ହଦା ପକେଇଥିବା କୋର୍ଟିପିଅନ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ । କୋର୍ଟି ପିଅନ୍‌ର କ୍ଷମତା ଜାହିର୍‌ କରିବା ସମୟ ଆସିଛି । ସେ ବା କାହିଁକି ଇନ୍ଦ୍ର ଚନ୍ଦ୍ର ମାନିବ ! କୋର୍ଟର ପରଓ୍ୟାନା ଯେ ତାକୁ ଅକ୍ଷୟ ତୂଣୀର, ପାଶୁପତ ଅସ୍ତ୍ର ଦେଇଛି । ସେ ଅଜୟ । ସବୁ ଜିନିଷ ନିଲାମ ହେଲା ତିରିଶି ଟଙ୍କାର । କେବଳ ତିରିଶି ଟଙ୍କାର ଅସ୍ଥାବର ସମ୍ପତ୍ତିର ମାଲିକ ଭେଙ୍କେଟ । ନିଲାମ ଡାକିଲା ଆବେଇ–ନାରାସାୟାର ଭାଇ । ସବୁ ଜିନିଷ ନେଇଗଲାବେଳେ ଭାନୀ ପାଟିକରି ଉଠିଲା ତା’ର ନୂଆହୋଇ କିଣାହୋଇଥିବା ମାଠ ପାଇଁ । ପାଟିକରି ଦୌଡ଼ିଲା ଆବେଇ ପାଖକୁ । ଆବେଇର ଖମ୍ବାରୀ ଲୁଗାପଟା ସବୁ ବାନ୍ଧୁଥିଲା । ଭେଙ୍କେଟ ଭାବିଲା ଆବେଇ ବୋଧହୁଏ ପିଲାଟାକୁ ତା’ ମାଠଟା ଦେଇଦେବ । ଟଙ୍କା ଦୁଇଟାର ମାଠ । ଲୁଗାଦେବା ପରିବର୍ତ୍ତେ ଆବେଇ ଧକ୍‌କାଏ ପକେଇଲା ଭାନୀକୁ । ଧୂଳିଧୂସରିତ ଭାନୀ ତଳେପଡ଼ିଯାଇ ଆହୁରି ଧୂଳିଧୂସରିତ ହୋଇଗଲା । ଅସହାୟଭାବେ ସେ ଜୋର୍‌ରେ କାନ୍ଦିଉଠିଲା । କରୁଣ, ଅଶ୍ରୁବୋଳା ଆଖିରେ ସେ ଅନେଇଲା ତା’ ବାପାକୁ ଆଶାୟୀ ହୋଇ । ହଠାତ୍‌ ରାଗିଗଲା ଭେଙ୍କେଟ । ଦୌଡ଼ିଯାଇ ନିଜର କ୍ରୋଧସବୁ ଅଜାଡ଼ି ଦେଲା ନିଜ ଝିଅ ଉପରେ । କାହିଁକି ତାକୁ ମାରୁଛି ସେ ନିଜେ ଜାଣିପାରିଲା ନାହିଁ । ବୋଧହୁଏ ନାରସାୟା ପାଇଁ ଯାହା ଉଦ୍ଦିଷ୍ଟ ଥିଲା ତାହା ଭାନୀ ଉପରେ ଅଜାଡ଼ି ଦିଆଗଲା–ଅହେତୁକ ଏବଂ ଅଜସ୍ରଭାବେ ।

 

ସ୍ତ୍ରୀ ଓ ଭାନୀକୁ ଏକରକମ ଟାଣି ଟାଣି ଭେଙ୍କେଟ ସେଠାରୁ ଚାଲିଗଲା । ସେ ଚାହୁଁନଥିଲା କରୁଣ ଦୃଶ୍ୟ ଦେଖିବାପାଇଁ, ସେ ଚାହୁଁନଥିଲା ଅତୀତର ସାକ୍ଷୀ ସେହି ଘର ପ୍ରତି ମମତା ବଢ଼େଇବା ପାଇଁ, ସେ ଚାହୁଁନଥିଲା ଶୋଷକ ନିର୍ମମ ଭାବେ ଅତ୍ୟାଚାର କରୁ ତା’ ଉପରେ, ତା’ ପରିବାର ଉପରେ–ତା’ର ଦାରିଦ୍ର୍ୟ ଉପରେ । ଗାଁ ମୁଣ୍ଡରେ ବାପା ଅମଳର ଥିବା ଗୁହାଳଘର ଆଡ଼କୁ ଚାଲିଲା । ସେଇଠି ରହିବ । ଜୀବନ ସଂଗ୍ରାମରେ ରହିଯିବ ନାହିଁ ।

 

ଭାଙ୍ଗିଯାଇଥିବା ଚାଳକୁ ମରାମତ କଲା । ଝାଟିମାଟିର କାନ୍ଥତିଆରି କରି ରହିଲା ସେହି ଗୁହାଳଘରେ । କିନ୍ତୁ ତା’ ଭିତରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଯାଇଥିଲା । ସେ ପୁରୁଣା ଭେଙ୍କେଟ ହୋଇ ରହିପାରିଲା ନାହିଁ । ସେ ଆଉ ପାଠପଢ଼ାରେ ମନ ଦେଇପାରିଲା ନାହିଁ । ମୁଣ୍ଡମେଖଳାର ତଥାକଥିତ ସଭ୍ୟ ଲୋକଙ୍କ ସହ ସମ୍ପର୍କ ରଖିପାରିଲା ନାହିଁ । ତା’ର ମନେହେଲା ସେମାନେ ସମସ୍ତେ ନାରସେୟା, ଆବେଇ ଗୋଷ୍ଠୀର ଲୋକ । ବରଂ ସେହି ସରଳ ଆଦିବାସୀମାନେ, ଯେଉଁମାନେ ତାକୁ ନଡ଼ା ଯୋଗେଇ ଦେଇଥିଲେ, ମାଟି ଆଣି ଦେଇଥିଲେ ଉଜୁଡ଼ାଘର ସଜାଡ଼ିବାପାଇଁ, ସେମାନଙ୍କ ଭିତରେ ସେ ଦେଖିବାକୁ ପାଇଲା ପ୍ରାଣ, ଦରଦ ଏବଂ ସାହାଯ୍ୟ । ସେମାନେ ମଧ୍ୟ ତା’ ଭଳି ହତଭାଗ୍ୟ । ରହୁଛନ୍ତି ଖଣ୍ଡିଏ ଖଣ୍ଡିଏ ଛୋଟିଆ ଚାଳିରେ–ପାହାଡ଼ ଉପରେ । ପିନ୍ଧୁଛନ୍ତି ଖଣ୍ଡେ ଖଣ୍ଡେ କୌପନୀ । ଶୀତ ରାତିରେ ଘୋଡ଼େଇ ପଡ଼ନ୍ତି ଖଣ୍ଡେ ଖଣ୍ଡେ ଅଖା । ଖଣ୍ଡିଆ ଶାଳପତ୍ରରେ ତିଆରି ପିକା ସେମାନଙ୍କର ଫୁର୍ତ୍ତିର ପ୍ରତୀକ । ମୁନ୍ଦା, ସଲପ, ମହୁଲି ବା ଚାଉଳୀ ସେମାନଙ୍କର ଖାଦ୍ୟ ପାନୀୟ । ସେମାନଙ୍କର ଭଲ ଖାଦ୍ୟ–ମାଣ୍ଡିଆଜାଉ ଅଥବା ସୁଆଖଁଚାଉଳ ଭାତ । ସେ ଗୋଷ୍ଠୀ ଭାତଖିଆ ଗୋଷ୍ଠୀଠାରୁ ତଫାତ୍‌ । ସେମାନଙ୍କର ସାଥୀବଣର ହିଂସ୍ରଜନ୍ତୁ–ସେମାନଙ୍କ ଦୁଃଖର ସାଥୀ ଅସଂଖ୍ୟ ପଶୁପକ୍ଷୀ । ସେହି ହତଭାଗ୍ୟ ମହୁଲି ଚାଉଳୀଗୋଷ୍ଠୀ ଭିତରେ ବେଶୀ ଚଳପ୍ରଚଳ କଲା ଭେଙ୍କେଟ । ସେମାନଙ୍କ ଦୁର୍ଦ୍ଦଶାପାଇଁ ଦାୟୀ ଧନୀକଗୋଷ୍ଠୀ । ସେମାନଙ୍କୁ ଖଟେଇବେ, ଦିନରାତି–ଖାଇବାପାଇଁ ଦେବେ ଦୁଇ ଆଞ୍ଜୁଳା ମାଣ୍ଡିଆ ବା ଆଠଦଶଟା କନ୍ଦମୂଳ । ସେମାନଙ୍କ ବାପା ଜେଜେବାପା ଅମଳରୁ ଗୋତିହୋଇ ଖଟି ଆସିବେ ସାହୁକାର ଘରେ । ସେମାନେ ରୋଗରେ ପଡ଼ି ମଲେ ‘ଆହା’ କରିବାପାଇଁ କେହି ନଥିବେ । ‘ଆହା’ ବା ଯିଏ କରିଥାନ୍ତା ସେ ଯେ ସାହୁକାରର କ୍ଷେତରେ ଦିନରାତି କାମ କରୁଥିବ । ପାଚିଲାଧାନକୁ ବାର୍‌ହା ଆକ୍ରମଣରୁ ରକ୍ଷା କରିବାପାଇଁ ଫୁଙ୍ଗୁଳା ଦେହରେ ଉଚ୍ଚାଗଛ ଉପରେ ନିଆଁ ବରଡ଼ାଟାଏ ଧରି ବସିଥିବ ରାତିସାରା ।

 

ସେହି ଲୋକସବୁ ତା’ର ଗିରିଜନ । ଗିରିକନ୍ଦରରେ ବାସ କରୁଥିବା ଅନାମଧେୟ, ଅଜଣା, ଯନ୍ତ୍ରଣାଗ୍ରସ୍ତ, ଦାସତ୍ୱ ବନ୍ଧନରେ ବନ୍ଧା ହୋଇଥିବା ଆଦିବାସୀ । ସେମାନେ କେବଳ ନାଁରେ ଜନ–ନ ହେଲେ ପଶୁଠାରୁ ହୀନ, ଅର୍ଦ୍ଧଭୁକ୍‌ ସଂପ୍ରଦାୟ । ସେମାନେ ନିପୀଡ଼ିତ–ସେମାନଙ୍କ ହୃଦୟର ବେଦନା କାହା ପାଖରେ ପ୍ରକାଶ କରିବାକୁ ଅବକାଶ ନାହିଁ । ଗିରିଜନମାନଙ୍କର ଦୁଃଖ ଦୁର୍ଦ୍ଦଶା ଭେଙ୍କେଟର ନିଜ ଦୁର୍ଦ୍ଦଶା–ସେମାନେ ଯେମିତି ନିଷ୍ପେଷିତ, ସେ ମଧ୍ୟ ସେମିତି ନିଷ୍ପେଷିତ । ସେହି ଗିରିଜନମାନଙ୍କର ଅକୁହା ବେଦନା ଅନୁଭବ କଲା ଭେଙ୍କେଟ । ମହାଜନ ଗୋଷ୍ଠୀ ତା’ର ଶତ୍ରୁ, ଗିରିଜନର ଶତ୍ରୁ । ସେହି ଶତ୍ରୁର ନିପାତ ଆବଶ୍ୟକ । ଗାଁ ଗାଁରେ ବୁଲି ଗିରିଜନମାନଙ୍କର ଦୁଃଖ ଦୁର୍ଦ୍ଦଶା, ଅଭାବ ଅସୁବିଧା, ଅତ୍ୟାଚାରର ଖବର ନେଲା ଭେଙ୍କେଟ । କେଉଁଠି ନିଜେ ଚାଷ କରୁଥିବା ଜମିଖଣ୍ଡକ ବନ୍ଧକ ପଡ଼ିଛି ସାହୁକାର ପାଖରେ, ଖାତକ ହୋଇଛି ତା’ର ଗୋତି, କେଉଁଠି ମକ୍‌କା ଗଛରେ ମକ୍‌କା ହେବା ଆଗରୁ ସବୁ ବିକ୍ରି ହୋଇଯାଇଛି । ସାହୁକାରକୁ ପୂର୍ବଋଣ ପରିଶୋଧ ପାଇଁ । କେଉଁଠି ବଡ଼ କାନ୍ଦୁଲ ଗଛରେ ଛୁଇଁ ହେବା ଆଗରୁ ସାହୁକାର ଆସି ଶପଥ କରେଇନେଇଛି ସବୁ ବଡ଼ କାନ୍ଦୁଲ ସାହୁକାର ଘରେ ପହଞ୍ଚେଇ ଦେବାପାଇଁ । ଗିରିଜନ ନିଜ ଶପଥରୁ ଓହରି ଯିବାପାଇଁ ନାରାଜ–ତାକୁ ପାପ ଲାଗିବ । ସେ ପଛେ ଭୋକରେ ପୋକମାଛି ପରି ମରିଯାଉ ତାକୁ ପାପ ନ ଲାଗୁ । କେଉଁଠି ଖଳାବାଡ଼ିରେ ଧାନ, ମୁଗ, କାନ୍ଦୁଲ, କୋଳଥ, ଚିନାବାଦାମ ଆଦାୟ କରି କୁଲା ଛାଞ୍ଚୁଣୀ ଧରି ରକ୍ତହସ୍ତରେ ଫେରୁଛି ଗିରିଜନ । ତା’ର ଯାହା ଭାଗ ପାଇବାକଥା ସାହୁକାର ପୁରୁଣା ଋଣ ବାବଦକୁ, ତିରୋଟ ଅବସ୍ଥାରେ ହୋଇଥିବା ଦୁଇ ଗଉଣୀ ମାଣ୍ଡିଆ ବାବଦରେ ସବୁ ନେଇଯାଇଛି–ଚକ୍ରବୃଦ୍ଧିରୁ ଆହୁରି ଅଧିକା ସୁଧ, ଆହୁରି ଅଧିକା ଶୋଷଣ ବଳରେ । ସବୁଠି ଗିରିଜନ ଭୋକିଲା, ଅଧାଖିଆ, ଶେଥାମୁହଁ, ବଢ଼ିଲାପେଟ, ରୋଗଗ୍ରସ୍ତ, ବେଦନା ଗ୍ରସ୍ତ, ଭୟ ଗ୍ରସ୍ତ । ଜଙ୍ଗଲରୁ କାଠ ଆଣି ବିକିବାପାଇଁ ଚେଷ୍ଟାକଲାବେଳେ ଫରେଷ୍ଟ ଗାର୍ଡ଼ର ଦୌରାତ୍ମ୍ୟ, କେଶ୍‌–ଅଧିକା ପଇସା ଦେବାପାଇଁ ତାଗିଦ୍ । ଛୋଟ ଛୋଟ କେଶ୍‌ରେ ପୁଲିସ୍‌ କନେଷ୍ଟବଳର ଅତ୍ୟାଚାର–ଅମୀନର କାରସାଦୀ ଫଳରେ ଯାହାବା ଟିକିଏ ଜମି–ସେ ବି ଚାଲିଯାଉଛି । ସବୁଠାରେ ଦୁଃଖ, ଅତ୍ୟାଚାର, ଶୋଷଣ, ନିର୍ଦ୍ଦୟ ମନୋଭାବ ।

 

ଏ ସବୁ ଦେଖି ଦେଖି ଭେଙ୍କେଟର ମନ ବିଦ୍ରୋହ କରିଉଠିଲା ମହାଜନମାନଙ୍କ ବିରୁଦ୍ଧରେ–କୁମୁଟୀ ବ୍ୟବସାୟୀ, ଶୁଣ୍ଢୀ ମହାଜନ, ବ୍ରାହ୍ମଣ ଭୁମ୍ୟାଧିକାରୀ, ଛୋଟ ଛୋଟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ । ସ୍କୁଲରେ ପାଠ–ପଢ଼େଇବା ଛାଡ଼ି ସେ ବୁଲିଲା ଗିରିଜନ ପଡ଼ାରୁ ଗିରିଜନ ପଡ଼ାକୁ । ଅଗମ୍ୟ ପାହାଡ଼ ପର୍ବତ ତା’ ଆଗରେ ବାଟ ଓଗାଳି ପାରିଲା ନାହିଁ । ନଦୀ, ନାଳ ବାଧା ଦେଇପାରିଲା ନାହିଁ । ପ୍ରଖର ଖର, ଅସହ୍ୟ ବର୍ଷା, ହାଡ଼ଭଙ୍ଗା ଶୀତ ତାକୁ ଅଟକେଇପାରିଲା ନାହିଁ-। ଭାଷା ତା’ ଆଗରେ ସମସ୍ୟା ସୃଷ୍ଟି କଲାନାହିଁ । ତା’ର ଉଦ୍ଦେଶ୍ୟ ସୀମିତ–ସେହି ଅଞ୍ଚଳର ମହାଜନମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତେଜନ କରିବ । ଗିରିଜନମାନଙ୍କୁ ନେଇ ମହାଜନମାନଙ୍କ ଘରେ ନିଆଁ ଲଗାଇବ । ସେମାନେ ଅପହରଣ କରିନେଇଥିବା ଜମିବାଡ଼ି, ଜିନିଷପତ୍ର ଫେରେଇଆଣିବ । ସମସ୍ତଙ୍କ ପାଇଁ ପୁରାପେଟ ଖାଇବା ବନ୍ଦୋବସ୍ତ କରିବ । ସେଇଥିପାଇଁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳ, ଓଡ଼ିଶାର ମରମା, କାଟିକୀ, ଜଗନ୍ନାଥପୁର, ପାଣିଛତ୍ର ଅଞ୍ଚଳରେ ବୁଲିବୁଲି ସେ ତିଆରି କଲା ତା’ର ଦଳ–ଗିରିଜନଦଳ । ତା’ର ଦଳ ଅବହେଳିତର ଦଳ–ତାକୁ ଜୀବନ୍ୟାସ ଦେଲା, ମୁହଁରେ ଭାଷା ଦେଲା, ଆଖିରେ ଆଶା ଦେଲା । ତା’ପରେ ଶୋଷିତର ଶୋଷକ ପ୍ରତି ଆହ୍ୱାନର ପ୍ରଥମ ପଦକ୍ଷେପ ।

 

ଶୋଷଣ, ଅତ୍ୟାଚାର କାହାଣୀ ଯେତେ ଶୁଣିଲା ତା’ର ଇଚ୍ଛା ସେତିକି ବଳବତ୍ତର ହୋଇଉଠିଲା–ବିଦ୍ରୋହ କରିବାପାଇଁ, ଗିରିଜନମାନଙ୍କୁ ଉତ୍ତେଜିତ କରିବାପାଇଁ । ଶେଷକୁ ସ୍କୁଲକୁ ଯିବା ପୂରାପୂରି ବନ୍ଦ କରିଦେଲା । ଲାଭ କ’ଣ ସ୍କୁଲରେ ଶିକ୍ଷାଦେଲେ–ଧନୀକୁ, ଶୋଷକ ଶ୍ରେଣୀକୁ ଆହୁରି କ୍ରୂର, ଆହୁରି ହୃଦୟହୀନ କରିବାପାଇଁ ସେହି ଶିକ୍ଷା । ସେ ଶିକ୍ଷାର କିଛି ମୂଲ୍ୟ ନାହିଁ । ବହୁତ ଦିନ ଧରି ସ୍କୁଲକୁ ନଯିବା ଫଳରେ ତାକୁ ପ୍ରଥମେ ସାମୟିକ ଦରଖାସ୍ତ ଏବଂ ପରେ ଚାକିରିରୁ ବାହାର କରିଦିଆଗଲା । ଚାକିରି ଥିଲେ କେତେ, ନଥିଲେ କେତେ ? ସେ ବରଂ ଖୁସି ହେଲା ଯେ ତା’ର ଆଉ ଦାସତ୍ୱ ନାହିଁ । ସେ ଗାଁ ଗାଁ ବୁଲି ତା’ ଦଳକୁ ମଜବୁତ୍ କରିବ–ତା’ ଲୋକମାନଙ୍କୁ ଅତ୍ୟାଚାର ବିଷୟରେ ବୁଝେଇବ । ପ୍ରତିରୋଧ କରିବାପାଇଁ ସାହାଯ୍ୟ କରିବ । ନୂଆ ଆଶା ଦେବ । ନୂତନ ଉଦ୍ଦୀପନା ଦେବ ।

 

ଦିନ ଦିନ ଧରି ନିଜ ପରିବାରକୁ ଛାଡ଼ି ସେ ରହିଯାଏ ସୁଦୂର ପରିଜନ ଗାଁମାନଙ୍କରେ । ଆଜି ରୁପମ୍‌ର ଦୁର୍ଗମ ଅଞ୍ଚଳରେ ତ କାଲି ଏଲିଓ୍ୱିନ୍‌ ପେଟା ପାହାଡ଼ ଉପରେ । ତା’ ପରଦିନ ଗୋରଣ୍ଡାମାଳ, କାଟିକୀ ପାହାଡ଼, ପାରିଡ଼ି ପର୍ବତ, ରୁପିଣୀ ଗିରି ସବୁ ପାହାଡ଼ିଆ ଗାଁରେ । ସ୍ତ୍ରୀ ରୋଗରେ ପଡ଼ି ଔଷଧ ନପାଇ ମରିବାର ଦୁଇଦିନ ପରେ ତା’ ପାଖରେ ଖବର ପହଞ୍ଚିଲା । ସ୍ତ୍ରୀ ମରିଯିବାରେ ମଧ୍ୟ ସେ କାନ୍ଦିନାହିଁ । କାନ୍ଦିବ କେମିତି ? ଗୁହାଳଘରେ ପଡ଼ି ପଡ଼ି କତରାଲଗା ହୋଇଥିବା ତା’ ସ୍ତ୍ରୀ ଯେ ମରିଛି ଏହି ମହାଜନଙ୍କ ଯୋଗୁଁ । ସେମାନଙ୍କ ଯୋଗୁଁ ଆଜି ସେ ଘରଛଡ଼ା ହୋଇଛି–ସୃଷ୍ଟିଛଡ଼ା ହୋଇଛି । ଏ ସୃଷ୍ଟି, ଏ ସମାଜ ସହ ତା’ର ବନ୍ଧନ ତୁଟି ଯାଇଛି । ମୁଣ୍ଡ–ମେଖଳାରୁ ଝିଅ ଭାନୀକୁ ଆଣି ଏଲିଓ୍ୱିନ୍‌ ପେଟାର ସମ୍ପର୍କୀୟଙ୍କ ଘରେ ରଖିଦେଇ ସେ ଚାଲିଲା ତା’ର ପ୍ରିୟ ଗିରିଜନମାନଙ୍କ ପାଖକୁ ।

 

ତା’ର ନିଜର ବୋଲି କିଛି ନାହିଁ । ପିନ୍ଧିଲା ସେମାନଙ୍କ ପରି, ଖାଇଲା ସେମାନଙ୍କ ପରି-। ଆଜି ବଣ କଦଳୀ ମିଳିଲେ ତୃପ୍ତ, କାଲି ପୋଢ଼ମାଂସ ପୋଡ଼ାହୋଇ ଲୁଣ ଲଗେଇ ଖିଆଯାଇପାରେ । ପରଦିନ କିଛି ନ ମିଳିଲେ ବଣ କୁକୁଡ଼ା ପୋଡ଼ି ଖାଇଦେଇ ହେବ । ତା’ପର ଦିନ ଭୋକିଲା ପେଟରେ ଶୋଇପଡ଼ିବ । ଆସନ୍ତାକାଲି କ’ଣ ଖାଇବ, କେଉଁଠି ରହିବ କିଛି ଚିନ୍ତା ନାହିଁ । ଆସନ୍ତାକାଲିର ଚିନ୍ତା ଅର୍ଥଗୃଧ୍ନୁ ସମାଜର–ଶାଗୁଣାପରି ସେମାନେ ଅନେଇ ରହିଥିବେ ଆସନ୍ତାକାଲି ପରର ସର୍ବସ୍ୱ ଅପହରଣ ପାଇଁ । ସେଇଥିପାଇଁ ସେମାନେ ବନ୍ଧନ ତିଆରି କରିଛନ୍ତି । ନୀତି କରିଛନ୍ତି, ନିୟମ କରିଛନ୍ତି, ସମାଜିକ ବ୍ୟବସ୍ଥା ସୃଷ୍ଟି କରିଛନ୍ତି–ନିଜପାଇଁ, ନିଜ ସ୍ୱାର୍ଥପାଇଁ । ଧର୍ମର ନିଗଡ଼ ବନ୍ଧନ କରିଛନ୍ତି–ପାପ ପୁଣ୍ୟର ଭେଳିକି ଲଗେଇବା ପାଇଁ । ଅର୍ଥହୀନ ଦୈନନ୍ଦିନତା ଏବଂ ଗତାନୁଗତିକ, ପ୍ରପୀଡ଼ିତ ଦୁନିଆରେ ସେ ଆଶାକଲା ଦୁଇବେଳା ପେଟପୁରା ଖାଦ୍ୟ ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡିଏ ଚାଳି । ସେହି ଗତାନୁଗତିକ, ସ୍ୱାର୍ଥପର ସମାଜରୁ ଗିରିଜନ, ଶୋଷିତମାନଙ୍କର ମୁକ୍ତି ପାଇଁ ଭେଙ୍କେଟ ଦ୍ୱିଗୁଣିତ କରିଦେଲା ତା’ର କାର୍ଯ୍ୟକ୍ରମ । ତା’ର ଅନୁଗାମୀ ଅନେକ ହୋଇଥିଲେ କିନ୍ତୁ କେମିତି ସେମାନଙ୍କୁ ସାହାଯ୍ୟ କରିବ ସେ ଜାଣିପାରୁନଥିଲା । ସେମାନଙ୍କ ଭୋକିଲା ମୁହଁ, ଅତ୍ୟାଚାରିତ ମନ ତାକୁ ବ୍ୟତିବ୍ୟସ୍ତ କରିଦିଏ । ସେ ଉପାୟ ଖୋଜିବୁଲେ ।

 

ଦିନେ ଦିପହରେ ସେ ବସିଥିଲା ସପରାଇଗୁଡ଼ା ଗାଁରେ । ପାରିଡ଼ି ପାହାଡ଼ର ପୂର୍ବ ପାଖରେ ସେହି ଗାଁ । ଦଶବାର ଘରର ଛୋଟ କନ୍ଧ ଗାଁ । ସେତିକିବେଳେ ବାତିଲିର ଶୁଣ୍ଢୀ ମହାଜନ ଆସି ପହଞ୍ଚିଲା–ଗାଁର ଅମଳ ହୋଇଥିବା ସବୁ ଜହ୍ନା ନେଇଯିବାପାଇଁ, ଖରାଦିନେ ଦେଇଥିବା ମାଣ୍ଡିଆ ବାବଦରେ ସୁଧମଳ ଆଦାୟ କରିବାପାଇଁ । ଗାଁର ସମସ୍ତେ କାକୁତିମିନତି ହୋଇ କହିଲେ ‘‘କିଛି ଜହ୍ନା ଛାଡ଼ିଦିଅ, ଆମର ଖାଇବା ପିଇବାପାଇଁ କିଛି ନାହିଁ ।’’ ମହାଜନ ନଛୋଡ଼ବନ୍ଧା । ସାଙ୍ଗରେ ଚାରିଜଣ ଲୋକ ଆଣିଥାଏ । ସେମାନେ ସବୁ ଜହ୍ନା ବନ୍ଧାବନ୍ଧି କରିବାରେ ଲାଗିପଡ଼ିଲେ । ହଠାତ୍‌ ଭେଙ୍କେଟ ମୁଣ୍ଡକୁ ବୁଦ୍ଧି ଜୁଟିଲା–ଏଇଠି ସେ ଆରମ୍ଭ କରିବ ପ୍ରତିରୋଧ । ଗାଁ ନାଁ ସପରାଇଗୁଡ଼ା–ଆଦିବାସୀ ଭାଷାରେ ପଥର ପଲ୍ଲୀ । ସେମାନଙ୍କ ହୃଦୟକୁ ପଥର କରିଦେବ–ସେମାନେ ପ୍ରତିରୋଧ କରନ୍ତୁ ଏହି ଅତ୍ୟାଚାରର । ସେ ଦେଲା ରଣ ହୁଙ୍କାର । ପ୍ରତିରୋଧ କର । ପିଟ । ତମ ଖାଇବା ଜିନିଷ ସେ ନେଇପାରିବ ନାହିଁ । ଅଳ୍ପ ଜିନିଷ ଋଣ ଦେଇ ଅଧିକା ନେବାପାଇଁ ଚେଷ୍ଟା କରୁଛି । ପିଟ, ଧକ୍କା ଦିଅ । କାନ୍ଦିଲେ ଚଳିବ ନାହିଁ, ଛାତି ପଥର କର । ତା’ର ମୁକାବିଲା କର । ମାର । ।

 

ତା’ କଥାରେ କି ସମ୍ମୋହନ ଶକ୍ତି ଥିଲା କେଜାଣି ଅଳ୍ପ ସମୟ ଆଗରୁ କାନ୍ଦି କାନ୍ଦି ହାତ ଗୋଡ଼ ଧରୁଥିବା ସରଳ ଆଦିବାସୀ ତାତି ଉଠିଲା । ଧକ୍କା ପକେଇଲେ ମହାଜନକୁ–ତା’ର ଲୋକଙ୍କୁ । ଭୟରେ ସେମାନେ ଜାଗା ଛାଡ଼ି ଚାଲିଗଲେ । ସପରାଇଗୁଡ଼ାର ପଥର ଛାତି ଖୁସିରେ ଲୁହ ବୁହାଇଲା ରାତିରେ–ଯେତେବେଳେ ଜହ୍ନା ଫୁଟେଇ, ଖଇ କରି, ଅଣ୍ଟିରେ ପୂରେଇ ଭୋକିଲା ଲୋକମାନେ ତରତରରେ ଖାଇଗଲେ, ଉଦର ଜ୍ୱାଳାକୁ ଶାନ୍ତ କରିବାପାଇଁ ।

 

ସେହିଦିନରୁ ଭେଙ୍କେଟର ଆରମ୍ଭ ହେଲା ଯୁଦ୍ଧ । ଶୋଷିତ ପାଇଁ ତା’ର ଅସ୍ତ୍ର ଉତ୍ତୋଳନ-। ଶୋଷକକୁ ପଦାନଦ କରିବାର ପ୍ରୟାସ । ଅସଂଖ୍ୟ ଗିରିଜନ ତା’ର ହେଲେ ପଦାତିକ-

 

ବାତିଲି ମହାଜନ ଆଶ୍ରୟ ନେଲେ ପୁଲିସ୍‌ର ତଳିଆ କ୍ଷେତ୍ର-କର୍ମଚାରୀମାନଙ୍କ ପାଖରେ-। ସେମାନେ ମଧ୍ୟ ସେହି ସମାଜର–ଯେଉଁ ସମାଜ ନିୟମ କରିଥିଲା ଧନୀକୁ ସାହାଯ୍ୟ କରିବାପାଇଁ, ତା’ର ଧନର ରକ୍ଷା ନିମନ୍ତେ–ତା’ର ନିୟମ ନଥିଲା ମଣିଷର ମଣିଷତ୍ୱକୁ ସମ୍ମାନ ଦେବାପାଇଁ, ଭୋକିଲା ପେଟରେ ଦାନା ଦେବାପାଇଁ । ପୁଲିସର ରିପୋର୍ଟ ଗଲା ଗିରିଜମାନଙ୍କୁ ମତେଇ ଭେଙ୍କେଟ ଡକାୟତି କରିଛି । ମହାଜନର ପ୍ରାପ୍ୟ ଛଡ଼େଇ ନେଇଛି । ଉପରେ କର୍ମଚାରୀ ବୁଝୁଛନ୍ତି କ’ଣ ? କାହିଁକି ବା ଯିବେ ଦୁର୍ଗମ ଅଞ୍ଚଳକୁ ସତ୍ୟାସତ୍ୟ ଅନୁସନ୍ଧାନ କରିବାପାଇଁ । ମହାଜନ ଯାହା କହିଲେ, କ୍ଷେତ୍ର-କର୍ମଚାରୀ ଯାହା କହିଲେ–ସେ ସବୁ ସତ । ଭେଙ୍କେଟ ଅତ୍ୟାଚାରୀ ଶୋଷଣକାରୀ । ଆଦେଶ ଗଲା–ଭେଙ୍କେଟ ସମାଜର ଶତ୍ରୁତାକୁ ଧର । ତାକୁ ଧରିବାପାଇଁ ଚାଲିଲା ପ୍ରବଳ ଚେଷ୍ଟା । ସେ ହେଲା ଫେରାର । ନିର୍ଜନ ପ୍ରାନ୍ତର, ଦୁର୍ଗମ ଗିରି, ଅଜଣା ଆଦିବାସୀ ପଲ୍ଲୀ ହେଲା ତା’ର ବାସସ୍ଥାନ । ସେ ପୂରାପୂରି ହୋଇଗଲା ସେମାନଙ୍କ ଭିତରୁ ଜଣେ । ନିଜର ଗୁହାଳ ଘର ସୁଦ୍ଧା ରକ୍ଷଣାବେକ୍ଷଣ କରିପାରିଲା ନାହିଁ । ଛପର ଅଭାବରେ ସେ ଘର ଭାଙ୍ଗିପଡ଼ିଲା । ନିଜର ଗାଁ ଦେଇ ଯିବାର ଶକ୍ତି ତା’ର ନ ଥିଲା–କାରଣ ନାରସେୟାର ଆଖିରେ ସେ ପହିଲା ନମ୍ବର ଶତ୍ରୁ । ସେ ତାକୁ ପୁଲିସ ହାତରେ ଧରେଇ ଦେଇପାରେ ।

 

ଏମିତି ବର୍ଷବର୍ଷଧରି କେତେବର୍ଷ ବିତିଗଲା । ଭେଙ୍କେଟ ସତ୍ୟମ୍‌କୁ ନିଜ ଗାଁଲୋକ ପ୍ରାୟ ଭୁଲିଗଲେ । କିନ୍ତୁ ସେହି ଅଞ୍ଚଳର ଗିରିଜନମାନଙ୍କର ସେ ହେଲା ନେତା । ସେମାନଙ୍କୁ କୁସଂସ୍କାର ବିମୁକ୍ତକରି ବାସ୍ତବମୁଖୀ କରେଇବାକୁ ଚେଷ୍ଟାକଲା । ବାମପନ୍ଥୀ ଦଳର କେହି ନିର୍ବାଚନ ଲଢ଼ିଲେ ତା’ର ସାହାଯ୍ୟ ଲୋଡ଼ିଲେ । ବାମପନ୍ଥୀ ସଭାପାଇଁ ତାକୁ ଡାକରା ହେଲା । ଯଦିଚ ତା’ ନାଁରେ ଗିରପ୍ତାରୀ ଓ୍ୱାରେଣ୍ଟ ବାହାରିଥାଏ ତଥାପି ସେ ବୁଲୁଥାଏ ନିର୍ଭୟରେ ।

 

ଏତିକିବେଳେ ସେ କେତେକ ନିଆଁଗିଳା, ଯୁବକ–ବାମପନ୍ଥୀଙ୍କ ସମ୍ପର୍କରେ ଆସିଲା । ସେମାନେ ଶ୍ରେଣୀ–ସଂଘର୍ଷ, ବୁର୍ଜୁଆ, ପ୍ରୋଲେଟାରୀଏଟ୍‌ ମୁକ୍ତି ସଂଗ୍ରାମ, ଏମିତି କେତେ କ’ଣ ବିଷୟ ପ୍ରାଞ୍ଜଳଭାବେ ବୁଝେଇଗଲେ । ଯେଉଁ ଘଟଣାସବୁ ଅଙ୍ଗେ ନିଭେଇଥିଲା, ଯେଉଁଗୁଡ଼ିକ ତା’ର ନିତିଦିନିଆ ଜୀବନରେ ଆସିଥିଲା–ଯାହା ଯୋଗୁଁ ସେ ଏବଂ ଅନ୍ୟାନ୍ୟ ଗିରିଜନ ସର୍ବସ୍ୱାନ୍ତ ହେଉଥିଲେ, ସେଗୁଡ଼ିକ ସୁନ୍ଦର ଭାଷାରେ ସୁନ୍ଦର ଭାବରେ ସେମାନେ ପ୍ରତିପାଦନ କରୁଥିଲେ, ବୁଝେଇ ଦେଉଥିଲେ । ସେହି ସମସ୍ୟା ସବୁକୁ ନେଇ ସେମାନେ ଶ୍ରେଣୀ ସଂଘର୍ଷର ଦର୍ଶନ ବାଢ଼ୁଥିଲେ । ଭେଙ୍କେଟର ଶିକ୍ଷକ ମନକୁ ସେ ସବୁ ଭଲ ଲାଗିଲା । ସେ ସବୁ ଶୁଣିଲା । ଏହି ସବୁ ତା’ହେଲେ ମାଓସେତୁଙ୍ଗଙ୍କର ବାଣୀ । ସବୁକଥାକୁ ଧାରାରେ ପକେଇ ଶୋଷକକୁ ପ୍ରତିରୋଧ କରିବାର ପ୍ରେରଣା । ସେହି ପ୍ରତିରୋଧ ହିଂସାରେ ରୂପାୟିତ ହୋଇପାରେ । ହତ୍ୟାରେ ପର୍ଯ୍ୟବେଶିତ ହୋଇପାରେ–ସେ ମଧ୍ୟ ସେହି ପଥର ପଥିକ ହେବ ।

 

ହଠାତ୍‌ ସେ ନିମନ୍ତ୍ରଣ ପାଇଲା ଗୁଣୁପୁରରେ ଗୋଟିଏ ଗୁପ୍ତସମ୍ମିଳନୀରେ ଯୋଗଦେବାପାଇଁ । ଆଳତି ପାହାଡ଼ରୁ ଲୁଚି ଲୁଚି ଚାଲିଲା ଗୁଣୁପୁର । ପୂର୍ବ ନିର୍ଦ୍ଧାରିତ ମତେ ଗୁଣୁପୁର ରେଲଓ୍ୱେ ଷ୍ଟେସନ୍‌ରେ ଗୋଟାଏ କୁରାଢ଼ି ଧରି ଜଣେ ଅଧାଲଙ୍ଗଳା ଆଦିବାସୀ ଅପେକ୍ଷା କରିଥିଲା । ତାକୁ ବାଟ କଢ଼େଇନେଲା ଗୋଟାଏ ଛୋଟିଆ ଘରକୁ । ସେଠାରେ ଅପେକ୍ଷା କରିଥିଲେ ଆଠ ଦଶଜଣ–ସେମାନଙ୍କ ଭିତରେ ଓଡ଼ିଆ ଥିଲେ, ତେଲୁଗୁ ଥିଲେ, କନ୍ଧ ଥିଲେ, ସଉରା ଥିଲେ । ଜଣେ ବୟସ୍କ ଏବଂ ଅନ୍ୟଜଣେ ଯୁବକ ଓକିଲ ସେମାନଙ୍କ ଆଭିମୁଖ୍ୟ ବୁଝେଇଦେଲେ । ଦେଶରେ ଶ୍ରେଣୀ-ସଂଘର୍ଷର ସୂତ୍ରପାତ । ନକ୍‌ସଲବାଡ଼ିରେ ମୁକ୍ତି ଘୋଷଣା ଓ ଶୋଷକର ନିପାତ ବିଷୟ ବେଶ୍‌ ପ୍ରାଞ୍ଜଳଭାବେ ବୁଝେଇଲେ ସେମାନେ । ଶୀର୍ଣ୍ଣକାୟ ଯୁବକ ଜଣକ ଶେଷରେ କହିଲେ–‘‘ଏ ଆମର ମୁକ୍ତି ସଂଗ୍ରାମ । ଆମେ ଶୋଷିତ, ଆମର ଶତ୍ରୁ ଶୋଷକ । ଶୋଷକ ମହାଜନ, ସାହୁକାର, ସରକାରୀ କର୍ମଚାରୀମାନଙ୍କୁ ନିପାତ କରିବାକୁ ହେବ । ସେମାନଙ୍କୁ ହତ୍ୟାକଲେ ହିଁ ଆମେ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା କରିପାରିବା । ଆମର ବହୁଦିନର କାମନା ପୂର୍ଣ୍ଣ ହେବ । ଆମେ ଆଉ ଶୋଷିତ, ଦଳିତ ହେବା ନାହିଁ । ଆଜିଠାରୁ ଶପଥ କରନ୍ତୁ–ଶୋଷିତାର ଶତ୍ରୁକୁ ନିପାତ କରିବା । ଦେଶର ମୁକ୍ତି ଆଣିବା ଏହି ଧନୀକ ଗୋଷ୍ଠୀଠାରୁ । ଆମେ ହିଂସାର ପଥ ବାଛିନେବା, ହିଂସାର ପଥ ହିଁ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚେଇ ଦେବ ।’’

 

ଫେରିଲାବେଳେ ଖୁବ୍‌ ଖୁସି ହୋଇଥିଲା ଭେଙ୍କେଟ । ଯୁବକ ଓକିଲକୁ ନିମନ୍ତ୍ରଣ କରିଥିଲା ପାହାଡ଼ର ଆଦିବାସୀ ଅଞ୍ଚଳକୁ ଆସି ଦୁଃଖ ଦୁର୍ଦ୍ଦଶା ଦେଖିଯିବା ପାଇଁ । ବାଟରେ ସେ ସ୍ଥିର କଲା–ନାରସେୟାକୁ ପ୍ରଥମେ ହତ୍ୟା କରିବ । ସେ ହେଉଛି ପ୍ରଥମ ପ୍ରତୀକ–ସ୍ୱାର୍ଥପର ଶୋଷକ ଗୋଷ୍ଠୀର ।

 

ତା’ ପରଦିନ ସକାଳେ ନାରସେୟା ମୁଣ୍ଡମେଖଳା ଜଗନ୍ନାଥ ମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲା । ତା’ର ଧନ ସମ୍ପତ୍ତି ଆହୁରି ଅଧିକା ହେଉ, ଅଧିକା ଜମିବାଡ଼ି କିଣୁ, ଭଗବାନଙ୍କ ନାମରେ ସେ ପାପ କରିଚାଲୁ–ଅକୁଣ୍ଠ ଚିତ୍ତରେ–ତା’ ପଥରେ କେହି କଣ୍ଟା ନ ହେଉ । ଦୁଇଜଣ ଖମ୍ବାରୀଙ୍କୁ ଧରି ଧାନବିଲ ଦେଖିବାପାଇଁ ସହଳ ସହଳ ବାହାରିପଡ଼ିଲା । ଗାଁ–ମୁଣ୍ଡରେ ହଠାତ୍‌ ଭେଙ୍କେଟକୁ ଦେଖି ନାରସେୟା ଚମକିପଡ଼ିଲା । ବହୁତ ଦିନ ପରେ ଭେଙ୍କେଟ ଗାଁକୁ ଆସିଛି କି ଉଦ୍ଦେଶ୍ୟ ନେଇ । ତା’ ନାଁରେ ଯେ ଗିରଫ ପରଓ୍ୱାନା ବୁଲୁଛି । ତଥାପି ଭୋଙ୍କେଟକୁ କିଛି ନ କହି ଦେଖି ନ ଦେଖିବା ଅଭିନୟ କରି ନାରସେୟା ବାଟକାଟି ଚାଲିଯିବା ପାଇଁ ଚେଷ୍ଟାକଲା–ବୈଶାଖୀଝଡ଼ର ସୂଚନା ପାଇ ବାଟୋଇ ଯେମିତି ସହଳ ସହଳ ଗୋଡ଼ ପକାଏ ଆଗକୁ ଯିବାପାଇଁ । ମନେ ମନେ ଭାବିଲା ବାଟରୁ ଗୋଟିଏ ଖମ୍ବାରୀକୁ ଏଲ୍‌ଓ୍ୱିନ୍‌ପେଟା ଥାନାକୁ ପଠେଇଦେବେ–ଥାନାବାବୁଙ୍କୁ ଖବର ଦେବାପାଇଁ । ଗୋଟିଏ ବଡ଼ ବେଣ୍ଟଲଗା କୁରାଢ଼ି ତା’ର ପଥରୋଧ କଲା । ସେ ଦେଖିଲା ଭେଙ୍କେଟ ତା’ର ପଥରୋଧ କରୁଛି । ମୁହଁରେ ଦୁଇ ଚାରିଦିନର ଦାଢ଼ି । ଆଦିବାସୀମାନଙ୍କ ପରି ସାମନାବାଳ କାଟିଦେଇ ପଛରେ ଛୋଟିଆ ଜୁଡ଼ା କରିଛି, ପାଟିରେ ଧରିଛି ଶାଳପତ୍ରର ପିକା । ସେ ପିକା ଲିଭିଯାଇଛି; କିନ୍ତୁ ଆଖିରୁ ବାହାରୁଛି ନିଆଁ । ତା’ ଆଖିକୁ ଦେଖି ନାରସେୟା ଡରିଗଲା । ନିଆଁ ଧାସରେ ପୋଡ଼ିଯିବନା କ’ଣ ? ବାତିଲି ମହାଜନକୁ ପିଟିଲାପରି ତାକୁ ମଧ୍ୟ ପିଟିପକେଇବ ନା କ’ଣ ? ତା’ର ଖମ୍ବାରୀ ଦୁଇଟାକୁ ଡାକ ପକେଇଲା । ତା’ ଡାକ ଶୁଣି ଶୂନ୍ୟରୁ ଆସିଲାପରି କୋଡ଼ିଏ ପଚିଶଜଣ ଆଦିବାସୀ କାତି, କୁରାଢ଼ି, ବଚ୍ଛା ଧରି ଜଙ୍ଗଲ ଭିତରୁ ବାହାରିଆସିଲେ । ସେମାନଙ୍କୁ ଦେଖି ନାରସେୟା ଆହୁରି–ଡରିଗଲା । ପୁଣି ଡାକିଲା ତା’ର ଖମ୍ବାରୀମାନଙ୍କୁ । ଖମ୍ବାରୀମାନେ ଭେଙ୍କେଟକୁ ଦେଖି କିଛି ନକହି ଚୁପ୍‌ଚାପ୍‌ ଚାଲିଗଲେ । ସଂଯତ ହେବାପାଇଁ ଶତଚେଷ୍ଟା କରି ସୁଦ୍ଧା ନାରସେୟା ଗୋଡ଼ରୁ ମୁଣ୍ଡଯାଏଁ କମ୍ପିଉଠିଲା ଭୟରେ ।

 

ନାରସେୟାର ହାତଟାକୁ ଧରିନେଇ ଭେଙ୍କେଟ କହିଲା–‘‘କୁଆଡ଼େ ଯାଉଛୁ ? ଆଉ କାହାର ଘର ଉଜାଡ଼ିବା ପାଇଁ ?’’

 

‘‘ନାଇଁ ମୁଁ କୁଆଡ଼େ ଯାଉନି, ମୁଁ ବିଲକୁ ଯାଉଛି ।’’

 

‘‘ବିଲକୁ ଯାଉଛୁ, ଶୋଷକ’’ କହି ଧରିଥିବା ଲମ୍ବା କୁରାଢ଼ିରେ ସେହି ହାତକୁ ଚୋଟେ ପକେଇଲା । ହାତଟା ସଂଗେ ସଂଗେ ଦୁଇ ଗଡ଼ ହୋଇଗଲା । ନାଲିରକ୍ତରେ ତା’ର ଧଳାଧୋତି ବିବର୍ଣ୍ଣ ହୋଇଗଲା ।

 

ଚିତ୍କାର କରି ନାରସେୟା ତଳେ ବସିପଡ଼ିଲା । ଭେଙ୍କେଟ ଆଉଥରେ କୁରାଢ଼ି ଉଞ୍ଚେଇବା ଦେଖି କରୁଣ ଭାବରେ କହିଲା–‘‘ମୋତେ ମାର ନାହିଁ, ମୁଁ ତମର ଘରବାଡ଼ି ଫେରେଇ ଦେବି । ମୋତେ ମାର ନାହିଁ ।’’

 

ପାଖ ବିଲବାଡ଼ିରେ କାମ କରୁଥିବା ଲୋକେ ପାଖକୁ ଦୌଡ଼ିଆସି ଲକ୍ଷ୍ୟ କରିବାରେ ଲାଗିଲେ କ’ଣ ହେଇଛି ? ସେମାନଙ୍କ ଭିତରୁ ଅଧିକାଂଶ ନାରସେୟା ଦ୍ୱାରା ନିପୀଡ଼ିତ, କାହାର ସମ୍ବେଦନା ନଥିଲା ତାପାଇଁ । ଏତେ ଗୁଡ଼ିଏ ଲୋକଙ୍କୁ ଦେଖି ଭେଙ୍କେଟର ଗଲାକାଲିର ବକ୍ତୃତା କଥା ମନେପଡ଼ିଗଲା । ଏଇତ ସେହି ଶ୍ରେଣୀ–ଶତ୍ରୁ, ଶୋଷକ । ଏଇଠି ତ ରହିଛି ଶ୍ରେଣୀ ସଂଗ୍ରାମ–ମୁକ୍ତିପାଇଁ, ନିପୀଡ଼ିତକୁ ଉଦ୍ଧାର କରିବାପାଇଁ । ନିଜର ସ୍ୱାର୍ଥ ପାଇଁ ଯେ ସେହି ହତ୍ୟା ଉଦ୍ଦିଷ୍ଟ ସେ କଥାକୁ ନ କହି ଭେଙ୍କେଟ ଅନ୍ୟମାନଙ୍କ ଆଗରେ ପାଟିକରି କହିଉଠିଲା-

 

‘‘ଏହି ନାରସେୟା ଆମପରି ଅଗଣିତ ଦରିଦ୍ରଲୋକଙ୍କର ଶତ୍ରୁ । ଏହାର ଦଳ ଆମକୁ ଶୋଷଣ କରୁଛନ୍ତି । ଏମାନଙ୍କୁ ନିପାତକଲେ ଆମେ ଭଲରେ ଚଳିପାରିବା । ଆମେ ରାଜୁତି କରିବା, ଏମାନଙ୍କ ଜାତି ଲୋପ ପାଇବ । ଏବେ ୟାକୁ କ’ଣ କରିବା କୁହ ?’’

 

କିଏ ଜଣେ ପାଟିକଲା ‘‘ମାରିଦିଅ’’ । ସମବେତ ଜନତା ଏକ ସ୍ୱରରେ ସମର୍ଥନ ଜଣେଇ ପାଟିକରି ଉଠିଲେ–‘‘ମାରିଦିଅ । ପୋତିଦିଅ ।’’

 

ସେହି ଚିତ୍କାର ଭିତରେ କିଏ ଭୁଜାଲିରେ, କିଏ କାତିରେ, କିଏ କୁରାଢ଼ିରେ, କିଏ ଦାଆରେ ନାରସେୟାର ଅର୍ଦ୍ଧମୃତ, ରକ୍ତାକ୍ତ ଦେହଟାକୁ କାଟି ପକେଇଲେ । ଶରୀରର ବିଭିନ୍ନ ଅବୟବ ଖଣ୍ଡ ଖଣ୍ଡ ହୋଇ ଧୂଳିଆ ଶଗଡ଼ଗୁଳା ଉପରେ ବିଛାଡ଼ି ହୋଇପଡ଼ିଲା । ତା’ର ଧଳାଧୋତି ରକ୍ତଛିଟା ଲାଗି ଟିକ୍‌ଟିକ୍‌ ହୋଇ ପବନରେ ଉଡ଼ି ବୁଲିଲା । ଉଲଗ୍ନ ମାଦଳ ଦେହଟା ବିଭତ୍ସ ଦୃଶ୍ୟ ସୃଷ୍ଟିକଲା ।

 

ଭେଙ୍କେଟ ସେଇଠି ପାଟିକଲା–‘‘ମାଓସେତୁଂ ଜିନ୍ଦାବାଦ ।’’ କଥାର କିଛି ଅର୍ଥ ନବୁଝି ନାରସେୟାର ମୃତ୍ୟୁ ଯୋଗୁଁ ଆନନ୍ଦିତ ହୋଇଥିବା ଅସଂଖ୍ୟ ଦୁଃଖୀଜନତା ‘‘ମାଓସେତୁଂ ଜିନ୍ଦାବାଦ’’ ଧ୍ୱନୀରେ ଗଗନ ପବନ ମୁଖରିତ କରିଦେଲେ । ବିଜୟ ଗର୍ବରେ ନିଜର ଅନୁଚରମାନଙ୍କୁ ଧରି ଭେଙ୍କେଟ ଆଳତି ପାହାଡ଼କୁ ଚାଲିଲା । ତା’ର ଆରମ୍ଭ ହୋଇଥିଲା ଶତ୍ରୁ ନିପାତର ପର୍ବ–ରକ୍ତରେ ହୋରିଖେଳ ।

 

ଗାଁ ଭିତରେ ଗପ ଜମେଇ ଦେଇଥିବା ବୁଢ଼ା କନେଷ୍ଟବଲ୍‌ ‘ମାଓସେତୁଂ ଜିନ୍ଦାବଦ୍‌’ ଶୁଣି ଓ ପରେ ଭେଙ୍କେଟ ନାରସେୟାକୁ ମାରିଦେଇଥିବା ଖବର ପାଇ ସିଧା ଦୌଡ଼ିଲା ଏଲ୍‌ଓ୍ୱିନ୍‌ପେଟା ଥାନାକୁ । ଥାନାରୁ ରିପୋର୍ଟ ଗଲା–ପାର୍ବତୀପୁର ମାଳଅଞ୍ଚଳ ନକ୍‌ସଲପନ୍ଥୀଙ୍କ ଦ୍ୱାରା ଅଧିକୃତ ହେଲାଣି । ଭେଙ୍କେଟ ସତ୍ୟମ୍‌ ସେହି ଉପଦ୍ରବକାରୀଙ୍କର ନେତା । ସବୁ ବ୍ୟବସାୟୀ, ଜମିଦାର ପ୍ରମାଦ ଗଣିଲେଣି । ସାଧାରଣ ଜୀବନଯାତ୍ରା ବ୍ୟାହତ ହେଲାଣି । ଲୋକେ ତ୍ରସ୍ତ । କେହି ଅନୁଧ୍ୟାନ କଲାନାହିଁ ନାରସେୟା କାହିଁକି ମଲା, କେହି ଜାଣିବାପାଇଁ ଚେଷ୍ଟା କଲା ନାହିଁ ଏହି ହତ୍ୟା ପଛରେ କି କି ପ୍ରକାରର ସାମାଜିକ, ଅର୍ଥନୈତିକ ଶୋଷଣଥିଲା । ଆଇନ୍‌ର ଧ୍ୱଜାଦାରୀ କେବଳ ଦେଖିଲେ ଗୋଟିଏ ଲୋକର ମୃତ୍ୟୁ–କାରଣ ସହ କିଛି ସଂପର୍କ ନାହିଁ ।

 

ଚାରିଆଡ଼େ ସାଜ ସାଜ ରବ ପଡ଼ିଗଲା । ଥାଟ ଥାଟ ପୁଲିସଫୌଜ ଆନ୍ଧ୍ର ଓଡ଼ିଶା ସୀମାର ଗାଁ, ଗାଁରେ ଖୁନ୍ଦି ହୋଇଗଲେ । ଭେଙ୍କେଟର ତଲାସୀ ଚାଲିଲା । ସେ ହେଲା ସମାଜର ଶତ୍ରୁ, ଦେଶର ଶତ୍ରୁ । ତା’ର ପଥ ହିଂସାର ପଥ, ତାକୁ ଧରିବାକୁ ହେବ । ପ୍ରଚଳିତ ସମାଜକୁ ତା’ ଦାଉରୁ ରକ୍ଷା କରିବାକୁ ପଡ଼ିବ । ସାଧାରଣ ଜୀବନଯାତ୍ରା ସୁଗମ କରିବାକୁ ହେବ । ଲୋକଙ୍କ ମନରୁ ଭୟ ଦୂର କରିବାକୁ ହେବ । କିନ୍ତୁ ଦରମାଖିଆ, ଜୀବନକୁ ଲୋଭ କରୁଥିବା ଏବଂ କଷ୍ଟ–ସହିବା ପାଇଁ କୁଣ୍ଠିତ ପୁଲିସ୍‌ କର୍ମଚାରୀ ଗିରିକନ୍ଦର, ଗହ୍ୱର, ନଦୀନାଳ ଭିତରେ ଭେଙ୍କେଟକୁ ଖୋଜିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ସୁବିଧାରେ ଯାଇପାରିବା ଅଞ୍ଚଳରେ ଖୋଜା ଖୋଜି କରି ସମତଳ ଅଞ୍ଚଳ ଜଗି ରହିଥିଲେ, ସତେ ଯେମିତିକି ସେମାନେ ସମାଜ ଶତ୍ରୁର ପଥରୋଧ କରିଛନ୍ତି–ସବୁଦିଗରୁ ।

 

ବିକଳ୍ପ ବାମପନ୍ଥୀ ସମାଜ ପ୍ରତିଷ୍ଠା ସ୍ୱପ୍ନ ଦେଖୁଥିବା ବୁଦ୍ଧିଜୀବି ନେତାମାନେ ନାରସେୟା ମୃତ୍ୟୁର ସୁଯୋଗ ନେଲେ । ଚାରିଆଡ଼େ ଡିଣ୍ଡିମପିଟି ଘୋଷଣାକଲେ ପାର୍ବତୀପୁର ଅଞ୍ଚଳରେ ସେମାନଙ୍କର ରାଜ ପ୍ରତିଷ୍ଠିତ । ଶ୍ରେଣୀ-ସଂଗ୍ରାମ ଆରମ୍ଭ ହେଲା । ଶୋଷକବର୍ଗଙ୍କୁ ମୂଳପୋଛ କରାଯିବ । ଯୋଜନାକୁ ରୂପାୟିତ କରିବାପାଇଁ ବଡ଼ ବଡ଼ ତୁଙ୍ଗ ନେତା ଗୁଣୁପୁର, କଲିକତା, ବେଜଓ୍ୱାଡ଼ା, ବିଜୟନଗରରୁ ଦୌଡ଼ିଆସିଲେ ଆଳତି ପାହାଡ଼ପୁଞ୍ଜକୁ । ଯୋଜନା ଚାଲିଲା, ପୁଲିସ୍ ବ୍ୟୁହକୁ ପ୍ରତିହତ କରିବା କୌଶଳ ଚିନ୍ତା କରାଗଲା । ଶ୍ରେଣୀ–ଶତ୍ରୁମାନଙ୍କର ତାଲିକା ତିଆରି କରାଗଲା । ଶ୍ରେଣୀର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ନାନା ଉପାୟର ଆଶ୍ରୟ ନିଆଗଲା । ସେ ଉପାୟ କେତେକ ସ୍ଥାନରେ ମନକୁ ବଦଳେଇ ଦେଇ, କେତେକ ସ୍ଥାନରେ କାତି ଦେଖେଇ, କେତେକ ସ୍ଥାନରେ ପ୍ରଲୋଭନ ଫଳରେ କୃତକାର୍ଯ୍ୟ ହେଲା । ଦଳର ସଂଖ୍ୟା ବଢ଼ିଲା । ବଉଦଳରୁ ଛୋଟ ଛୋଟ ଦଳ ତିଆରି କରାଗଲା । ପ୍ରତ୍ୟେକ ଦଳର ସଦର ମହକୁମା ସ୍ଥିର କରାଗଲା; କିନ୍ତୁ ସବୁଦଳ ଉପରେ ଅଧିନାୟକ ରହିଲା–ଭେଙ୍କେଟ । ସେ ମୁଣ୍ଡିଆଳ, ସେ ଅପ୍ରତିଦ୍ୱନ୍ଦୀ ନେତା–ଅନ୍ୟମାନେ ତା’ର ସହାୟକ ମାତ୍ର ।

 

ତୁଙ୍ଗ ନେତାମାନେ କହିଲେ–ମୁଣ୍ଡମେଖଳାର ମୁଣ୍ଡିଆଳ ମୁଣ୍ଡିମାରିବ ଶୋଷକବିହୀନ ସମାଜର ।

 

ଭେଙ୍କେଟ ବିଭିନ୍ନ ପାହାଡ଼ ଉପରେ ତା’ର ଦଳ ପାଇଁ ଛୋଟ ଛୋଟ କୁଡ଼ିଆ ତିଆରି କଲା । ପ୍ରତ୍ୟେକ କୁଡ଼ିଆରେ ପାଣି, ଲୁଣ, ସୁଆଁଚାଉଳ, କୁକୁଡ଼ା ଓ କାତିକୁରାଢ଼ିର ବନ୍ଦୋବସ୍ତ କରିଦେଲା । ଦଳର ଲୋକମାନେ ଆସି ସେଇଠି ଆଶ୍ରୟ ନେବେ । ଖାଇବେ, ପିଇବେ ପୁଣି ଚାଲିବେ ଅନ୍ୟଜାଗାକୁ । ବଛାବଛି ଲୋକଙ୍କୁ ପଶ୍ଚିମବଙ୍ଗରୁ କର୍ମୀମାନେ ଆସି ବନ୍ଧୁକ ଚଳେଇବା ଶିକ୍ଷାଦେଲେ । ବନ୍ଧୁକ ଦେଲେ । ସେମାନେ ପୁଲିସ୍‌ର ମୁକାବିଲା କରିବେ । ମରମା, ମୁଣ୍ଡମେଖଳା ଓ ରାଜାମ୍‌ ଭିତରେ ଭେଙ୍କେଟ ହେଲା ଗୋଟିଏ ଛୋଟ ରଜା । ତା’ର ଇସାରାରେ ନାଚିଲେ ହଜାର ହଜାର ଲୋକ । ଚାରିଆଡ଼େ ପ୍ରଚାରପତ୍ର ବଣ୍ଟାଗଲା । ନୂଆଲୋକଙ୍କୁ ସାମିଲ୍‌ କରାଗଲା । ଯେଉଁମାନେ ଦଳରେ ମିଶିଲେ ନାହିଁ ସେମାନଙ୍କ ପ୍ରତି ଅତ୍ୟାଚାର କରାଗଲା । ଅନ୍ୟ ଆଗରେ ସେମାନେ ପାଟି ଫିଟେଇ ପାରିଲେ ନାହିଁ । ପୁଲିସ୍ ପାଖକୁ ଯାଇପାରିଲେ ନାହିଁ । ଯାଇ ବା ଲାଭ କ’ଣ ? ପୁଲିସ୍‌ କ’ଣ ଏମାନଙ୍କ ପାଖରୁ ରକ୍ଷା କରିପାରିବ ? ଏମାନେ ଯେ ନୂଆ ହୋଇ ଆସିଛନ୍ତି–ନୂଆ ଭାବନା ନେଇ, ନୂଆ ଉନ୍ମାଦନା ନେଇ ।

 

ଗୁଣୁପୁରର ଯୁବ ଓକିଲ ନାଗୀ ଦିନେ ପ୍ରସ୍ତାବ ଦେଲା–‘‘ନାରସେୟାକୁ ମାରିବା ଠିକ୍‌ ହୋଇଛି । କିନ୍ତୁ ତା’ର ଧନ ସମ୍ପତ୍ତି ଛଡ଼େଇ ନିଆଯାଇ ନାହିଁ । ତା’ ପରିବାରକୁ ସର୍ବସ୍ୱାନ୍ତ କରାଯାଇ ନାହିଁ । ଭେଙ୍କେଟ, ଆଉ ଗୋଟିଏ ଜାଗା ସ୍ଥିର କର । ଆମେ ସମସ୍ତେ ଯିବା । ଶ୍ରେଣୀ–ଶତ୍ରୁକୁ କେମିତି ନିପାତ କରାଯାଏ ମୁଁ ଦେଖେଇବି ।’’

 

ଭେଙ୍କେଟ ସେହି ଶୀର୍ଣ୍ଣକାୟ, ପାଣ୍ଡୁର ଯୁବକକୁ ଅନେଇଲା । ମନେ ମନେ ସନ୍ଦେହ କଲା–ଏ ଯୁବକ ପାରିବ ତ ? ୟା ଦେହରେ ବଳ ନାହିଁ ? ତଥାପି ତା’ର କଥାରୁ ମନେହେଉଥାଏ ତା’ର ନିଜପ୍ରତି ବିଶ୍ୱାସ ଅଛି । ବିପଦ ପ୍ରତି ଖାତିର୍‌ ନାହିଁ । ଶତ୍ରୁକୁ ନିପାତ କରିବା ଦୃଢ଼ ସଂକଳ୍ପ କରିଛି । ଭେଙ୍କେଟ ସଂଗେ ସଂଗେ କହିଲା–‘‘ଲୋହରଝୋଲାର କୁମୁଟୀ ବଡ଼ ଅତ୍ୟାଚାରୀ । ତାକୁ ମାରିଲେ ସେ ଅଞ୍ଚଳର ଦରିଦ୍ରଲୋକ ଶାନ୍ତି ପାଇବେ । ସେ ବହୁତ ଜମିବାଡ଼ି, ଜିନିଷ ବନ୍ଧକ ରଖିଛି-।’’

 

‘‘ତାହେଲେ ଯୋଜନା ପ୍ରସ୍ତୁତ କର । କାଲି ଆମେ ଯିବା ।’’ ନାଗୀ କହିଲା ।

 

ଭେଙ୍କେଟ ମନେ ମନେ ଖୁସି ଯେ ଆବେଇର ଶ୍ୱଶୁର ଘର ଚଢ଼ଉ ହେବ । ସେମାନଙ୍କୁ ସର୍ବସ୍ୱାନ୍ତ କରାଯିବ । ବହୁ ବର୍ଷ ପୂର୍ବେ ଭାନୀ ପ୍ରତି ହୋଇଥିବା ଅତ୍ୟାଚାର ଓ ଅପମାନର ପ୍ରତିଶୋଧ ନିଆଯିବ । ସଙ୍ଗେ ସଙ୍ଗେ ଲୋକ ପଠେଇ ଡକେଇ ଆଣିଲା ଭାନୀକୁ । ଭାନୀ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିଲା । ଆଗର ଛୋଟପିଲା ଭାନୀ ଆଉ ନାହିଁ । ଡେଙ୍ଗା ହୋଇ ବଳିଷ୍ଠ ଚେହେରା, ପୂରିଲା ଦେହ, ପିଲାବେଳେ କପାଳରେ ଉକୁଟେଇଥିବା ନୀଳ ଚିତାଟି ବଡ଼ ହୋଇ ମୁହଁକୁ ସୁନ୍ଦର କରିଦେଉଛି । ଦଳର ଅନ୍ୟଜଣେ ଯୁବକ କୈଳାସମ୍ ତାକୁ ଦେଖୁ ଦେଖୁ ତା’ ଆଡ଼କୁ ଆକୃଷ୍ଟ ହୋଇପଡ଼ିଲା । ତାକୁ ଭାନୀ ଖୁବ୍‌ ସୁନ୍ଦର ଦେଖାଗଲା ।

 

ଭେଙ୍କେଟ ସମସ୍ତଙ୍କୁ ତା’ ଯୋଜନା କହିଲା । ଯୋଜନା ଶୁଣି ଭାନୀ ଆନନ୍ଦରେ ଚିତ୍କାର କରିଉଠିଲା । ପିଲାଦିନର ଝାପ୍‌ସା କଥାକୁ ମନେପକେଇ ଖୁସିରେ ଡେଇଁ ଡେଇଁ ଚାରିଆଡ଼େ ବୁଲିଆସିଲା । ନାଗୀକୁ ଦେଖି ତା’ ପାଖରେ ଯାଇ ବସିପଡ଼ିଲା । ଯୋଜନା ବିଷୟରେ ତା’ ସାଙ୍ଗରେ ବିଶଦ୍ ଭାବେ କଥାବାର୍ତ୍ତା ହେଲା । ଆଗରୁ ବାପା ତାକୁ ନାଗୀ ସାଙ୍ଗରେ ଚିହ୍ନା କରେଇ ଦେଇଥିଲେ । ସେମାନେ କଥାବାର୍ତ୍ତା ପରେ ସ୍ଥିରହେଲା ନାଗୀ ଓ ଭାନୀ ଲୋହରଝୋଲା ଦଳର ନେତୃତ୍ୱ ନେବେ । କୈଳାସମ୍ ସେମାନଙ୍କୁ ସାହାଯ୍ୟ କରିବ । ଭେଙ୍କେଟ ମଧ୍ୟ ଯିବ । ସେ ଅଞ୍ଚର ସବୁ ଆଦିବାସୀ ଯିବେ । ମୁକ୍ତି ସଂଗ୍ରାମର ପ୍ରଥମ ଜୟଯାତ୍ରା ଆରମ୍ଭ ହେବ ।

 

ରାତି ବାରଟା । ଯେତେବେଳେ ବହୁ ଦୂରରେ ଗୁଣୁପୁର ସହରର ବିଜୁଳି ଆଲୁଅ ମିଟିମିଟି କରୁଥାଏ, ବଂଶଧାରା ନଦୀ ଶୋଇଯାଇଥାଏ, ପାଖ ଗାଁ, ଗଣ୍ଡା ଶାନ୍ତିରେ ଘୁଙ୍ଗୁଡ଼ି ମାରୁଥାନ୍ତି, ସେତିକିବେଳେ ଜଳନ୍ତା ମଶାଲର ସମୁଦ୍ର ଓହ୍ଲେଇଆସିଲା ମରମା ପାହାଡ଼ରୁ ଲୋହରଝୋଲାର ସମତଳ ଅଞ୍ଚଳକୁ । ସେହି ଅଗଣିତ ମସାଲ ନେଇ ଆଗେଇ ଯାଉଥିଲେ ଅସଂଖ୍ୟ ଜନତା, ଶ୍ରେଣୀ–ସଂଗ୍ରାମର ଯୋଦ୍ଧା । ଭୟ ନାହିଁ, ଭ୍ରାନ୍ତି ନାହିଁ, ଆଖିରେ ଘାରିଛି ଆଦର୍ଶର ନିଶା ।

 

ସେମାନଙ୍କୁ ଦେଖି ବାଘ ବାଟ ଛାଡ଼ିଦେଲା, ବିଲୁଆ ଗାତ ଭିତରେ ଲୁଚିଗଲା, ବାର୍‌ହା ଦୌଡ଼ି ପଳେଇଲା । ନିବିଡ଼ ଜଙ୍ଗଲ ଭିତରେ ଗଛ ଲୁଚିଗଲା, କେବଳ ସେହି ଗଛ ଉପରେ ବସି ପେଚା ଏମାନଙ୍କୁ ଲକ୍ଷ୍ୟ କରୁଥିଲା । ଅନାଗତ ଦୁନ୍ଦୁଭିର ଅପେକ୍ଷା କରୁଥିଲା–ଗୋଲ ଗୋଲ ଆଖିନେଇ ।

 

ଲୋହରଝୋଲା ଗାଁ ଚାରିପଟେ ଘେରିଗଲେ ସମସ୍ତେ । ‘‘ମାଓସେତୁଂ ଜିନ୍ଦାବାତ, ଶ୍ରେଣୀ–ସଂର୍ଘଷ ଦୀର୍ଘଜୀବୀ ହେଉ’’ ଧ୍ୱନିରେ ଗଗନ ପବନ ମୁଖରିତ ହେଲା । ସରଳ ଗ୍ରାମବାସୀ ଭୟଭୀତ ହୋଇ ଦୌଡ଼ି ପଳେଇବା ପାଇଁ ଚେଷ୍ଟାକଲେ । ନାଗୀ ସେମାନଙ୍କୁ ଏକାଠିକରି ଆସିବା ଉଦ୍ଦେଶ୍ୟ ବୁଝେଇଲା । ତଥାପି ସେମାନେ ଗାଁ ଭିତରେ ରହିବାପାଇଁ ନାରାଜ । କୁମୁଟୀ ଲାଚ୍ଛାନ୍ନା ପ୍ରତାପୀ ଲୋକ । ସରକାରୀ ଲୋକ ତା’ ହାତରେ । ସେମାନଙ୍କୁ ଅସୁବିଧାରେ ପକେଇପାରେ । ସେଇଠି ନାଗୀ ଆରମ୍ଭ କରିଦେଲା ତା’ର ସ୍ୱଭାବ ସୁଲଭ ଓଜସ୍ୱିନୀ ବକ୍ତୃତା । ବକ୍ତୃତା ଶୁଣି ସମସ୍ତେ ଢଳିପଡ଼ିଲେ ତା’ ପଟକୁ । ସମସ୍ତଙ୍କ ମନରେ ସେହି ଏକ ଭାବନା–ସତେ ତ ! ଆମର ଜମି ନେଇଯାଇଛି ଲାଚ୍ଛାନ୍ନା । ଆମଠାରୁ ତମସୁକ ଲେଖେଇ ନେଇଛି । ଆମେ ପୋତି ହୋଇଯାଇଛୁ । ଆମେ ମେହନତ କରୁଥିବା ଜନତା, ସେ ଭୋଗ ବିଳାସ କରୁଥିବା ଧନଶାଳୀ ଲୋକ । ଆମଠାରୁ ସେ ଅଲଗା । ତା’ର ଧ୍ୱଂସରେ ଆମେ ମଧ୍ୟ ସାହାଯ୍ୟ କରିବୁ ।

 

ଲାଚ୍ଛାନ୍ନା ଓ ତା’ର ତିନିପୁର ଘରଛାଡ଼ି ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ କୈଳାସମ୍‌ ସେମାନଙ୍କୁ ଧରିଆଣିଲା ଗାଁ ଦାଣ୍ଡକୁ । ଲାଚ୍ଛାନ୍ନାର ସ୍ତ୍ରୀ ଓ ଝିଅମାନେ ଭୟରେ ଚିତ୍କାର କରି ପଳେଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସେମାନଙ୍କୁ ଅଟକେଇଲା ନାଗୀ । ତାଙ୍କୁ କହିଲା–‘‘ତମେ ଆମର ଶତ୍ରୁ ନୁହଁ । ତମର ସ୍ୱାମୀ, ଭାଇମାନେ ଆମର ଶ୍ରେଣୀଶତ୍ରୁ । ତମେ ଏଇଠି ରୁହ । କୁଆଡ଼େ ଯାଇପାରିବ ନାହିଁ ।’’

 

ଲାଚ୍ଛାନ୍ନାକୁ ଘର ବାରଣ୍ଡା ଉପରେ ଛିଡ଼ା କରେଇଲା ନାଗୀ । ତାକୁ ସମସ୍ତଙ୍କୁ ଖଇ କହିଲା–‘‘ଏ ଆମ ଶ୍ରେଣୀର ଶତ୍ରୁ । ଏହାକୁ ମାରିବାକୁ ହେବ ।’’

 

ମରିବା କଥା ଶୁଣି ନାଗୀ ଗୋଡ଼ତଳେ ପଡ଼ିଗଲା ଲାଚ୍ଛାନ୍ନା । ସେ କରୁଣ କଣ୍ଠରେ କହୁଥିବା ଶୁଣାଗଲା–‘‘ମୋତେ ରକ୍ଷାକର, ମାର ନାହିଁ । ମୋତେ ଯାହା କହିବ ମୁଁ ସେଇୟା କରିବି-।’’

 

ନାଗୀ ତାକୁ ଆଦେଶ ଦେଲା–‘‘ସବୁ ବନ୍ଧକ କାଗଜ, ତମ ନିଜର ଜମିବାଡ଼ି କାଗଜ, ବନ୍ଧକ ରଖିଥିବା ସୁନା, ରୁପା ଆଣ ।’’ ଘର ଭିତରକୁ ଦୌଡ଼ିଯାଇ ଲାଚ୍ଛାନ୍ନା ସବୁ କାଗଜପତ୍ର, ବନ୍ଧକ ଜିନିଷ ଆଣି ବାରଣ୍ଡା ଉପରେ ଗଦେଇଦେଲା । ନାଗୀ ସବୁ କାଗଜପତ୍ରରେ ନିଆଁ ଲଗେଇଦେଇ ବନ୍ଧକ ଜିନିଷ ଉପରେ ଲେଖାଯାଇଥିବା ନାଁ ସବୁ ପଢ଼ି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଫେରେଇଦେଲା । ବାକି ସବୁ ଜିନିଷ ଭେଙ୍କେଟକୁ ଦେଇଦେଲା । ଲାଚ୍ଛାନ୍ନା ଟିକିଏ ଆଶ୍ୱସ୍ତ ହେଲା–କାଗଜପତ୍ର ପୋଡ଼ିଦେଲା ପରେ ତାକୁ କିଛି କରିବେ ନାହିଁ, ତାକୁ ମାରଧର୍‌ କରିବେ ନାହିଁ ।

 

ହଠାତ୍‌ ପାଖରେ ଛିଡ଼ା ହୋଇଥିବା ଆଦିବାସୀ ପାଖରୁ କୁରାଢ଼ି ନେଇ ଲାଚ୍ଛାନ୍ନାର ଡାହାଣ ହାତକୁ କାଟିଦେଲା ନାଗୀ । ବାହୁମୂଳରୁ ପଚ୍‌ପଚ୍‌ କରି ବହିଯାଉଥିବା ରକ୍ତରେ କାନ୍ଥ ଉପରେ ଲେଖିଦେଲା–‘‘ମାଓସେତୁଂ ଜିନ୍ଦାବାଦ୍‌ ।’’ ଭୁଜଉପୁଡ଼ି ଯାଇଥିବା ଦୁଃଶାସନ ପରି ଲାଚ୍ଛାନ୍ନା ଭୂଇଁରେ ଲୋଟିପଡ଼ିଲା । ଆକାଶଫଟା କରୁଣ ଚିତ୍କାର ଭିତରେ ପ୍ରାଣଭିକ୍ଷାକରି ବସିଲା । ଲାଚ୍ଛାନ୍ନାର ସ୍ତ୍ରୀ ଓ ଝିଅମାନେ ସେଠାରୁ ଦୌଡ଼ି ପଳେଇବା ପାଇଁ ଚେଷ୍ଟା କରୁଥିଲେ । ନାଗୀ ସେମାନଙ୍କୁ ଅଟକେଇଦେଲା ଏବଂ କହିଲା–‘‘ଏତେଦିନ ଯାଏଁ ଲାଚ୍ଛାନ୍ନା କରୁଥିବା ଅତ୍ୟାଚାର ତମେ ଦେଖୁଥିଲ । ଏବେ ତା’ ଉପରେ ଯେଉଁ ଅତ୍ୟାଚାର ହେଉଛି ତାକୁ ଦେଖ ।’’

 

ଦୁଇଜଣ ବଳିଷ୍ଠ ଆଦିବାସୀଙ୍କୁ ଲାଚ୍ଛାନ୍ନକୁ ଭିଡ଼ିଧରିବା ପାଇଁ କହି ଚୋଟ ପରେ ଚୋଟ ପକେଇ ତା’ର ଦୁଇ ଗୋଡ଼ କାଟି ଫୋପାଡ଼ି ଦେଲା । ପୁଣି ରକ୍ତ ନେଇ ‘‘ମାଓସେତୁଂ ଜିନ୍ଦାବାଦ୍‌’’ ଲେଖିଲା ଧଳାକାନ୍ଥ ଉପରେ ସେହି ଲେଖାଥିଲା ନିଷ୍ପେଷିତର ନିଷ୍ପେସକ ଉପରେ ବିଜୟର ସ୍ୱାକ୍ଷର । ସମବେତ ଜନତାକୁ ଉଦ୍‌ବୋଧନ ଦେଇ ନାଗୀ କହିଲା–‘‘ଶୋଷକକୁ ଏକାଥରେ ମାରିଦେବା ଉଚିତ ନୁହେଁ । ସେ ଯେମିତି ଆମମାନଙ୍କୁ ପଳାପଳା କରି, ଦିନ ଦିନ ଧରି, ବର୍ଷ ବର୍ଷ ଧରି ମାରିଛି, ଆମେ ମଧ୍ୟ ତାକୁ ଆସ୍ତେ ଆସ୍ତେ ମାରିବା । ଆମ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଦାନ ଦେବା ଗୋଟିଏ ଗୋଟିଏ ଚୋଟରେ ।’’

 

ସମବେତ ଜନତା ନାଗୀର ଜୟ ଜୟକାର କରିବାରେ ଲାଗିଲେ । ସେହି ଜୟ ଜୟକାର ଭିତରେ ନାଗୀ ଲାଚ୍ଛାନ୍ନାର ମୁଣ୍ଡଟାକୁ କାଟିଦେଲା । ଲାଚ୍ଛାନ୍ନା କିନ୍ତୁ ତା’ ମୁଣ୍ଡ କଟା ହେଲାବେଳେ କିଛି ଜାଣିପାରୁନଥିଲା । ସେତେବେଳକୁ ସେ ମୃତପ୍ରାୟ ।

 

କଟାମୁଣ୍ଡକୁ ମାଟି ଉପରେ ଗଡ଼େଇ ଦେଇ ନାଗୀ ଆହ୍ୱାନ ଦେଲା ଅନ୍ୟମାନଙ୍କୁ-ଲାଚ୍ଛାନ୍ନାର ପୁଅମାନଙ୍କୁ ହତ୍ୟାକରିବାପାଇଁ । ସେମାନେ ବାପା ପରି ସାହୁକାର ହୋଇପାରନ୍ତି, ଶୋଷକ ବଂଶକୁ ରକ୍ଷାକରି ଦେଇପାରନ୍ତି, ପୁଣି ଅଙ୍କୁରୋଦ୍‌ଗମ ହୋଇପାରେ । ତା’ କଥା ପରେ ପରେ ଭାନୀ ଲାଚ୍ଛାନ୍ନାର ବଡ଼ପୁଅକୁ, ଭେଙ୍କେଟ ଓ କୈଳାସମ୍‌ ଅନ୍ୟ ଦୁଇ ପୁଅକୁ ଟିକି ଟିକି କରି କାଟି ପକେଇଲେ । ପୁଞ୍ଜୀକୃତ ଅତ୍ୟାଚାରର ଜ୍ୱାଳା ସତେଯେମିତିକି ସେଇଠି ପ୍ରଶମିତ ହେଲା, ଶୋଷଣର ପରିସମାପ୍ତି ଘଟିଲା ।

 

ଘରଦ୍ୱାର ଲୁଟ୍‌ପାଟ୍‌ ହେଲା । ସୁନା ଓ ରୁପା ରଖିଲା ଭେଙ୍କେଟ–ଦଳର କାମ ପାଇଁ । ଘରେ ଯାହାସବୁ ଥିଲା ବଣ୍ଟାହେଲା ଅଗଣିତ ଜନତା ଭିତରେ । କିଏ ଲୁଗା ପାଇଲା ତ କିଏ ଚାଉଳ, କିଏ ଧାନ । ପଛରେ ପଡ଼ିଯାଇଥିବା ଲୋକଙ୍କ ଭିତରୁ କିଏ କିଏ ମୁଠାଏ ସୁଆଁ ଚାଉଳ, ମାଣ୍ଡିଆ ବା ଦୁଇଟା ପିକା ପାଇଲେ । ସେଥିରେ ମଧ୍ୟ ସେମାନଙ୍କର ଆନନ୍ଦ । ଯିଏ ସବୁଦିନେ ତାଙ୍କୁ ଶୋଷଣ କରୁଥିଲା, ଆଜି ସିଏ ନିଜେ ଶୋଷିତ ହୋଇଛି । ପ୍ରତ୍ୟେକ ଲୋକ ନିଜର ପ୍ରାପ୍ୟ ଟାଣି ନେଇଛନ୍ତି–ହେଉପଛେ ସେ ମୁଠାଏ ସୁଆଁ ଚାଉଳ ବା ଦୁଇଟା ପିକା ।

 

ସେହି ରାତିରୁ ତୀବ୍ରତର ସଂଗ୍ରାମର ସୁତ୍ରପାତ ହେଲା । ଗୁଣୁପୁର–ପାର୍ବତୀପୁର–ପାରଳାଖେମୁଣ୍ଡି ପାହାଡ଼ିଆ ଅଞ୍ଚଳରେ ରଣ ଦୁନ୍ଦୁଭି ବାଜିଉଠିଲା ଅହରହ–ରାତ୍ରିର ନିସ୍ତବ୍‌ଧତାକୁ ଭେଦକରି, ସୁସୁସ୍ତ ପୃଥିବୀକୁ ବିଦୀର୍ଣ୍ଣ କରି ।

 

ମୁକ୍ତିର ମଶାଳ ଜଳିଉଠିଲା ଲାବଣ୍ୟଗଡ଼ ପାହାଡ଼ ଉପରେ ପାରିଡ଼ି ପର୍ବତ ମାଳାରେ, ବୋରି ପାହାଡ଼ରେ ।

 

ରକ୍ତରେ ହୋରି ଖେଳିସାରି ବିଜୟ ଗର୍ବରେ ବିଜୟ ବାହୁଡ଼ା କଲେ ଭେଙ୍କେଟର ଦଳ । ନୂଆ ଆଶା, ନୂଆ ଉନ୍ମାଦନାରେ ସେମାନେ ଉଷାକାଳୀନ ଗଗନ ପବନକୁ ମୁଖରିତ କରିଦେଉଥିଲେ । କେତେବେଳେ କେମିତି ଭୟ ପାଇ ଯାଇଥିବା ମୟୂରଟିଏ ଗୋଟିଏ ଗଛରୁ ଅନ୍ୟ ଗଛକୁ ଉଡ଼ିଯାଉଥାଏ ଅଥବା ଭୀତ ଚକିତ ଆଖିନେଇ କୁଟୁରାଟିଏ ଘଞ୍ଚ ଜଙ୍ଗଲ ଭିତରକୁ ପଶିଯାଉଥାଏ । ରକ୍ତରଞ୍ଜିତ ହାତ ଦୁଇଟିକୁ ଅନେଇ ଅନେଇ ନାଗୀ ଚାଲିଥାଏ–ନୂଆ ଆଶା ନେଇ, ନୂଆ ଆଦର୍ଶକୁ ନେଇ, ଜୈତ୍ର ଯାତ୍ରାର ଆଗ୍ରଣୀ ହୋଇ । ସେଇଠୁ ସେ ଚାଲିଯିବ ବିଜୟଓ୍ୱାଡ଼ା, ରାଜମହେନ୍ଦ୍ରୀ, କଟକ । ବୁଦ୍ଧିଜୀବୀମାନଙ୍କୁ ନିଜ ଦଳରେ ସାମିଲ୍‌ କରିବ । ଶ୍ରେଣୀ–ସଂଘର୍ଷକୁ ଆହୁରି ବଢ଼େଇଦେବ । ଶାରୀରିକ ଅକ୍ଷମତା ସତ୍ତ୍ୱେ ମନ ତାକୁ ଆଗକୁ କଢ଼େଇ ନେଉଥାଏ । ସେ ପଥରରୁ ପଥରକୁ ଡେଇଁ ଡେଇଁ ଚାଲିଥାଏ ହରିଣ ଛୁଆ ପରି । ଭାନୀ ଚାଲିପାରୁନଥାଏ । ନାଗୀର ତା’ ପ୍ରତି ନିଘା ନାହିଁ । ଡାକିଲେ ମଧ୍ୟ ଶୁଣୁ ନାହିଁ । ଆଗେ ଆଗେ କ’ଣ ସବୁ ଚିନ୍ତା କରି ଚାଲିଛି । ବାପାର ଦେଖାନାହିଁ । ଲୋକମାନଙ୍କୁ ଏକାଠି କରି ଆଣିବାରେ ବ୍ୟସ୍ତ । ସେ ବର୍ତ୍ତମାନ ବାପାର ଝିଅ ନୁହେଁ ଦଳର ଗୋଟିଏ କର୍ମୀ ମାତ୍ର । ବାପା ତେଣୁ କିଛି ସାହାଯ୍ୟ କରିବେ ନାହିଁ । ପାଖରେ ଥାଏ କୈଳାସମ୍‌ । ତାକୁ ଅନେଇ ଅନେଇ ଚାଲିଥାଏ । ଭାନୀ ତା’ ପାଖକୁ ଯାଇ ହାତ ବଢ଼େଇଦେଲା । କୈଳାସମ୍‌ ତା’ ହାତଧରି ଆଗକୁ ବାଟ କଢ଼େଇଲା । ନୂଆ ମାଦକତା ଦୁହିଁଙ୍କୁ ଆଗକୁ ଯିବାର ପ୍ରେରଣାଦେଲା ଦେହକୁ ଦେହ ଲଗେଇ ।

 

ଲୋହରଖୋଲା ହତ୍ୟାକାଣ୍ଡ ପରେ ପରେ ଦାବାନଳ ପରି ଖବର ଚାରିଆଡ଼େ ପ୍ରଚାରିତ ହୋଇଗଲା । ଶହ ଶହ ପୁଲିସ ଆସି ଚାରିଆଡ଼େ ଛାଇ ହୋଇଗଲେ । ଏତେ ପୁଲିସ୍‌ ଆସିବା ଯୋଗୁଁ ଭେଙ୍କେଟର ନାଁ ଚାରିଆଡ଼େ ବ୍ୟାପିଗଲା । ପୁଲିସ୍‌ ହିଁ ବ୍ୟକ୍ତିବିଶେଷର ବିଶେଷତ୍ୱର ବାର୍ତ୍ତାବହ । ଲୋକେ ତାକୁ ନାଁଦେଲେ–ବଡ଼ବାଘ–ପେଦାପୁଲୀ । ବାଘପରି ଭୟଙ୍କର–ଶୋଷଣକାରୀର ରକ୍ତ ପିଇଯିବ । ଅତ୍ୟାଚାରିତ ଅନେକ ଲୋକ ଧାଇଁଆସିଲେ । ପେଯଦାପୁଲୀ ପାଖକୁ । ସେମାନଙ୍କର କେବଳ ଗୋଟିଏ ଅନୁନୟ–ସେ ଚଁ ଚଁ କରି ତଣ୍ଟି କଣା କରି ଅତ୍ୟାଚାରୀମାନଙ୍କର ରକ୍ତ ପିଇଯାଉ । ଗାଁଗଣ୍ଡା ଉଶ୍ୱାସ ହେଉ ।

 

ନାଗୀ ଜଙ୍ଗଲ ଛାଡ଼ି ଯାଇପାରିଲା ନାହିଁ । ଚାରିଆଡ଼େ ପୁଲିସ୍‌ ପଇଁତରା, ଖୋଳତାଡ଼, ପଚରାଉଚରା । ଚୁପ୍‌ଚାପ୍‌ କୁଡ଼ିଆ ଭିତରେ ବସିରହି ନାଗୀ ବହି ପଢ଼େ, ନିଜ ଯୋଜନା ସବୁ ଲେଖିପକାଏ । ବହୁତ ସମୟ ତା’ପାଖକୁ ଭାନୀ ଆସୁଥିଲା । ଭାନୀକୁ ସେ ମାର୍କସ୍‌ଜିମ୍‌, କମ୍ୟୁନିଜମ୍‌ର ଗୂଢ଼ତତ୍ତ୍ୱ ବୁଝେଇଦିଏ ।

 

ୟୁରୋପରେ ଶିଳ୍ପ ବିପ୍ଳବ, ଶ୍ରମିକମାନଙ୍କ ଉପରେ ଅତ୍ୟାଚାର, ସେମାନଙ୍କୁ ବ୍ୟବହାର କରି ଧନୀକ ତନ୍ତ୍ରର ଆହୁରି ଧନୀ ହେବାର ଚେଷ୍ଟା, ହେଗେଲ୍‌ଙ୍କ ଡାଇଲେକ୍‌ଟିକ୍‌ ଉପରେ ପ୍ରତିଷ୍ଠିତ ମାର୍କସ ଏନ୍‌ଜେଲସ୍‌ଙ୍କ କମ୍ୟୁନିଜମ୍‌ର ଦର୍ଶନ ବିଷୟରେ ବୁଝେଇଦେଲା ଭାନୀକୁ । ସେହି କମ୍ୟୁନିଜମ୍‌ର ଭାବଧାରା ଉପରେ ଆଧାରିତ ରୁଷ୍‌ ବିପ୍ଳବର ତ୍ୟାଗ ପରିପୂର୍ଣ୍ଣ, ଲୋମହର୍ଷଣକାରୀ କାହାଣୀ ରାଜତନ୍ତ୍ରର ବିଲୋପ ବିଷୟକ ବର୍ଣ୍ଣନା ଭାନୀକୁ କେଉଁ ପରୀରାଇଜର କାହାଣୀ ପରି ମନେହେଲା । ଦୁର୍ନୀତିଗସ୍ତ, ସାମନ୍ତବାଦୀ ଶାସନର ପରିଚାୟକ ଚୀନ୍‌ ଦେଶର ତତ୍‌କାଳୀନ ଶାସକଗୋଷ୍ଠୀ ସହ ମାଓସେତୁଙ୍ଗଙ୍କର ବର୍ଷ ବର୍ଷ ଧରି ସଂଗ୍ରାମ, ୟୁନାନ୍ ପ୍ରଦେଶରେ ବିଦ୍ରୋହର ପ୍ରଥମ ସୁତ୍ରପାତ, ଲଙ୍ଗ୍‌ ମାର୍ଚ୍ଚ ଫଳରେ ଚ୍ୟାଙ୍ଗ୍‌ କାଇସେକ୍‌ ସରକାରଙ୍କ ପତନ ବିଷୟରେ ବୁଝେଇଲାବେଳେ ଭାନୀ ଅନେଇ ରହିଥାଏ ନାଗୀର ମୁହଁକୁ । ଶ୍ରେଣୀ ଶତ୍ରୁକୁ କେମିତି ଅପସାରିତ କରାଯିବ, କ୍ଷମତା କେମିତି ବନ୍ଧୁକ ମୂନରେ ରହିଛି ବୁଝେଇଲା ବେଳେ ଭାନୀର ମନେହେଉଥାଏ ବାଇବେଲ୍‌ର ମୋଜେସ୍‌ ପରି ନାଗୀ ଗୋଟିଏ ନୂତନ ଆଦର୍ଶର ବାର୍ତ୍ତାବହ ହୋଇ ପାର୍ବତୀପୁର ଅଞ୍ଚଳକୁ ଆସିଛି–ଅବହେଳିତ ଜାତିକୁ ଏକାଠି କରିବାପାଇଁ ।

 

ଭାନୀ ନିକଟତର ହେବାପାଇଁ ଚେଷ୍ଟାକଲେ ନାଗୀ ପ୍ରଶ୍ରୟ ଦିଏନାହିଁ । ତା’ର ଲକ୍ଷ୍ୟ ଅନ୍ୟଦିଗରେ–ଦେଶକୁ ଶୋଷଣମୁକ୍ତ କରେଇବାରେ । ଦୈହିକ ମିଳନ ପାଇଁ ଇଚ୍ଛାନାହିଁ, ଅବକାଶ ନାହିଁ । ସାତଦିନ ପରରେ ସମସ୍ତଙ୍କ ଅଜାଣତରେ ନାଗୀ ପଳେଇଲା ତା’ ଗନ୍ତବ୍ୟ ପଥରେ ।

 

ଭାନୀର ଇଚ୍ଛାହେଉଥାଏ ବାପାକୁ ପଚାରିବ–ନାଗୀ ଗଲା କୁଆଡ଼େ ? କିନ୍ତୁ ତା’ର ଆଦର୍ଶ ତାକୁ ବାଧାଦେଲା–ସମଷ୍ଟିର ସ୍ୱାର୍ଥପାଇଁ ବ୍ୟକ୍ତିର ସ୍ୱାର୍ଥକୁ ବଳିଦେବାକୁ ପଡ଼ିବ ।

 

ପୁଲିସ୍‌ର ଆକ୍ରମଣ, ତଲାସୀ, ଚଢ଼ଉର ମୁକାବିଲା କଲା ଭେଙ୍କେଟ ଏବଂ ତା’ର ଆଦର୍ଶର ଅସଂଖ୍ୟ ଜନସମୂହ । ବାତିଲି, ରୂପ୍‌ପୀଣୀ, କୈଳାସକୋଟା, ବଳଦା, ଗୋରଣ୍ଡା ଥରହର ହେଲା ଶୋଷକ ସାହୁକାରମାନଙ୍କର ନିର୍ମମ ହତ୍ୟାରେ । ପୁଲିସ୍‌କୁ କେହି ଖବର ଦେବାପାଇଁ ନାରାଜ । ସମସ୍ତଙ୍କ ମନରେ ଆଶା, ଦେଶ ସାହୁକାର-ମୁକ୍ତ ହେବ, ଅପହରଣ ହୋଇଥିବା ଜମିବାଡ଼ି ଫେରିଆସିବ ।

 

ପ୍ରଚଳିତ ଜମିଜମା ଆଇନ ରଦ୍ଦହେବ । ପ୍ରଚଳିତ ଆଇନ୍‌ ଧନୀ ଜମିଦାରମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ । କଳେ ବଳେ କୌଶଳେ ସେମାନେ ଜମି ଉପରେ ନିଜର ସ୍ୱତ୍ତ୍ୱ ଜାହିର କରିବାପାଇଁ ତତ୍ପର । ଯାହା ଆଇନ୍‌ ହୋଇଛି ସେଥିରେ ବିଭିନ୍ନ ନିୟମ ଖଞ୍ଜା ହୋଇଛି ଗରିବ, ଭୂମିହୀନଙ୍କୁ ତଳିତଳାନ୍ତ କରିବାପାଇଁ । ରୟତ ସ୍ୱତ୍ତ୍ୱ ଜମିଦାରୀ ଉଚ୍ଛେଦ ଆଇନ୍‌ ହୋଇଥିଲେ ସୁଦ୍ଧା ସେଗୁଡ଼ିକରେ ଅନେକ ଜଟିଳ ପ୍ରକ୍ରିୟା, ବ୍ୟାଖ୍ୟା ଭର୍ତ୍ତି ହୋଇ ସାଧାରଣ ଲୋକଙ୍କର ବୋଧଗମ୍ୟ ହୋଇନାହିଁ । ସେହି ଆଇନ୍‌ ବରଂ ସାଧାରଣ ଖଟିଖିଆ, ସ୍ୱଳ୍ପ ଜମିମାଲିକଙ୍କୁ ବଞ୍ଚିତ କରିଛି ସେମାନଙ୍କ ନାର୍ଯ୍ୟ ପ୍ରାପ୍ୟରୁ । ଯେଉଁ ଦୁଇ ଚାରିଟି ନିୟମ ପ୍ରଣୟନ କରାଯାଇଛି ଆଦିବାସୀମାନଙ୍କର ସ୍ୱାର୍ଥ ସଂରକ୍ଷଣ ପାଇଁ ତାହା ଆଇନ୍‌ ବହି ଭିତରେ ରହିଯାଇଛି । ତାକୁ ପ୍ରୟୋଗ କରିବା କର୍ମଚାରୀ ଶିଥିଳ, ଦୁର୍ନୀତିଗ୍ରସ୍ତ । ସବୁ ଆଇନ୍ ସବୁ ପ୍ରକ୍ରିୟା ବାତିଲ୍‌ ହେବ, ଜମିବାଡ଼ିର ମାଲିକ ହେବେ ଖଟିଖିଆ ଆଦିବାସୀ, ଗୋତି ହୋଇଥିବା ଜନସାଧାରଣ । ପ୍ରତିକ୍ରିୟାଶୀଳ ସମାଜ ନଷ୍ଟ ହେବ ।

 

ଦଳର ସମସ୍ତଙ୍କୁ ଏକାଠି କରେଇ ନାଗୀ ଶିକ୍ଷା ଦେଇଥିଲା । ସମସ୍ତଙ୍କ ପାଖରେ ଗୋଟିଏ ମୂଳମନ୍ତ୍ର ପହଞ୍ଚେଇଦେଲା–ବ୍ୟକ୍ତିର ସମାହାର ହେଉଛି ସମଷ୍ଟି । କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱରେ ସମଷ୍ଟି ସ୍ୱାର୍ଥ । ଏହି ସଂଗ୍ରାମ ସମଷ୍ଟିର ସଂଗ୍ରାମ । ସମଷ୍ଟିର ସ୍ୱାର୍ଥ ଆଗରେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଲୀନ–ସେ ଏକ ନୂଆ ମଣିଷ ।

 

ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ ପଦକ୍ଷେପ ନେଲାବେଳେ ଦଳର ସମସ୍ତେ ସେଥିରେ ଭାଗନେବେ । କାହାପ୍ରତି ଦଣ୍ଡବିଧାନ ଦରକାର ପଡ଼ିଲେ ତାହା ଗଣଅଦାଲତ–ପ୍ରଜାକୋର୍ଟରେ ବିଚାର ହେବ । ଗଣଅଦାଲତର ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି । ସରଳ ଆଦିବାସୀ, ବୁଦ୍ଧିଜୀବି, କର୍ମୀ ସମସ୍ତେ ସେହି ଅଦାଲତର ବିଚାରପତି–ସମସ୍ତଙ୍କ ମତାମତର ଗୁରୁତ୍ୱ ରହିଛି । ସେହି ଅଦାଲତ ଗାଁରେ ବସିପାରେ, ପାହାଡ଼ ଉପରେ ବସିପାରେ, ନଦୀକୂଳରେ ହୋଇପାରେ । ତା’ ପାଇଁ ସ୍ଥାନ ଏବଂ ସମୟର ଆବଶ୍ୟକତା ନାହିଁ । ଶେଷରେ ଅଧିକ ଅମଳ ହେବ । ଆଦିବାସୀ ଦରିଦ୍ର ହୋଇ ରହିବେ ନାହିଁ । ସମସ୍ତେ ଖାଇବାକୁ ପାଇବେ । ଘର ପାଇବେ । ସାହୁକାରମାନଙ୍କଠାରୁ ଢେର ଭଲରେ ରହିବେ ।

 

ସେମାନେ ନୂତନ ଉଷାର ସନ୍ଧାନ ପାଇଲେ–ନୂତନ ସୂର୍ଯ୍ୟ ପୂତୀଗନ୍ଧମୟ ପ୍ରତିକ୍ରିୟାଶୀଳ ସମାଜକୁ ନଷ୍ଟ କରିବ । ନୂତନ, ସ୍ୱଚ୍ଛ ସମାଜ ଗଢ଼ିବ ।

 

ବିନା ବାଧାରେ ସେମାନଙ୍କ କାର୍ଯ୍ୟକଳାପ ଗାଁ ଗଣ୍ଡାରେ ବ୍ୟାପିଗଲା ।

 

ଯେଉଁମାନେ ବିରୋଧ କରିଥାନ୍ତେ ବା ପୁଲିସ୍‌କୁ ଖବର ଦେଇଥାନ୍ତେ–ସେହି ସାହୁକାର ଗୋଷ୍ଠୀ–ଘରଦ୍ୱାର, ଧନସମ୍ପତ୍ତି ଛାଡ଼ି, ଭିଟାମାଟି ଛାଡ଼ି, ବଡ଼ ବଡ଼ ସହରରେ ଆଶ୍ରୟ ନେଲେ ପ୍ରାଣରକ୍ଷା ପାଇଁ । ପୁଲିସ୍‌ର ବାହୁଛାୟା ତଳେ ରହିଲେ । ଚାରିଆଡ଼େ ମନେହେଲେ ପୁଲିସ ଧନୀକ ଶ୍ରେଣୀର ଶୋଷକର–ଶୋଷିତର ନୁହେଁ । ସେ ଆସିଛି କେବଳ ଧନୀର ରକ୍ଷା ପାଇଁ । ମଣିଷକୁ ମଣିଷ ଭାବେ ବଞ୍ଚିବାପାଇଁ ଦେବନାହିଁ । ଗରିବ, ଖଟିଖିଆ, ମେହେନତକାରୀ ପୁଲିସ୍‌ର ଶତ୍ରୁ ।

 

ପୁଲିସ୍‌ ଗାଁ ଗାଁ ତଲାସି କଲେ । ଯାହାକୁ ସନ୍ଦେହ କଲେ ତାକୁ ଧରିନେଲେ । ଯେଉଁ ଜିନିଷ ଉପରେ ସନ୍ଦେହ ହେଲା ତାକୁ ଜବତ କଲେ । ହତ୍ୟା କରାଯାଇଥିବା ଲୋକଙ୍କ ସାଙ୍ଗରେ ଆଗରୁ ଯେଉଁମାନଙ୍କର ଶତ୍ରୁତା ଥିଲା, ଯେଉଁମାନେ ନିପୀଡ଼ିତ ହୋଇଥିଲେ ସମସ୍ତଙ୍କୁ ଧରନିଆଗଲା–ସେ କୌଣସି ଆକ୍ରମଣ, ହତ୍ୟାରେ ଭାଗ ନେଇଛି କି ନାହିଁ, ସେ ବିଷୟ ଦେଖୁଛି କିଏ ? ପୁଲିସ୍‌ର ପରମ୍ପରା, ଶିକ୍ଷା ଏବଂ ଆଶଙ୍କା ସବୁବେଳେ ସୂଚେଇ ଦେଉଥାଏ–ବ୍ୟକ୍ତିଗତ ରାଗ, ବିଦ୍ୱେଷ ଏବଂ ଅହଙ୍କାର ଫଳରେ ହିଁ ହତ୍ୟା କରାଯାଏ । ଜମିବାଡ଼ି ମାଲିକାନା ଉପରେ, କଳହ, ଅପମାନ, ନିଜର ପ୍ରତିଷ୍ଠା ସଂରକ୍ଷିତ କରିବା ପ୍ରଚେଷ୍ଟା, ଦଳୀୟ କନ୍ଦଳ, ସାମାଜିକ ମାନ ଅପମାନ ହିଁ କେବଳ ହତ୍ୟାରେ ପର୍ଯ୍ୟବେସିତ ହୋଇପାରିବ । ଗୋଟିଏ କୁହେଳିକାମୟ ଆଦର୍ଶ ବଳରେ ହତ୍ୟା କରାଯାଇପାରେ ନାହିଁ । ଯେଉଁମାନେ ନକ୍‌ସଲପନ୍ଥୀ ହତ୍ୟାରେ ଭାଗ ନେଇଥିବେ ସେମାନେ ନିକଟ ବା ଦୂର ଅତୀତରେ କିଛି ନା କିଛି ଅସୁବିଧାରେ ପଡ଼ିଥିବେ । ସେଇଥିପାଇଁ ସାହୁକାର, ଜମି ମାଲିକମାନଙ୍କୁ ମାରିବାପାଇଁ ଆଗେଇ ଆସିଥିବେ । ସେହି ଭାବନା ବଳରେ ଅନେକ ନିରୀହ ଲୋକ ପୁଲିସ୍‌ ତଦନ୍ତର ଶରବ୍ୟ ହେଲେ । ଯେଉଁମାନେ ନିପୀଡ଼ିତ ସେମାନେ ଧରାହୋଇଗଲେ । ଯେଉଁମାନଙ୍କ ପୂର୍ବପୁରୁଷଙ୍କୁ କପର୍ଦ୍ଦକଶୂନ୍ୟ କରାଯାଇଥିଲା ସେମାନେ ମଧ୍ୟ ଥାନାକୁ ଗଲେ । ଯେଉଁମାନେ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଅନ୍ୟମାନଙ୍କୁ ଆଶ୍ରୟ ଦେଇଥିଲେ, କିନ୍ତୁ ହତ୍ୟାରେ ଭାଗ ନେଇ ନଥିଲେ; ସେମାନେ ମଧ୍ୟ ଧରା ହୋଇଗଲେ । ପୁଲିସର ଆଇନ କହୁଥିଲା ଯିଏ ହତ୍ୟା କରିଛି ଏବଂ ସେ ହତ୍ୟାକରିବାରେ ସାହାଯ୍ୟ କରିଛି–ପ୍ରଚ୍ଛନ୍ନଭାବେ ହେଉ ବା ପ୍ରତ୍ୟକ୍ଷଭାବେ ହେଉ–ସେ ମଧ୍ୟ ଅଭିଯୁକ୍ତ ଆସାମୀ । ଆଇନ୍‌ ଯେ ସମାଜର ପ୍ରଗତି ଓ ପରିବର୍ତ୍ତିତ ଭାବଧାରା ସହ ତାଳଦେଇ ଆଗେଇ ନାହିଁ ଏହା ବା ପୁଲିସ୍‌ ବୁଝିବ କେମିତି ?

 

ଏପଟେ ଦଳର ସଂଖ୍ୟା ବୃଦ୍ଧି ପାଇଁ ଏବଂ ପୁଲିସ୍‌ର ମୁକାବିଲା ପାଇଁ, ଅନ୍ୟ ସାହୁକାର ଶୋଷକମାନଙ୍କୁ ମାରିବାପାଇଁ ଅଧିକା ଲୋକ ଦରକାର ପଡ଼ିଲେ । ଗାଁ ଗାଁରୁ ଲୋକଙ୍କୁ ସାମିଲ କରାଗଲା । ପୁଲିସ୍‌ଦ୍ୱାରା ନିଗୃହିତ ଲୋକ ଦଳରେ ଯୋଗଦେଲେ । ଯେଉଁମାନେ ଯୋଗଦେବାକୁ ମନାକଲେ ସେମାନଙ୍କୁ ଜବରଦସ୍ତି ଉଠେଇ ନିଆଗଲା । ଗାଁର ଶହେଘର ଦଳରେ ମିଶିଲେ ଗୋଟିଏ ଦୁଇଟି ଘର ଏକୁଟିଆ ହୋଇ ରହିବେ କେମିତି ? ସେମାନେ ଅନିଚ୍ଛାସତ୍ତ୍ୱେ ବାଧ୍ୟବାଧକତାରେ ଦଳରେ ମିଶିଲେ । ଧୋବାର କୁକୁର ପରି ସେମାନେ ଘରର ହୋଇପାରିଲେ ନାହିଁ ବା ଘାଟର ହୋଇପାରିଲେ ନାହିଁ । ସରକାରଙ୍କୁ ସମର୍ଥନ କରି ପୁଲିସ୍‌କୁ ସାହାଯ୍ୟ କରିପାରିଲେ ନାହିଁ ବା ଉଗ୍ରପନ୍ଥୀ କାର୍ଯ୍ୟରେ ପୂର୍ଣ୍ଣପ୍ରାଣ ସମର୍ଥନ କରିପାରିଲେ ନାହିଁ । ଧୁଆତ ମୂଳା ଅଧୁଆ ମୂଳା ନ୍ୟାୟରେ ସେମାନେ ମଧ୍ୟ ଉଗ୍ରପନ୍ଥୀ ବିବେଚିତ ହେଲେ ।

 

ଭେଙ୍କେଟ, ଭାନୀ ଓ କୈଳାସମ୍‌କୁ ତର ନାହିଁ ଅନ୍ୟ ବିଷୟ ଦେଖିବାପାଇଁ । ପୁଲିସ୍‌ର ଜାଲକୁ ଏଡ଼େଇ ଶ୍ରେଣୀ ଶତ୍ରୁକୁ ନିପାତ କରିବାକୁ ହେବ । ଆଜି ଏଇଠି ତ କାଲି କୋଡ଼ିଏ ମାଇଲ ଦୂରରେ ଡେରା ପଡ଼ିବ । ଆଜି ଗାଁ ଭିତରେ ରହିଛନ୍ତି ତ କାଲି ଅପନ୍ତରାରେ, ପହରିଦିନ ପାହାଡ଼ ଉପରେ କୁଡ଼ିଆରେ । ବର୍ଷା, ଶୀତ, କାକରର, ଝଡ଼ ପ୍ରତି ଖାତିର୍‌ ନାହିଁ । ଶ୍ୱାପଦ ସଙ୍କୁଳ ଜଙ୍ଗଲ ପ୍ରତି ଭୟ ନାହିଁ । ଖାଦ୍ୟପେୟର ଅଭାବ ସେମାନଙ୍କୁ ଭଗ୍ନମନା କରେନାହିଁ । ଶପଥ ନେଇଛନ୍ତି ଶ୍ରେଣୀଶତ୍ରୁ ନିପାତ କରିବେ–ପାର୍ବତୀପୁର, ଗୁଣୁପୁର–ପାରଳାଖେମୁଣ୍ଡୀ ଅଞ୍ଚଳରେ ସେମାନଙ୍କ ସରକାର ପ୍ରତିଷ୍ଠା କରିବେ, ସେହି ଅଞ୍ଚଳକୁ ଶୋଷଣମୁକ୍ତ କରିବେ । ଲକ୍ଷ୍ୟ ସ୍ଥିର ହୋଇଛି–ବାଟ ନାହିଁ–ଅବାଟ ଅଛି–କଣ୍ଟାଝଣ୍ଟା ମାଡ଼ିବାକୁ ପଡ଼ିବ–ରକ୍ତାକ୍ତ ହେବାକୁ ପଡ଼ିବ । ସେଥିପାଇଁ ଭ୍ରୂକ୍ଷେପ ନାହିଁ–ଯେଉଁ ନିଶା ଘାରିଛି ସେଥିରେ ରକ୍ତାକ୍ତ ହେବା, ପଥବଣା ହେବା ଜଣାପଡ଼େ ନାହିଁ ।

 

ନକ୍‌ସଲପନ୍ଥୀ କାର୍ଯ୍ୟକଳାପ ବଢ଼ିଲାପରେ କାଟିକୀ ମହାଜନ ବୀରସାହୁ ବାହାରକୁ ଯିବାଆସିବା କମ୍‌ କରୁଛି । ଏମିତିକି ଗାଧୁଆପାଧୁଆ ପାଇଁ କାଟିକୀ ନାଳକୁ ଯିବା ମଧ୍ୟ ବନ୍ଦ କରିଦେଲେଣି । ଅନ୍ୟ ଅଞ୍ଚଳ ସାହୁକାରମାନଙ୍କ ତୁଳନାରେ ତା’ର କାରବାର ଖୁବ୍‌ କମ୍‌ । ତଥାପି ସେ ବିଶ୍ୱାସୀ କବଲା କରିବାରେ ଧୂରନ୍ଧର । ଜମି ବନ୍ଧକ ରଖି କଳେବଳେ କୌଶଳେ ସବୁ ଜମିକୁ ଅକ୍ତିଆର କରିବା ଇଲମ ତାକୁ ଭାଲଭାବରେ ଜଣା । ଆଗେ ଅଛବାଠାରୁ ଗୁଲୁଟି, କୁମୁଟୁଳୁପେଣ୍ଠ ପର୍ଯ୍ୟନ୍ତ ତା’ର କାରବାର ବ୍ୟାପୀ ରହିଥିଲା । ସପ୍ତାହରେ ଥରେ ଅନ୍ତତଃପକ୍ଷେ ଆଖପାଖ ଗାଁସବୁ ବୁଲିଆସୁଥିଲା । ଏବେ ଘରଛଡ଼ା ଆଉ କୁଆଡ଼େ ଯିବା ତା’ର ଚିନ୍ତାର ବାହାରେ । ଦୁଇ ତିନି ଦିନରେ ଥରେ ତା’ର ବିଶ୍ୱସ୍ତ ଖମ୍ବାରୀକୁ ପଠାଏ ରାମନାଗୁଡ଼ା–ନକ୍‌ସଲପନ୍ଥୀଙ୍କ ବିଷୟରେ ଖବର ନେବାପାଇଁ । ରାମନାଗୁଡ଼ାରେ ଥିବା ପୁଲିସ୍‌ଦଳ ପାଖକୁ କୁକୁଡ଼ାଟାଏ, ଚାଉଳ ଗଣ୍ଡାଏ ବା ବାଡ଼ିର ପରିବାଟାଏ, ଚିନାବାଦାମ ବସ୍ତାଏ ପଠେଇଦିଏ । ସବୁବେଳେ ସେହି ଗୋଟିଏ ଅନୁରୋଧ ଦିନେ ଦୁଇଦିନ ଛଡ଼ା ଯେମିତି ପୁଲିସ୍‌ଦଳ କାଟିକୀ ଆସିବେ । ତା’ ପିଣ୍ଢା ଉପରେ ଟିକିଏ ବସି ଚାଲିଯିବେ-। ପୁଲିସ୍‌ଦଳ ଆସିଲେ କୁଆଡ଼େ ନକ୍‌ସଲପନ୍ଥୀ ଆଉ ପାଖ ପଶିବେ ନାହିଁ–ପୁରୁଣା ସାମନ୍ତବାଦୀ ଚିନ୍ତାଧାରାର ପରିପ୍ରକାଶ–ପୁଲିସ୍‌ର ଉପସ୍ଥିତି ସବୁ ଅନିଷ୍ଟକୁ ମୂଳପୋଛ କରିଦେବ-

 

ଦିନରେ ତିନି ଚାରିଥର, ରାତିରେ କାରଣେ, ଅକାରଣେ ଟିକିଏ ଶବ୍ଦହେଲେ ବୀର ବାଡ଼ିପଟକୁ ଦୌଡ଼ିଯାଇ କୁମୁଟୁଳୁ ପେଣ୍ଠ ରାସ୍ତାଆଡ଼କୁ ଭୟରେ ଅନେଇ ରହେ । କାଳେ ସେହି ରାସ୍ତାଦେଇ ଆନ୍ଧ୍ରର ଦୁର୍ଗମ ପାହାଡ଼ରୁ ନକ୍‌ସଲପନ୍ଥୀମାନେ ଓହ୍ଲେଇ ଆସିବେ କି ? ପାହାଡ଼ ଉପରେ ବଣନିଆଁ ଦେଖିଲେ ତା’ ମନରେ ଡର ପଶିଯାଏ, କାଳେ ସେହି ନିଆଁ ଉଗ୍ରପନ୍ଥୀମାନଙ୍କର ଆଡ଼୍‌ଡ଼ାସ୍ଥଳୀର ହୋଇଥିବ ! ସେମାନେ ଆକ୍ରମଣ ପୂର୍ବରୁ ପ୍ରସ୍ତୁତ ହେଉଥିବେ ନିଆଁ ଜାଳି ।

 

ଆଗେ ତା’ର କାରବାରରେ ବେଶୀ ତତ୍ପର ହେଉଥିଲା । ଏବେ ଜମି ବନ୍ଧକ ରଖିବା, ଟଙ୍କା ଧାରଦେବା ବା ଗାଁ ଗାଁକୁ ଯାଇ ଫସଲରୁ ଭାଗ ଆଣିବା ଭୁଲିଗଲାଣି । କିନ୍ତୁ ବନ୍ଧକ କବଲା, ତମସୁକ; ସୁନା, ରୁପା ସବୁ ଫେରେଇ ଦେଇପାରୁ ନାହିଁ । କମ୍‌ କମ୍‌ ଟଙ୍କା ସୁଧନେଇ ବନ୍ଧକ ଜିନିଷସବୁ ଫେରେଇ ଦେବାପାଇଁ ତା’ ହାତ ଯାଏନାହିଁ, ମନ ବଳାଏ ନାହିଁ । ସେ ମନେ ମନେ ଭାବେ–କେତେଦିନ ଏମିତି ଚାଲିବ ? ଦିନେ ନା ଦିନେ ଫେରେ ଧାର ନେବାପାଇଁ ସମସ୍ତେ ଆସିବେ । ସେତିକିବେଳେ ଟଙ୍କାରେ ଆଠଅଣା ସୁଧ ନେବ ।

 

ଅଛବାର ଶୁକ୍ରାହନ୍ତାଳ ଜମି ବନ୍ଧକ ଦେଇ ବୀରପାଖରୁ ଶହେ ଟଙ୍କା ନେଇଥିଲା ପାଞ୍ଚବର୍ଷ ତଳେ । ବିଶ୍ୱାସୀ କବଲାଟାଏ ଲେଖିଦେଇଥିଲା । ଟଙ୍କା ପରିଶୋଧ ନକରି ଦୁଇବର୍ଷ ପରେ ସେ ଗାଁ ଛାଡ଼ି ଚାଲିଯାଇଥିଲା । ବିଶ୍ୱାସୀ କବଲାରେ ପାଞ୍ଚଶହଟଙ୍କା ଲେଖିଦେଇ ବୀରସାହୁ ଭାବିଥିଲା ଶୁକ୍ରା ଆଉ ଟଙ୍କା ପରିଶୋଧ କରିପାରିବ ନାହିଁ, ଅଛବା ନାଳପାଖରେ ଥିବା ଜମିଖଣ୍ଡକ ତା’ର ହେବ । କିନ୍ତୁ ଏତିକିବେଳେ ହଠାତ୍‌ ଶୁକ୍ରାର ଆବିର୍ଭାବ ବୀରକୁ ଚିନ୍ତାରେ ପକେଇଦେଲା । ଶୁକ୍ରା ତିନି ବର୍ଷଧରି ଚିତ୍ରକୋଣ୍ଡାରେ ରହି କିଛି ଟଙ୍କା ସଞ୍ଚୟକରି ଗାଁକୁ ଫେରିଆସିଛି । ପ୍ରତିଦିନ ବୀର ପାଖକୁ ଦଉଡ଼ୁଛି । ତା’ର ଜମି ଫେରେଇବା ପାଇଁ ଅନୁରୋଧ କରୁଛି ।

 

କେତେଦିନ ଘରେ ଲୁଚିରହି ନିଜେ, ନାହିଁ ବୋଲି ଖବରଦେଇ ଶେଷରେ ବୀର ଘରୁ ବାଧ୍ୟହୋଇ ବାହାରିଲା । ଶୁକ୍ରା ନଛୋଡ଼ବନ୍ଧା । ତା’ ଜମି ଫେରେଇନେବ । ଦୁଇଟା ଶହେଟଙ୍କିଆ ନୋଟ ବୀର ହାତକୁ ବଢ଼େଇଦେଇ ସେ କହିଲା–‘‘ସାହୁକାରେ ! ମୋର ବିଲଟା ମୁଁ ନେଇଯିବି, ତମ ଟଙ୍କା ନିଅ ।’’

 

‘‘ଏତିକି କ’ଣ ଟଙ୍କାରେ ? ଅତିକମ୍‌ରେ ପାଞ୍ଚଶହ ଟଙ୍କା ଦେବାକୁ ହେବ ।’’ ମନରେ ଭୟ ଥାଇ ସୁଦ୍ଧା ଉପରକୁ ସାହସ ଦେଖାଇ କହିଲା ବୀର ।

 

‘‘ଶହେଟଙ୍କା ଉପରେ ଆଉ ଶହେଟଙ୍କା ଦେଲିଣି, ସାହୁକାରେ । ବଡ଼ କଷ୍ଟରେ ଏତକ ସଞ୍ଚୟ କରିଥିଲି । ଆଉ ଅଧିକ ଦେଇପାରିବି ନାହିଁ । ମୋ ଜମି ମୋତେ ଫେରେଇ ଦିଅ ।’’

 

ବୀର ଲକ୍ଷ୍ୟକଲା ଶୁକ୍ରାର କଥାବାର୍ତ୍ତା ଅଲଗା ଧରଣର ହୋଇଗଲାଣି । ଆଗେ ଯେମିତି ଭୟରେ କଥାବାର୍ତ୍ତା କରୁଥିଲା ଏବେ ଆଉ ସେମିତି ନାହିଁ । ତଥାପି ଏତେ କମ୍ ଟଙ୍କାରେ ଜମିଟା ଫେରେଇଦେଲେ ଖବର ଚାରିଆଡ଼େ ବ୍ୟାପିଯିବ । ଅନ୍ୟ ସମସ୍ତେ ଦୌଡ଼ିଆସିବେ, ନିଜ ଜିନିଷ ଅଳ୍ପ ଦାମ୍‌ ଦେଇ ମୁକୁଳେଇ ନେବାପାଇଁ । ତା’ର ବହୁତ କ୍ଷତି ହୋଇଯିବ ।

 

କ’ଣ କରିବ ନକରିବ ଭାବି ଭାବି ଶେଷରେ ବୀର କହିଲା– ‘‘ଦୁଇଶହ ଟଙ୍କା ମୁଁ ରଖିଲି-। ଆଉ ଶହେ ଟଙ୍କା ଆଣେ । ତୋ ଜମି ଫେରେଇଦେବି ।’’

 

ଶୁକ୍ରାର ଶତ ଅନୁନୟ କିଛି କାମ ଦେଲା ନାହିଁ । ଶେଷରେ ସେ ନିରାଶ ହୋଇ ଫେରିଲା ଗାଁକୁ । କେତେ କଷ୍ଟ ସହ, ପେଟକାଟି ସଞ୍ଚୟ କରିଥିଲା ଜମିଖଣ୍ଡକ ଫେରେଇ ଆଣିବାପାଇଁ, ତା’ ମଧ୍ୟ ହେଲାନାହିଁ । ଦୁଃଖରେ ଘରେ ଶୋଇଥିଲାବେଳେ ରାତିରେ କିଏ ଜଣେ ତାକୁ ଡାକ ପକେଇଲା । ଏତେ ରାତିରେ କିଏ ଡାକୁଛି ଭାବି ତାଟି ଦୁଆର ଖୋଲି ବାହାରକୁ ବାହରି ଆସିଲା । ସାମନାରେ ଦୁଇଜଣ ଲୋକ । ଜଣେ ଆଦିବାସୀ ଓ ଅନ୍ୟଜଣକ ବାହାରର ଲୋକପରି ମନେହେଉଥିଲା । ସେ ଲୋକଟି ପ୍ୟାଣ୍ଟ ପିନ୍ଧିଥାଏ ।

 

ତାକୁ ଦେଖି ପ୍ୟାଣ୍ଟପିନ୍ଧା ଲୋକଟି ପଚାରିଲା–‘‘ତମର ଜମି ବୀର ସାହୁକାର ବନ୍ଧକ ରଖିଥିଲା ନା ? ଜମି ଫେରାଇ ଦେବାପାଇଁ ମନାକଲା ।’’

 

ଆଶ୍ଚର୍ଯ୍ୟ ହୋଇ ଶୁକ୍ରା ସେମାନଙ୍କୁ ଅନେଇ ରହିଲା । ଏମାନେ ଜାଣିଲେ କେମିତି ? ଗାଁରେ ସୁଦ୍ଧା ଏ ବିଷୟ କାହାକୁ କହିନାହିଁ । ଆଶଙ୍କାରେ ଆସ୍ତେ ଆସ୍ତେ ପଚାରିଲା-

 

‘‘ତୁମେ କିଏ ?’’

 

‘‘ଆମେ ନକ୍‌ସଲପନ୍ଥୀ, ତମକୁ ସାହାଯ୍ୟ କରିବାପାଇଁ ଆସିଛୁ । ଶୋଷକ ପାଖରୁ ତୁମକୁ ଉଦ୍ଧାର କରିବୁ ।’’

 

ନକ୍‌ସଲପନ୍ଥୀ, ଶୋଷକ–ଏସବୁ ପଦର ଅର୍ଥ ଶୁକ୍ରା ହନ୍ତାଳ ବୁଝିପାରୁନଥାଏ । ତଥାପି ତା’ର ମନେହେଲା ଏମାନେ ତାକୁ ସାହାଯ୍ୟ କରିବେ । ଶୁକ୍ରା ତା’ର ସବୁ ଦୁଃଖ ସେମାନଙ୍କୁ କହିଗଲା । ସେମାନେ ଯେତେବେଳେ ସାଙ୍ଗରେ ଯିବାପାଇଁ ପ୍ରବର୍ତ୍ତେଇଲେ ସେ ମନା କଲାନାହିଁ । ତା’ର ଧାରଣାହେଲା ଏ ଲୋକମାନଙ୍କର ଆଶ୍ରୟନେଲେ ତା’ର ଜମି ଫେରିପାଇବ । ସେମାନଙ୍କ ସହିତ ପାରିଡ଼ି ଜଙ୍ଗଲକୁ ଅନ୍ଧାର ଭିତରେ ଦୌଡ଼ିଲା–କେବଳ ଗୋଟିଏ ଆଶା ନେଇ–ତା’ ଜମି ଫେରିପାଇବ । ବାଟରେ ଅଣଆଦିବାସୀ ଲୋକଟି ତା’ ସହିତ ସୁଖ ଦୁଃଖର ଗପ ଜମେଇ ଦେଇଥାଏ । ଶୁକ୍ରା ଜାଣିପାରିଲା ତା’ ନାଁ ସୀତାରାମ୍‌ । ଆସିଛି ରାଜମହେନ୍ଦ୍ରୀରୁ ।

 

ରାତିର ଶେଷ ପ୍ରହରରେ ସେମାନେ ପାରିଡ଼ି ଜଙ୍ଗଲରେ ପହଞ୍ଚିଲେ । ଅଙ୍କା ବଙ୍କା ଘାଟୀ ରାସ୍ତା ପାରହୋଇ ସେମାନେ ପହଞ୍ଚିଲେ ଭେଙ୍କେଟ ପାଖରେ । ସୀତାରାମ ପାଖରୁ ବୀରର କାର୍ଯ୍ୟକଳାପ ବିଷୟ ଶୁଣି ଭେଙ୍କେଟ ରାଗରେ କମ୍ପିଉଠିଲା । ଶୁକ୍ରାର କାନ୍ଧରେ ହାତରଖି ସେ କହିଲା–‘‘ତୁ ବ୍ୟସ୍ତ ହବୁନାହିଁ । କାଲି ତୋ ଜମି ମିଳିଯିବ । ବନ୍ଧକ କବଲା ଆଣି ମୁଁ ତୋତେ ଦେବି-।’’

 

ଶୁକ୍ରା ଏସବୁ ବିଶ୍ୱାସ କରି ପାରୁନଥାଏ । ତଥାପି ଆଶା, କାଳେ ତା’ କଥା ସତ ହେବ । ତା’ ଜମି ସେ ଫେରିପାଇବ ।

 

ତା’ ପର ରାତିରେ ଭେଙ୍କେଟ ତା’ର ଦଳବଳ ଧରି ବାହାରିଲା କାଟିକୀ ବାଟରେ ଅନେକଲୋକ ତା’ ସାଙ୍ଗରେ ମିଶିଲେ । ନାଗୀଠାରୁ ଯେମିତି ଶିକ୍ଷା–ପାଇଥିଲା ଲୋହରଝୋଲାରେ, ସେମିତି କାମ ଦେଖାଇଲା କାଟିକୀରେ । ସମସ୍ତଙ୍କୁ ଠିଆ କରେଇ ଗଣ ଅଦାଲତ କଲା–ପଚାରିଲା କ’ଣ କରାଯିବ ? ସମସ୍ତେ କହିଲେ–ସାହୁକାରକୁ ମାରିଦିଅ । ତାକୁ ଖଣ୍ଡ ଖଣ୍ଡ କରିଦିଅ । କିନ୍ତୁ ସୀତାରାସ୍‌ ଅଲଗା ମତଦେଲା । ଲୋକଟାକୁ ମାରିଦେଲେ ଲାଭ କ’ଣ-? ବିଭତ୍ସ ହତ୍ୟାମନରେ ଭାବାନ୍ତର ସୃଷ୍ଟି କରିବ । ଅବଚେତନ ମନ ବିଦ୍ରୋହ କରିଉଠିବ-। ଲୋକେ ବେଶୀ ଭାବେ ଏ କାମ ପସନ୍ଦ କରିବେ ନାହିଁ । ତା’ ମତ ଉପେକ୍ଷିତ ହେଲା । ବୀର ସାହୁର ପ୍ରତ୍ୟେକ ଅବୟବ କଟାଗଲା ଗୋଟି ଗୋଟି କରି–‘‘ମାଓସେତୁଂ ଜିନ୍ଦାବାଦ୍‌, ନକ୍‌ସଲପନ୍ଥୀ ଜିନ୍ଦାବାଦ୍‌’’ର ସ୍ଳୋଗାନ୍‌ ଭିତରେ ।

 

ସବୁ ବନ୍ଧକ ତମସୁକ ଆଣି ସମସ୍ତଙ୍କ ସାମନାରେ ପଢ଼ି ପୋଡ଼ିଦିଆଗଲା । ଯେତେବେଳେ ଶୁକ୍ରାର କବଲା ପୋଡ଼ାଗଲା ଶୁକ୍ରା ଆଖି ଆଦ୍ର ହୋଇଆସିଲା । ଭେଙ୍କେଟ ପ୍ରତି ତା’ ମନ କୃତଜ୍ଞତାରେ ନଇଁଆସିଲା । ଦୀର୍ଘ ପାଞ୍ଚବର୍ଷ ପରେ ତା’ ଜମି ଫେରିପାଇଛି ।

 

ବୀର ଘରେ ନକ୍‌ସଲପନ୍ଥୀଙ୍କ ଆକ୍ରମଣ ବେଳେ ତା’ ସାନପୁଅ ଘରୁ ଦୌଡ଼ି ଚାଲିଗଲେ–ରାମନାଗୁଡ଼ା ଅଭିମୁଖେ । ବାଟରେ ପୁଲିସ୍‌ ଦଳକୁ ଦେଖିଲେ ଡାକିଆଣିବ କାଟିକୀ ।

 

ଜମାଦାର ମେହେର ପୁଲିସ୍‌ ଦଳକୁ ଧରି ରାମନାଗୁଡ଼ା–କାଟିକୀ ରାସ୍ତାରେ ପଇଁତରା ମାରୁଥିଲା । ଆଠଦିନ ତଳେ ଅଯଥାରେ ଭୂତ ଦେଖିଲା ପରି ତାଙ୍କ ଦଳ ଗୁଳି ଫୁଟେଇ ଦେଇଥିଲେ । ସେଇଥିପାଇଁ ସେମାନଙ୍କୁ କୈଫିୟତ ମଗାଯାଇଥିଲା । ପୁଣି କାଳେ କୈଫିୟତ ମଗାଯିବ ସେହି ଭୟରେ ସେମାନେ ସନ୍ତର୍ପଣରେ ଚାଲିଥିଲେ । ଡେରି ପଛେ ହେଉ, ଅଳ୍ପ ଅଞ୍ଚଳ ପଛେ ଅତିକ୍ରମ କରନ୍ତୁ, କିନ୍ତୁ ହଠାତ୍‌ ଗୁଳି ଚଳେଇଦେବେ ନାହିଁ । ନହେଲେ ଚାକିରି ଚାଲିଯାଇପାରେ । ଚାକିରି ଚାଲିଯିବା ଭୟ ସେମାନଙ୍କୁ ଭୟାଳୁ କରିଦେଇଥାଏ । ଗୁର୍ଲୁଟି ପାଖରେ ପହଞ୍ଚିଲା ବେଳକୁ ରାତି ଦୁଇଟା, ଅନ୍ଧାର ଭିତରେ ବାଟ ଚିହ୍ନି ଆସୁ ଆସୁ ବହୁତ ଡେରି ହୋଇଯାଇଥାଏ । ତା’ ସହିତ କ୍ଳାନ୍ତି । ପୁଲିସ୍‌ଦଳର ଆଗକୁ ବଢ଼ିବାପାଇଁ ଇଚ୍ଛାନଥାଏ–ସାହସ ମଧ୍ୟ ନଥାଏ । କିଏ ରାସ୍ତାକଡ଼ ଘାସ ଉପରେ, କିଏ ଝଙ୍କାଳିଆ ବରଗଛକୁ ଆଉଜି ରହିଯାଇଥାନ୍ତି, ସକାଳହେଲେ ରାମନାଗୁଡ଼ା ଫେରିବେ, ରାତି କାମଶେଷ ହୋଇଯିବ । ଜମାଦାର ମେହେର ଘାସ ଶେଯରୁ କାନ ପାରିଲେ । ଦୂରରୁ କେହି ଦୌଡ଼ୁଥିବା ଶବ୍ଦ ଶୁଣାଗଲା । ନିଜ ଦଳକୁ ସଙ୍ଗେ ସଙ୍ଗେ ହୁସିଆର କରିଦେଲେ । ପାଦଶବ୍ଦ ପାଖେଇ ଆସିଲା । ଦଉଡ଼ୁଥିବା ଲୋକେ କ୍ଳାନ୍ତ ମନେହେଉଥିଲା । ରାତିରେ ନିଃସ୍ତବ୍ଧତା ଭିତରେ ତା’ର ଖର ନିଶ୍ୱାସ ବାରି ହୋଇଯାଉଥିଲା । ଗଛ ଉହାଡ଼ରେ ଥାଇ ଜମାଦାର ପାଟି କରିଉଠିଲେ–‘‘ଠିଆହୁଅ-‘‘ଠିଆହୁଅ, କିଏ ଯାଉଛ । ନହେଲେ ଗୁଳି କରିଦେବି ।’’

 

କୁଆଡ଼ୁ ଶବ୍ଦ ଆସୁଛି ଜାଣିନପାରି ପିଲାଟି ଅନ୍ଧାର ଭିତରେ ଠିଆହୋଇ କାନ୍ଦିପକେଇଲା । ତା’ର କାନ୍ଦ ଶୁଣି ମେହେର ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ତଥାପି ଆଗକୁ ଆସିଲେ ନାହିଁ । କାଳେ ନକ୍‌ସଲପନ୍ଥୀ ହୋଇଥିବ । କିଛି ସମୟ ଚୁପ୍‌ରହି ସେ କହିଲେ–ଆମେ ପୁଲିସ୍‌ । ତମେ କିଏ ?

 

ପିଲାଟି ସଙ୍ଗେ ସଙ୍ଗେ ପାଟି କରି କହିଉଠିଲା–‘‘ମୁଁ କାଟିକୀରୁ ଆସିଛି । ଆମଘର ନକ୍‌ସଲପନ୍ଥୀମାନେ ଘେରାଉ କରି ରଖିଛନ୍ତି । ଆମକୁ ଉଦ୍ଧାର କରନ୍ତୁ ।’’

 

‘ମଲେରେ ଶଳେ’’ କହି ଜମାଦାର ମେହେର ଟର୍ଚ୍ଚ ପକେଇ ରାସ୍ତା ଉପରକୁ ଚାଲିଆସିଲେ । ସଙ୍ଗେ ସଙ୍ଗେ ତିନି ଚାରିଟା ଟର୍ଚ୍ଚ ଆଲୁଅରେ ରାସ୍ତା ଆଲୋକିତ ହୋଇଗଲା । ଯେଉଁ କେତେଜଣ ସିପାହୀ ଶୋଇଯାଇଥିଲେ ସେମାନେ ହାଉଳି ଖାଇଲାପରି ଉଠିପଡ଼ିଲେ । ଦୌଡ଼ି ଦୌଡ଼ି ଆସିଥିବା ପିଲାଟିର ଅବସ୍ଥା ପଚାରିବାପାଇଁ କାହାର ଆଗ୍ରହ ନାହିଁ । ସମସ୍ତଙ୍କ ମନରେ ଭୟ–ଏସ୍‌.ପି. ନିଶ୍ଚୟ କାର୍ଯ୍ୟାନୁଷ୍ଠାନ କରିବେ । ସବୁ ଦୋଷ ସେମାନଙ୍କ ଉପରେ ପକେଇଦେବେ ।

 

‘‘ଜଲ୍‌ଦି ଜଲ୍‌ଦି ଚାଲ, ଚାକିରି ବଞ୍ଚାଅ’’ କହି ମେହେର ଏକରକମ ଦୌଡ଼ିବାରେ ଲାଗିଲେ । ଅନ୍ୟମାନେ ତାଙ୍କ ପଛେ ପଛେ ଦୌଡ଼ିଲେ । କାଟିକୀରୁ ଆସିଥିବା ପିଲାଟି ମଧ୍ୟ ସେମାନଙ୍କ ପଛରେ ଗୋଡ଼େଇ ଚାଲିଲା । ପୁଲିସ୍‌ ଦଳ ଗାଁ ମୁଣ୍ଡ ନାଳପାଖକୁ ଆସିଲା ବେଳକୁ ଭେଙ୍କେଟ ଦଳର ଲୋକ ଆଗରୁ ସେଠାରେ ଅପେକ୍ଷା କରିଥାଏ । ପୁଲିସ୍‌ ଦଳର ଓଜନିଆ ବୁଟ୍‌ ଓ ଧଇଁସଇଁ ଦୌଡ଼ ମାଇଲିଏ ଦୂରକୁ ଜଣାପଡ଼ୁଥାଏ । ସେ ସଙ୍ଗେ ସଙ୍ଗେ ଭେଙ୍କେଟକୁ ଖବର ଦେଲା–‘‘ପୁଲିସ୍‌ ଆସୁଛନ୍ତି ।’’

 

ମୁହୂର୍ତ୍ତକ ପୂର୍ବରୁ ‘ମାଓସେତୁଂ, ବୁର୍ଜୁଆ, ଶୋଷଣ’ ବିଷୟରେ ବକ୍ତୃତା ଦେଉଥିବା ଭେଙ୍କେଟ ତା’ର ଲୋକମାନଙ୍କୁ ଅଛବା ଆଡ଼କୁ ଚାଲିବାପାଇଁ ନିର୍ଦ୍ଦେଶ ଦେଲା । ଶୁକ୍ରା ହନ୍ତାଳ ମଧ୍ୟ ସେମାନଙ୍କ ସାଙ୍ଗରେ ଚାଲିଲା । ବୀର ମହାଜନ ଘରୁ କିଛି ନେବାପାଇଁ ଇଚ୍ଛାନଥିଲା । ତା’ ଜମି ଫେରିଯାଇଛି । ସେତିକି ଯଥେଷ୍ଟ । ସୀତାରାମ୍‌ ଶେଷଥର ପାଇଁ ଖଣ୍ଡ ବିଖଣ୍ଡିତ ବୀର ସାହୁର ଦେହକୁ ଅନେଇ, ପେଟ ଭିତରେ ଉଠିଆସୁଥିବା ବାନ୍ତିକୁ ଚାପିରଖି ଦଳ ସାଙ୍ଗରେ ଚାଲିଲା ।

 

ମେହେର ଓ ତାଙ୍କ ପୁଲିସ୍‌ ଦଳ ପହଞ୍ଚିଲାବେଳେ ଗାଁ ଶୂନ୍‌ଶାନ୍‌ । ବୀର ସାହୁ ଘରୁ କେବଳ ଚାପା କ୍ରନ୍ଦନ ଶୁଣାଯାଉଥାଏ । ଗାଁର ଲୋକମାନେ ନିଜ ନିଜ ଘର ଭିତରେ ଲୁଚି ରହିଥାନ୍ତି-। ଶୋଷକ ଓ ଶୋଷିତର ଯୁଦ୍ଧରେ ସେମାନେ କାହିଁକି ବଳିପଡ଼ିବେ । ବିଭତ୍ସ ଦୃଶ୍ୟ ଦେଖି ମୁଣ୍ଡ ବୁଲେଇ ରାସ୍ତାରେ ପଡ଼ିବେ କାହିଁକି ? ପୁଲିସ୍‌ ପଚରାଉଚରା ଶରବ୍ୟ ହେବେ କାହିଁକି-?

 

ମେହେର ଦେଖିଲେ ବୀର ସାହୁର କଟାମୁଣ୍ଡ, କଟାହାତ, ଗୋଡ଼ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି । ଘର କାନ୍ଥରେ ରକ୍ତରେ ଲେଖାହୋଇଛି ବିଭିନ୍ନ ସ୍ଳୋଗାନ । ରକ୍ତର ଛିଟା ମେଜିଆଠାରୁ ଆରମ୍ଭ କରି ଘରର ଛାତ ପର୍ଯ୍ୟନ୍ତ ଲାଗିଛି । ଘରର ଲୋକଙ୍କୁ ସାନ୍ତ୍ୱନା ଦେବାପାଇଁ ସମୟ ନାହିଁ । ଯଦି ଗୋଟାଏ, ଯୋଡ଼ାଏ ନକ୍‌ସଲପନ୍ଥୀ ଧରାପଡ଼ିଯାଆନ୍ତି ତାହେଲେ ଚାକିରି ରହିବ–ନହେଲେ ଚାକିରି ଚାଲିଯାଇପାରେ । ସେହି ଭାବନା ମେହେରଙ୍କର ମୁଣ୍ଡ ଖରାପ କରିଦେଉଥାଏ । ଦୁଇ ଚାରିଥର ଗାଁର ଏମୁଣ୍ଡ ସେମୁଣ୍ଡ ବୁଲିଆସିଲେ । କିନ୍ତୁ ନକ୍‌ସଲପନ୍ଥୀ ଯାଇଥିବା ବାଟରେ ଗୋଡ଼େଇବାପାଇଁ ସାହସ ହେଉନଥାଏ । ସେ ବାଟ ଅଚିହ୍ନା, କାଳେ କିଛି ଅସୁବିଧା ହୋଇପାରେ ଥକ୍‌କାମାରି ଜମାଦାର ମେହେର ଶବ ପାଖରେ ବସିପଡ଼ିଲା । ଅନ୍ୟ ସିପାହୀମାନେ ବନ୍ଧୁକରେ ସଙ୍ଗୀନ୍‌ ଲଗେଇ ଘର ଚାରିପଟେ ଜଗି ରହିଲେ–ସତେଯେମିତି କି ଘରଟାକୁ ନକ୍‌ସଲପନ୍ଥୀ ଆକ୍ରମଣରୁ ରକ୍ଷା କରିଦେବେ !

 

ଶୁକ୍ରା ହନ୍ତାଳ ନକ୍‌ସଲପନ୍ଥୀ ଦଳ ସହ ଗଲା ବହୁତ ବାଟ । ଅଛବା ପାଖରେ ଦଳ ଯେତେବେଳେ ଗୋରଣ୍ଡା ଆଡ଼କୁ ମୁହାଁଇଲେ ସେ ପଛକୁ ରହିଗଲା । ତା’ର ଆଉ ଦରକାର କ’ଣ-? ସେ କ’ଣ ବୁଝୁଛି ଶ୍ରେଣୀ–ସଂଗ୍ରାମ ଆଦର୍ଶ ବିଷୟରେ । ତା’ ଜମି ସେ ଫେରିପାଇଛି–ସେତିକି ଯଥେଷ୍ଟ । ତା’ର ପରଦିନ ବଡ଼ିଭୋରରୁ ଶୁକ୍ରା କୋଡ଼ି, କୋଦାଳ ଧରି ନିଜର ଫେରିପାଇଥିବା ବିଲକୁ ଚାଲିଲା । ବହୁଦିନ ପରେ ସେ ଚାଷବାସ କରିବ ।

 

କାଟିକୀ ସାହୁକାରକୁ ହତ୍ୟା କରିସାରି ଭେଙ୍କେଟ, ଭାନୀ ଓ କୈଳାସମ୍‌ ବୋରି ପାହାଡ଼ ଉପରେ ଆଶ୍ରୟ ନେଇଥାନ୍ତି–ଅଜସ୍ର ପରିଶ୍ରମ ପରେ । ରାଜାମ୍‌ରୁ ଖବର ଆସିଲା ଯେ ନାଗୀ ଧରାପଡ଼ିଛି ରାଜମହେନ୍ଦ୍ରୀରେ । ତାକୁ ଉଦ୍ଧାର କରିବାପାଇଁ ବହୁତ ଟଙ୍କା ଦରକାର । ଜେଲଓ୍ୱାର୍ଡ୍‌ରମାନଙ୍କୁ ଦିଆଯିବ । ଭାନୀ ପ୍ରସ୍ତାବ ବାଢ଼ିଲା–‘‘ବାନା, ତମ ପାଖରେ ଯାହାସବୁ ସୁନାରୁପା ଅଛି ଦେଇଦିଅ । ସେଥିରେ ନାଗୀକୁ ଉଦ୍ଧାର କରାଯିବ ।’’

 

‘‘ଅସମ୍ଭବ’’ କହିଉଠିଲା ଭେଙ୍କେଟ । ଜଣେ କିଏ ଜେଲ୍‌ ଗଲେ ବା ମରିଗଲେ ତା’ର ଯାଏ ଆସେ କେତେ ? ତା’ର ଲକ୍ଷ୍ୟ ସବୁଅଞ୍ଚଳକୁ ଶୋଷଣମୁକ୍ତ କରିବ । ଲକ୍ଷ୍ୟ ସାଧନରେ ବ୍ୟକ୍ତିବିଶେଷ ବଳିପଡ଼ିଲେ, ଯାଏଆସେ ନାହିଁ ।

 

ଭାନୀ କିନ୍ତୁ ନଛୋଡ଼ବନ୍ଦା । ଯେମିତିହେଲେ ଟଙ୍କା ଦେବାକୁ ହେବ । ନାଗୀର ଉଦ୍ଧାର ସର୍ବାଦୌ ଆବଶ୍ୟକ । ଅଗତ୍ୟା ବାଧ୍ୟହୋଇ ସୁନାରୁପା ସବୁ ଦେଇଦେଲା ଭେଙ୍କେଟ । ସୀତାରାମ ସେ ସବୁ ନେଇ ରାଜମହେନ୍ଦ୍ରୀ ଗଲା । କେତେଦିନ ପରେ ଖବର ଆସିଲା–ଟଙ୍କା ପଇସା ଠିକ୍‌ ଜାଗାରେ ପହଞ୍ଚିଛି । ବ୍ୟବସ୍ଥା ହେଉଛି ନାଗୀକୁ ଜେଲ୍‌ରୁ ମୁକୁଳେଇବା ପାଇଁ ।

 

ଭାନୀ ଖୁସି । ଭେଙ୍କେଟ କିନ୍ତୁ ରାଗିଯାଇଥାଏ । ଭାନୀ ଉପରେ ନୁହେଁ ବା ନାଗୀ ଉପରେ ନୁହେଁ–ପୁଲିସ୍‌ ଉପରେ । ଏହି ପୁଲିସ୍‌ ସରକାରର ପ୍ରତୀକ–ଧନୀକ ଶାସନର ପ୍ରତୀକ–ଅତ୍ୟାଚାରର ପ୍ରତୀକ । ଏହାକୁ ଖତମ୍‌ କରିବାକୁ ହେବ । ସବୁ ପୁଲିସ୍‌ ଲୋକଙ୍କୁ ମାରିବାକୁ ପଡ଼ିବ-। ପୁଲିସ୍‌ର ଘନଘନ ଚଢ଼ଉ ତା’ ରାଗକୁ ବହୁଗୁଣରେ ବଢ଼େଇଦେଲା । ଭେଙ୍କେଟ ମନେ ମନେ ଯୋଜନା କରିବାରେ ଲାଗିପଡ଼ିଲା । ପୁଲିସ୍‍ର ଆକ୍ରମଣରୁ ରକ୍ଷାପାଇବା ପାଇଁ ତା’ର ରହିବା ଜାଗା ପ୍ରତିଦିନ ବଦଳେଇ ଦିଏ । ପ୍ରତିଦିନ ଯୋଜନା କରେ ସବୁ ପୁଲିସ୍‌ଙ୍କୁ ମୂଳପୋଛ କରିବି-

 

ଦିନେ ବଡ଼ିଭୋରରୁ ତା’ର ଦଳବଳ ସହ ମରମାଛାଡ଼ି ସପରାଇଗୁଡ଼ା ଆସିଲାବେଳେ ଖବର ଆସିଲା ଗୋଟିକିଆ ଜଣେ କନେଷ୍ଟବଲ୍‌ ପାହାଡ଼ତଳେ ପୁଲିସ୍‌ କ୍ୟାମ୍ପକୁ ଯାଉଛି । ପୋଷାକ ପିନ୍ଧିଛି । ଭେଙ୍କେଟ ମନେହେଲା–ଏହି ଏକ ସୁଯୋଗ । ଗୋଟିଏ ହେଉପଛେ ସେହି କନେଷ୍ଟେବଲ୍‌କୁ ମାରିବ । ଦଳବଳ ସହ ଘାଟି ରାସ୍ତାରେ ଜଗି ରହିଲା । କନଷ୍ଟେବଲ୍‌ ପ୍ରହ୍ଲାଦ ପାଣିଗ୍ରାହୀ ଗାଁରେ ବହୁତଦିନ ଛୁଟି କଟେଇ ମଲାମାନଗୁଡ଼ା କ୍ୟାମ୍ପକୁ ଫେରୁଥାଏ । ଛୁଟି ନେଇଥିବା ଦିନ ଗଡ଼ିଯାଇଥାଏ–ତେଣୁ ତରତରରେ କ୍ୟାମ୍ପ ଆଡ଼କୁ ଚାଲିଥାଏ । ସାଙ୍ଗରେ ବେଡ଼ିଂ–ନିଜ ସ୍ତ୍ରୀ ଦେଇଥିବା ମିଠା, ପିଠା ସବୁ ରଖିଥାଏ ପୁଲିସ୍‌ ଥଳୀରେ । କ୍ୟାମ୍ପର ସାଙ୍ଗସାଥୀ ନିଶ୍ଚୟ ଖାଇବାକୁ ମାଗିବେ । କିଛି ନ ନେଲେ ନଚଳେ । ତରତରରେ ସେ ଚାଲିଥାଏ ଘାଟିଟା ପାରହୋଇ ଯିବାପାଇଁ । ଏକୁଟିଆ ଘାଟି ଉପରଦେଇ ଗଲାବେଳେ ଘାଟିଟା ମାଡ଼ି ପଡ଼ୁଥାଏ । ଘାଟିର ମୋଡ଼ ବୁଲିଲାପରେ ଅସଂଖ୍ୟଲୋକ ତା’ ଆଗରେ ଛିଡ଼ା ହୋଇଗଲେ । ତା’ ଛାତିରେ ଛନକା ପଶିଲା । ଏମାନେ ଉଗ୍ରପନ୍ଥୀ ନୁହନ୍ତି ତ ! ନକ୍‌ସଲପନ୍ଥୀ ଲୋକ ହୋଇଥିଲେ ତା’ର ରକ୍ଷା ନାହିଁ । କୁଆଡ଼େ ଯିବ, କ’ଣ କରିବ, କିଛି ଚିନ୍ତା କରିନପାରି ନିଜର ଟୋପିଟାକୁ ମୁଣ୍ଡରେ ଭଲରୂପେ ସଜାଡ଼ି ଛିଡ଼ାହେଲା ।

 

ଭେଙ୍କେଟ ତା’ ପାଖକୁ ଆସି ପଚାରିଲା–

 

‘‘ପୁଲିସ୍‌’’

 

‘‘ହଁ’’

 

‘‘କୁଆଡ଼େ ଯାଉଛୁ ?’’

 

‘‘କ୍ୟାମ୍ପକୁ ।’’

 

‘‘ଆମକୁ ମାରିବା ପାଇଁ ଦଳ ଗଢ଼ିଛ ନା ? ଆସେ ମୋ ସାଙ୍ଗରେ ।’’ କହି ଟାଣି ଟାଣି ଅନ୍ୟ ଗୋଟିଏ ବାଟରେ ପାହାଡ଼ ଉପରକୁ ନେଇଗଲା । ସାଙ୍ଗରେ ଅନେକ ଲୋକ ଥିଲେ । ସମସ୍ତେ ପାଟି କରୁଥାନ୍ତି ‘‘ତାକୁ ମାରିଦିଅ ।’’ ସେହି ଚିତ୍କାର ଭିତରେ ପାଣିଗ୍ରାହୀ କହୁଥାଏ–‘‘ମୋତେ ଛାଡ଼ିଦିଅ । ମୁଁ ତମର କ’ଣ କଲି ? ମୁଁ ଜଣେ ସିପାହୀ ମାତ୍ର ।’’

 

ପାହାଡ଼ ଉପରକୁ ନେଇ ଭେଙ୍କେଟ ତାକୁ ଠିଆ କରେଇ ଦେଇ କହିଲା–‘‘ଭାଇମାନେ ! ଏ ଲୋକ ଶୋଷଣ କରୁଥିବା ସରକାରର ପ୍ରତୀକ । ଏ ଆମ ପ୍ରତି ଅତ୍ୟାଚାର କରୁଛି–କରିବ ମଧ୍ୟ-। ଏଠାରୁ ଚାଲିଗଲେ ଆମ ଉପରକୁ ଗୁଳି ଚଳେଇବ । ମୁ’ ଭାବୁଛି ଆକୁ ମାରିଦେବା ଭଲ ହେବ । ତମେ ସବୁ କ’ଣ କହୁଛ ?’’

 

ସମସ୍ତେ ଏକ ସ୍ୱରରେ କହିଲେ–‘‘ମାରିଦିଅ, ମାରିଦିଅ ।’’ ସମସ୍ତଙ୍କ ମୁହଁରେ ଆନନ୍ଦ–ପ୍ରବଳ ପ୍ରତାପୀ ପୁଲିସ୍‌ରୁ ଜଣକୁ ଧରା ହୋଇଛି । ‘‘ଜନତାର ରାୟ ହେଲା ତୁମକୁ ମରାଯିବ’’ କହି ଭେଙ୍କେଟ ଧରିଥିବା ଦାଆରେ ପାଣିଗ୍ରାହୀକୁ ଭୁସିଦେଲା । ପରେ ପରେ ଅନ୍ୟମାନେ ତାକୁ ଆଘାତ କଲେ । କିଏ କୁରାଢ଼ିରେ ଚୋଟେ ପକେଇଲା ତ କିଏ କାତରେ ହାଣିଲା, କିଏ ପଥରରେ ଛେଚିଲା । ସେମାନେ ସତେଯେମିତିକି ପ୍ରଚଳିତ ପଦ୍ଧତି, ସରକାରୀ ବ୍ୟବସ୍ଥାକୁ ସେହି ସିପାହୀ ଦେହରେ ଛିନ୍ନଭିନ୍ନ କରିଦେଉଥିଲେ । ସବାଶେଷରେ ଗୋଟିଏ ବଡ଼ ପଥର ମଡ଼େଇଦେଲେ ପୁଲିସ ପୋଷାକ ପିନ୍ଧା ମୃତ ଦେହ ଉପରେ । ସେମାନେ ମନେକରୁଥାନ୍ତି ସରକାର ଓ ସମାଜକୁ ସେଇଠି କବରଦେଇ ନିଜର ରାଜୁତି ଆରମ୍ଭ କରିଛନ୍ତି । ବିଜୟ ଉଲ୍ଲାସରେ ସେମାନେ ପାଟିକରି ଉଠିଲେ–‘‘ଶ୍ରେଣୀ ସଂଘର୍ଷ ଜିନ୍ଦାବାଦ୍’’, ‘‘ପେଦାପୁଲି ଜିନ୍ଦାବାଦ୍‌ ।’’

 

ସିପାହୀର କିଛି ଜିନିଷ ନେଲେ ନାହିଁ । ନେବା ଦରକାର କ’ଣ ? ସମସ୍ତେ ଚାଲିଲେ ପାହାଡ଼ ଉପରର ବିଭିନ୍ନ ଆଶ୍ରୟ ସ୍ଥଳକୁ । ରାତିରେ ନାଗୀ ଆସି ପହଞ୍ଚିଲା । ସେ ଜେଲ୍‌ରୁ ଖସି ଚାଲିଆସିଥାଏ । ସାଙ୍ଗରେ କେତେଜଣ ବାବୁଭୟା ପରି ଦିଶୁଥିବା ଲୋକ, ନକ୍‌ସଲପନ୍ଥୀଙ୍କର ଆଦର୍ଶ ତିଆରି କରିବା ବ୍ୟକ୍ତି । ବଣଜଙ୍ଗଲରେ ବୁଲାବୁଲି କରିବା ଅଭ୍ୟାସ ନାହିଁ । ସେମାନେ ଦଳର ବୁଦ୍ଧିଜୀବୀ ।

 

ସେମାନଙ୍କ ଭିତରୁ ଜଣେ ଖୁବ୍‌ ଜ୍ଞାନୀପରି ମନେହେଲା । କଥାବାର୍ତ୍ତା ଭାରି ଧୀର । ସେ ଯେତେବେଳେ ଶୁଣିଲା ଯେ ଗୋଟିଏ ନିରସ୍ତ୍ର କନଷ୍ଟେବଳ୍‌କୁ ମାରିଦିଆଯାଇଛି ସେତେବେଳେ ତା’ ମୁହଁ ଉଦାସ ହୋଇଗଲା । ସମସ୍ତଙ୍କ ଉଦ୍ଦେଶ୍ୟରେ ସେ କହିଲା–‘‘ନିରୀହ କନଷ୍ଟେବଳ୍‌କୁ ମାରନାହିଁ-। ସେ ମଧ୍ୟ ଆମ ଭିତରୁ ଜଣେ । ପେଟ ପୋଷିବା ପାଇଁ ଛୋଟ ଚାକିରି କରୁଛି । କାଲି ଆମ ପାଖରେ ମଧ୍ୟ ଚାକିରି କରିବ । ଆଜି ଆମର ନିଷ୍ପତ୍ତି କନଷ୍ଟେବଳ୍‌କୁ ଏକୁଟିଆ ଦେଖିଲେ ମାରିବା ନାହିଁ ।’’

 

ତା’ କଥାରେ ସମସ୍ତେ ଏକମତ ହେଲେ; କିନ୍ତୁ ଭେଙ୍କେଟ ଏକମତ ହୋଇପାରିଲା ନାହିଁ-। ତଥାପି ଗଣ ବିଚାରାଳୟରେ ଯାହା ନିଷ୍ପତ୍ତି ହୋଇଛି ତାକୁ ମାନିନେବାକୁ ବାଧ୍ୟ ସେ । ତେଣୁ ଅଧିକା ଓଜର ଆପତ୍ତି କଲାନାହିଁ ।

 

ସେହି ରାତିରେ ସେମାନଙ୍କ ଭବିଷ୍ୟତ କାର୍ଯ୍ୟକଳାପ ବିଷୟରେ ଚିନ୍ତା ଚାଲିଲା । କେଉଁ କେଉଁ ଗାଁର ଶ୍ରେଣୀ–ଶତ୍ରୁଙ୍କୁ ନିପାତ କରାଯିବ ତା’ର ତାଲିକା ହେଲା । ସବାଶେଷରେ ଖବର କେମିତି ଗୋଟିଏ ଦଳରୁ ଯିବ ତା’ର ବ୍ୟବସ୍ଥା କରିଦେଲା ନାଗୀ । ସେହି ବ୍ୟବସ୍ଥା ଅନୁସାରେ ପ୍ରଥମ ଲୋକର ପରିଚୟ ତୃତୀୟ ବାର୍ତ୍ତାବହ ପାଖରେ ଅଜଣା ରହିବ । କେହି ଜଣେ ଧରାପଡ଼ିଲେ ସେ ତୃତୀୟ ବ୍ୟକ୍ତି ବିଷୟରେ କିଛି କହିପାରିବ ନାହିଁ । ଗୋଠଲ–ପଦର ପୁଲିସ୍‌ କ୍ୟାମ୍ପପାଖ ପାନ ଦୋକାନ ଚିଠିପତ୍ର ପହଞ୍ଚେଇବା ଓ ଉଠେଇବାର କେନ୍ଦ୍ରସ୍ଥଳ ହେବ । ଏହା ହେଲେ ପୁଲିସ୍‌ କାହାକୁ ସନ୍ଦେହ କରିବେ ନାହିଁ । ଖବର ଠିକ୍‌ ସମୟରେ ପହଞ୍ଚିଯିବ ।

 

ଏମାନଙ୍କର ଗଣସଭା ଭାଙ୍ଗିଲା ବେଳେ ମଲମାନଗୁଡ଼ାରୁ ଗୋଠଲ–ପଦରକୁ ବେତାର ବାର୍ତ୍ତାଗଲା–ପାଣିଗ୍ରାହୀ ସିପାହୀକୁ ନକ୍‌ଲପନ୍ଥୀମାନେ ଉଠେଇ ନେଇଛନ୍ତି । ମଲମାନଗୁଡ଼ା କ୍ୟାମ୍ପରେ ନକ୍‌ସଲପନ୍ଥୀ ଚଢ଼ଉ ହୋଇପାରେ । ସେଠାକାର ସିପାହୀ ଆତଙ୍କଗ୍ରସ୍ତ । ଖବରପାଇ ଡି. ଏସ୍‌. ପି. ବାହାରିପଡ଼ିଲେ ସାତ ଆଠଜଣ ସିପାହୀ ଓ ସର୍ଜେଣ୍ଟକୁ ନେଇ । ଅନ୍ଧାର ରାତି, ଅଜଣା ରାସ୍ତା, ଅଜଣା ଭୟ; ମୃତ୍ୟୁର ପଦଧ୍ୱନୀ ପ୍ରତି ପଦକ୍ଷେପରେ ଶୁଣାଯାଉଥାଏ । ସେହି ଅନ୍ଧାର ଭିତରେ ଚାଲିଲେ ଛୋଟିଆ ପୁଲିସ୍‌ଦଳ–ଅନ୍ୟ ପୁଲିସ୍‍ମାନଙ୍କୁ ସାହାଯ୍ୟ କରିବାପାଇଁ, ଅପହୃତ ପୁଲିସ୍‌ କନେଷ୍ଟବଳ୍‌କୁ ଉଦ୍ଧାର କରିବାପାଇଁ । ମନରେ ସାହସ–କିନ୍ତୁ ଗୁଳିଖାଇ ମରିଯିବାର ଭୟ ଅବଚେତନ ମନକୁ ଗ୍ରାସ କରିଥାଏ । ମଣିଷ ଚରିତ୍ରର ମହତ୍ୱ ପ୍ରତିପାଦିତ ହୁଏ ଆପଦବେଳେ, ମୃତ୍ୟୁର ଦ୍ୱାର ଦେଶରେ । ସେହି ମହତ୍ତ୍ୱ ପ୍ରତିପାଦିତ କରିଥିଲା ସର୍ଜେଣ୍ଟ । ଡି. ଏସ୍‌. ପି. ନିଜର ଛୋଟିଆ ପୁଲିସ୍‌ ଦଳର ଆଗରେ ଚାଲିଥାଆନ୍ତି ମଲମାନଗୁଡ଼ା ଅଭିମୁଖେ । କିଛିବାଟ ଆଗକୁ ଯାଇ ପୁଣି ଫେରିଆସି ଦଳର ଅନ୍ୟମାନଙ୍କୁ ଆଗକୁ ନିଅନ୍ତି । ସାମନା ରାସ୍ତାରେ କାଳେ କେଉଁଠି ନକ୍‌ସଲପନ୍ଥୀ ଛକି ବସିଥିବେ, ସୁବିଧା ପାଇଲେ ପୁଲିସ୍‌ ଉପରେ ଗୁଳି ଚଳେଇଦେବେ–ସେହି ଆଶଙ୍କାରେ ବିବ୍ରତଥିଲେ ଡି. ଏସ୍‌. ପି. । ଅଚାନକ ଆକ୍ରମଣ କରି ଗୁଳି, ବନ୍ଧୁକ ନେଇଗଲେ ମରଣଠାରୁ ଆହୁରି ଅପମାନଜନକ ହେବ । ସେହି ଭୟରେ ପ୍ରତି ପଦକ୍ଷେପରେ ସେ ହୁସିଆର ହୋଇଯାଉଥିଲେ । କେତେ ସମୟ ଏମିତି ଚାଲିବା ପରେ ସର୍ଜେଣ୍ଟ ଲକ୍ଷ୍ୟକଲା ଦଳର ଅଧିନାୟକ ସବା ଆଗରେ । ସେ ଯଦି ଗୁଳିମାଡ଼ରେ ମରିଯାଆନ୍ତି ତାହେଲେ ଦଳର ଅନ୍ୟମାନେ କରିବେ କ’ଣ ? ସେ ଯଦି କ୍ଷତ ବିକ୍ଷତ ହୋଇଯାଆନ୍ତି ବା ନକ୍‌ସଲପନ୍ଥୀଙ୍କ ଦ୍ୱାରା ଧରା ହୋଇଯାଆନ୍ତି ତାହେଲେ ସରକାର କ’ଣ କହିବେ, ଉପରିସ୍ଥ କର୍ମଚାରୀ କ’ଣ କହିବେ ? ସାହସ କରି ସର୍ଜେଣ୍ଟ କହିଲା–‘ସାର୍‌ ! କ୍ଷେତ୍ର କୌଶଳରେ ନିୟମ ଅନୁସାରେ ଦଳର ମୁଖ୍ୟ ଆଗରେ ଯାଇପାରିବେ ନାହିଁ । ଆପଣ ମଝିରେ ରୁହନ୍ତୁ–ମୁଁ ଆଗରେ ଯିବି ।’’

 

‘‘କିନ୍ତୁ କେତେବେଳେ ଯେ ଗୁଳି ଆସିବ–ତାହା ଜାଣିପାରୁଛ ତ ? ତଥାପି ଆଗରେ ଯିବାକୁ ଇଚ୍ଛା ।’’ କହିଲେ ଡି.ଏସ୍‌. ପି ।

 

‘‘ମୋର ଏହା କର୍ତ୍ତବ୍ୟ ସାର୍‌ ! ମୋତେ କିଛି ହେଲେ, ଉପାୟ ଆପଣ ସ୍ଥିର କରିବେ । ଆପଣଙ୍କୁ କିଛି ହେଲେ, ପନ୍ଥା ସ୍ଥିର କରିବ କିଏ ?

 

ଗୋଟିଏ ମହାନ୍‌ ଚରିତ୍ରକୁ ନିତିଦିନିଆ ମଣିଷ ଭିତରେ ଦେଖିବାକୁ ଚେଷ୍ଟାକଲେ ଡି. ଏସ୍‌. ପି । କିଛି ଦେଖାଯାଉନଥାଏ ଅନ୍ଧାର ଭିତରେ–ମୁକ୍ତା ଯେ ଶାମୁକା ଭିତରେ ଲୁକ୍‌କାୟିତ ଥାଏ ବହୁଦିନ ଧରି । ଅଧିକା କିଛି ନକହି ସର୍ଜେଣ୍ଟକୁ ଇସାରାଦେଲେ ଆଗକୁ ବଢ଼ିବାପାଇଁ । ନିଜେ ଘୁଷୁଡ଼ି ଘୁଷୁଡ଼ି ରାତିରେ ଅନ୍ଧକାର ଭିତରେ କିଛିବାଟ ଆଗକୁ ଯାଇ ରାସ୍ତା ବିପଦମୁକ୍ତ କି ନୁହେଁ ଦେଖି, ପୁଣି ପଛକୁ ଫେରିଆସି ସର୍ଜେଣ୍ଟ ଅନ୍ୟମାନଙ୍କୁ ଆଗକୁ ନେଇଯାଏ । ମରିବାପାଇଁ ତା’ର ଭୟ ନାହିଁ । ଦଳ କେମିତି ସୁବିଧାରେ ପହଞ୍ଚିବ–ତାହା ତା’ର ଏକମାତ୍ର ଲକ୍ଷ୍ୟ । ବହୁତ କଷ୍ଟକର, ପଡ଼ିଉଠି, ଲହୁ ଲୁହାଣ ହୋଇ ଡି. ଏସ୍‌. ପି. ଏବଂ ତାଙ୍କ ଦଳ ପହଞ୍ଚିଲେ ମଲମାନଗୁଡ଼ା କ୍ୟାମ୍ପରେ-। ସାରା ରାତି କ୍ୟାମ୍ପରେ ସିପାହୀମାନେ ଆତଙ୍କରେ ବସି ରହିଥିଲେ–ଅଜଣା ଜାଗାରୁ ଗୁଳିମାଡ଼କୁ ଅପେକ୍ଷା କରି । ଡି. ଏସ୍. ପି.ଙ୍କୁ ଦେଖି ସେମାନଙ୍କ ସାହସ, ଆତ୍ମପ୍ରତ୍ୟୟ ଫେରିଆସିଲା-

 

ସେହିଠାରୁ ପୁଲିସ୍‌ର ପାଲଟା ଅଭିଯାନ ଆରମ୍ଭ ହେଲା । ପ୍ରାଣିଗ୍ରାହୀ ସିପାହୀକୁ ଖୋଜାଗଲା–ପାହାଡ଼, ପର୍ବତ, ଗୁମ୍ଫା, କୁଡ଼ିଆ–ସବୁଆଡ଼େ । କୁଆଡ଼େ ମିଳିଲାନାହିଁ । ପାଖ ଆଖ ଗାଁର ସବୁ ଲୋକଙ୍କୁ ଏକାଠି କରି ଚାଲିଲା ପଚରାପଚରି–ଅତ୍ୟାଚାର । ତିନିଦିନ, ତିନିରାତି ପଚରାପଚରି–ମାଡ଼, ପାଣିରେ ବୁଡ଼େଇ ମାରିଦେବା ଅଭିନୟ ପରେ ଜଣେ ଦେଖେଇଦେଲା ପାହାଡ଼ ଉପରେ ପାଣିଗ୍ରାହୀର ଶବକୁ । ଶବ ସେମିତି ଅକ୍ଷତ ଅବସ୍ଥାରେ ଥାଏ, ସତେଯେମିତିକି ତାକୁ ଛୁଇଁବା ପାଇଁ ବଣଜନ୍ତୁମାନେ ମଧ୍ୟ ଭୟ କରୁଥିଲେ । ଶବକୁ ନେଇସାରି ପୁଲିସ୍‌ ବାହିନୀ ପ୍ରତିହିଂସା ପାଇଁ ବାହାରିପଡ଼ିଲେ । ଗାଁକୁ ଗାଁ ତଲାସୀ ଚାଲିଲା, ମାର୍‌ପିଟ୍‌–ଲୋକଙ୍କୁ ହଇରାଣ, ହରକତ । ଖାଲି ଗୋଟିଏ କଥା–‘‘ନକ୍‌ସଲପନ୍ଥୀ କେଉଁଠି ଅଛନ୍ତି କହ । ଭେଙ୍କେଟ କେଉଁଠି ଅଛି କହ ।’’

 

ଦିନରାତି ଖୋଜାଖୋଜି, ଦୌଡ଼ା ଦୌଡ଼ି ବେଳେ ଡି.ଏସ.ପି.ଙ୍କ ଆଖିଆଗରେ ଭାସିଉଠେ ପାଣିଗ୍ରାହୀର ଶବ । ଶବ ଉପରେ ସେ ଲକ୍ଷ୍ୟ କରିଥିଲେ ଅଠେଇଶଟି କ୍ଷତ ଚିହ୍ନ । ମୁଣ୍ଡ ଉପରେ ପଥର ମଧ୍ୟ ଲଦା ହୋଇଥିଲା । କେତେ ନୃଶଂସ ଭାବେ ନିରସ୍ତ୍ର ସିପାହୀକୁ ମରାଯାଇନାହିଁ–ତା’ର ବଦଲା ନେବାକୁ ହିଁ ପଡ଼ିବ । ତାଙ୍କର ମନେପଡ଼ିଯାଏ ପାହାଡ଼ ତଳକୁ ଆଣିଲାବେଳେ ଶବର ପଚା ମାଂସ ସବୁ କେମିତି ଖଣ୍ଡ ଖଣ୍ଡ ହୋଇ ଖସିପଡ଼ୁଥିଲା । କେମିତି ମିଠା, ପିଠା ସବୁ ଅକ୍ଷତ ଅବସ୍ଥାରେ ତା’ର ଥଳି ଭିତରେ ଥିଲା–ଅନ୍ୟ ପୁଲିସ୍‌ଭାଇମାନଙ୍କ ପାଇଁ । ତା’ର ଜୁଇରେ ଚିତାଗ୍ନି ଦେଲାବେଳେ କେମିତି କରୁଣ ସ୍ୱରରେ ବିଦାୟୀ ବିଗୁଲ୍‌ ବାଜିଉଠୁଥିଲା ! ସେହି କରୁଣ ରାଗିଣୀ ମହାଯାତ୍ରାର ବିଦାୟୀ ପରି ମନେହେଉନଥିଲା, ସେ ମନେହେଉଥିଲା ଆଦର୍ଶ ଓ ଆଦର୍ଶ ମଧ୍ୟରେ ଲଢ଼େଇର ଆବାହନୀ । ସେହି କରୁଣ ବିଗୁଲ୍‌ ସ୍ୱରକୁ ମନେପକେଇ ଡି.ଏସ୍.ପି ତାଙ୍କ ଯୋଜନା ଦ୍ୱିଗୁଣିତ କରୁଥିଲେ–ନକ୍‌ସଲପନ୍ଥୀଙ୍କର ଶବାଧାର ତିଆରି କରିବାପାଇଁ, କନଷ୍ଟେବଳ୍‌ ପାଣିଗ୍ରାହୀର ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାପାଇଁ ।

 

ଚାରିଆଡ଼େ ଆତଙ୍କ । କେଉଁଠି ପୁଲିସ୍‌ ପ୍ରତି ଭୟ ତ କେଉଁଠାରେ ନକ୍‌ସଲପନ୍ଥୀଙ୍କ ପ୍ରତି ।

 

ଶୀତରାତିରେ ଜହ୍ନ ଆଲୁଅରେ ଡି. ଏସ୍‌. ପି. ଗୋଟିଏ ପୁଲିସ୍‌ ଟୋଲି ଧରି ଚାଲିଗଲେ ନକ୍‌ସଲପନ୍ଥୀ ଆଡ଼୍‌ଡ଼ା ଘେରାଉ କରିବାପାଇଁ । କଡ଼ା ତାଗିଦ୍‌–କେହି ଟର୍ଚ୍ଚ ଲଗେଇବେ ନାହିଁ, କଥାବାର୍ତ୍ତା କରିବେ ନାହିଁ । ରବର ବୁଟ୍‌ ପିନ୍ଧା, ରାଇଫଲ ଧରିଥିବା ପୁଲିସ୍‌ ବାହିନୀ ନକ୍‌ସଲପନ୍ଥୀଙ୍କ ପରି ଲୁଚି ଲୁଚି ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ ଉପରକୁ ଉଠିଲେ ନିଃଶବ୍ଦରେ, ନକ୍‌ସଲପନ୍ଥୀଙ୍କୁ ଧରିବାପାଇଁ । ନ ଧରିଲେ ସେମାନେ ଯେ କେବେ ମରିଯିବେ ତା’ର କ’ଣ ଠିକଣା ଅଛି ? ଆଦର୍ଶ ଓ ଆଦର୍ଶର ଲଢ଼େଇ ଭିତରେ ସେମାନେ ଯେ ବଳୀବଦ୍ଧ ପଶୁ ।

 

ଭୋର ଭୋର ଦୁଇ ପାହାଡ଼ ମଝିରେ ଉପତ୍ୟକାରେ ପହଞ୍ଚି ଡି. ଏସ୍‌. ପି. ଚାରିଆଡ଼କୁ ଲକ୍ଷ୍ୟ କଲେ । ସକାଳର ଝାପ୍‌ସା ଆଲୁଅରେ ବଡ଼ କାନ୍ଦୁଲ ବାଡ଼ ଭିତରେ ମୃଦୁ ଶିହରଣ ଲକ୍ଷ୍ୟ କରାଗଲା । ନିଃଶବ୍ଦରେ ଚାରିପଟ ଘେରିଗଲେ ପୁଲିସ୍‌ବାହିନୀ । ସନ୍ତର୍ପଣରେ, ନିଃଶବ୍ଦରେ ବନ୍ଧୁକ ଦେଖେଇ ଆଗେଇଲେ ହଲ୍‌ଚଲ୍‌ ହୋଇଥିବା ସେହି ଜାଗାକୁ । ଘେରଭର ବୃତ୍ତ ଛୋଟ ହୋଇ କେନ୍ଦ୍ରୀଭୂତ ହେଲା ଗୋଟିଏ ଭଙ୍ଗା କୁଡ଼ିଆ ପାଖରେ । ଭାଙ୍ଗି ଯାଇଥିବା କୁଡ଼ିଆ ପାଖରେ ଗୋଟିଏ ସ୍ତ୍ରୀ ଲୋକ ଦୁଇଟି ଛୋଟ ଛୁଆଙ୍କୁ କୋଳରେ ଧରି ନିର୍ବାକ ହୋଇ ଅନେଇଥାଏ–ତା’ର ଗୋଡ଼ ଦୁଇଟା ଯେମିତିକି ଅଚଳ ! ପୁଲିସ୍‌କୁ ଦେଖି ପଳେଇବା ପାଇଁ ଇଚ୍ଛା କରି ଉଠି ଠିଆହେଲା । କିନ୍ତୁ ଚାରିପଟେ ବନ୍ଧୁକଧାରୀ ପୁଲିସ୍‌କୁ ଦେଖି ଅସହାୟ ଭାବେ ବସିପଡ଼ି କାନ୍ଦିବାରେ ଲାଗିଲା । ମନେହେଉଥିଲା ସେ କିଛି ଖାଇନାହିଁ । ଆଖି ପଶିଯାଇଥାଏ । ଶୀତରେ ଦେହ ଥରୁଥାଏ । ଓଠ ଶୁଖି ଯାଇଥାଏ । ଅକ୍ଷମ ଦେହର ଶେଥା ଆଖିରୁ ବେଶୀ ଲୁହ ସୁଦ୍ଧା ବାହାରୁନଥାଏ । ତା’ର ସେହି ଅବସ୍ଥା ଦେଖି ଡି. ଏସ୍‌. ପି. ଆଶ୍ଚର୍ଯ୍ୟ ହୋଇଗଲେ । ପାଖକୁ ଯାଇ ପଚାରିଲେ–‘‘ତୁ କିଏ ? ଏଠି କ’ଣ କରୁଛୁ ?’’

 

‘‘ମୋର ଏଇଠି ଘର ଥିଲା । ଏଇଟା ମୋର ବାଡ଼ । ମୋ ପିଲା ଦୁଇଟାକୁ ନେଇ ଏଇଠି ପଡ଼ିରହିଛି ।’

 

‘‘ତୋ ସ୍ୱାମୀ କାହିଁ ?’’

 

‘‘ନକ୍‌ସଲପନ୍ଥୀମାନେ ତାକୁ ଜବରଦସ୍ତି ନେଇଯାଇଛନ୍ତି ତାଙ୍କ ଦଳରେ ମିଶେଇବା ପାଇଁ ।’’

 

‘‘ଘର କିଏ ଭାଙ୍ଗିଲା ?’’ ଡି. ଏସ୍‌. ପି. ପଚାରିଲେ ।

 

‘‘ପୁଲିସ୍‌ବାଲା ।’’

 

‘‘କାହିଁକି ?’’

 

‘‘ମୋ ସ୍ୱାମୀ କାହିଁକି ନକ୍‌ସଲପନ୍ଥୀଙ୍କ ସାଙ୍ଗରେ ମିଶିଲା ବୋଲି ଗୋଟିଏ ପୁଲିସ୍‌ଦଳ ଆସି ମୋ ଘର ଭାଙ୍ଗିଦେଲେ । ଡରରେ ମୁଁ କୁଆଡ଼େ ଯାଇପାରୁ ନାହିଁ ।’’

 

ଡି. ଏସ୍‌. ପି. ମନେ ମନେ ଚିନ୍ତାକଲେ, କେତେ ଅସୁବିଧାରେ ପଡ଼ୁଛନ୍ତି ନିରୀହ ଜନସାଧାରଣ । ଏପଟେ ନକ୍‌ସଲପନ୍ଥୀଙ୍କ ପ୍ରତି ଭୟ–ସେପଟେ ପୁଲିସ୍‌ ପ୍ରତି । କି ଦୁଃଖଦାୟକ ! କି ଯନ୍ତ୍ରଣାଦାୟକ ! ଦେଶ ରାଜତନ୍ତ୍ର ହେଉ କି ଧନୀକତନ୍ତ୍ର ହେଉ ବା ସମାଜତନ୍ତ୍ର ହେଉ ବା ବାମପନ୍ଥୀ–ଉଗ୍ରପନ୍ଥୀ ହେଉ, ଏମାନଙ୍କର ଯାଏ ଆସେ କେତେ–ଅଥଚ ସେଇମାନେ ହିଁ ବେଶୀ ଭୁକ୍ତଭୋଗୀ–ଦୁଃଖୀ ।

 

‘‘କ’ଣ ଖାଉଛ ? ପିଉଛ କ’ଣ ?’’ ପଚାରିଲେ ଡି.ଏସ୍‌. ପି. ।

 

‘‘କାଲିଠାରୁ କଞ୍ଚା ମକ୍‌କା ଖାଇ ବଞ୍ଚିଛୁ । ଆଜି ସକାଳୁ ପତ୍ର ଉପରେ ପଡ଼ିଥିବା କାକରବିନ୍ଦୁ ଚାଟିଦେଇଛୁ । ଶୋଷ ଟିକିଏ ମରିଯାଇଛି ।’’

 

ଡି. ଏସ୍‌. ପି ନିଜ ଆଖିର ଲୁହକୁ ଚପେଇ ପାଖରେ ଥିବା ପାଉଁରୁଟି, ବିସ୍କୁଟ ଓ ପାଣି ସବୁ ଦେଇଦେଲେ । ସାଙ୍ଗରେ ଯିବାପାଇଁ ଡାକିବାରୁ ସେ ମହିଳା ମନାକଲା । ନିଜ କାନ୍ଦୁଲ ବାଡ଼ ଛାଡ଼ି ଯିବ କୁଆଡ଼େ ? ସେଥିରୁ ଯାହା ପାଇବ ଦୁଇମାସ ଚଳିଯିବ । ପିଲା ଦୁଇଟା ଦୁଇମାସ ବଞ୍ଚିଯିବେ । ନହେଲେ ସେମାନେ ଅକାଳରେ ମରିଯିବେ ।

 

ବେଶୀକିଛି କଥା ନକହି ଡି. ଏସ୍‌. ପି. ଆଗକୁ ଚାଲିଲେ–ନିଜ ଟୋଲି ସହ । କ’ଣ ବା କରିଥାନ୍ତେ–ଘଟଣା ପ୍ରବାହ ବଦଳେଇବା ଶକ୍ତି ତାଙ୍କ ପାଖରେ ନଥିଲା । ଘଟଣା ପ୍ରବାହ ଭିତରେ ସେ ମଧ୍ୟ ଜଣେ କ୍ରୀଡ଼ନକ । ଏହି ହତଭାଗ୍ୟ ଦେଶରେ ପ୍ରତ୍ୟେକ ଗୋଟିଏ ଗୋଟିଏ କାଠ କଣ୍ଢେଇ । ଯିଏ ରକ୍ଷକ, ସିଏ ଘରଭାଙ୍ଗି ଦେଉଛି, ଯିଏ ଭୋକିଲା ପେଟରେ ଆହାର ଯୋଗେଇବା ସଂକଳ୍ପ କରିଛି–ସେ ପରିବାରର ଖାଦ୍ୟ ଯୋଗେଇବା ଲୋକକୁ ଟାଣିନେଇ ଯାଇ ଅନ୍ୟମାନଙ୍କୁ ବୁଭୁକ୍ଷୁ କରିଦେଇଛି ।

 

ଅନ୍ୟମନସ୍କ ଭାବେ କେତେ ସମୟ ଆଗକୁ ଚାଲୁଚାଲୁ ଗୁଳିର ଆଓ୍ୱାଜ୍‌ ଆସିଲା । ପାହାଡ଼ ଉପରକୁ ଅନେକ ଦେଖିଲେ ଗୋଟିଏ କୁଡ଼ିଆ ପାଖରେ ଗୁଡ଼ାଏ ଲୋକ ଏପଟ ସେପଟ ହେଉଛନ୍ତି । ସଂଗେ ସଂଗେ ଆଦେଶ ଦେଲେ–‘‘କୁଡ଼ିଆକୁ ଘେରାଉ କର । ଗୁଳି ଚଳାଅ ।’’

 

ରାଇଫଲ୍‌ରୁ ଗୁଳି ଚାଲିଲା । ସେ ପଟର ଗୁଳି ଆଓ୍ୱାଜ୍‌ରୁ ହି. ଏସ୍‌. ପି. ଜାଣିପାରୁଥିଲେ-। ଯେ ସେ ରାଇଫଲ ନୁହେଁ । ସେହି ବନ୍ଧୁକର ଗୁଳି ଏତେ ଦୂର ଆସିପାରିବ ନାହିଁ-। ସନ୍ତର୍ପଣରେ ପୁଲିସ୍‌ବାହିନୀ ପାହାଡ଼ ଉପରକୁ ଚଢ଼ିବାରେ ଲାଗିଲେ ।

 

କୁଡ଼ିଆରେ ସେଦିନ ରହୁଥିଲେ ଭେଙ୍କେଟ ଓ ନାଗୀ । ସେମାନଙ୍କର ରାତି ଜଗୁଆଳି ଗଛ ଉପରୁ ପୁଲିସ୍‌କୁ ଦେଖି ଗୁଳି ଚଳେଇଥିଲା, ସେ କିନ୍ତୁ ଜାଣିପାରୁନଥିଲା ଯେ ତା’ ବନ୍ଧୁକର ଗୁଳି ବେଶୀ ଦୂରକୁ ଯାଇପାରେ ନାହିଁ । ତା’ର ଅନ୍ୟ ସାଙ୍ଗଜଣକ ମଧ୍ୟ ତା’ ପାଖକୁ ଆସି ଗୁଳି ଚଳେଇଲା । ଭେଙ୍କେଟ ଓ ନାଗୀ କୁଡ଼ିଆ ଭିତରୁ ବାହାରିଆସି ସେମାନଙ୍କୁ ଏତେ ଦୂରରୁ ଗୁଳିକରିବାପାଇଁ ମନାକରି ପୁଲିସ୍‌ର ଗତିବିଧି ଲକ୍ଷ୍ୟକଲେ । ସେହି ଲକ୍ଷ୍ୟ କରିବା ଭିତରେ ଗୋଟିଏ ଗୁଳି ଆସି ନାଗୀର ଗୋଡ଼ରେ ବାଜିଲା । କଦଳୀ ଗଛ କାଟିଲାପରି ସେ ତଳେ ପଡ଼ିଗଲା-। ତଳେ ପଡ଼ି ସୁଦ୍ଧା ନାଗୀ ଚିତ୍କାର କଲା ନାହିଁ । ଚିତ୍କାର କଲେ ପୁଲିସ୍‌ ଜାଣିଯିବେ । ଭେଙ୍କେଟ ଓ ଅନ୍ୟମାନେ ତା’ ପାଖକୁ ଦୌଡ଼ିଆସିଲେ । ପୁଲିସ୍‌ର ଗତିବିଧି ଲକ୍ଷ୍ୟ କରିବା ବନ୍ଦ କରିଦେଇ ସେମାନେ ପଳାୟନର ବାଟ ଖୋଜିଲେ । ସେମାନେ ନାଗୀକୁ କାନ୍ଧେଇ ପାହାଡ଼ର ଅନ୍ୟବାଟ ଦେଇ ତଳକୁ ଚାଲିଗଲେ ।

 

ଡି. ଏସ୍‌. ପି. କୁଡ଼ିଆ ପାଖକୁ ଆସି ପହଞ୍ଚିଲା ବେଳକୁ ଡେରି–ହୋଇଯାଇଥାଏ । ବହୁତ ସମୟ ଖୋଜାଖୋଜି କରି କାହାକୁ ପାଇଲେ ନାହିଁ । କୁଡ଼ିଆ ପାଖରେ ଚକଡ଼ାଏ ରକ୍ତ ପଡ଼ିଥିବା ଲକ୍ଷ୍ୟ କଲେ । ଟୋପା ଟୋପା ରକତ କେତେବାଟଯାଏ ପଡ଼ିଥାଏ ଲକ୍ଷ୍ୟ କରାଗଲା । ତାପରେ ଆଉ କିଛି ଜଣାପଡ଼ିଲା ନାହିଁ । ବ୍ୟର୍ଥମନୋରଥ ଡି. ଏସ୍‌. ପି. କୁଡ଼ିଆ ପାଖକୁ ଫେରିଆସିଲେ । ସେଥିରେ ଚାଉଳ, ଲୁଣ ଓ କୁକୁଡ଼ା ରଖାଯାଇଥିଲା । ଧନୁତୀର, କୁରାଢ଼ି, ଦାଆ ପ୍ରଭୃତି ଥିଲା । ରାଗରେ ପୁଲିସ୍‌ ଟୋଲିକୁ ଆଦେଶ ଦେଲେ-‘ଜଳେଇ ଦିଅ ସେ କୁଡ଼ିଆକୁ ।’’

 

ହାବିଲ୍‌ଦାର ଡି. ଏସ୍‌. ପିଙ୍କୁ କହିଲା–‘‘ସାର୍‌, ଜିଅନ୍ତା କୁକୁଡ଼ା–ଗୁଡ଼ାକ ଅଛନ୍ତି ।’’

 

‘‘ସେମାନେ ମଧ୍ୟ ଜଳିଯାଆନ୍ତୁ ।’’

 

କୁକୁଡ଼ା ସବୁକୁ ଜିଅନ୍ତା ପୋଡ଼ିଦେଇ ଡି. ଏସ୍‌. ପି. ଯେମିତିକି ଭେଙ୍କେଟ ଉପରେ ପ୍ରତିଶୋଧ ନେଉଛନ୍ତି ।

 

ସେହି କୁଡ଼ିଆ ପାଖରୁ ଫେରୁ ଫେରୁ ସଂଧ୍ୟା ହୋଇଯାଇଥାଏ । ପୁଲିସ୍‌ ଟୋଲି ରାତିରୁ ବାହାରିଥିଲେ । ଦିନତମାମ କିଛି ଖାଇନଥିଲେ । ପାହାଡ଼ର ପାଦ ଦେଶରେ ପହଞ୍ଚିଲା ବେଳକୁ ଭୋକରେ ହଂସା ଉଡ଼ିଯାଉଥାଏ । ବାଟରେ କନ୍ଦମୂଳ ବାଡ଼ ଦେଖି ଡି. ଏସ୍‌. ପି. ଆଦେଶଦେଲେ–‘‘କନ୍ଦମୂଳ ଖୋଳି ଖାଇଦିଅ । ଭୋକ ଟିକିଏ କମିଯିବ ।’’

 

ବୁଭୁକ୍ଷୁ ପୁଲିସ୍‌ଟୋଲି ବାଡ଼ ଭିତରେ ପଶି କନ୍ଦମୂଳ ସବୁ ଚୋବେଇ ପକେଇଲେ । କାହାର ବାଡ଼, ଅଧିକାର ଅଛି କି ନାହିଁ କିଛି ଚିନ୍ତା ନଥିଲା । ଭୋକ କେମିତି ଉପଶମ ହେବ ତାହା ହିଁ ବଡ଼ ଚିନ୍ତା । କିଛି କିଛି ଖାଇସାରି ସେମାନେ ନିଜ କ୍ୟାମ୍ପକୁ ବାହାରିଲେ । କନ୍ଦମୂଳ ଯେ ଏତେ ମିଠାହୁଏ ସେମାନେ କଳ୍ପନା ସୁଦ୍ଧା କରିପାରିନଥିଲେ । ପୁଲିସ୍‌ବାହିନୀ ମଧ୍ୟ ନକ୍‌ସଲପନ୍ଥୀଙ୍କ ପରି ଯାହା ତାହା ଖାଇବା ଆରମ୍ଭ କରିଦେଲେ । ପୁଲିସ୍‌ କାମରେ ନୂତନ ପର୍ଯ୍ୟାୟ ଆରମ୍ଭ ହେଲା ।

 

ନାଗୀକୁ ନେଇ ଭେଙ୍କେଟ ଓ ତା’ ସାଥୀମାନେ ପାହାଡ଼ ତଳକୁ ଚାଲିଗଲେ । ଗୋଡ଼ଟାକୁ ବନ୍ଧାବନ୍ଧି କରୁ କରୁ ସଂଧ୍ୟା ହୋଇଯାଇଥାଏ । ନାଗୀ ଚାହୁଁନଥାଏ ସେମାନେ ତା’ ପାଇଁ ନିକମା ହୁଅନ୍ତୁ । ସେମାନଙ୍କ ପାଇଁ ଅନେକ କାମ ପଡ଼ିଛି । ଅନ୍ୟ କେତେ ସାହୁକାରଙ୍କୁ ହତ୍ୟା କରିବାକୁ ହେବ । ପୁଲିସ୍‌ର ଗତିବିଧି ଲକ୍ଷ୍ୟ କରିବାକୁ ହେବ । ସୁବିଧା ଦେଖି ପୁଲିସ୍‌କୁ ଆକ୍ରମଣ କରିବାକୁ ହେବ–ରାଇଫଲ ଛଡ଼େଇ ନେବାକୁ ପଡ଼ିବ । ନାଗୀ ବାଧ୍ୟ କରିବା ଯୋଗୁଁ । ଭେଙ୍କେଟ ଓ ତା’ ଦଳ ତାକୁ ଛାଡ଼ି ପାହାଡ଼ ଉପରେ ଅଦୃଶ୍ୟ ହୋଇଗଲେ ।

 

ନାଗୀ ବହୁ କଷ୍ଟରେ ରାସ୍ତା ଉପରକୁ ଆସି ଗୁଣୁପୁର ରେଳଷ୍ଟେସନ୍‌ ଅଭିମୁଖେ ଚାଲିଲା-। ଶରୀର କଷ୍ଟ ତା’ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିନଥିଲା । ସେ ଚାହୁଁଥିଲା ଦେଶ ଶୋଷଣମୁକ୍ତ ହେଉ, ସେ ମରିଗଲେ ଯାଏଆସେ ନାହିଁ । ଭେଙ୍କେଟ ପରି ଲୋକ ବଞ୍ଚନ୍ତୁ–ସେମାନେ ସାହୁକାର ଏବଂ ସେମାନଙ୍କ ଗୋଷ୍ଠୀକୁ ନିପାତ କରିବେ । ଗୁଳି ଚୋଟ ସତ୍ତ୍ୱେ ଗୁଣୁପୁରରୁ ନଉପଡ଼ା ଏବଂ ନଉପଡ଼ାରୁ କଟକ ଆସିଲା ପାଞ୍ଚଦିନ ପରେ । କ୍ଷତ ଜାଗା ପଚି ଗନ୍ଧ ହେବା ଆରମ୍ଭ ହେଲାଣି । ସେଥିପ୍ରତି ତା’ର ଭ୍ରୂକ୍ଷେପ ନାହିଁ । କଟକ ଝାଞ୍ଜିରମଙ୍ଗଳାର ଗୋଟିଏ ଗଳିରେ ଦଳର ସମର୍ଥକଙ୍କ ଘରେ ରହି ଅସ୍ତ୍ରଶସ୍ତ୍ର ସଂଗ୍ରହର ଉଦ୍ୟମ କଲା । କଲିକତା ସହ ଯୋଗାଯୋଗ କଲା । କଟକ ରହଣୀର ଦ୍ୱିତୀୟଦିନ ତାକୁ ଭୀଷଣ ଜ୍ୱର ହେଲା । କ୍ଷତ ଜାଗାରୁ ଅଜସ୍ର ରକ୍ତ ସ୍ରାବ ହେଲା । ତା’ର ସମର୍ଥକମାନେ ଗୁପ୍ତଭାବରେ ତା’ର ଅପରେସନ୍‌ର ବନ୍ଦୋବସ୍ତ କଲେ । ଅପରେସନ୍ ପ୍ରତି ତା’ର ନିଘା ନଥାଏ । ସବୁବେଳେ ଚାହୁଁଥାଏ ଗୁଣୁପୁର କେମିତି ଯିବ । ଦଳକୁ ଚାରିଆଡ଼େ ବଢ଼େଇବ । ବୁଦ୍ଧିଜୀବୀଙ୍କୁ ସାମିଲ କରେଇବ–ଦଳର ଆଭିମୁଖ୍ୟ ଗାଁ ଗାଁରେ ଅଶିକ୍ଷିତ ଆଦିବାସୀଙ୍କ ପାଖରେ ପହୁଞ୍ଚେଇବ ।

 

ଭେଙ୍କେଟ ବୋରୀ ପାହାଡ଼ ଛାଡ଼ି କୈଳାସକୋଟା ପାହାଡ଼କୁ ଚାଲିଯାଇଥାଏ । ସେ ପାର୍ବତୀପୁର–ରାୟଗଡ଼ା ଅଞ୍ଚଳରେ ତା’ର କାର୍ଯ୍ୟକଳାପ ଚଳେଇବ । ଏଲ୍‌ଓ୍ୱିନ୍‌ପେଟା–ଗୁଣୁପୁର–ପାରଳାଖେମୁଣ୍ଡୀ ଅଞ୍ଚଳରେ ପୁଲିସ୍‌ର ଚଳପ୍ରଚଳ ବଢ଼ିଯାଇଛି । କିଛିଦିନ ଅନ୍ୟପଟେ ଦଳ କାମ କଲେ ପୁଲିସ୍‌ ସେପଟେ ଯିବେ–ନିଜେ ପୁଣି ଏପଟକୁ ଚାଲିଆସିବ ।

 

ସେମିତି ହତ୍ୟା, ତମସୁକ, ପୋଡ଼ି, ଧାନକଟା ଚାଲିଲା ଗାଁ ଗାଁରେ । ସବୁଆଡ଼େ ଶ୍ରେଣୀ–ସଂଗ୍ରାମର ସ୍ୱାକ୍ଷର ବହନକରି ମଣିଷ କଟାହେଲା, ଧାନ କ୍ଷେତ ଉଜୁଡ଼ାଗଲା, ଘର ପୋଡ଼ି ଦିଆଗଲା ।

 

ଏଲଓ୍ୱିନ୍‌ପେଟା–ଗୁଣୁପୁର ପଟେ ପୁଲିସ୍‌ ଜାଣିପାରିଲେ ନାହିଁ ଯେ ଭେଙ୍କେଟ କୈଳାସକୋଟା ଚାଲିଯାଉଛି । ଛୋଟ ଛୋଟ ଦଳ ସହ ମଝିରେ ମଝିରେ ପୁଲିସ୍‌ର ସଂଘର୍ଷ ହୁଏ । ଗୁଳିମାଡ଼ରେ କେତେବେଳେ ପୁଲିସ୍‌ ମରନ୍ତି, କେତେବେଳେ ନକ୍‌ସଲପନ୍ଥୀ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ପୁଲିସ୍‌ ସନ୍ଦେହରେ ବହୁତ ଲୋକଙ୍କୁ ବାନ୍ଧିନେଲେ । ପାହାଡ଼ ଉପରେ ଥିବା ନକ୍‌ସଲପନ୍ଥୀଙ୍କର କୁଡ଼ିଆ ସବୁ ପୋଡ଼ିଦେଲେ । ନକ୍‌ସଲପନ୍ଥୀଙ୍କୁ ସମର୍ଥନ କରୁଥିବା ଗାଁର ସବୁ ଲୋକଙ୍କୁ ତଡ଼ିଦେଇ ଗାଁ ପଦା କରିଦେଲେ । କିନ୍ତୁ ଭେଙ୍କେଟ, ନାଗୀ, ଭାନୀ, କୈଳାସମ୍‌ ଓ ସେମାନଙ୍କ ପାଖକୁ ଆସୁଥିବା ବଡ଼ ବଡ଼ ନେତାଙ୍କର ପତ୍ତା ପାଇଲେ ନାହିଁ ।

 

ଚାରିଆଡ଼େ କିନ୍ତୁ ଛତୁ ଫୁଟିଲାପରି କାନ୍ଥ ବାଡ଼ରେ ସ୍ଳୋଗାନ ଲେଖାହେଲା, ପ୍ରଚାରପତ୍ର ବଣ୍ଟାଗଲା–ମାଓସେତୁଂଙ୍କର ଜୟଗାନ କରାଗଲା । ସବୁଆଡ଼େ ଅହେତକୁ ଭୟ–ଆଗାମୀ କାଲି ବଞ୍ଚିବା ବିଷୟରେ ସନ୍ଦେହ ।

 

ନୂଆ ନୂଆ ଦଳ ସୃଷ୍ଟି ହେଲାଣି । ଗଟା–ଡକାସିକଳାରେ ଗମାଙ୍ଗ, ଶାଲକମ୍ବାରେ ଜଗନ୍ନାଥ, ରାୟଗଡ଼ାରେ ରାଓ । ଲୋକେ ମନେକଲେ ନକ୍‌ସଲ-ପନ୍ଥୀ ରାଜୁତି ବୋଧହୁଏ ଆସନ୍ନ-। ତାକୁ ଆଉ ରୋକାଯାଇ ପାରିବ ନାହିଁ । ବୁରାକଥା, (ବୁରାକଥା ତେଲୁଗୁରେ ଗପ କହିବା ଶୈଳୀ–ଠିକ୍‌ ହରିକଥା ପରି) ହରିକଥା ଦାସକାଠିଆ ମାଧ୍ୟମରେ ଚାରିଆଡ଼େ ଜୟଗାନ ହେଲା ନକ୍‌ସଲପନ୍ଥୀଙ୍କର । ଆଶୁକବି ସୁବାରାଓ ପାଣିଗ୍ରାହୀ ତେଲୁଗୁ ଓ ଓଡ଼ିଆରେ ଗୀତ ଲେଖି ଗାଁ ଗାଁରେ ପ୍ରଚାର କରିଗଲା–ମାର୍କସ ଆଦର୍ଶ, ମାର୍କସ ପଦ୍ଧତିର ଜୟଗାନ ।

 

ଯୁବକ ଗମାଙ୍ଗ ପାଠ କମ୍‌ ପଢ଼ିଥାଏ । ପ୍ରଥମ ଦେଖାରେ ଭେଙ୍କେଟ ତା’ ପ୍ରତି କେମିତି କେଜାଣି ଟାଣି ହୋଇଯାଇଥିଲା । ଗମାଙ୍ଗ ସବୁବେଳେ ନାଗୀ ପାଖେ ପାଖେ ଲାଗି ରହିଥାଏ । ସୁନ୍ଦର ଗୋରା ତକ ତକ ଚେହେରା । ଦେଖିଲେ କେହି ମନେକରିବ ନାହିଁ ଯେ ସେ ଶବର । ସବୁବେଳେ ହସହସ ମୁହଁ । କୌଣସି କାମ ପାଇଁ ପଛଘୁଞ୍ଚା ନାହିଁ । ନାଗୀ ସହିତ ଦ୍ୱିତୀୟଥର ଆସିଥିଲା ଭେଙ୍କେଟ ପାଖକୁ । ବହୁତ ଦିନ ରହିଗଲା ତା’ ପାଖରେ । ପାଠଶାଠ କମ୍‌ ପଢ଼ିଥାଏ । ଶ୍ରେଣୀ–ସଂଗ୍ରାମ କ’ଣ ସେ ବୁଝେନାହିଁ । ଧନୀ ଦରିଦ୍ରର ତାରତମ୍ୟ ସେ ବୁଝିପାରେ ନାହିଁ । ସେ କେବଳ ବୁଝେ ବ୍ରାହ୍ମଣ, ଶୁଣ୍ଢି, ତେଲି ମହାଜନ, କୁମୁଟୀ ସାହୁକାର ଓ ପାଣ ମାମଲତକାର ତା’ର ଜାତିକୁ ତଳିତଳାନ୍ତ କରିଦେଇଛନ୍ତି । ସେମାନଙ୍କୁ ଭୋକରେ ରଖେଇଛନ୍ତି ଶହ ଶହ ବର୍ଷ ଧରି । କୌପୁନୀ ଛଡ଼ା ସେମାନେ କିଛି ପିନ୍ଧିନାହାନ୍ତି । ତା’ ଜାତିଟା ଯଦି ଟିକିଏ ଭଲରେ ରହିବ, ଭଲ ପିନ୍ଧିବ, ଦୁଇମୁଠା ଖାଇବାକୁ ପାଇବ, ତାହାହେଲେ ସେ ହେବ ସବୁଠାରୁ ବେଶୀ ଖୁସି । ସେଥିପାଇଁ ପ୍ରଥମେ ନାଗୀ ପଛରେ ଓ ପରେ ଭେଙ୍କେଟ ପଛରେ ସେ ଗୋଡ଼େଇଥିଲା ।

 

ଦିନେ ଦିନେ ଭେଙ୍କେଟ ଲକ୍ଷ୍ୟକରେ ଦଳର ସମସ୍ତେ କ୍ଳାନ୍ତ, ମୁହ୍ୟମାଣ; କିନ୍ତୁ ଗମାଙ୍ଗ ମୁହଁରେ କ୍ଳାନ୍ତି ନାହିଁ, ଅବସାଦ ନାହିଁ । ଶବ୍ଦ ବାରି, ଗନ୍ଧ ବାରି ସେ କହିଦେଇପାରେ କି ପ୍ରକାର ଜୀବନ ଆସୁଛି ସେମାନଙ୍କ ଆଡ଼କୁ । ଗଛପତ୍ରର ହଲଚଲ ଦେଖି କହିଦେଇପାରେ ବାଘ ଆସୁଛି ନା ହରିଣ ଆସୁଛି ନା ମଣିଷ । ଭେଙ୍କେଟ ସହ ଆଳତି, ବୋରି ଓ ଅତ୍ରି ପାହାଡ଼ରେ ବୁଲି ବୁଲି ଗମାଙ୍ଗ କେବେ ତୃପ୍ତି ପାଇପାରେ ନାହିଁ । ତା’ର ପ୍ରିୟ, ଅତି ପରିଚିତ ଗଠା–ଡକାସିକଳା, ମିଟି–ଖିଲିଙ୍ଗି–ରାଇ, ନଳାଘାଟ ଭଲ ତ ସେ ଭଲ । ସେହି ଅଞ୍ଚଳ ସହ ସେ ପରିଚିତ । ସେହି ଅଞ୍ଚଳର ଲୋକ ତା’ ନିଜ ଜାତିର । ସେମାନଙ୍କର ଉନ୍ନତି ହେଲେ ତା’ର ଉନ୍ନତି, ତା’ ଦେଶର ଉନ୍ନତି । ବଡ଼ କଥା, ବଡ଼ ଆଦର୍ଶ ଚିନ୍ତା କରିବାପାଇଁ ତା’ର କ୍ଷମତା ନ ଥାଏ ବା ସ୍ପୃହା ନଥାଏ । ଭେଙ୍କେଟ ତାକୁ ପଠାଇଦେଲା ତା’ର ଅତି ପରିଚିତ ପଦ୍ମପୁର ଅଞ୍ଚଳକୁ ।

 

ଗମାଙ୍ଗ ମାର୍କସ୍‌ ପଦ୍ଧତିର ଜୟଗାନ କରି ଗାଁକୁ ଗାଁ ବୁଲିଲା ନାହିଁ । ଆଦର୍ଶର ଡିଣ୍ଡିମ ପିଟିବା ବନ୍ଦୋବସ୍ତ କଲା ନାହିଁ । ପ୍ରଚାରପତ୍ର ବାଣ୍ଟିବାରେ ତା’ର ସ୍ପୃହା ନ ଥିଲା । ସେ ଗାଁକୁ ଗାଁ ବୁଲି ସଉରାମାନଙ୍କୁ ପ୍ରବର୍ତ୍ତେଇଲା ସାହୁକାରମାନେ ନେଇଯାଇଥିବା ଜମିରୁ ଜବରଦସ୍ତି ଧାନ କାଟିଆଣିବା ପାଇଁ, ଘର ଦ୍ୱାର ଲୁଟ୍‌ କରି ବନ୍ଧକ ତମସୁକ ପୋଡ଼ି ଦେବାପାଇଁ । ସେ ହିଂସ୍ର ଥିଲା–କିନ୍ତୁ ସେ ହିଂସା ଥିଲା ବାଘର । ଭୋକ ହେଉଛି ଅନ୍ୟକୁ ମାରି ଖାଅ । ଖାଇଲା ପରେ ଭୋକ ନାହିଁ, ଆଉ କାହାକୁ ମାର ନାହିଁ । ତମ ଉପରେ କେହି ଆକ୍ରମଣ କରୁନାହିଁ, ତାକୁ ପ୍ରତିଆକ୍ରମଣ କରନାହିଁ । ବରଂ ତମ ବାଟ ସେ ଅତିକ୍ରମ କଲେ ଗଛ ଆଢ଼ୁଆଳକୁ ଚାଲିଯାଅ-ଲୁଚିଯାଅ, ଅପେକ୍ଷା କରିଯାଅ ।

 

ସଉରାର ସରଳ ମନରେ ହିଂସା ଦ୍ୱେଷ ନଥିଲା । ଭୋକିଲା ପେଟରେ ହା ହୁତାଶ ଯାହାଥିଲା । ତଥାପି ତା’ ପଛରେ ଅନେକ ଚାଲିଲେ । ସେମାନେ କେବଳ ସଉରା ନୁହଁନ୍ତି; ସେମାନେ ମଧ୍ୟ ଅନ୍ୟ ଜାତିର । ସେମାନଙ୍କ ମଧ୍ୟରେ ଥିଲେ ବୁଦ୍ଧିଜୀବୀ । ତା’ର ଅନାବିଳ କାର୍ଯ୍ୟକଳାପ ଭିତରେ ବୁଦ୍ଧିଜୀବୀ ଦେଖିବାକୁ ପାଇଲେ ଶ୍ରେଣୀ–ସଂଘର୍ଷ, ଶୋଷଣ ଏବଂ ସଂଗ୍ରାମ-

 

ବହୁଦିନ କୈଳାସକୋଟାରେ ରହିଲାପରେ ଭାନୀ ଓ କୈଳାସମ୍‌କୁ ଆଳତି ପାହାଡ଼ ଯିବାପାଇଁ ଭେଙ୍କେଟ ପ୍ରସ୍ତାବ ଦେଲା । ସେଠାରେ ଦଳର କାମ ଆରମ୍ଭ କରାଯିବ । କୈଳାସମ୍‌ ସେଥିରେ ସଙ୍ଗେ ସଙ୍ଗେ ଏକମତ ହୋଇଗଲା । ଅନ୍ତତଃ ଭାନୀ ପାଖରେ ଏକୁଟିଆ ରହିବ । ତା’ ସହିତ ଆହୁରି ନିବିଡ଼ ହେବ । ଭାନୀର ଇଛା ଆହୁରି କେତେ କ’ଣ କାମ କରିବ । ଅନେକ ସାହୁକାରଙ୍କୁ ମୂଳପୋଛ କରିବ ।

 

ଭାନୀ ଓ କୈଳାସମ୍‌ ଆସି ରହିଲେ ଆଳତି ପାହାଡ଼ରେ । ନୂଆ କୁଡ଼ିଆ ତିଆରି କଲେ-। ଦଳକୁ ନୂଆ କରି ଗଢ଼ିଲେ । ଖାଇବା ପାଇଁ ସେମାନଙ୍କ ପାଖରେ ବେଶୀକିଛି ନଥାଏ-। କୈଳାସମ୍‌ ବହୁତ ଚିନ୍ତାରେ ପଡ଼ିଲା । ଭାନୀକୁ କହିଲା–

 

‘‘କ’ଣ କରିବା ଭାନୀ ? ଆମର ଚାଉଳ, ମକା ସବୁ ସରିଗଲାଣି । ଖାଇବା କ’ଣ ?’’

 

‘‘ଖାଇବା ଆମ୍ବଟାକୁଆ ।’’

 

‘‘ଆମ୍ବଟାକୁଆ ?’’

 

‘‘ହଁ । ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏ ଅଞ୍ଚଳର ଲୋକ ଖାଇବାକୁ ନ ପାଇ ବର୍ଷର ଦୁଇମାସ ଟାକୁଆପେଜ ଖାଆନ୍ତି । ଟାକୁଆ ଉପରେ ସାହୁକାରର ନଜର ପଡ଼େନାହିଁ । ମୁଁ ତିଆରି କରୁଛି, ଆଜି ଖାଇବା ।’’

 

ଭାନୀ ଗୁଡ଼ାଏ ଆମ୍ବଟାକୁଆ ଆଣି ଗୁଣ୍ଡ କଲା । ପାଣିରେ ସିଝେଇ ଜାଉ କରିଦେଇ ତେନ୍ତୁଳି ଓ ଲୁଣ ଦେଇଦେଲା । ଦଳର ସମସ୍ତଙ୍କୁ ବାଣ୍ଟିଦେଲା ଓ ନିଜେ ପତ୍ରଦନାରେ ଦନାଏ ନେଇ ପରମତୃପ୍ତିରେ ପିଇଦେଲା । ଅନ୍ୟମାନେ ସମସ୍ତେ ପରମ ଆଗ୍ରହରେ ପିଇଦେଲେ; କିନ୍ତୁ କୈଳାସମ୍‌ ପିଇପାରିଲା ନାହିଁ । ଜାଉକୁ ପାଟି ପାଖକୁ ନେଇ ଫେରେଇଆଣିଲା ।

 

ତା’ର ଅବସ୍ଥା ଦେଖି ଭାନୀ କୈଳାସମ୍‌ ପାଖକୁ ଯାଇ ତା’ର ଚିବୁକକୁ ହଲେଇଦେଲା । ହସି ହସି କହିଲା–‘‘କ’ଣ ପାରୁନାହଁ ? ଆହୁରି ତମର ଆଦର୍ଶ ସହିତ ମିଳନ ହୋଇନାହିଁ । ଆସ, ମୁଁ ପେଇଦେବି ।’’

 

କୈଳାସମ୍‌ର ମୁଣ୍ଡ ଉପରେ ଗୋଟିଏ ହାତ ରଖି ଅନ୍ୟ ହାତରେ ଦନାଟି ତା’ ପାଟି ପାଖକୁ ନେଲା । ତାକୁ ପେଇବା ଚେଷ୍ଟାରେ କୈଳାସମ୍‌ ଉତ୍‌ଫୁଲ୍ଲ ହୋଇଗଲା । ସେ ଭୁଲିଗଲା ଯେ ସେ ଟାକୁଆ ପେଜ ପିଉଛି । ତା’ର ମନେହେଲା ଭାନୀ ତାକୁ ଅମୃତ ପିଇବାକୁ ଦେଉଛି । ପିଇସାରି ଭାନୀ ମୁହଁକୁ ଅନାଇଲା । ଭାନୀ ନିଜ ହାତରେ କୈଳାସମ୍‌ର ପାଟି ପୋଛିଦେଲା । କୈଳାସମ୍‌ ଖୁସିହୋଇ ପୋଛୁଥିବା ହାତଟାକୁ ନିଜ ଡାହାଣ ହାତ ପାପୁଲିରେ ଆଉଁସି ପକେଇଲା ।

 

କୁଡ଼ିଆ ଛାଡ଼ି ସେମାନେ ବାହାରିଲେ ଦଳର କାମରେ ।

 

ପାହାଡ଼ ତଳକୁ ଲକ୍ଷ୍ୟ କରୁଥିବା ଲୋକ ହଠାତ୍‌ ପାଟି କରିଉଠିଲା–‘‘ପୁଲିସ୍‌ ଆସୁଛନ୍ତି-।’’

 

‘‘ପୁଲିସ୍‌ କେମିତି ?’’ ପଚାରିଲା ଭାନୀ । ‘‘ମନେହେଉଛି ଆମେ ଏଠାରେ ଅଛେ ବୋଲି କିଏ ପୁଲିସ୍‌କୁ ଖବର ଦେଇଦେଇଛି ।’’ କହିଲା କୈଳାସମ୍‌ ।

 

ଆଉ ବେଶୀ କଥାବାର୍ତ୍ତା ନକରି ପାଖ ଜଙ୍ଗଲ ଭିତରେ ଲୁଚିଗଲେ ସେମାନେ । ଆଗକୁ ବଢ଼ିଯାଇ ଗୋଟିଏ ଅଣଓସାରିଆ ଘାଟିବାଟ ପାଖରେ ଜଗିରହିଲେ ପୁଲିସ୍‌ ଦଳକୁ । ଆସିଲେ ମୁକାବିଲା କରିବେ ।

 

ପାହାଡ଼ର ଗୋଟିଏ ଜାଗାକୁ ଅନେଇ ଛିଡ଼ା ହୋଇଗଲେ ଡି. ଏସ୍‌. ପି. । ସମସ୍ତଙ୍କୁ ଚୁପ୍‌ ରହିବା ପାଇଁ ନିର୍ଦ୍ଦେଶ ଦେଲେ । ଚାରିଆଡ଼କୁ ଅନେଇ କହିଲେ–‘‘ପାଟି ନ କରି ନିଃଷବ୍ଦରେ ଚାଲ । ମୁଁ କହିଲେ ଗୁଳି ଚଳେଇବ ।’’

 

ସର୍ଜେଣ୍ଟ ଓ ଅନ୍ୟମାନେ କିଛି ବୁଝିପାରିଲେ ନାହିଁ–ଡି. ଏସ୍‌. ପି. କାହିଁକି ଏମିତି କହିଲେ-। ପାଇଥିବା ଖବର ଅନୁସାରେ କୁଡ଼ିଆ ଅନେକ ଦୂରରେ । ସେଠାରେ ନକ୍‍ସଲପନ୍ଥୀ ଅଛନ୍ତି–ଆଗରୁ ହୁସିଆର ହେବା ଆବଶ୍ୟକ କ’ଣ ? କିଛି ପଚାରିବା ପାଇଁ ସାହସ ନକରି ଧୀରେ ଧୀରେ ପାଦ–ପକେଇ ଆଗେଇଲେ–ସବା ଆଗରେ ଡି. ଏସ୍‌. ପି. ।

 

ପୁଲିସ ଦଳ ପାଖେଇ ଆସୁଥିବା ଦେଖି ଭାନୀ ତା’ର ବନ୍ଧୁକ ଉଠେଇଲା ଗୁଳି କରିବାପାଇଁ । କୈଳାସମ୍‌ ତାକୁ ରୋକିଦେଲା । ଚୁପ୍‌ଚାପ୍‌ କରି କହିଲା–‘‘ଆମେ କେବଳ ଜଣେ ଦୁଇଜଣକୁ ଏବେ ମାରିପାରିବା । ସେମାନେ ଆମ ସମସ୍ତଙ୍କୁ ମାରିଦେବେ । ସେମାନଙ୍କ ପାଖରେ ରାଇଫ୍‌ଲ୍‌ ଅଛି । ସେମାନେ ମଧ୍ୟ ସଜାଗ ଅଛନ୍ତି । ଆମ କୁଡ଼ିଆ ଆଡ଼କୁ ସେମାନେ ଯାଉଛନ୍ତି । ତାପରେ ଆଉ ବାଟ ନାହିଁ । ସେଠାରୁ ନିଶ୍ଚୟ ଏହି ରାସ୍ତାରେ ଫେରିବେ । ସେତେବେଳକୁ ବେପରୁଆ ହୋଇଯାଇଥିବେ । ଆମେ ଅନାୟାସରେ ମାରିଦେବା ।’’

 

ଭାନୀ କିଛି ନ କହି ଚୁପ୍‌ ହୋଇଗଲା । ପୁଲିସ୍‌ ଦଳ କେତେବେଳେ ସେମାନଙ୍କ ପାଖଦେଇ ଚାଲିଗଲେ ଜାଣିପାରିଲା ନାହିଁ ।

 

ଡି. ଏସ୍‌. ପି. କୁଡ଼ିଆ ପାଖକୁ ଯାଇ ଦେଖିଲେ ସେଠାରେ କେହି ନାହାନ୍ତି । କାଳବିଳମ୍ବ ନ କରି କୁଡ଼ିଆରେ ନିଆଁ ଲଗେଇ ଦେବାକୁ କହି ଅବାଟରେ ତଳକୁ ଓହ୍ଲେଇବା ପାଇଁ ଚେଷ୍ଟା କଲେ । ତାଙ୍କର ଏତାଦୃଶ କାମ ଦେଖି ସର୍ଜେଣ୍ଟ ଆଶ୍ଚର୍ଯ୍ୟ ହୋଇ କହିଲେ–‘‘ସାର୍‌ ! ସେପଟେ ବାଟ ନାହିଁ । ଯେଉଁ ବାଟେ ଆସିଥିଲେ ସେବାଟେ ଯିବାକୁ ହେବ ।’

 

‘‘ମୋ ପଛେ ପଛେ ଆସ ।’’ କହି ଚାଲିଲେ ଡି. ଏସ୍‌. ପି. । ଡି. ଏସ୍‌. ପି.ଙ୍କ ବ୍ୟବହାର କୁହେଳିକାମୟ ମନେହେଲା । ବାଟ ନାହିଁ ଅଥଚ ଆଗେଇ ଚାଲିଛନ୍ତି । କିଛି ନକହି ସମସ୍ତେ ତାଙ୍କ ପଛେ ପଛେ ଅବାଟରେ ତଳକୁ ଓହ୍ଲେଇଲେ । କଣ୍ଟାଝଣ୍ଟାରେ ସମସ୍ତଙ୍କର ପୋଷାକ ଚିରିଗଲା । ଚମଡ଼ା ଛିଣ୍ଡି ଯାଇ ରକ୍ତ ବାହାରିଲା । ଡି. ଏସ୍‌. ପି. ନିଜେ ରକ୍ତାକ୍ତ ହୋଇ ଆଗରେ ଚାଲିଥାନ୍ତି । ହାତରେ ଧରିଥିବା କଟୁରିରେ ନିଜେ ସାମନାରେ କଣ୍ଟାସବୁ ସଫା କରୁଥାନ୍ତି । ପାହାଡ଼ର ଅଧାଭାଗ ଗଲାପରେ ଡି. ଏସ୍‌. ପି. ଲକ୍ଷ୍ୟକଲେ ବାଉଁଶ କୁମ୍ଭର ମୂଳ ଚାରିପଟେ ସଫା କରାଯାଇଛି । ଗୋଟିଏ ବାଉଁଶ କୁମ୍ଭରୁ ଆଉ ଗୋଟିଏ କୁମ୍ଭକୁ ଯିବାପାଇଁ ବାଟ କରାଯାଇଛି । ବାଉଁଶ କଟାଳୀମାନେ ବାଉଁଶ କଣ୍ଟାରୁ ରକ୍ଷାପାଇବା ପାଇଁ ଏମିତି ସଫା କରିଥାନ୍ତି । ସେହି ବାଟଦେଇ ପୁଲିସ୍‌ ଟୋଲିକୁ ପାହାଡ଼ର ପାଦଦେଶକୁ ନେଇଆସି ଥମ୍‌ କରି ବସିପଡ଼ିଲେ ଡି. ଏସ୍‌. ପି. ।

 

ପାଖକୁ ଯାଇ ସର୍ଜେଣ୍ଟ୍‌ ପଚାରିଲେ–‘‘ସାର୍‌ ! କ’ଣ ହେଲା ?’’

 

‘‘ଗୋଟିଏ ଦୁର୍ଯୋଗରୁ ରକ୍ଷା ପାଇଲେ । ନହେଲେ ଆମେ ସମସ୍ତେ ମରିଯାଇଥାନ୍ତେ ।’’

 

‘‘କେମିତି ?’’ ପଚାରିଲେ ସର୍ଜେଣ୍ଟ ।

 

‘‘ସେମାନଙ୍କର ଚଳପ୍ରଚଳ ମୁଁ ଲକ୍ଷ୍ୟ କରିଥିଲି । କିନ୍ତୁ ଆମେ ପାଖକୁ ଗଲାରୁ ସେମାନେ ନିଶ୍ଚଳ ହୋଇଗଲେ । ଆମକୁ ମାରିବା ପାଇଁ ପ୍ରସ୍ତୁତ ହେଉଥିଲେ । ସେମାନେ କେଉଁଠାରେ ଥିଲେ ଜାଣିପାରିଥିଲେ ଆମେ ହାମଲା କରିଥାନ୍ତେ । କିନ୍ତୁ ଘଞ୍ଚ ଜଙ୍ଗଲ ଭିତରେ କିଛି ଜଣାପଡ଼ୁନଥିଲା । ସେଥିପାଇଁ ମୁଁ ବାଉଁଶ କୁମ୍ଭଦେଇ ନେଇଆସିଲି ।’’

 

ସମସ୍ତେ ଆସନ୍ନ ମୃତ୍ୟୁ ରକ୍ଷା ପାଇଥିବାରୁ ଦୀର୍ଘଶ୍ୱାସ ଛାଡ଼ିଲେ । ଡି. ଏସ୍‌ ପି.ଙ୍କ ମୁହଁ କିନ୍ତୁ ଖୁବ୍‌ ସତେଜ ଦେଖାଯାଉଥାଏ । ସେ ଗୋଟିଏ ନୂଆ ଅନୁଭୂତି ପାଇଛନ୍ତି । ବାଉଁଶ ବଣ ଦେଇ ଲୁଚି ଲୁଚି ଯିବାର ନୂଆ ବାଟ । ଏହି ଅନୁଭୂତି ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ ନକ୍‌ସଲପନ୍ଥୀଙ୍କୁ ଧରିବା ପାଇଁ ।

 

ସଂଧ୍ୟା ପର୍ଯ୍ୟନ୍ତ ଭାନୀ ଓ କୈଳାସମ୍‌ ଅପେକ୍ଷା କରି ରହିଲେ । କୁଡ଼ିଆରୁ ଧୂଆଁ ଉଠିବା ଲକ୍ଷ୍ୟକଲେ । ତା’ପରେ ପୁଲିସ୍‌ ଦଳ କୁଆଡ଼େ ଗଲେ ଜାଣିପାରିଲେ ନାହିଁ । ସଂଧ୍ୟା ପରେ ଜାଗା ଛାଡ଼ି ସେମାନେ ଚାଲିଗଲେ ଆଶ୍ଚର୍ଯ୍ୟ ହୋଇ ।

 

ଅନ୍ୟକୁଡ଼ିଆକୁ ଗଲାବେଳେ ବାଟରେ ଭାନୀ ପଚାରିଲା–‘‘ଆମେ ଏଇଠି ରହୁଥିଲେ ବୋଲି ପୁଲିସ୍‌କୁ କିଏ ଖବର ଦେଇଥିବ ?’’

 

ଦଳର କିଏ ଜଣେ କହିଲା–‘‘ବିଡ଼ିକା ଦେଇଥାଇପାରେ । ତା’ର ଗତିବିଧି ସନ୍ଦେହଜନକ ।’’

 

ବିଡ଼ିକାର ଗାଁ ପାହାଡ଼ର ଅନ୍ୟ ପାର୍ଶ୍ୱରେ । ଭାନୀ ସମସ୍ତଙ୍କୁ କହିଲା–‘‘ଚାଲ ତା’ ଗାଁକୁ-।’’

 

ବିଡ଼ିକା ପାଖରେ ପହଞ୍ଚିଲା ବେଳକୁ ବିଡ଼ିକା ମଦ ପିଇବାରେ ବ୍ୟସ୍ତ । ତା’ପାଖକୁ ଯାଇ ଭାନୀ ପଚାରିଲା–

 

‘‘ତୁ ପୁଲିସ୍‌କୁ ଖବର ଦେଇଥିଲୁ ଆମ ବିଷୟରେ ?’’

 

ମଦ ନିଶାରେ ଭୋଳ ବିଡ଼ିକା ପ୍ରଶ୍ନର ତାତ୍ପର୍ଯ୍ୟ ବୁଝିପାରିଲା ନାହିଁ । ମଦୁଆ ଆଖି ଖୋଲି କହିଲା–‘‘ଦେଲି ତ କ’ଣ ହେଲା ? ସେଥିପାଇଁ ମୋତେ ଶହେ ଟଙ୍କା ମିଳିଛି । ମଦ ମିଳିଛି-। ଆ ପିଇବୁ ।’’

 

ସେ ବଢ଼େଇଦେଲା ମଦର ଲାଉତୁମ୍ବା ।

 

ଅଧିକା କିଛି ନ କହି ଭାନୀ ଗୁଳି ଫୁଟେଇଲା ବିଡ଼ିକା ଉପରକୁ । ଲାଉତୁମ୍ବାଟା ଗଡ଼ି ଗଡ଼ି ଭାନୀ ପାଦତଳେ ପଡ଼ିଲା । ବିଡ଼ିକାର ପ୍ରାଣହୀନ ଦେହଟା କାନ୍ଥକୁ ଆଉଜି ରହିଗଲା । ଗାଁରେ ଅନ୍ୟମାନେ ଚୁପ୍‍ଚାପ୍‌ ଛିଡ଼ା ହୋଇ ଅନେଇ ରହିଥିଲେ ।

 

ରାତି ଜଗୁଆଳିର ଚିତ୍କାର ଶୁଣି ଭାନୀର ନିଦ ଭାଙ୍ଗିଗଲା । କୁଡ଼ିଆ ଭିତରରେ କୈଳାସମ୍‌ର ବାହୁ ଉପରେ ସେ ଶୋଇପଡ଼ିଥିଲା । ଗତ ତିନିରାତି ଧରି ସେ କୈଳାସମ୍‌ର ଶଯ୍ୟା ସଂଗିନୀ ହୋଇଛି । କ’ଣ ପାଇଁ ଏମିତିହେଲା ବୁଝିପାରୁନଥାଏ । ବୋଧହୁଏ ଦେହର ଭୋକ ତାକୁ ଟାଣିନେଇଥିଲା । କୈଳାସମ୍‌ ପାଖକୁ । ତରତରରେ ଲୁଗାପଟା ସଜାଡ଼ିନେଇ କୈଳାସମ୍‍କୁ ଉଠେଇଲା । କୈଳାସମ୍‌ ତାକୁ ପାଖକୁ ଟାଣିବାପାଇଁ ଚେଷ୍ଟା କଲା । ଭାନୀ ତା’ ଦେହ ଉପରୁ ହାତଟାକୁ ବିରକ୍ତିରେ ଫୋପାଡ଼ିଦେଇ ଏକରକମ କ୍ରୁଦ୍ଧ ଚିତ୍କାର କଲା । ସେହି କ୍ରୁଦ୍ଧ ସ୍ୱର ଶୁଣି କୈଳାସମ୍‌ ଉଠିପଡ଼ିଲା । ଦୁହେଁ ବାହାରକୁ ଯାଇ ଦେଖିଲେ, ସକାଳର ସୂର୍ଯ୍ୟକିରଣ ପାହାଡ଼ର ମଝି ପର୍ଯ୍ୟନ୍ତ ଚାଲିଗଲାଣି । ହଳଦିଆ ସୂର୍ଯ୍ୟକିରଣ ଭିତରେ ପୁଲିସ୍‌ର ବନ୍ଧୁକସବୁ ପାହାଡ଼ତଳେ ଚକ୍‌ଚକ୍‌ କରୁଛି । ଶହେ ଖଣ୍ଡେ ପୁଲିସ୍‌ ପାହାଡ଼ର ତିନିପୁଟ ଉପରକୁ ଉଠୁଛନ୍ତି । ସେମାନଙ୍କ ସାଙ୍ଗରେ ଡି. ଏସ୍‌. ପି । ଅନ୍ୟ କୁଆଡ଼କୁ ନଜର ନଦେଇ, ଜିନିଷପତ୍ର ନେଇ ଭାନୀଦଳ ସମସ୍ତଙ୍କୁ ଏକାଠି କରି ପାହାଡ଼ ଉପରଦେଇ ଦୌଡ଼ିଲା ଅନ୍ୟପଟକୁ–ଧରା ନପଡ଼ିବା ପାଇଁ । ଡି. ଏସ୍‌. ପି. ଆସିଲାବେଳକୁ କୁଡ଼ିଆ ସବୁ ଖାଲି । ଭାନୀ କିନ୍ତୁ ଗୋଟିଏ ଭୁଲ୍ କରିଦେଇଥିଲା–ତା’ ଦଳର ଅନ୍ୟାନ୍ୟ ଲୋକଙ୍କର ତାଲିକାଟି ଛାଡ଼ିଦେଇଥିଲା । ଡି. ଏସ୍‌. ପି. ସେହି କାଗଜ ପାଇ ଭାରି ଖୁସି । ବର୍ତ୍ତମାନ ତାଙ୍କୁ ସୁବିଧା ହେବ ଦଳର ସମର୍ଥକମାନଙ୍କୁ ଧରିବାପାଇଁ । କୁଡ଼ିଆ–ଗୁଡ଼ିକ ତନ୍ନ ତନ୍ନ କରି ଦେଖିଗଲେ । ନଡ଼ାର ଶେଯ, କିଛି ମକ୍‌କା ଅଟା ଓ ଲୁଣ ଛଡ଼ା ଆଉ କିଛି ପାଇଲେ ନାହିଁ । ନିଜର ଭବିଷ୍ୟତ କର୍ମପନ୍ଥା ମନେ ମନେ ଚିନ୍ତାକରି ସେଠାରୁ ଡି. ଏସ୍‌. ପି. ଚାଲିଗଲେ ।

 

ଦଳର ଅନ୍ୟ ଲୋକମାନଙ୍କୁ ବିଭିନ୍ନ ଦିଗରେ ଚାଲିଯିବାପାଇଁ କହି ଭାନୀ ଓ କୈଳାସମ୍‌ ପାଖ ଗାଁଆଡ଼େ ଗଲେ । ଗାଁ ପାଖରେ ଭାନୀ କୈଳାସମ୍‌କୁ କହିଲା–‘‘ତମେ ଅନ୍ୟ ରାସ୍ତାରେ ଯାଅ-। ମୁଁ ଏ ଗାଁକୁ ଚାଲିଯିବି ।’’

 

‘‘ମୁଁ ତମକୁ ଛାଡି କୁଆଡ଼େ ଯିବି ?’’ ପଚାରିଲା କୈଳାସମ୍‌ ।

 

‘‘କି ଆଶ୍ଚର୍ଯ୍ୟ, ଆମର ପରା ନିୟମ ଅଛି ବିପଦ ଆସିଲେ ଯେ ଯୁଆଡ଼େ ଚାଲିଯିବେ ଏବଂ ପରେ ଏକାଠି ହେବେ ।’’ ଟିକିଏ ବିରକ୍ତ ହୋଇ କହିଲା ଭାନୀ ।

 

‘‘କିନ୍ତୁ ମୁଁ ଯେ ତମକୁ ବିବାହ କରିବି । ଆମେ ଏକାଠି ଘର ସଂସାର କରିବା, ତମକୁ ଛାଡ଼ି ଯିବି କୁଆଡ଼େ ?’’ କହିଲା କୈଳାସମ୍‌ ।

 

‘‘ଏକଥା ତମକୁ କିଏ କହିଲା ?’’

 

‘‘କାହିଁକି ତମେ । ଗତ ତିନିରାତିଧରି ମୋ ପାଖକୁ ଆସିଯାଉଥିଲ, ଏହା କ’ଣ ଯଥେଷ୍ଟ ଇଙ୍ଗିତ ନୁହେଁ ?’’

Unknown

 

‘‘ମୁର୍ଖ ।’’ ବିରକ୍ତ ହୋଇ କହିଲା ଭାନୀ । ‘‘ଭୋକ ଥିଲା, ତେଣୁ ତମ ପାଖକୁ ଆସିଥିଲି-। ତମ ଜାଗାରେ ଯେ କେହିଥିଲେ ମଧ୍ୟ ମୁଁ ସେଇୟା କରିଥାନ୍ତି । ଏହାର ଅର୍ଥ ନୁହେଁ ଯେ ମୁଁ ବିବାହ କରିବି ।’’

 

‘‘ମୁଁ ତୁମକୁ ଭଲପାଏ ଭାନୀ । ମୁଁ ତୁମକୁ ବିବାହ କରିବାକୁ ଚାହେଁ ।’’ ଆବେଗର ସହିତ କହିଲା କୈଳାସମ୍‌ ।

 

‘‘ସେ ସବୁ ବାଜେ କଥା ଛାଡ଼ । ମୁଁ ଆଦର୍ଶକୁ ବିବାହ କରିଛି । ଶୋଷଣମୁକ୍ତ ଦୁନିଆ ମୋର ଆଦର୍ଶ । ଅନ୍ୟ କାହାକୁ ବିବାହକରି ମୋ ଆଦର୍ଶକୁ ଜଳାଞ୍ଜଳି ଦେଇପାରିବି ନାହିଁ । ତମେ ଯାଅ, ଆଉ ମୋ ପାଖକୁ ଆସିବ ନାହିଁ ।’’ କହି ଗାଁ ଭିତରକୁ ଚାଲିଗଲା ଭାନୀ ।

 

କୈଳାସମ୍‌ ଧୀରେ ଧୀରେ ବାତିଲି ପଟେ ଚାଲିଲା । ସେ ଭାବୁଥାଏ ଭାନୀକୁ ଯେମିତିହେଲେ କରାୟତ୍ତ କରିବ । ବାଟରେ ସେ ଅସଂଖ୍ୟ ପୁଲିସ୍‌ ଫଉଜ ଦେଖିଲା । ତାଙ୍କ ଦଳର କେତେଜଣ ଧରାପଡ଼ିଗଲେଣି । ପୁଲିସ୍‌ ହିପାଜତରେ ସେମାନେ ଥିଲେ । ପୁଲିସ୍‌ର କଥାବାର୍ତ୍ତାରୁ ଜଣାପଡ଼ୁଥାଏ ସେମାନେ କିଛି ସୁରାକ ପାଇଛନ୍ତି । ବହୁତ ଲୋକଙ୍କୁ ଧରିନେବେ । ବାତିଲି ନଯାଇ କୈଳାସମ ଚାଲିଲା ଆଳତି ପାହାଡ଼କୁ ।

 

ଭାନୀ ରାତାରାତି ବାଘଲୁପୂର୍ଣ୍ଣ ରାଜାମ୍‌ ପାହାଡ଼ ଦେଇ ଚାଲିଲା । ଭେଙ୍କେଟ ପାଖକୁ । ରାସ୍ତା ଚାଲିବାରେ ସେ ଅଭ୍ୟସ୍ତ ହୋଇସାରିଥାଏ । ବାଘ, ଭାଲୁକୁ ଡର ନଥାଏ । ସକାଳବେଳକୁ ପହଞ୍ଚିଲା ଭେଙ୍କେଟ ପାଖରେ । ଭେଙ୍କେଟକୁ ସବୁକଥା କହିଲା । ସେ ଯେ ତାଲିକା ଛାଡ଼ିଦେଇ ଆସିଛି ତାହା ମଧ୍ୟ କହିଲା ଭେଙ୍କେଟକୁ । କହୁ କହୁ କାନ୍ଦିପକାଇଲା–ତା’ ଭୁଲ୍‌ ଯୋଗୁଁ ଅନ୍ୟସାଥୀମାନେ ଧରାହୋଇଯିବେ । ଭେଙ୍କେଟ ଚିନ୍ତିତ ହୋଇଉଠିଲା । ନିଶ୍ଚିତ ଭାବେ ତା’ ଦଳ ଭୁଶୁଡ଼ି ପଡ଼ିବ । ଝିଅର ଭୁଲ୍‌ ପାଇଁ ତାକୁ କ୍ଷମା ଦିଆଯାଇ ନପାରେ । ସଂଗେ ସଂଗେ ଭେଙ୍କେଟ ଡାକିଲା ଗଣଅଦାଲତ । ସେ ଅଦାଲତରେ ବିଚାରପତି ଅସଂଖ୍ୟ ନିରକ୍ଷର, ଅର୍ଦ୍ଧଭୁକ୍‌, ଆଦିବାସୀ । ସେଠାରେ ସତ୍ୟପାଠ ନାହିଁ–ଜେରା ନାହିଁ । ଅଭିଯୋଗ ରୋକ୍‌ଠୋକ୍‌, ନିଜର ସଫେଇ ବୟାନ ସ୍ପଷ୍ଟ ଏବଂ ରାୟ ପ୍ରଦାନ ବିଳମ୍ବବିହୀନ । ଭାନୀ ସେହି ଅଦାଲତ ନିକଟରେ ନତଜାନୁ ହୋଇ ଭୁଲ୍ ସ୍ୱୀକାର କଲା । ଭବିଷ୍ୟତରେ ସେ ଭୁଲ୍ ପୁନରାବୃତ୍ତି ହେବ ନାହିଁ କହିଲା ଏବଂ କ୍ଷମା କରିବାପାଇଁ ଅନୁରୋଧ କଲା ।

 

ଶାଳପତ୍ର ପିକାରୁ ଧୂଆଁ ଛାଡ଼ୁଥିବା ଜଣେ ଆଦିବାସୀ କହିଲା–‘‘ଆମ ପାଇଁ ଏତେ କାମ କରୁଛି । ଗୋଟିଏ ଭୁଲ୍‍ପାଇଁ କାହିଁକି ଦଣ୍ଡ ଦେବା ?’’

 

ଅର୍ଦ୍ଧଶାୟିତ ଅନ୍ୟଜଣେ ଆଦିବାସୀ କହିଲା, ‘‘ତା’ର ଦୁଇବେଳା ଖାଇବା ବନ୍ଦ କରିଦିଅ-। ସେତିକି ଯଥେଷ୍ଟ ଦଣ୍ଡ ହେବ ।’’

 

ସମସ୍ତେ ସେଥିରେ ଏକମତ ହେଲେ । ‘‘ମାଓସେତୁଂ ଜିନ୍ଦାବାଦ’ର ଧ୍ୱନି ଦେଇ ସମସ୍ତେ ନିଜ ନିଜ କୁଡ଼ିଆକୁ ଚାଲିଗଲେ ।

 

ଭବିଷ୍ୟତ କାର୍ଯ୍ୟପନ୍ଥା ଚିନ୍ତାକରି ଅସ୍ଥିର ପଦଚାରଣା କଲାବେଳେ ଗୋଠଳପଦରରୁ ଚିଠି ଆସି ପହଞ୍ଚିଲା । ଭେଙ୍କେଟ ଚିଠି ପଢି ଭ୍ରୂକୁଞ୍ଚନ କରିଦେଲା । କିଛି ନକହି ଚିଠିଟି ବଢ଼େଇଦେଲା ଭାନୀକୁ । ଚିଠିରେ କେବଳ ଲେଖାଥିଲା–

 

‘‘ନାଗୀ ବିଶାଖାପାଟଣାରେ ପୁଣି ଧରାହୋଇ ହାଇଦ୍ରାବାଦ୍ ଜେଲ୍‌କୁ ନିଆହୋଇଛି । ଗୋଠଳପଦର–ମୁଣ୍ଡମେଖଳା–ବାତିଲି ଅଞ୍ଚଳରୁ ପ୍ରାୟ ଶହେଜଣ ନକସଲ୍‌ପନ୍ଥୀ ଧରାହେଲେଣି । ପୁଲିସ୍‌ ନକସଲ୍‌ପନ୍ଥୀଙ୍କର ତାଲିକା ପାଇଯାଇଛନ୍ତି । ଆହୁରି ବହୁତ ଲୋକ ଧରାହେବେ ।’’

 

ଚିଠିଟି ପଢ଼ିସାରି ଭାନୀ ବାପାକୁ କହିଲା–

 

‘‘ବର୍ତ୍ତମାନ ଆମେ ମୁଣ୍ଡମେଖଳା ନଗଲେ ସେ ଅଞ୍ଚଳର ଲୋକ ଆଉ ଆମ ସହିତ ସହଯୋଗ କରିବେ ନାହିଁ । ଆମର ଏଠାକାର ଲୋକଙ୍କୁ ନେଇ ସେଠାକୁ ଯିବା ଉଚିତ ହେବ ।’’

 

ଭେଙ୍କେଟ କେତେ ସମୟ ଭାବି ‘‘ହଁ’’ ଭରିଲା । ତା’ ପରେ ପରେ କହିଲା–‘‘ଏଲ୍‌ଓ୍ୱିନ୍‌ପେଟା ପାଖରେ ଗୋଟିଏ ସାହୁକାର ଅଛି । ତାକୁ ମାରିଦେଇ ଆମେ ଯିବା । ପୁଲିସ୍‌ଷ୍ଟେସନ୍‌ ପାଖରେ ତା’ର ଘର । ଆମେ ସେହି ଅଞ୍ଚଳରେ ମଧ୍ୟ ଆକ୍ରମଣ କରୁଛେ ଜାଣିଲେ ପୁଲିସ୍‌ ଭାବିବ ଯେ ଆମର ଲୋକ ଏଲ୍‌ଓ୍ୱିନପେଟାରେ ମଧ୍ୟ ଅଛନ୍ତି ।’’

 

ଭାନୀକୁ ଏହି ଯୋଜନା ଭାରି ଭଲ ଲାଗିଲା । ସେହି ରାତିରେ ଶହେଜଣ ବିଶ୍ୱସ୍ତ ଲୋକଙ୍କୁ ନେଇ ସେମାନେ ବାହାରିପଡ଼ିଲେ । ଭୋକିଲା ପେଟରେ ଚାଲିବା ପାଇଁ ଭାନୀ କିଛି ଦ୍ୱିଧା କରିନଥିଲା । ଭୁଲ୍‌ର ଶାସ୍ତି ଯେ ଭୋଗୁଛି–ସେଥିରେ ତା’ର ଆନନ୍ଦ । ରାତି ଅଧବେଳକୁ ଶୁଣ୍ଢୀ ସାହୁକାର ଘର ସେମାନେ ଘେରାଉକଲେ । ଘେରାଉ ଭିତରେ କିଏ ଜଣେ ଖମ୍ବାରୀ ବାରିପଟେ ଚାଲିଗଲାପରି ମନେହେଲା । ଜଣେ ଦୁଇଜଣ ଦୌଡ଼ିଯାଇ ତାକୁ ଖୋଜାଖୋଜି କଲେ, ପାଇଲେ ନାହିଁ । ଘର ଭାଙ୍ଗି’ ଭିତରକୁ ପଶିଲେ । ସାହୁକାରର ପତ୍ତା ମିଳିଲା ନାହିଁ । ଘରର ଲୋକଙ୍କୁ ମାଡ଼ଦେଇ ସାହୁକାର ବିଷୟରେ ପଚାରିଲେ । ମାଡ଼ ପରେ ଜାଣିଲେ ଯେ ବାଡ଼ିପଟେ ଖମ୍ବାରୀ ପରି ଚାଲିଯାଉଥିବା ଲୋକଟି ନିଜେ ସାହୁକାର । ଗଣ୍ଡଗୋଳ ଆରମ୍ଭ ଦିନରୁ ସେ ଘରେ ନ ଶୋଇ ଢିଙ୍କି ଶାଳରେ ଶୁଏ–କାହାର ସନ୍ଦେହ ନହେବା ପାଇଁ ଏବଂ ନକ୍ସଲପନ୍ଥୀଙ୍କ ହାବୁଡ଼ରେ ନପଡ଼ିବା ପାଇଁ । ଭେଙ୍କେଟ ତରତରରେ ସୁନା, ରୁପା ଓ ତାମସୁକ ସବୁ ନେଇ ବାହାରିଆସିଲା । ସେ ଜାଣିପାରୁଥିଲା ସାହୁକାରମାନେ ନିଜକୁ ରକ୍ଷା କରିବାପାଇଁ ନୂଆ ନୂଆ କୌଶଳ ଖଞ୍ଜି ସାରିଲେଣି । ଏଥର ତାକୁ ଆହୁରି ଜଲ୍‌ଦି ଗତି କରିବାକୁ ହେବ ଏବଂ ଆହୁରି ନିର୍ମମ ହେବାକୁ ପଡ଼ିବ । ସେ ଗାଁରେ ଗଣଅଦାଲତ କରିପାରିଲା ନାହିଁ ବା ସାହୁକାରକୁ ମାରିପାରିଲା ନାହିଁ ।

 

ଭେଙ୍କେଟ ବିଷଣ୍ଣ ମନରେ ମୁଣ୍ଡମେଖଳା ପଟେ ଚାଲିଲା । ମୁଣ୍ଡମେଖଳାରେ ପହଞ୍ଚିଲା ବେଳକୁ ସକାଳ ହୋଇଯାଇଥାଏ । ଗାଁ ମୁଣ୍ଡରେ ଦେଖିଲା ଗୋଟିଏ ଖୁବ୍‌ ବଡ଼ ପୁଲିସ୍‌ କ୍ୟାମ୍ପ । ବହୁତ ଗାଡ଼ି, ବେତାର ଯନ୍ତ୍ର ଏବଂ ତମ୍ବୁରେ ଜାଗା ପୂରିଯାଇଥାଏ । ଅନ୍ୟ ବାଟ ଦେଇ ବୁଲି ଗଲାବେଳେ ଲକ୍ଷ୍ୟକଲା ଗାଁ ଭିତରେ ‘‘ଗିରିଜନ କଲ୍ୟାଣ ସମିତି’’ ଲେଖାଥିବା ବଡ଼ ଗୋଦାମ । ସକାଳୁ ସକାଳୁ ସେଇଠି ଭିଡ଼ ଲାଗିଥାଏ । କିଏ କ’ଣ ଜିନିଷ ଦେଉଛି, କିଏ କିଛି କିଣୁଛି । ସକାଳୁ ସକାଳୁ କାଗଜପତ୍ର ଲେଖା ଚାଲିଛି । ଚାରିଆଡ଼େ ହସ ଖୁସି । ଚାଲିଯାଉଥିବା ଗୋଟିଏ ଆଦିବାସୀକୁ ଡାକି ପଚାରିଲା–‘‘ଏଇଠି କ’ଣ ହେଉଛି ।’’

 

‘‘ସରକାର ଆଦିବାସୀମାନଙ୍କର ଜିନିଷ କିଣୁଛନ୍ତି । ଶସ୍ତା ଦରରେ ଜିନିଷ ଯୋଗେଇ ଦେଉଛନ୍ତି । ଟଙ୍କା ଧାର ଦେଉଛନ୍ତି ।’’

 

ଅଧିକା କିଛି କଥାବାର୍ତ୍ତା ନକରି ଭେଙ୍କେଟ ଗାଁ ଛାଡ଼ି ଆଳତି ପାହାଡ଼ ଅଭିମୁଖେ ଚାଲିଲା । ବାଟରେ ମନେ ମନେ ଭାବୁଥାଏ–ଧନୀମାନଙ୍କର ସରକାର ବେଶ୍‌ ଚାଲାକ ହେବାକୁ ଚେଷ୍ଟା କରୁଛି । ଲୋକଙ୍କୁ ଏମିତି କିଛିଦିନ ଟଙ୍କା ପଇସା ଦେଇ ଭୁଲେଇବା ପାଇଁ ଚେଷ୍ଟା କରିବେ, ପୁଣି ସୁବିଧା ହେଲେ ଶୋଷଣ କରିବେ । ଆଦିବାସୀମାନେ କେବେହେଲେ ଏଥିରେ ଭୁଲିବେ ନାହିଁ । ତଥାପି ଏ ବିଷୟରେ ପ୍ରଚାରପତ୍ର ବଣ୍ଟାଯିବା ଦରକାର । ମନେ ମନେ ସ୍ଥିର କଲା ନୂଆ ହୋଇ ଦଳକୁ ଆସିଥିବା ପାତ୍ର ଓ ତା’ ସ୍ତ୍ରୀକୁ କହିବ ଏ ବିଷୟରେ ଲେଖାଲେଖି କରିବାପାଇଁ, ଲୋକଙ୍କୁ ସରକାରଙ୍କ ପ୍ରତାରଣାର ଜାଲ ଦେଖାଇ ଦେବାପାଇଁ ।

 

ବାଟରେ ବିଭିନ୍ନ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରି ଲୋକଙ୍କ ସୁବିଧା ଅସୁବିଧା ବୁଝାବୁଝି କରି ଗଲାବେଳକୁ ଉପରବେଳା ହୋଇଯାଇଥାଏ । କିଏ ଜଣେ ଦୌଡ଼ି ଦୌଡ଼ି ଆସି କହିଲା–‘‘ମୁଣ୍ଡମେଖଳା ପୁଲିସ୍‌ ଖବର ପାଇଲେଣି ତମେ ଏପଟେ ଯାଉଛ । ସେମାନେ ଏ ଆଡ଼କୁ ଆସୁଛନ୍ତି ।’’

 

ଭେଙ୍କେଟ ଆଶ୍ଚର୍ଯ୍ୟ ହୋଇଗଲା । ଏତେ ଜଲ୍‌ଦି ପୁଲିସ୍‌ ଜାଣିଲେ କେମିତି ? ନିଶ୍ଚୟ ତାହେଲେ ପୁଲିସ୍‌ର ଖବର ଦେବା ଲୋକ ଭର୍ତ୍ତି ହୋଇଗଲେଣି ! ବର୍ତ୍ତମାନଠାରୁ ହୁସିଆର ହେବାକୁ ପଡ଼ିବ । ସଂଗେ ସଂଗେ ନିଜର ଲୋକମାନଙ୍କୁ ଭାଗ ଭାଗ କରିଦେଇ ବିଭିନ୍ନ ଦିଗରେ ପଠାଇଦେଲା । ନିଜେ ଦୁଇ ତିନି ଜଣଙ୍କୁ ଧରି ମୁଣ୍ଡମେଖଳା ଦିଗରେ ଆଗେଇଲା । ସେ ଭାବୁଥିଲା ମୁଣ୍ଡମେଖଳା ଆଡ଼କୁ ଯାଉଥିବା ଲୋକକୁ ପୁଲିସ୍‌ କିଛି ପଚାରିବେ ନାହିଁ । ପୁଲିସ୍‌ ଦଳ ଚାଲିଲା ପରେ ସେ ବାଟ କାଟି ଅନ୍ୟଦିଗରେ ଯିବ ।

 

ସତକୁସତ ପୁଲିସ୍‌ ତାକୁ ଅତିକ୍ରମ କରି ଆଗକୁ ଚାଲିଗଲେ । ତାକୁ ଅନେଇଲେ ନାହିଁ । ପୁଲିସ୍‌ଦଳ ଦୂରକୁ ଚାଲିଯିବାପରେ ସେ ଜଙ୍ଗଲ ରାସ୍ତାଧରି ଅନ୍ୟ ଦିଗରେ ଚାଲିଲା । କିଛି ବାଟ ଗଲାପରେ ଦୂରରୁ ଇଞ୍ଜିନ୍‌ ଶବ୍ଦ ଶୁଣି ସେ ଓ ତା’ରି ଅନୁଚରମାନେ ବୁଦା ଉହାଡ଼ରେ ଲୁଚି ଲକ୍ଷ୍ୟ କଲେ । ଦୂରରୁ ଗୋଟିଏ ଜିପ୍‌ ଆସୁଥିବା ଲକ୍ଷ୍ୟକଲା ଭେଙ୍କେଟ । ଭଲ ଭାବରେ ଅନେଇ ଦେଖିଲା ସେଇଟା ପୁଲିସ୍‌ ଜିପ୍‌ ନୁହେଁ । ଜିପ୍‌ରେ ଜଣେ ଡ୍ରାଇଭର ଓ ଜଣେ ଅଫିସର । ଭେଙ୍କେଟ ଦୌଡ଼ିଆସି ଜିପ୍‌ ଆଗରେ ଛିଡ଼ାହେଲା । ଡ୍ରାଇଭର ବ୍ରେକ୍‌ କଷି ଗାଡ଼ିକୁ ବନ୍ଦ କରିଦେଲା । ଜିପ୍‌ରେ ଯୁବକ ଅଫିସର ଭାବିଲେ, କିଏ ଜଣେ ଆଦିବାସୀ ଗାଡ଼ି ଅଟକେଇଛି କିଛି କାମରେ । ଓହ୍ଲେଇପଡ଼ି ସେ ପଚାରିଲେ–‘‘କ’ଣ ଦରକାର ?’’

 

‘‘ଆପଣ କିଏ ? ଏ ଜଙ୍ଗଲରେ କ’ଣ କରୁଛନ୍ତି ?’’ ଏ ପ୍ରଶ୍ନ ଶୁଣି ଅଫିସର ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ଏ ପ୍ରଶ୍ନ କୌଣସି ଆଦିବାସୀ ପଚାରିନଥିଲା । ଲୋକଟି ଆଦିବାସୀ ପରି ଦେଖାଯାଉଛି ଅଥଚ କଥାବାର୍ତ୍ତାରୁ ଜଣାପଡ଼ୁ ନାହିଁ । ଏ ନକ୍‌ସଲପନ୍ଥୀ ହୋଇଥିବ କି ? ସନ୍ଦେହ ଓ ଆଶଙ୍କାର ସହ ସେ କହିଲେ–‘‘ମୁଁ ଜଣେ ଡେପୁଟୀ କଲେକ୍ଟର । ସରକାର ମୋତେ ପଠେଇଛନ୍ତି ଆଦିବାସୀଙ୍କର ଜମିଜମା ବିଷୟ ବୁଝିବା ପାଇଁ । ସାହୁକାରମାନେ ଯେଉଁ ସବୁ ଜମି ନେଇଯାଇଛନ୍ତି, ତାକୁ ଫେରେଇବା ବନ୍ଦୋବସ୍ତ କରିବାପାଇଁ ।’’

 

ଭେଙ୍କେଟ ଭାବିଲା ସରକାରର ଏ ଗୋଟାଏ ଫନ୍ଦି । ଏମିତି ସବୁ କାମ କରି ଶ୍ରେଣୀସଂଗ୍ରାମକୁ ଭଣ୍ଡୁର କରିଦେବେ । ହଠାତ୍‌ ରାଗିଯାଇ କହିଲା–‘‘ଏସବୁ ଚାଲବାଜୀ । ଏସବୁ କରିବାକୁ ମୁଁ ଦେବି ନାହିଁ ।’’

 

‘‘ତମେ କିଏ ଏହା ବନ୍ଦ କରିବାପାଇଁ ?’’

 

‘‘ମୁଁ ପେଦାପୁଲି–ଭେଙ୍କେଟ ସତ୍ୟମ୍‌ ।’’

 

ଅଫିସର ଜଣକ ଭୟରେ କିଛି କହିପାରିଲେ ନାହିଁ । ଜଡ଼ବତ୍‌ ଛିଡ଼ା ହୋଇ ରହିଲେ । ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ଡ୍ରାଇଭର ସ୍ଥାଣୁ ପରି ଛିଡ଼ା ହୋଇଥାଏ । ଆଖି ତା’ର ସ୍ଥିର ହୋଇ ରହିଥାଏ ଭେଙ୍କେଟର ମୁହଁ ଉପରେ ।

 

ଭେଙ୍କେଟ ଅନୁଚର ପାଖରୁ ଟାଙ୍ଗିଆ ଟାଣିଆଣି କହିଲା–‘‘ତମ ସରକାରର ଚାଲ ଏଇଠି ଚାଲିପାରିବ ନାହିଁ, ଏ ଅଞ୍ଚଳ ଆମର । ମାଓସେତୁଂ ଜିନ୍ଦାବାଦ ।’’ କହୁ କହୁ ଅଫିସର ଜଣକର ବେକ ପାଖରେ କୁରାଢ଼ି ଚୋଟ ପକେଇଲା । ଛୋଟ ଡାଳଟିଏ କାଟିଲେ ଯେମିତି କଚ୍‌ କରି ତଳକୁ ଚାଲିଆସେ ସେମିତି ଅଫିସରର ମୁଣ୍ଡଟା ତଳେ ଗଡ଼ିଗଲା । ରକ୍ତ ପିଚ୍‌ ପିଚ୍‌ କରୁଥିବା କବନ୍ଧଟା କିଛି ସମୟ ସେମିତି ଠିଆହୋଇ ପରେ ତଳେ ଗଡ଼ିଗଲା–ବର୍ଷାପାଣି ତୋଡ଼ରେ ପାହାଡ଼ ଉପରୁ ତଳକୁ ଖସି ଆସୁଥିବା ପଥରପରି । ବେକ ପାଖରୁ ପିଚ୍‌ ପିଚ୍‌ ହୋଇ ବାହାରୁଥିବା ରକ୍ତ ଭୂଇଁ ତିନ୍ତେଇ ଦେଉଥାଏ । –ମେରିଆ ବେଳେ ଯେମିତି ହେଉଥିଲା ।

 

ଏସବୁ ଦେଖି ଡ୍ରାଇଭରଟି ବରଡ଼ାପତ୍ର ପରି ଥରୁଥାଏ । ତା’ ଆଡ଼କୁ ମୁହଁ ଫେରେଇ ଯେମିତି ଭେଙ୍କେଟ ଅନେଇଛି ସେ ଲମ୍ବ ହୋଇ ତଳେ ପଡ଼ିଯାଇ କାକୁତି ମିନତି ହୋଇ କହିଲା–‘‘ମୋତେ ମାର ନାହିଁ । ମୁଁ ଗରିବ ଲୋକ । ମୋର ପାଞ୍ଚପ୍ରାଣୀ କୁଟୁମ୍ବ ଭାସିଯିବେ ।’’

 

ଭେଙ୍କେଟ ତାକୁ ଆଶ୍ୱାସନା ଦେଇ କହିଲା, ‘‘ତତେ ଆମେ ମାରୁ ନାହୁଁ । ତୁ ଆମରି ପରି ଜଣେ, ତୁ ଯା–ତୋର ସରକାରୀ ଅଫିସରମାନଙ୍କୁ କହିବୁ ପେଦାପୁଲି ମାରିଲା–ଏ ଅଞ୍ଚଳକୁ ଆମେ ମୁକ୍ତ କରିଛୁ । ତମ ଲୋକ ଏଠାକୁ ଆସିପାରିବେ ନାହିଁ । ଆସିଲେ ଏହି ଅଫିସର ପରି ମରିବେ । ବିପ୍ଳବ ଜିନ୍ଦାବାଦ୍‌ । ମାଓସେତୁଂ ଜିନ୍ଦାବାଦ୍‌ ।’’

 

ସ୍ଳୋଗାନ୍‌ ଦେଇ ଦେଇ ଭେଙ୍କେଟ ଓ ତା’ର ଅନୁଚରମାନେ ସେଠାରୁ ଚାଲିଗଲେ । ଡ୍ରାଇଭର ବହୁତ ସମୟ ଯାଏ ମୁହଁ ମାଡ଼ି ତଳେ ପଡ଼ିଥାଏ । କାଳେ ପେଦାପୁଲି ଆସି ତାକୁ ମାରିଦେବ କି ? ବହୁତ ସମୟ ପରେ କୁଆଡ଼େ କିଛି ଶବ୍ଦ ନ ହେବା ଦେଖି ଡ୍ରାଇଭର ଉଠି ତରତରରେ ଜିପ୍‌ ଚଳେଇ ମୁଣ୍ଡମେଖଳା ଚାଲିଗଲା । ପଡ଼ିଥିବା କବନ୍ଧଟାକୁ ଟିକିଏ ସୁଦ୍ଧା ଅନେଇଲା ନାହିଁ ।

 

ପୂର୍ବ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଲା ବେଳକୁ ଅଧରାତି ହୋଇଯାଇଥାଏ । ଭେଙ୍କେଟ ସଙ୍ଗେ ସଙ୍ଗେ ଦଳର ସବୁ ଲୋକଙ୍କୁ ଏକାଠି କଲା । ଶହେ ଜଣ ଲୋକ । ପ୍ରତ୍ୟେକଙ୍କ ମୁହଁକୁ ଅନେଇଲା । ସେ ଲକ୍ଷ୍ୟ କଲା ଅଧିକାଂଶ କଲେଜ ଛାତ୍ର ଓ ଯୁବକ, ଅଳ୍ପ ଆଦିବାସୀ ଓ ସେ ଅଞ୍ଚଳର ଲୋକ । କଲେଜ ଛାତ୍ର ଚାଲିଆସିଛନ୍ତି । କିନ୍ତୁ ସରକାରୀକଳ ଆଦିବାସୀଙ୍କ ପ୍ରତି ଧ୍ୟାନ ଦେଇଥିବାରୁ ସେମାନେ ବେଶୀ ସଂଖ୍ୟାରେ ଆସୁନାହାନ୍ତି । ଭେଙ୍କେଟ ମନ ଦୋଳାୟିତ ହେଲା । ସେ ଅନୁଭବ କଲା ତାଙ୍କ ସଂଗ୍ରାମ ଧକ୍କା ଖାଇଯାଉଛି । କଳ୍ପିତ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ହୋଇପାରୁନାହିଁ । ସାଧାରଣ ନିଷ୍ପେଷିତ ଲୋକେ ଦୂରେଇ ଯାଉଛନ୍ତି । ଏମିତି ପରିସ୍ଥିତି ସେ ଆଶା କରିନଥିଲା । ଚିନ୍ତାକୁଳ ହୋଇ ଅନ୍ୟମାନଙ୍କୁ ଚାଲିଯିବା ପାଇଁ କହି ନିଜେ ଗୋଟିଏ ପଥର ଉପରେ ବସିପଡ଼ିଲା ।

 

‘‘କମ୍ରେଡ଼୍’’ ଡାକରେ ଚମକି ପଡ଼ିଲା ଭେଙ୍କେଟ । ତାକୁ ଡାକୁଥିଲା ପାତ୍ର । ଅନେଇଲା ଭେଙ୍କେଟ । ସାମନାରେ ଯୁବକ ପାତ୍ର । କେଉଁ କଲେଜ୍‌ରେ ଅଧ୍ୟାପକ ଥିଲା । ନିଜ ସ୍ତ୍ରୀକୁ ନେଇ ଚାଲିଆସିଛି–ଶ୍ରେଣୀ ସଂଗ୍ରାମରେ ଝାସ ଦେଇଛି । ତା’ ସ୍ତ୍ରୀ ଝାଁସୀ ଯେମିତି ସେ ମଧ୍ୟ ସେମିତି । ନୂଆ ଆଦର୍ଶ, ନୂଆ ଯୋଜନା ସେମାନେ ତିଆରି କରୁଛନ୍ତି । ପ୍ରଥମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଦଳରେ ନେବାପାଇଁ ସେ ଅନିଚ୍ଛୁକ ଥିଲା । ପ୍ରେସିଡ଼ିୟମ୍‌ର ଆଦେଶକୁ ଅବମାନନା କରିନପାରି ସେମାନଙ୍କୁ ସ୍ଥାନ ଦେଇଥିଲା । ପରେ କିନ୍ତୁ ବୁଝିଥିଲା ସେମାନଙ୍କୁ ନିଜ ଦଳରେ ନେଇ ଠିକ୍‌ କରିଛି-। ସେମାନେ ବିପଦ ବେଳେ ଭଲ ଉପଦେଶ ଦେଉଛନ୍ତି ।

 

‘‘କମ୍ରେଡ଼୍‍ ! ତମେ ଚିନ୍ତିତ । କ’ଣ କିଛି ଅସୁବିଧା ହୋଇଛି ?’’ ପଚାରିଲା ପାତ୍ର । ତା’ କଥାବାର୍ତ୍ତା ସ୍ୱାଭାବିକ ଥିଲା । ଯଦିଚ ସ୍ୱାଭାବିକ ସେହି କଥାରେ ଦାମ୍ଭିକତା, ଆଶ୍ୱାସନା ଏବଂ ସାହାଯ୍ୟ କରିବା ଭାବ ରହିଥିଲା ।

 

‘‘ଆମ ଦଳରୁ ଆଦିବାସୀ ସଂଖ୍ୟା କମିଯାଉଛି । ସେମାନେ ଅଧିକା ସଂଖ୍ୟାରେ ନ ଆସିଲେ ଆମ ସଂଗ୍ରାମ ଭଣ୍ଡୁର ହୋଇଯିବ ।’’ ଭେଙ୍କେଟ ସେମିତି ଚିନ୍ତାକୁଳ ଭାବେ କହିଲା ।

 

‘‘ମୁଁ ମଧ୍ୟ ଏହା ଲକ୍ଷ୍ୟ କରୁଛି । ମୁଁ ଓ ଝାଁସୀ ଭାବିଚିନ୍ତି ସ୍ଥିର କରିଛୁ ଝାଁସୀ ନିଜେ ଆଦିବାସୀ ଗାଁମାନଙ୍କରେ ବୁଲି ପ୍ରଚାର କରିବ । ଏ ବିଷୟରେ ଆମେ ତିଆରି କରିଥିବା ଯୋଜନାର କାଗଜପତ୍ର ଆପଣଙ୍କୁ ଦେଖେଇବା ପାଇଁ ଭାବିଥିଲି ।’’

 

ପାତ୍ରର ଏହି ଗୁଣ ଯୋଗୁଁ ଭେଙ୍କେଟ ତାକୁ ଖୁବ୍‌ ଭଲପାଇ ବସିଥିଲା । ସେ ଭାବିବା ଆଗରୁ ପାତ୍ର ଭାବିସାରିଥାଏ ।

 

‘‘ଆହୁରି ଗୋଟିଏ କଥା । ଆମ ପାଖରେ ଭଲ ବନ୍ଧୁକ ନାହିଁ । ଖୁନ୍ଦା ବନ୍ଧୁକ କିଛି କାମ ଦେବ ନାହିଁ । ଆମକୁ ଭଲ ବନ୍ଧୁକ ଯୋଗାଡ଼ କରିବାକୁ ପଡ଼ିବ ।’’

 

‘‘କେମିତି ?’’ ପଚାରିଲା ଭେଙ୍କେଟ–‘‘ପ୍ରେସିଡ଼ିୟମ୍‌ ତ ବନ୍ଧୁକ ଦେବାପାଇଁ ମନାକରିଦେଲା । ଆମେ କ’ଣ କରିବା ?

 

‘‘ସେ ବିଷୟରେ ମଧ୍ୟ ମୁଁ ଯୋଜନା କରିଛି । ଆପଣ ଅନୁମତି ଦେଲେ ମୁଁ ବନ୍ଧୁକ ଯୋଗାଡ଼ କରିବି ।’’ କହିଲା ପାତ୍ର ।

 

‘‘ଠିକ୍‌ ଅଛି, କର ।’’ କହି ଭେଙ୍କେଟ କୁଡ଼ିଆ ଭିତରକୁ ଚାଲିଗଲା । ଯୋଜନା ଯେ ନିଶ୍ଚୟ ଫଳବତୀ ହେବ ସେଥିରେ ଭେଙ୍କେଟ ନିଶ୍ଚିତ ଥିଲା ଭାନୀ ଆହୁରି ଆସିନଥାଏ । ବୋଧହୁଏ ଅନ୍ୟ କେଉଁ ଦଳରେ ରହିଯାଇଛି । କାଲି ଖବର ନେବ ଭାବି ସେ ଶୋଇବାକୁ ଗଲା ।

 

ସାରା ରାତି ପାତ୍ର ତା’ର ଯୋଜନା ତିଆରି କରି କାଗଜରେ ଲେଖି ରଖୁ ରଖୁ ନଡ଼ା ଶେଜଉପରେ ଶୋଇଯାଇଥାଏ । ଭେଙ୍କେଟ ଅସ୍ଥିର ଭାବରେ ପାଳ ଶେଜ ଉପରେ କଡ଼ ଲେଉଟାଉଥାଏ । ରାତି ଜଗୁଆଳି ପାହାଡ଼ ତଳକୁ ଅନେଇ ପୁଲିସ୍‌ର ଗତିବିଧି ଲକ୍ଷ୍ୟ କରୁଥାଏ ।

 

ବହୁତ ରାତି ପରେ ସମସ୍ତଙ୍କ ଖାଇବା ପିଇବା ବୁଝି ଝାଁସୀ ଆସିଲା ପାତ୍ର ପାଖକୁ । ପାତ୍ର କଡ଼େଇ ହୋଇ ଶୋଇଯାଇଥାଏ । ପାଖରେ କାଗଜପତ୍ର । କାଗଜପତ୍ର ସବୁ ଏକାଠି କରିଦେଇ ଝାଁସୀ ଦେଖିଲା ମାତ୍ର ଉପରେ ଅସଂଖ୍ୟ ମଶା । ନିଜ କାନି ପଣତରେ ମଶା ସବୁକୁ ହୁରୁଡ଼େଇ ଦେଲା । କପାଳକୁ ନିଜ ଲୁଗାରେ ପୋଛି ଦେଉ ଦେଉ ଝାଁସୀର ମନେପଡ଼ିଗଲା ପାତ୍ର ସହ ତା’ର ପ୍ରଥମ ଦେଖା ।

 

ସେ ଥିଲା ବି. ଏ. ଶେଷ ବର୍ଷର ଛାତ୍ରୀ । ନୂଆହୋଇ କଲେଜକୁ ଅଧ୍ୟାପକ ହୋଇଆସିଥାଏ ପାତ୍ର । ତା’ର କହିବା ଶୈଳୀ, ତା’ର ବ୍ୟବହାର । ସମସ୍ତଙ୍କୁ ମୁଗ୍‌ଧ କରିଥିଲା । ନିଜେ ଧନୀକର ସନ୍ତାନ ହୋଇ ସୁଦ୍ଧା ସବୁବେଳେ ଦଳିତ, ଅବହେଳିତ ପାଇଁ ତା’ର ଦରଦ । ଅଭାବୀ ଛାତ୍ରମାନଙ୍କୁ ସାହାଯ୍ୟ କରେ ସାଧ୍ୟମତେ । କଥା କଥାରେ ମାର୍କସ୍‌ ଚିନ୍ତାଧାରାର ଆଲୋଚନା । ଶୋଷଣର ଲୋମହର୍ଷଣକାରୀ ଚିତ୍ରର ବର୍ଣ୍ଣନା, ପୃଥିବୀକୁ ସାମ୍ୟବାଦୀ ଢାଞ୍ଚାରେ ତୋଳି ଧରିବାର ସ୍ୱପ୍ନ । ସେ ସ୍ୱପ୍ନ, ସେହି ଆଦର୍ଶ, ସେହି ଜ୍ୱାଳାମୟୀ ଭାଷା ଝାଁସୀକୁ ଟାଣି ନେଇଥିଲା ପାତ୍ର ପାଖକୁ । ଦୁହେଁ ଗୋପନରେ ବିବାହ କରି ଲାଗିପଡ଼ିଥିଲେ ଦଳ କାମରେ ।

 

ଝାଁସୀର ମନେପଡ଼ିଲା ଗୋଟିଏ ରାତିର କଥା ଯେଉଁଦିନ ସେମାନେ ଘର ଛାଡ଼ି, ସବୁ ଛାଡ଼ି ଚାଲିଆସିଥିଲେ ଦୁର୍ଗମ ଜଙ୍ଗଲକୁ–ଆଦର୍ଶକୁ ରୂପାୟିତ କରିବାପାଇଁ ।

 

ସେହି ରାତିରେ ବଙ୍ଗରୁ ବଡ଼ ବଡ଼ ନେତା ଆସି ତାଙ୍କ ଘରେ ରହିଥିଲେ । ଗୁପ୍ତ ମନ୍ତ୍ରଣା ଚାଲିଥିଲାବେଳେ କିଏ ଜଣେ ଆସି କହିଥିଲା ପୁଲିସ୍‌ ଆସୁଛନ୍ତି । ମୁହୂର୍ତ୍ତକ ମଧ୍ୟରେ କିଏ କୁଆଡ଼େ ଚାଲିଗଲେ । ପାତ୍ର ଝାଁସୀର ହାତ ଧରି ସେଇ ଅନ୍ଧାର ଭିତରେ ବାହାରି ଆସିଥିଲା–ହାତରେ କେବଳ ଗୋଟିଏ ମାଓସେତୁଂଙ୍କ ବାଣୀର ପୁସ୍ତକ–ସେହି ପୁସ୍ତକ ଦେବ ସେମାନଙ୍କୁ ପାଥେୟ, ଉଦ୍‌ବୋଧନୀ ।

 

ଦୁର୍ଦ୍ଦିନ୍‌, ଦୁର୍ବିପାକ, ଅନଟନ ଭିତରେ ପାତ୍ର ହାରିଯାଇ ନାହିଁ; ମନୋବଳ ଭାଙ୍ଗି ନାହିଁ । ଝାଁସୀ ଆଖିରେ ଲୁହ ଆସିଗଲା । ମୁଣ୍ଡ ତଳକୁ କରି ନିଦ୍ରିତ ପାତ୍ରର କପାଳରେ ସରୁ ଚୁମାଟିଏ ଆଙ୍କିଦେଲା ।

 

ରାୟଗଡ଼ା ବାପଟିଷ୍ଟ ମିସନାରୀ ସୋସାଇଟିର ଫାଦର ହିଗସ୍‌ଙ୍କର ବହୁ ଭଲଗୁଣ ଭିତରେ ଗୋଟିଏ ବଦ୍‌ଗୁଣ ଥିଲା । ବଦ୍‌ଗୁଣ–ବନ୍ୟଜନ୍ତୁ ଶିକାର । ଶନିବାର ରାତିରେ ଜିପ୍‌ ନେଇ କୈଳାସକୋଟା ପାହାଡ଼କୁ ଚାଲିଯାଆନ୍ତି ଶିକାର କରିବାପାଇଁ । ହାତରେ ଥାଏ ଶକ୍ତିଶାଳୀ ମାଗ୍ନମ୍‌ ରାଇଫଲ୍‌ । ଦିନେ ଦିନେ ଦି’ ପହରେ ଯାଇ ଭୂତପରି ଜଙ୍ଗଲରେ ବୁଲୁଥାଆନ୍ତି । ସାଙ୍ଗରେ ଥାଏ ସୋସାଇଟିର କ୍ଳର୍କ । ଖାଇବା ପିଇବା ଜିନିଷର ଥଳୀ ଧରି ସାଙ୍ଗରେ ଚାଲିଥାଏ । ସୂର୍ଯ୍ୟ ପଛେ ନ ଉଇଁ ରହିଯିବ କିନ୍ତୁ ହିଗସ୍‌ ସାହେବ ନିଶ୍ଚୟ ଶନିବାର ଦିନ ଶିକାର ପାଇଁ ଯିବେ । ତାଙ୍କ ଲ୍ୟାଣ୍ଡରୋଭର ଗାଡ଼ିଟା ସେ ଅଞ୍ଚଳରେ ବେଶ୍‌ ଜଣାଶୁଣା । ତାଙ୍କ ବନ୍ଧୁକର ଶବ୍ଦ ସେ ଅଞ୍ଚଳରେ ବେଶ୍‌ ପରିଚିତ ।

 

କୈଳାସକୋଟା ପାହାଡ଼ର ଅନ୍ଦିକନ୍ଦି ସହିତ ହିଗ୍‌ସସାହେବ ପରିଚିତ । ରାୟଗଡ଼ା ସମତଳ ଭାଗରୁ ହଠାତ୍‌ ତିନିହଜାର ଫୁଟ ଉପରକୁ ଉଠିଯାଇଥାଏ ସେହି ପାହାଡ଼ । ଆଗେ ଦୁର୍ଗମ ଥିଲା । ହିଗ୍‌ସ ସାହେବ ନିଜ ଗାଡ଼ି ପାହାଡ଼ ତଳେ ରଖିଦେଇ ପାହାଡ଼ ଝରଣାର ଧାରେ ଧାରେ ଉପରକୁ ଉଠିଯାଉଥିଲେ । ଶହେ ବତିଶ କେ. ଭି. ଲାଇନ୍‌ ରାସ୍ତା ତିଆରି ହେଲାପରେ ଆଉ ଝରଣା କଡ଼ଦେଇ ଉଠିବାର ସଉକ ନାହିଁ । ଲ୍ୟାଣ୍ଡ୍‌ ରୋଭର ଜିପ୍‌ଟିକୁ କ୍ଷିପ୍ର ଗତିରେ ଉପରକୁ ଉଠେଇନେଇ ବିଜୁଳି ସରବରାହର ବଡ଼ ବଡ଼ ଟାଓ୍ୱାର ପାଖରେ ଗାଡ଼ି ରଖି ଝରଣା ତଳକୁ ଓହ୍ଲେଇ ଯାଆନ୍ତି ହିଗସ୍‌ । ଘଞ୍ଚ ଶାଳବଣ ଓ ଶିଆଳି ଲତା ଭିତରେ ବାଟ ବାହାର କରି ତଳକୁ ଓହ୍ଲାଇଗଲେ ସେ ଅଶେଷ ଆନନ୍ଦ ପାଆନ୍ତି । ଦୁଇ ପାହାଡ଼ ଭିତରର ଖୋଲା ଆକାଶ ଦେଇ ସେ ବହୁତ ସମୟ ଅନେଇଥାଆନ୍ତି ପାହାଡ଼ ତଳର କାଗଜକଳ ଚମିନି ଧୂଆଁକୁ, ନଚେତ୍‌ ଝାପ୍‌ସା ଦେଖାଯାଉଥିବା ରାୟଗଡ଼ା ସହରକୁ । କେତେବେଳେ ଦିନରେ ଆସି ଗଛରୁ ଗଛ ଡେଇଁ ଡେଇଁ ସେ ଖୋଜି ବୁଲନ୍ତି ବଣ କୁକୁଡ଼ା ତ କେତେବେଳେ ସନ୍ଧ୍ୟାରେ ଆସି ବସିଯାଆନ୍ତି ଝରଣା କୂଳରେ–ମହାବଳ ବାଘ କିମ୍ବା କଲରାପତରିଆ ଚିତାବାଘ ପାଇଁ । ଦିନମାନର ଖାଦ୍ୟ ଅନ୍ୱେଷଣ ପରେ ଯେତେବେଳେ ପଶୁମାନେ ଦୁଇ ପାହାଡ଼ ମଝିରେ ଥିବା ଝରଣାରୁ ପାଣି ପିଇବାପାଇଁ ଆସନ୍ତି, ସେତିକିବେଳେ ଶିକାର କରନ୍ତି ହିଗସ୍‌ ସାହେବ । ଏମିତି ଶିକାର ସୁବିଧାଜନକ–କଷ୍ଟ କରିବାକୁ ପଡ଼େନାହିଁ ।

 

ଗୋଟିଏ ଶନିବାର ଦିନ ଦି’ପହରେ ସେ ବାହାରିପଡ଼ିଲେ ଶିକାର ପାଇଁ–ଏକୁଟିଆ । ଜଙ୍ଗଲ ଭିତରେ ଗାଡ଼ିଟିକୁ ରଖି ଚାରିଆଡ଼କୁ ଅନେଇଲେ । ଗାଡ଼ିରୁ କ୍ୟାମ୍ପ କାଢ଼ି ବିଛେଇଦେଲେ । ବନ୍ଧୁକଟିକୁ ଜିପ୍‌ ବନେଟ୍‌ ଉପରେ ଡେରିଦେଇ ଖଟ ଉପରେ ଗଡ଼ିପଡ଼ିଲେ । ହଠାତ୍‌ ଅନୁଭବ କଲେ କିଏ ଜଣେ ତାଙ୍କ ମୁହଁ ଉପରେ ଲୁଗା ପକେଇ ମାଡ଼ି ବସିଛି । ତା’ ପରେ ପରେ ଦୁଇ ତିନିଜଣ ଲୋକ ତାଙ୍କୁ ଜବରଦସ୍ତି ମାଡ଼ି ବସୁଛନ୍ତି । ସେମାନଙ୍କ ଭିତରୁ ଜଣେ କିଏ ଇଂରେଜୀରେ କହୁଥାଏ–‘ବ୍ୟସ୍ତ ହୁଅନ୍ତୁ ନାହିଁ, ମିନିଟ୍‌କର କାମ ।’’

 

କିଛି ସମୟ ପରେ ତାଙ୍କ ମୁହଁରୁ ଲୁଗା ବାହାର କରିଦିଆଗଲା । ତାଙ୍କ ସାମନାରେ ସେ ଦେଖିବାକୁ ପାଇଲେ ଜଣେ ଯୁବକ । ବନ୍ଧୁକ ଓ ପାଖରେ ଥିବା ଗୁଳି ନ ଥିଲା ।

 

ଯୁବକଟିକୁ ଅନେଇ ସେ ରାଗି ପଚାରିଲେ–‘‘କିଏ ତୁମେ । ମୋର ମୁହଁ କାହିଁକି ବନ୍ଦ କରିଥିଲ ? ମୋର ବନ୍ଧୁକ କାହିଁ ?’’

 

‘‘ମୋ ନାଁ ପାତ୍ର । ମୁଁ ନକ୍‌ସଲପନ୍ଥୀ । ଆପଣଙ୍କ ବନ୍ଧୁକ ଆମର ଦରକାର ଥିଲା । ତେଣୁ ଆପଣଙ୍କ ମୁହଁ ବନ୍ଦ କରିଥିଲୁ ।’’

 

‘‘କିନ୍ତୁ କାହିଁକି ?’’ ଗୋଡ଼ କଚାଡ଼ି ସାହେବ କହିଲେ ।

 

‘‘ତା’ ଫଳରେ ମୋର ଅନ୍ୟ ସାଥୀମାନଙ୍କୁ ଆପଣ ଦେଖିପାରିବେ ନାହିଁ । ମୋତେ ଦେଖିଲେ ଯାଏଆସେ ନାହିଁ ।’’

 

ରାଗରେ ସାହେବ ଗୋଡ଼ କଚାଡ଼ୁଥାନ୍ତି । ପାତ୍ର ଧୀର ଭାବରେ କହିଲା, ‘‘ବର୍ତ୍ତମାନ ଜିପ୍‌ ନେଇ ଏଠାରୁ ଚାଲିଯାଆନ୍ତୁ ।’’

 

ସାହେବ ଅଧିକା କିଛି ନ କହି ଖଟ ଭାଙ୍ଗି ଜିପ୍‌ରେ ରଖିଲେ ଏବଂ ଜିପ୍‌ ଚଳେଇ ଚାଲିଗଲେ ।

 

ହିଗସ୍‌ ସାହେବ ଯିବାର ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଲା ପାତ୍ର । ନାଲିଆ ସୂର୍ଯ୍ୟ ଦୂର ପାହାଡ଼ ତଳେ, ରାୟଗଡ଼ାପାଖ ଆଖୁକ୍ଷେତ ଭିତରେ ତଳକୁ ବୁଡ଼ିଯାଉଥିଲା । ଅଧିକା ସମୟ ଅପେକ୍ଷା ନ କରି ପାତ୍ର ନିଜ ସାଥୀମାନଙ୍କ ପାଖକୁ ଚାଲିଗଲା । ତା’ର ଅନ୍ୟ ସାଥୀମାନେ ଶିଆଳି ଲତା ଭିତରେ ଆତ୍ମଗୋପନ କରିଥିଲେ । ସେମାନଙ୍କୁ ସାଙ୍ଗରେ ନେଇ ପୁଣି ପାହାଡ଼ ଚଢ଼ିଲା ପାତ୍ର । ଘାଟିରାସ୍ତା ଦେଇ ବୁଲି ବୁଲି ତାଙ୍କ ଆଡ଼୍‍ଡ଼ା ସ୍ଥଳକୁ ଯିବାପାଇଁ ଚାଳିଶ୍‌ ମାଇଲ ଅତିକ୍ରମ କରିବାକୁ ହେବ । କିନ୍ତୁ ଦୁଇ ତିନିଟା ପାହାଡ଼ ଅତିକ୍ରମ କରି, ପାହାଡ଼ିଆ ନାଳ ପାରହୋଇ, ବାଘ, ଭାଲୁକୁ ଭୟ ନକରି ଆଗେଇଗଲେ ବାର ଚଉଦ ମାଇଲ୍‌ ଭିତରେ ତାଙ୍କ ଆଡ଼୍‍ଡ଼ାସ୍ଥଳ । ନିଜ ଗୋଡ଼କୁ ଅନେଇଲା । ଅନେଇଲା । କଣ୍ଟାଝଣ୍ଟାରେ ଝୁଣ୍ଟି ଗୋଡ଼ରୁ ରକ୍ତ ବାହାରୁଥାଏ । ପ୍ୟାଣ୍ଟ୍‌ର ତଳଭାଗ ଛିଣ୍ଡି ଯାଇଥାଏ । ଗୋଡ଼ ଆଗକୁ ଯିବାପାଇଁ ନାରାଜ । ଯେଉଁଠାରେ ମନୋବଳ ରହିଛି, ଆଦର୍ଶ ପାଇଁ ଅମଡ଼ା ମାଡ଼ିବାର ସାହସ ରହିଛି, ସେଇଠି ଶରୀରର ବଳ ଗୌଣ । ପାତ୍ର ଶିଆଳିପତ୍ର ଆଣି ନିଜ ଗୋଡ଼ରେ ଯୋତା କରି ପିନ୍ଧିଲା । ବିଜୟ ଉଲ୍ଲାସରେ ନିଜର ସାଥିମାନଙ୍କୁ ନେଇ ଆଗେଇ ଚାଲିଲା ।

 

ଅନ୍ଧାର ରାତି, ପ୍ରବଳ ବର୍ଷା, ଦୁଲ୍‌ ଦାଲ୍‌ ହୋଇ ତଳେ କଚାଡ଼ି ହେବା ଓ ଅତି ପାଖରୁ ବାଘର ହେଣ୍ଟାଳ ସେହି ଦଳକୁ ହତୋତ୍ସାହ କରିନଥିଲା, ସେମାନେ ଯେ ନୂତନ ପାଶୁପତ ଅସ୍ତ୍ରରେ ବଳୀୟାନ୍ ବିଜୟୀ ପାର୍ଥ ।

 

ତା’ପରଦିନ ଭେଙ୍କେଟର ଆଡ଼୍‍ଡ଼ାରେ ମହାକୋଳାହଳ । ନୂଆ ଶକ୍ତିଶାଳୀ ବନ୍ଧୁକ ଓ ଗୁଳିକୁ ପରୀକ୍ଷା କରିବାରେ ସମସ୍ତେ ବ୍ୟସ୍ତ । ପାତ୍ରର ଅନ୍ୟ ଯୋଜନା କ’ଣ ସମସ୍ତେ ଜାଣିବା ପାଇଁ ବ୍ୟଗ୍ର କିନ୍ତୁ ସେ କିଛି କହୁନଥାଏ । ଭାନୀ ବନ୍ଧୁକ ଦେଖିବାପାଇଁ ଆସିପାରୁନଥିଲା କାରଣ ଝାଁସୀର ଦେହ ଖରାପ ଥିଲା । ସେ ଥିଲା ଅନ୍ତଃସତ୍ତ୍ୱା ।

 

ତିନିଦିନ ପରେ ରାତିର ଅନ୍ଧକାର ଭିତରେ ପାତ୍ର, ଭାନୀ ଓ କୈଳାସମ୍‌ ବାହାରିଲେ ଜଗନ୍ନାଥ ପୁର ଥାନା ଗାଁ ଠାରୁ ବହୁତ ଦୂରରେ; ଥାନା ଓ ଆଠ ଦଶଟା ସରକାରୀ କ୍ୱାର୍ଟର । କ୍ୱାର୍ଟରଗୁଡ଼ିକ ଜଙ୍ଗଲକୁ ଲାଗି ।

 

ବ୍ରିଟିଶ୍‌ ଅମଳର ଥାନା ଓ କ୍ୱାର୍ଟର । ବ୍ରିଟିଶ୍‌ ସରକାର ବୋଧହୁଏ ଚାହିଁନଥିଲେ ତାଙ୍କ ଶାସନର ପ୍ରତୀକ ଏବଂ ଔପନିବେଶବାଦୀ ଆଇନ୍‌ର ରକ୍ଷକ ସାଧାରଣ ମଳିମୁଣ୍ଡିଆଙ୍କ ଦ୍ୱାରା କଳୁଷିତ ହୁଅନ୍ତି । ସେମାନେ ମଧ୍ୟ ଚାହୁଁନଥିଲେ ପୁଲିସ୍‌ର ତତ୍‌କାଳୀନ ଅତ୍ୟାଚାର ଲୋକଲୋଚନକୁ ଆସୁ । ସେଥିରେ ପୁଣି ବାଛ ବିଚାର । ଥାନାବାବୁଙ୍କ ଘର ଅଲଗା । ଜମାଦାର ଘର ଅଲଗା, ସିପାହୀ ଘର ଅଲଗା । ସେହି ଅଲଗା ରହିବା ପଣ ସେମାନଙ୍କୁ ଗାଁଠାରୁ ଦୂରେଇ ଦେଇଥିଲା, ଗାଁ ଲୋକଙ୍କଠାରୁ ଦୂରେଇ ଦେଇଥିଲା, ନିଜ ନିଜ ସହ ନିବିଡ଼ ସଂପର୍କରୁ ଦୂରେଇ ଦେଇଥିଲା । କ୍ୱାର୍ଟର ଅନତି ଦୂରରେ ଥିବା ଥାନାଘର ଜଙ୍ଗଲ କଡ଼ରେ ଭୂତପରି ଛିଡ଼ା ହୋଇଥିଲା-

 

ଝିଙ୍କାରୀର ଶବ୍ଦ ଓ ବାଘର ହେଣ୍ଟାଳ ଭିତରେ ପାତ୍ର ଓ ତା’ର ଅନ୍ୟ ସାଥି କ୍ୱାର୍ଟର ସବୁ ଅତିକ୍ରମ କରି ଥାନା ବାରଣ୍ଡାକୁ ଉଠିଲେ । ଥାନା ଘର ଭିତରେ ହରିକେନ୍‌ ଲଣ୍ଠନଟାଏ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ଟୁଲ୍‌ ଉପରେ ବସି ଥାନା ସିପାହୀ ଘୂମେଇ ପଡ଼ିଥିଲା । ପାଖରେ ଚଟାଣ ଉପରେ ଦୁଇଜଣ ଶୋଇଥିଲେ–ବୋଧହୁଏ ଚୌକିଦାର ହେବେ । ପାତ୍ର କବାଟ ଖୋଲି ଭିତରକୁ ଗଲାବେଳେ ଅନ୍ଧାରରେ ତା’ ଗୋଡ଼ ବାଜିଗଲା ଶୋଇଥିବା ଲୋକ ଉପରେ । ସେ ଉଠି ପଚାରିଲା–‘‘କିଏ ?’’

 

ଢୁଳଉଥିବା ସିପାହୀ ଅଧା ନିଦରେ ପାଟି କରିଉଠିଲା–‘‘କିଏ ?’’

 

ସେମାନଙ୍କୁ ଅଧିକା କିଛି କହିବାକୁ ନଦେଇ ଖୁବ୍‌ ପାଖରୁ ଲାଗ୍‌ଲାଗ୍‌ ଗୁଳି ଚଳେଇଲା ପାତ୍ର । ଅନ୍ୟମାନଙ୍କୁ ନିର୍ଦ୍ଦେଶ ଥିଲା ଥାନାର ମସ୍କେଟ୍‌ ଓ ଗୁଳି ସବୁ ନେଇଯିବାପାଇଁ । ଗୁଳିମାଡ଼ରେ ସିପାହୀ ଟଳିପଡ଼ିଲା । ଚୌକିଦାରମାନେ ଚଟାଣ ଉପରେ ପଡ଼ିରହିଲେ–ଆଖିବୁଜି ।

 

ଗୁଳି ଶବ୍ଦରେ କ୍ୱାର୍ଟର ଗୁଡ଼ିକର ଝରକା ଖୋଲି ସମସ୍ତେ ଅନେଇଲେ ଥାନାଆଡ଼େ । ପାତ୍ର ଦୁଇଚାରି ରାଉଣ୍ଡ ଗୁଳି କ୍ୱାର୍ଟର ଆଡ଼କୁ ଫୁଟେଇଦେଲା । ଧଡ଼୍ ଧଡ଼୍‍ କରି ସବୁ କବାଟ, ଝରକା ବନ୍ଦ ହୋଇଗଲା । ସାହସ କରି ଥାନାରେ କ’ଣ ହେଉଛି ଦେଖିବାପାଇଁ କେହି ଆସିଲେ ନାହିଁ । ବାହାରିବା ଦରକାର କ’ଣ–ଆପେ ବଞ୍ଚିଲେ ବାପର ନାଁ !

 

ପାତ୍ର, ଭାନୀ ଓ କୈଳାସମ୍‌ ଛଅଟା ମସ୍କେଟ୍‌ ଏବଂ ଦୁଇଶହ ରାଉଣ୍ଡ ଗୁଳି ଧରି ସେଠାରୁ ଚାଲିଗଲେ ରାତିରେ ଅନ୍ଧକାର ଭିତରେ ।

 

ସିଂହର ଗୁମ୍ଫାରୁ ସିଂହ ଶାବକକୁ ନେଇଆସିଥିଲେ ସେମାନେ । ଗୋଟିଏ ଅବହେଳାଗ୍ରସ୍ତ ଅନୁଷ୍ଠାନ ଯାହା ପ୍ରଚଳିତ ସମାଜିକ ମୂଲ୍ୟବୋଧର ରକ୍ଷକଭାବେ ଦଣ୍ଡାୟମାନ ତା’ର ମୂଳଦୁଆରେ ପ୍ରଚଣ୍ଡ ଆଘାତ କରିଥିଲେ–ଏହି ଉଦୀୟମାନ ତିନି ନକ୍‌ସଲପନ୍ଥୀ । ସେମାନେ ମରଣକୁ ଭ୍ରୂକ୍ଷେପ କରିନଥିଲେ । ଶତ୍ରୁର ବ୍ୟୁହ ଭେଦ କରିବା କୌଶଳ ଅକ୍ତିଆର କରିନେଇଥିଲେ-। ସେହି ନୂଆ ଉନ୍ମାଦନା, ନୂଆ ଅନୁଭୂତି ଏବଂ ନୂଆ ଅସ୍ତ୍ରକୁ ନେଇ ଗାଁରୁ ଗାଁ ଅତିକ୍ରମ କଲେ-। ଖୋଜି ବୁଲିଲେ ଶ୍ରେଣୀ–ଶତ୍ରୁ । ଶତ୍ରୁର ଲହୁରେ ଖେଳିଲେ ଖେଳ । ରକ୍ତ ରଞ୍ଜିତ କରିଦେଲେ ସେମାନଙ୍କ ଘର । ଭୀତତ୍ରସ୍ତ କରିଦେଲେ ସେମାନଙ୍କ ପରିବାର, ସେମାନଙ୍କ ଆତ୍ମୀୟସ୍ୱଜନ, ସେମାନଙ୍କ ଆଶ୍ରିତମାନଙ୍କୁ । ପୁଣି ରଣହୁଙ୍କାର ଶୁଣି କେତେ ଜଣ ପାଖେଇ ଆସିଲେ । ସାହାଯ୍ୟ କଲେ ।

 

ଥାନା ଆକ୍ରମଣ ଓ ତା’ପରେ କାର୍ଯ୍ୟାନୁଷ୍ଠାନ ଫଳରେ ପୁଲିସ୍‌ର କାମ ଖୁବ୍‌ ବଢ଼ିଗଲା । ଗୁପ୍ତଚର ଚାରିଆଡ଼େ ବ୍ୟାପିଗଲେ । ଖବରଦେବା ଲୋକ ବହୁତ ହୋଇଗଲେ । ପାଖ ଆଖର ଦଳସବୁ ଗୋଟିଏ ଜାଗାରେ ରହିପାରିଲେ ନାହିଁ । ଟିକିଏ ସନ୍ଦେହ ହେଲେ ଲୋକଙ୍କୁ ପୁଲିସ୍‌ ଧରିନେଲେ । ଘରସବୁ ଭାଙ୍ଗି ପକେଇଲେ । ଦଳଗୁଡ଼ିକର ମନୋବଳ ଭାଙ୍ଗିବାପାଇଁ ପୁଲିସ୍‌ ଦିନରାତି ଲାଗିପଡ଼ିଲେ । ଦିନରାତି ଆକ୍ରମଣ, ପ୍ରତି ଆକ୍ରମଣ ଚାଲିଲା । ଭେଙ୍କେଟ ଦଳ ଦିନରାତି ଲାଗିପଡ଼ିଲେ । ଦିନରାତି ଆକ୍ରମଣ, ପ୍ରତି ଆକ୍ରମଣ ଚାଲିଲା । ଭେଙ୍କେଟ ଦଳ ପାଖରେ ଆଗ୍ନେୟାସ୍ତ୍ର ଥିଲା । ସେମାନେ ମୁକାବିଲା କରିବାପାଇଁ ପଛେଇଲେ ନାହିଁ । ବହୁ ସଂଖ୍ୟାରେ କେନ୍ଦ୍ରୀୟ ପୁଲିସ୍‌ ସଂସ୍ଥା ଆସି ପହଞ୍ଚିଗଲେ । ଆଘାତପ୍ରାପ୍ତ ମୂଳଦୁଆକୁ ଟାଣ କରିବାପାଇଁ ଅଧିକା ଇଟା, ମାଟି, ସୁର୍‌କୀର ବ୍ୟବସ୍ଥା ହେଲା । ଚାରିଆଡ଼େ ପୁଲିସ୍‌ । ଖସି ପଳେଇବା ମଧ୍ୟ ମୁସ୍କିଲ୍ ।

 

ଏତେ ଝଡ଼ଝଞ୍ଜା ଭିତରେ ଝାଁସୀର ଅସୁବିଧା ଦଳକୁ ଅଡ଼ୁଆରେ ପକାଉଥାଏ । ତାକୁ ନେଇ ହଠାତ୍‌ କୁଆଡ଼େ ଯାଇହୁଏ ନାହିଁ । ସେ ଥିଲା ଆସନ୍ନ ପ୍ରସବା । ଦିନେ ଭେଙ୍କେଟ କହିଲା–‘‘ଝାଁସୀକୁ କେଉଁ ଜାଗାରେ ରଖିଦେଲେ ସୁବିଧା ହେବ ।’’

 

ସମସ୍ତେ ସେଥିରେ ଏକମତ ହେଲେ । କିନ୍ତୁ ରଖିବେ କେଉଁଠି ?

 

ବହୁତ ଆଲୋଚନା ପରେ କୈଳାସମ୍‌ କହିଲା–‘‘ଗୁଣୁପୁର ପାଖ ବିକ୍ରମପୁରରେ ମୋର ଜଣେ ଚିହ୍ନା ପରିଚୟ ବୁଢ଼ୀ ଅଛି । ତା’ ଘରେ ଝାଁସୀକୁ ରଖିବା । ଟଙ୍କା ପଇସା ଦେଲେ ବୁଢ଼ୀ ସବୁ ସୁବିଧା କରିଦେବ ।’’

 

ତା’ ପର ଦିନ ଟଙ୍କା ପଇସା ନେଇ ଝାଁସୀ ଓ କୈଳାସମ୍‌ ବିକ୍ରମପୁର ବାହାରିଲେ । ରାତି ଘଡ଼ିଏ ବେଳକୁ ବିକ୍ରମପୁରରେ ପହଞ୍ଚି ଝାଁସୀକୁ ବିଲ ଭିତରେ ବସେଇ ବୁଢ଼ୀଘରକୁ ଗଲା କୈଳାସମ୍‌ । ବୁଢ଼ୀ ସହ କଥାବାର୍ତ୍ତା ସାରି ଆସି ଝାଁସୀକୁ ନେଇ ବୁଢ଼ୀ ସହ ପରିଚୟ କରେଇଦେଲା-। ବାଙ୍ଗରାମ୍ମା ବୁଢ଼ୀ କିଛି କଥା ନ କହି ଝାଁସୀକୁ ଘର ଭିତରକୁ ନେଇ କବାଟ ଆଉଜେଇ ଦେଲା-। କୈଳାସମ୍‌ ଦ୍ରୁତ ପଦରେ ସେଠାରୁ ଚାଲିଗଲା ।

 

ବେଶୀ କିଛି କଥାବାର୍ତ୍ତା ନକରି ବାଙ୍ଗରାମ୍ମା ଝାଁସୀକୁ ଶୋଇବାପାଇଁ କହି ନିଜେ ଶୋଇପଡ଼ିଲା । ପାଖରେ ପଡ଼ିଥିବା ହେଁସ ନେଇ ଝାଁସୀ ମଧ୍ୟ ଶୋଇପଡ଼ିଲା ।

 

ପ୍ରତିଦିନ ପରି ସେଦିନ ସକାଳୁ ଗୁଇନ୍ଦାବାବୁ ବାହାରିପଡ଼ିଲେ ସହର ପରିକ୍ରମାରେ । କେଉଁଠାରେ ବସି ଚାହା ପିଇବେ, ଦୋକାନରେ ବସି କଥା ଜମେଇବେ, ପରିବା କିଣି ଘରକୁ ଫେରିବେ । କେହି ତାଙ୍କ କାମର ହିସାବ ରଖିଲେ ଦେଖିବ ସେ ବେଶ୍‌ ଆରାମ୍‌ରେ ଅଛନ୍ତି, କିନ୍ତୁ କାମ ନକରି ଦରମା ପାଉଛନ୍ତି । କିନ୍ତୁ ସେହି କାମ ନ କରିବା ଭିତରେ ହିଁ ତାଙ୍କର କାମ । କିଏ କ’ଣ କଥାବାର୍ତ୍ତା ହେଉଛି, କିଏ ସବୁ ନୂଆ ଲୋକ ସହର ଭିତରକୁ ଆସୁଛନ୍ତି, କାହାର ଗତିବିଧି ସନ୍ଦେହଜନକ–ଏସବୁ ଲକ୍ଷ୍ୟ କରିହେବ ଲୋକଙ୍କ ସାଙ୍ଗରେ ଚଳପ୍ରଚଳ ହେଲେ, ସେମାନଙ୍କୁ ଭଲଭାବେ ଅନୁଧ୍ୟାନ କଲେ, ସବୁବେଳେ କାନ ପାରିଥିଲେ । ଦିନଦିନ, ମାସ ମାସ ଧରି କିଛି ସୁରାକ୍‌ ମିଳି ନପାରେ, କିନ୍ତୁ ଯେଉଁଦିନ କିଛି ଖବର ମିଳିଯାଏ ସେଥିରେ ଅନ୍ୟ ଦିନମାନଙ୍କର ବ୍ୟର୍ଥତା ମିଳେଇଯାଏ ।

 

ଅନୁଧ୍ୟାନ କରିବା ଗୋଟିଏ କଳା । ସମସ୍ତେ ସେ କାମ କରିପାରିବେ ନାହିଁ । ସାମନାରେ ଲୋକକୁ ଦେଖି ସୁଦ୍ଧା ଚିହ୍ନିପାରିବେ ନାହିଁ । ଠିକ୍‌ କଥା ଶୁଣି ସୁଦ୍ଧା ତା’ର ଗୁଢ଼ ତତ୍ତ୍ୱ ଠଉରେଇ ପାରିବେ ନାହିଁ । ଯେମିତି ସମସ୍ତେ ସବୁ କାମ ପାଇଁ ଉପଯୁକ୍ତ ନୁହନ୍ତି, ସେମିତି ଯେ କେହି ଲୋକ ଗୁଇନ୍ଦା ହୋଇପାରିବ ନାହିଁ । କିନ୍ତୁ ଗୁଣୁପୁରର ଗୁଇନ୍ଦା ବାବୁ ଗୋଟିଏ ବ୍ୟତିକ୍ରମ । ଖେଳ–କୁଦ, ବସି ବସି ବିଡ଼ିପିଇବା, ସ୍କୁଲର ଶିକ୍ଷକ, ଛାତ୍ର, ରେଲଓ୍ୱେ ଷ୍ଟେସନ୍‌ର କୁଲି ବଜାରର ବୁଲାବିକାଳୀ ସହ ଗପସପ କରୁକରୁ ସେ ବହୁତ ତଥ୍ୟ ସଂଗ୍ରହ କରିନିଅନ୍ତି–ନିତିଦିନିଆ ଅଦରକାରୀ କଥା ଭିତରେ ।

 

ସକାଳୁ ଉଠି ବାଙ୍ଗରାମ୍ମା ଚାଲିଲା ନର୍ମ ଘରକୁ । ତା’ ସାଙ୍ଗରେ କଥାବାର୍ତ୍ତା କରିବ ଝାଁସୀ ବିଷୟରେ । ନର୍ସକୁ ତା’ ଘରେ ଖୋଜି ଖୋଜି ପହଞ୍ଚିଲା ବଜାରରେ । ବଜାରରେ ନର୍ସ ପରିବା କିଣୁଥିବା ଦେଖି ତା’ ପାଖକୁ ଗଲା । ସେତିକିବେଳେ ଗୁଣୁପୁର ଗୁଇନ୍ଦାବାବୁ ପରିବା କିଣିବାପାଇଁ ଆସିଥିଲେ ବଜାରକୁ । ପରିବା କିଣୁ କିଣୁ ବାଙ୍ଗରାମ୍ମା ଓ ନର୍ସର କଥା ଶୁଣି ସେ ଆହୁରି ପାଖେଇଗଲେ । ସନ୍ଦେହ ହେଲା ମାମଲା କିଛି ଗୁରୁତର । ବିଡ଼ିଟାଏ ଧରେଇଲେ । କାନ ପାରିଲେ ।

 

ବାଙ୍ଗରାମ୍ମା ମୁଣ୍ଡରେ ହାତମାରି କହୁଥାଏ–‘‘ମୋ ଭାଗ୍ୟ ଖରାପ । ଯିଏ ଆଣି ମୋ ପାଖରେ ରଖିଦେଲେ ତାଙ୍କୁ କେତେ କହିଲି ହସ୍‌ପିଟାଲ୍‌କୁ ନେଇଯିବା । ସେ ମନା କଲେ । କହିଲେ ଟଙ୍କା ପାଇଁ କିଛି ଚିନ୍ତା ନାହିଁ । ଘରେ ହିଁ ଛୁଆ ହେବ । କେହି ଜାଣିଲେ ମୋତେ ମାରିଦେବେ ବୋଲି ଧମକ ଦେଇଛନ୍ତି ।’’

 

‘‘ମୁଁ ଏବେ ଯାଇପାରିବି ନାହିଁ । ତୁ ସନ୍ଧ୍ୟାବେଳେ ଆସିବୁ । ମୁଁ ଯିବି ।’’ କହି ନର୍ସ ଚାଲିଗଲା ।

 

ନିଜର ସାଇକେଲ ଓ ପରିବାପତ୍ର ଛାଡ଼ି ବାଙ୍ଗରାମ୍ମା ପିଛା ଧରିଲେ ଗୁଇନ୍ଦାବାବୁ । ତା’ ଘର ଦେଖି ଦୌଡ଼ିଲେ ଡି.ଏସ୍‌. ପି.ଙ୍କ ପାଖକୁ । ଡି. ଏସ୍‌. ପି. ଓ ଗୁଇନ୍ଦାବାବୁ ରାତିରେ ଆସି ଲୁଚିକରି ବାଙ୍ଗରାମ୍ମା ଘର ପାଖରେ ରହିଲେ । ରାତି ପ୍ରାୟ ଆଠଟା ବେଳେ ନର୍ସ ଆସିଲା ବାଙ୍ଗରାମ୍ମା ଘରକୁ ।

 

ବାହାରକୁ ଶୁଣାଯାଉଥାଏ ନର୍ସର କଥା–‘‘ଆଉ ଦୁଇ ତିନି ଦିନ ଭିତରେ ଛୁଆ ଜନ୍ମ ହେବ । ତମେ ହସ୍‌ପିଟାଲକୁ ଗଲେ ଭଲ ହୁଅନ୍ତା । ତମ ଦେହ ଦୁର୍ବଳ । ଏ ଘରଟା ଛୋଟ ଏବଂ ମଇଳା ।’’

 

କ୍ଷୀଣ କଣ୍ଠରେ ଗୋଟିଏ ସ୍ତ୍ରୀଲୋକ କହୁଥିବା ଶୁଣାଗଲା–‘‘ମୁଁ ଯାଇପାରିବି ନାହିଁ । ଅସୁବିଧା ଅଛି ।’’

 

‘‘ଠିକ୍‌ ଅଛି, ତମ ଇଚ୍ଛା । ମୁଁ ଆସି ଦେଖି ଯାଉଥିବି’’ କହି ନର୍ସ ବାହାରକୁ ଚାଲିଆସିଲା-। ବାଙ୍ଗରାମ୍ମା ନର୍ସ ହାତରେ ପଚାଶଟଙ୍କା ଦେଇ ପୁଣି କହିଲା–‘ମୋ କପାଳ ମନ୍ଦ । ନ ହେଲେ କିଏ ଏହି ଅଡ଼ୁଆ ଭିତରକୁ ଯାଇଥାନ୍ତା ?’

 

ବହୁତ ସମୟ ଅପେକ୍ଷା କରିବାପରେ ଡି. ଏସ୍‌. ପି ରିଭଲଭର ଧରି ଛୋଟ ଘର ଭିତରେ ପଶିଯାଇ ଆସନ୍ନ ପ୍ରସବା ସ୍ତ୍ରୀ ଲୋକଟିକୁ ପଚାରିଲେ–‘‘ଆପଣଙ୍କ ନାଁ କ’ଣ ?’’

 

ଆତଙ୍କରେ ଶିହରୀଉଠି ଝାଁସୀ କହିପକେଇଲା–‘‘ଝାଁସୀ ! ଆପଣ ନିଶ୍ଚୟ ପୁଲିସ୍‌ ହୋଇଥିବେ । ମୋତେ ମାରପିଟ କରନ୍ତୁ ନାହିଁ । ମୁଁ ଅସୁସ୍ଥ ।’’

 

‘‘ଆପଣଙ୍କୁ କିଏ ମାର୍‌ପିଟ୍‌ କରୁଛି ? ଆପଣ ନକ୍‌ସଲପନ୍ଥୀ ପାତ୍ରର ସ୍ତ୍ରୀ ନା ? ଆପଣଙ୍କ ନାଁରେ ଗିରଫ ପରଓ୍ୱାନା ବୁଲୁଛି । ଆପଣଙ୍କ ପାଇଁ ପାଞ୍ଚହଜାର ଟଙ୍କା ପୁରଷ୍କାର ଘୋଷଣା କରାଯାଇଛି ।’’

 

‘‘ହଁ, ମୁଁ ଜାଣେ’’, କହିଲା ଝାଁସୀ ।

 

‘‘ମୁଁ ଆପଣଙ୍କୁ ଗିରଫ କରୁଛି । ଚାଲନ୍ତୁ ମୋ ସାଙ୍ଗରେ ।’’ ପାଖେଇଗଲେ ଡି. ଏସ୍‌. ପି-

 

‘‘ମୋତେ ଛାଡ଼ିଦିଅନ୍ତୁ । ଜେଲ୍‌କୁ ପଠାନ୍ତୁ ନାହିଁ । ମୋର ଛୁଆ ହେଲା ପରେ ଯାହା କରିବେ ।’’ ଅନୁନୟ କଲା ଝାଁସୀ ।

 

କିଛି ସମୟ ଚିନ୍ତାକରି ଡି. ଏସ୍‌. ପି. କହିଲେ–‘‘ସେ କେମିତି ହେବ ? ଆସନ୍ତୁ ମୋ ସାଙ୍ଗରେ ।’’ ଝାଁସୀ ଉଦ୍ଦେଶ୍ୟରେ କହିସାରି ଗୁଇନ୍ଦାବାବୁଙ୍କ କାନରେ ଫୁସ୍‌ ଫୁସ୍‌ କରି କ’ଣ କହିଲେ-। ଗୁଇନ୍ଦାବାବୁ ଆଗରେ ଚାଲିଗଲେ ।

 

ଜାଣିଶୁଣି ବହୁତ ସମୟ ଡେରିକରି ଡି. ଏସ୍‌. ପି. ଝାଁସିୀକୁ ନେଇ ବାହାରକୁ ଗଲେ । ଗଲାବେଳେ ବାଙ୍ଗରାମ୍ମାକୁ ତାଗିଦ୍‌ କରିଦେଇଗଲେ–‘‘ଖବରଦାର, କିଏ ଯେମିତି ନ ଜାଣେ ଯେ ଝାଁସୀକୁ ପୁଲିସ୍‌ ନେଇଯାଇଛି । କେହି ଜାଣିଲେ ତୋ ପିଠିରୁ ଚମଡ଼ା ଉତୁରି ଯିବ ।’’

 

ବାଙ୍ଗରାମ୍ମା ମହା ଗୋଲକଧନ୍ଦାରେ ପଡ଼ି କିଛି ନକହି ଚୁପ୍‌ ହୋଇ ରହିଲା । ବର୍ତ୍ତମାନ ଦୁଇପଟରୁ ବିପଦ ।

 

ଡି. ଏସ୍‌. ପି. ଝାଁସୀକୁ ନେଇ ଗୋଟିଏ ବଡ଼ କୋଠା ଭିତରେ ପଶିଲେ । କୋଠା ଭିତରକୁ ଯାଉଥିବା ଦେଖି ଝାଁସୀ ମନେ ମନେ ବିପଦ ଗଣିଲା । ପୁଲିସ୍‌ ବାଲା ତାକୁ ପିଟାପିଟି କରି କଥା ଆଦାୟ କରିବେ ଭାବି ସେ ମୁହ୍ୟମାନ ହୋଇଉଠୁଥାଏ । ତା’ର ଗୋଡ଼ରେ ବଳ ନଥାଏ କୁଆଡ଼େ ଯିବାପାଇଁ । କରୁଣ ଭାବରେ ଡି. ଏସ୍‌. ପି.ଙ୍କୁ କହିଲା–‘‘ମୋତେ କୁଆଡ଼େ ନେଉଛନ୍ତି ? ମୁଁ ଅସୁସ୍ଥ । ମୋ ପ୍ରତି ଅତ୍ୟାଚାର କରିବେ ନାହିଁ । ମୁଁ କିଛି କହିବି ନାହିଁ–ମରିଯିବି ପଛେ ।’’

 

‘‘କିଏ ଆପଣଙ୍କୁ ଅତ୍ୟାଚାର କରୁଛି ? ଆପରଙ୍କ ହେପାଜତ ପାଇଁ ଏଠାକୁ ଅଣାଯାଇଛି, ଏଇଠି ଆରାମରେ ରହନ୍ତୁ ।’’ କହି ହାତଧରି ଘର ଭିତରକୁ ନେଇଗଲେ ।

 

ଘର ଭିତରେ ଲେଡ଼ି ଡାକ୍ତର, ଗୁଇନ୍ଦାବାବୁ ଓ ଦୁଇଜଣ ପୋଷାକଧାରୀ ସବ୍‌ଇନ୍‌ସପେକ୍ଟର ବସିଥିଲେ । ଡି. ଏସ୍‌. ପି.ଙ୍କୁ ଦେଖି ସମସ୍ତେ ଉଠିପଡ଼ିଲେ ।

 

ଲେଡ଼ି ଡାକ୍ତରଙ୍କ ଉଦ୍ଦେଶ୍ୟରେ ଡି. ଏସ୍‌. ପି. କହିଲେ–‘‘ୟା’ଙ୍କୁ ପରୀକ୍ଷା କରନ୍ତୁ । ବଡ଼ ଦୁର୍ବଳ ମନେହେଉଛନ୍ତି ।’’

 

ବହୁତ ସମୟ ପରୀକ୍ଷା କଲାପରେ ଲେଡ଼ି ଡାକ୍ତର ଡି. ଏସ୍‌. ପି.ଙ୍କୁ କହିଲେ–‘‘ଆଉ ପାଞ୍ଚସାତ ଦିନପରେ ଛୁଆ ଜନ୍ମ ହେବ । ତେବେ ରକ୍ତହୀନତା ବହୁତ । ଖାଦ୍ୟାଭାବ ଯୋଗୁଁ ହୋଇଛି । ଭଲ ଖାଇବା ଦରକାର ଛୁଆ ଜନ୍ମ ହେଲାପରେ ହୁଏତ ରକ୍ତ ଦରକାର ପଡ଼ିପାରେ ।’’

 

‘‘ମୁଁ ସବୁ ବନ୍ଦୋବସ୍ତ କରିବି । ଆପଣ ପ୍ରତିଦିନ ଆସି ଦେଖିଯିବେ । ହଁ–ଏକଥା କେହି ଯେମିତି ନ ଜାଣନ୍ତି ।’’ କହି ଡି. ଏସ୍‌. ପି. ଲେଡ଼ି ଡାକ୍ତରଙ୍କୁ ବାହାର ପର୍ଯ୍ୟନ୍ତ ବଳେଇ ଦେଇ ଆସିଲେ । ଘର ଚାରିପଟେ ସାଧାପୋଷାକଧାରୀ ପୁଲିସ୍‌ ମୁତୟନ କରିଦେଇ ଡି. ଏସ୍‌. ପି. ଭିତରକୁ ଆସିଲେ ।

 

ଡି. ଏସ୍‌. ପି.ଙ୍କୁ ଦେଖି ଆତଙ୍କଭରା କଣ୍ଠରେ ଝାଁସୀ କହିଲା–‘‘ମୁଁ କିଛି ବୁଝିପାରୁନାହିଁ ଆପଣ କ’ଣ କରୁଛନ୍ତି ? ମୋତେ ମାରିଦେବା ବନ୍ଦୋବସ୍ତ କରୁଛନ୍ତି ନା କ’ଣ ?’’

 

‘‘ମାରିବା କାମ ମୋର ନୁହେଁ । ମୋର କାମ ବଞ୍ଚେଇବା । ଆପଣ ଦୁର୍ବଳ । ଛୁଆହେବ-। ନୂତନ ସୃଷ୍ଟି ପାଇଁ ସୁବିଧା କରିଦେଉଛି ।’’

 

‘‘କାହିଁକି ? ପୁଲିସ୍‌ କେବେ ସୃଷ୍ଟିର ଚିନ୍ତା କରିଛି କି ? ସେ ଧ୍ୱଂସର ସାଥୀ । ମୋତେ ଜେଲ୍‌କୁ ପଠେଇ ଦିଅନ୍ତୁ । ସେଇଠି ଛୁଆ ହେଉ ।’’ କହିଲାବେଳେ ଝାଁସୀର ଆଖିରୁ ନିଆଁ ବାହାରୁଥାଏ ।

 

‘‘ପୁଲିସ୍‌ ସୃଷ୍ଟି ରକ୍ଷାପାଇଁ ଉଦ୍ଦିଷ୍ଟ– । ଜେଲ୍‌ରେ ଆପଣଙ୍କର ସୁବିଧା ହେବ ନାହିଁ । ଭଲ ଖାଦ୍ୟ ଦରକାର, ଭଲ ଦେଖାଶୁଣା ଦରକାର ।’’ ନିର୍ଲିପ୍ତ ଭାବେ କହିଲେ ଡି. ଏସ୍‌. ପି. । ମନେହେଉଥିଲା ଝାଁସୀ ଆଖିର ନିଆଁକୁ ଲିଭେଇ ଦେବାପାଇଁ ଡି. ଏସ୍‌. ପି. ଚେଷ୍ଟା କରୁଛନ୍ତି ।

 

ଝାଁସୀ ଅଧିକା କିଛି ନ କହି ଚୁପ୍‌ ହୋଇ ବସି ରହିଲା । କିଛି ସମୟପରେ ଫଳମୂଳ, ବିସ୍କୁଟ୍‌, ହରିଲିକ୍‌ସ ପ୍ରଭୃତି ଆସିଗଲା । ରାତିର ଖାଇବା ଆସିଗଲା । ଡି. ଏସ୍‌. ପି. ନିଜେ ବସି ଏଇଟା ଖାଆନ୍ତୁ, ସେଇଟା ଖାଆନ୍ତୁ କହି ଗୁଡ଼ାଏ ଖୁଆଇଦେଲେ । ବହୁତ ଦିନଧରି ଝାଁସୀ ପେଟପୂରା ଖାଇନଥିଲା–ମାଛ ମାଂସ ତ ଦୂରର କଥା । ବଳେଇ କହିବା ଫଳରେ ଗୁଡ଼ାଏ ଖାଇଦେଇ ସେଇ ପାଖରେ ଗଡ଼ିପଡ଼ିଲା । କିଛି ସମୟ ଅପେକ୍ଷାକରି ଡି. ଏସ୍‌. ପି. ଚାଲିଗଲେ ।

 

ଛଅ, ସାତ ଘଣ୍ଟା ପରେ ନିଦରୁ ଉଠି ଝାଁସୀ ଠିକ୍‌ କରିପାରିଲା ନାହିଁ ସେ କେଉଁଠାରେ ଅଛି । କିଛି ସମୟ ଚିନ୍ତାକଲାପରେ ଜାଣିପାରିଲା ରାତିରେ ତାକୁ ଡି. ଏସ୍‌. ପି. ଆଣି ଏଠାରେ ରଖିଛନ୍ତି । ଶୋଇବା ଜାଗାରୁ ଉଠି ଚେଷ୍ଟାକଲା ବାହାରକୁ ଯିବାପାଇଁ । ଚାରିଆଡ଼େ କବାଟ ବନ୍ଦ । ଝରକା ଖୋଲି ଦେଖିଲା ସାଧାପୋଷାକଧାରୀ ଲୋକ ଟହଲ ମାରୁଛନ୍ତି । ସେ ଜାଣିପାରିଲା ତାକୁ ଏକ ରକମ ବନ୍ଦୀକରି ରଖାଯାଇଛି । ସେ ଜାଣିପାରିଲା ନାହିଁ ତାକୁ ସେଠାରେ କାହିଁକି ରଖାଯାଇଛି, କିଛି ପଚରା ଯାଉନାହିଁ କାହିଁକି ?

 

ସକାଳୁ ସକାଳୁ ଡି. ଏସ୍‌. ପି. ଆସି ପହଞ୍ଚିଗଲେ । ଖାଇବା ପାଇଁ ବହୁତ ଜିନିଷ ନେଇଆସିଥିଲେ । ସାଙ୍ଗରେ ଔଷଧ, ଲୁଗାପଟା । ତା’ର କାର୍ଯ୍ୟକଳାପ ବିଷୟ କିଛି ନପଚାରି ଦେହ କେମିତି ଅଛି, ଅସୁବିଧା ହେଉଛି କି ନାହିଁ ? ଔଷଧ କିମିତି ଖିଆଯିବ ? –ଏମିତି ସବୁ କହିବା ଫଳରେ ଝାଁସୀ ଆଶ୍ଚର୍ଯ୍ୟ ହୋଇଗଲା । ବାଧ୍ୟହୋଇ ପଚାରିଲା–‘‘ମୋର କାର୍ଯ୍ୟକଳାପ, ମୋର ସ୍ୱାମୀ କେଉଁଠି ଅଛନ୍ତି ଆପଣ ପଚାରୁନାହାନ୍ତି କାହିଁକି ? ଏ ପ୍ରହସନ କ’ଣ ପାଇଁ-? ଭାବିଛନ୍ତି ଏମିତି କଲେ ମୁଁ କହିଦେବି ?’’ –ମୁହଁରେ ଟାଣପଣ ଥିଲା କିନ୍ତୁ ଆଖିର ନିଆଁ ଲିଭି ଆସୁଥିଲା ।

 

‘‘ମୁଁ ଆପଣଙ୍କୁ କିଛି ପଚାରୁ ନାହିଁ ବା ପଚାରିବି ନାହିଁ । ଆପଣଙ୍କ ଦେହ ଭଲନାହିଁ । ଦେହ ଭଲ ହେଉ । ଆପଣଙ୍କର ଛୁଆ ଜନ୍ମ ହେଉ, ତାପରେ ପଚାରିବି ।’’ କହି ଡି. ଏସ୍‌. ପି. ଚାଲିଗଲେ ।

 

ମନେହେଉଥିଲା ବର୍ଷା ପରେ ପରେ ବଣନିଆଁ ଲିଭିଯାଉଛି ।

 

ପ୍ରତିଦିନ ଲେଡ଼ି ଡାକ୍ତର ଆସି ଦେଖିଯାଆନ୍ତି । ଔଷଧ ଆସେ । ରାତିରେ ଗୋଟାଏ ଧାଇ ଆସି ଶୁଏ । ଏସବୁ ଝାଁସୀକୁ ପ୍ରହେଳିକାପରି ମନେହେଲା । ସାତଦିନ ପରେ ତା’ର ଗୋଟିଏ ପୁଅ ହେଲା । ସେ ପ୍ରସବ ବେଦନାରେ ଅତିଷ୍ଟ ହେଲାବେଳେ ଡି. ଏସ୍‌. ପି. ପାଖ ଘରେ ବସିଥିଲେ-।’

 

ପୁଅ ହେଲା ଶୁଣି ସେ ଅନ୍ୟଘରୁ ପଚାରିଲେ–‘‘ଆପଣଙ୍କ ସ୍ୱାମୀଙ୍କୁ ଖବର କେମିତି ଦିଆଯିବ ’’ ପ୍ରସବ ବେଦନାର କଷ୍ଟ ଭିତରେ ସୁଦ୍ଧା ଝାଁସୀ କହିଲା–‘‘ଆପଣ ଭାବିଛନ୍ତି ମୁଁ ଠିକଣା ବତେଇଦେବି-? କେବେ ନୁହଁ । ସେ ଆପେ ଜାଣିବେ ।’’

 

‘‘ଆପଣ ଉତ୍ତେଜିତ ହୁଅନ୍ତୁ ନାହିଁ । ମୋତେ କିଛି କହିବା ଅନାବଶ୍ୟକ ।’’

 

ଦୁର୍ବଳତାବଶତଃ ଝାଁସୀ ବହୁ ସମୟଧରି ସଂଜ୍ଞାହୀନା ହୋଇଯାଇଥିଲା । ତାପରଦିନ ତା’ର ସଂଜ୍ଞା ଆସିଲାବେଳେ ସେ ଲକ୍ଷ୍ୟ କଲା ଡି. ଏସ୍‌. ପି. ପାଖରେ ବସିଛନ୍ତି । ଲେଡ଼ି ଡାକ୍ତର ସାଲାଇନ୍‌ ଛୁଞ୍ଚି ବାହାର କରୁଛନ୍ତି ।

 

ସେମାନଙ୍କୁ ଦେଖୁ ଦେଖୁ ଝାଁସୀ ପାଟିକରିଉଠିଲା–‘‘ମୋ ଛୁଆ ।’’

 

‘‘ଏଇଠି ଅଛି’’ କହି ଲେଡ଼ି ଡାକ୍ତର ଛୁଆକୁ ଆଣି ଝାଁସୀ ପାଖରେ ରଖିଲେ ।

 

ଦୁର୍ବଳ ହାତରେ ଝାଁସୀ ଛୁଆର ହାତକୁ କିଛି ସମୟ ଧରିନେଲା ।

 

କେତେରାତି ହୋଇଥିବ କେଜାଣି ଘର ଭିତରେ କୋଳାହଳ ଶୁଣି ଝାଁସୀର ନିଦ ଭାଙ୍ଗିଗଲା । ସେ ଦେଖିଲା ତା’ ଆଗର ତା’ ସ୍ୱାମୀ । ହାତରେ ହାତକଡ଼ି । ସାଙ୍ଗରେ ଦୁଇଜଣ ସବ୍‌ଇନ୍‌ସପେକ୍‌ଟର ଏବଂ ପଛରେ ଡି. ଏସ୍‌. ପି. ।

 

‘‘କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆପଣଙ୍କ ସ୍ୱାମୀ ଆପଣଙ୍କୁ ଦେଖିବାପାଇଁ ବାଙ୍ଗରାମ୍ମା ଘରକୁ ଆସିଥିଲେ । ଆମେ ସେ ଘର ଉପରେ ନିଘା ରଖିଥିଲୁ । ସେ ପହଞ୍ଚିଲାପରେ ଆମେ ତାଙ୍କୁ ଧରିନେଲୁ । ଅବଶୋଷ୍‌ ଏହି ଯେ ଘର ଦେଖେଇଥିଲା ସେ ଖସି ଚାଲିଗଲା ।’’ ଝାଁସୀ ଉଦ୍ଦେଶ୍ୟରେ ଡି. ଏସ୍‌. ପି. କହିଲେ ।

 

ରାଗରେ ତମ ତମ ହୋଇ ପାତ୍ର କହିଲା– ‘‘କେତେଥର କହିବି ମୁଁ ଏକୁଟିଆ ଆସିଥିଲି ବୋଲି ।’’ ତାପରେ କିଛି ନକହି ହାତକଡ଼ା ସହ ଝାଁସୀ ପାଖକୁ ଆସି ବନ୍ଧା ହାତରେ ତାକୁ ଆଉଁସି ପକେଇଲା । ରାଗ ଉଭେଇ ଯାଇ ତା’ ଆଖିରୁ ଟପ୍‌ ଟପ୍‌ ଲୁହ ଗଡ଼ିଗଲା ।

 

ପାଖରେ ଶୋଇଥିବା ଛୁଆକୁ ଝାଁସୀ ଦେଖେଇଦେଲା । ପାତ୍ର ମୁଣ୍ଡ–ତଳକୁ କରି ଛୁଆର କପାଳରେ ଚୁମାଦେଇ ଝାଁସୀ ପାଖରେ ବସି କହିଲା–‘‘ପୁଲିସ୍‌ ବାଲା ଧରିନେଲାପରେ ମୁଁ ଭାବିନଥିଲି ତମକୁ ଦେଖିବି ବୋଲି ।’’

 

‘‘ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି–ମୋତେ କାହିଁକି ଏଠାରେ ରଖିଛନ୍ତି ।’’ ଝାଁସୀ କହିଲା ।

 

ପାତ୍ର ଡି. ଏସ୍‌. ପି.ଙ୍କୁ ଅନେଇଲା ।

 

ଡି. ଏସ୍‌. ପି. ହସି ହସି କହିଲେ–‘‘ଝାଁସୀ ଦୁର୍ବଳ ଥିଲେ । ସେତିକିବେଳେ ଜେଲ୍‌କୁ ପଠେଇଥିଲେ ସେ ହୁଏତ ମରିଯାଇଥାନ୍ତେ । ମୁଁ ପୁଲିସ୍‌ ହେଲେ ମଧ୍ୟ ମଣିଷ । ତେଣୁ ତାଙ୍କୁ ଏଠାରେ ରଖିଥିଲି । ଆପଣଙ୍କୁ ଧରାହେଲାପରେ ଭାବିଲି ଆପଣ ସ୍ତ୍ରୀ ଓ ଛୁଆଙ୍କୁ ଦେଖିଯାଆନ୍ତୁ, ତାପରେ ଜେଲ୍‍କୁ ଯିବେ ।’’

 

‘‘ମୁଁ ଦେଖିସାରିଲି । ଏଥର ମୋତେ ଜେଲ୍‌କୁ ନିଅନ୍ତୁ ।’’

 

‘‘ନା’ ନା’, ଆଜି ନୁହେଁ ଦିନେ ଦୁଇଦିନ ଆପଣ ସ୍ତ୍ରୀଙ୍କ ପାଖରେ ରୁହନ୍ତୁ । ତାପରେ ଜେଲ୍‌କୁ ପଠେଇବି ।’’ ଡି. ଏସ୍‌. ପି. ସେମିତି ହସି ହସି କହୁଥାଆନ୍ତି । ‘‘କିନ୍ତୁ ଆପଣଙ୍କର ଅଧିକାର ନାହିଁ ଆମକୁ ଏଠାରେ ରଖିବାପାଇଁ’’, ପୁଣି ରାଗିଉଠି ପାତ୍ର କହିଲା । ‘‘ଆପଣମାନେ ଗୋଟିଏ ପତନମୁଖୀ ସମାଜର ପ୍ରତୀକ । ଆପଣ ନିୟମଭଙ୍ଗ କରୁଛନ୍ତି । ଆପଣ ମୋତେ ଏଠାରେ ରଖିପାରିବେ ନାହିଁ–ବେନିୟମ କାମ କରୁଛନ୍ତି ।’’

 

‘‘ହଁ, ଠିକ୍‌ କଥା । ମୁଁ ବେନିୟମ କାମ କରୁଛି । କିନ୍ତୁ ଆପଣମାନେ କେଉଁ ନିୟମର କାମ କରୁଛନ୍ତି ? ମଣିଷ ମାରିବା କ’ଣ ନିୟମ ଭିତରେ ?’’

 

‘‘ଆମେ ଶ୍ରେଣୀଶତ୍ରୁକୁ ନିପାତ କରୁଛୁ । ସେଇଟା ଆମର ଧର୍ମ ।’’

 

‘‘ମୋର ଧର୍ମ ମଧ୍ୟ ମୁଁ ପାଳନ କରୁଛି । ଏବେ ମୁଁ ଆପଣଙ୍କୁ ନିୟମ ଅନୁସାରେ ଗିରଫ କରିନାହିଁ । ଯେତେବେଳେ କରିବି ସେତେବେଳେ ଜେଲ୍‌କୁ ପଠେଇବି ।’’ ହସ ଭିତରେ କହିଲେ ଡି. ଏସ୍‌. ପି. ।

 

ପାତ୍ରକୁ ଚୁପ୍‌ ରହିବା ପାଇଁ ଝାଁସୀ ଇସାରାଦେଲା । ପାତ୍ର କିଛି ସମୟ ଚୁପ୍‌ ହୋଇଯାଇ ପୁଣି ପଚାରିଲା–‘‘ଏଠି ଯେ ଏତେ ଟଙ୍କା ପଇସା ଖର୍ଚ୍ଚ ହେଉଛି ସେ ସବୁ ଦେବ କିଏ ?’’

 

‘‘ସେ ସବୁ ସରକାର ଦେଉଛନ୍ତି ।’’

 

କିଛି ବୁଝି ନ ପାରି ପାତ୍ର ପୁଣି ଚୁପ୍‌ ହୋଇଗଲା ।

 

ସେମାନଙ୍କର ଖାଇବା ପିଇବା ବନ୍ଦୋବସ୍ତ କରିଦେଇ ଡି.ଏସ୍‌. ପି. କହିଲେ, ‘‘ଆପଣ ଦୁହେଁ ଆଜି ରାତିରେ ଏଠାରେ ରୁହନ୍ତୁ । ଯଦି ଚ ଆମର ଲୋକ ଚାରିପଟେ ଅଛନ୍ତି ତଥାପି ହାତକଡ଼ାଟା ପାତ୍ରବାବୁଙ୍କ ହାତରେ ରହିବ । ମୁଁ ବାହାରୁ କବାଟ ବନ୍ଦ କରିଦେଉଛି ।’’

 

ଏହା କହି ଡି. ଏସ୍‌. ପି. ଚାଲିଗଲେ । ଅନ୍ୟମାନେ ତାଙ୍କ ପଛେ ପଛେ ଚାଲିଗଲେ ।

 

ପାତ୍ର କବାଟ ପାଖକୁ ଯାଇ ଫେରିଆସି ଝାଁସୀ ପାଖରେ ବସିଲା । ହାତକଡ଼ା ବନ୍ଧାଥିବା ଦୁଇହାତରେ ଝାଁସୀର ମୁଣ୍ଡଟେକି ନିଜ କୋଳରେ ରଖିଲା । ଅଜାଣତରେ ତା’ ଆଖିରୁ ଲୁହ ବହିଗଲା । ଲୁହର ଧାର ହାତକଡ଼ିକୁ ତିନ୍ତେଇ ଦେଉଥାଏ ।

 

‘‘ଆଉ କାନ୍ଦିବା ଦରକାର ନାହିଁ । ଠିକ୍‌ ସମୟରେ ଡି. ଏସ୍‌. ପି. ମୋତେ ନ ଆଣିଥିଲେ ମୁଁ ବୋଧହୁଏ ମରିଯାଇଥାନ୍ତି । ସେ ଆମର ବହୁତ ଉପକାର କରିଛନ୍ତି ।’’ କହିଲା ଝାଁସୀ ।

 

‘‘ତମେ ବେଶୀ କଥା କୁହ ନାହିଁ । ଡି. ଏସ୍‌. ପି. କହୁଥିଲେ ତମେ ଖୁବ୍‌ ଦୁର୍ବଳ ଅଛ, ଦଶ ପନ୍ଦରଦିନ ଲାଗିଯିବ ସୁସ୍ଥ ହେବାପାଇଁ । ଏ ଡି.ଏସ୍‌. ପି. ଟାକୁ ମୁଁ ବୁଝି ପାରୁନାହିଁ । ତା’ର ମତଲବ କ’ଣ ?’’

 

‘‘ତା’ର ମତଲବ ଯାହା ହେଉନା କାହିଁକି ଲୋକଟା ଖୁବ୍‌ ଭଲ । ଆଠଦିନ ହେଲା ମୋର ବହୁତ ସେବା କରିଛି ।’’ ଝାଁସୀ କହିଲା ।

 

‘‘ତମେ ମୋ କୋଳରେ ଶୋଇପଡ଼’’ କହି ବନ୍ଧାହାତରେ ଝାଁସୀର ମୁଣ୍ଡ ଅଣ୍ଡାଳିବାରେ ଲାଗିଲା ପାତ୍ର । ହାତପରଶରେ ଝାଁସୀ ଶୋଇପଡ଼ିଲା ।

 

ତାପରଦିନ ଡି. ଏସ୍‌. ପି. ଆସି ସେମାନଙ୍କର ସୁବିଧା ଅସୁବିଧା ବିଷୟ ପଚାରି ପାତ୍ରକୁ ଜେରା କରିବାରେ ଲାଗିଲେ । ପାତ୍ର କିନ୍ତୁ ଟଳିଲା ନାହିଁ । ଡି. ଏସ୍‌. ପି. ନଛୋଡ଼ବନ୍ଦା ।

 

ଶେଷରେ ପାତ୍ର କହିଲା–‘‘ଡି. ଏସ୍‌. ପି. ସାହେବ ! ମୋ ଦଳ ବିଷୟରେ ମୁଁ ଆପଣଙ୍କୁ କିଛି କହିବି ନାହିଁ । ଆପଣ ମୋତେ ପିଟିପାରନ୍ତି, ମାରିଦେଇପାରନ୍ତି । ଆପଣଙ୍କର ସବୁ ଉଦ୍ୟମ ବୃଥା ହେବ । ମୋତେ ଏଥର ଦୟାକରି ଜେଲ୍‌କୁ ପଠେଇଦିଅନ୍ତୁ ।’’

 

‘‘ମୁଁ ଆପଣଙ୍କୁ ମାରପିଟ କରିବାପାଇଁ ଏଠାକୁ ଆଣି ନାହିଁ । ଖାଲି ପଚାରୁଥିଲି । ମୁଁ ଜାଣେ ଆପଣ ଗୋଟାଏ ଆଦର୍ଶ ପଛରେ ଗୋଡ଼େଇଛନ୍ତି । ସେ ଆଦର୍ଶ ଭଲ କି ଖରାପ ମୁଁ କହୁ ନାହିଁ । ମୋର କର୍ତ୍ତବ୍ୟ ମୁଁ କରୁଥିଲି । ଛାଡ଼ନ୍ତୁ ସେ ସବୁ । ମୁଁ ଭାବୁଥିଲି ଆଜି ଆପଣଙ୍କୁ ଜେଲ୍‌କୁ ପଠେଇଦେବି । କିନ୍ତୁ ଆପଣଙ୍କ ସ୍ତ୍ରୀ ଦେହ ଭଲ ନାହିଁ । ଭଲ ହେଲେ ଯିବେ ।’’

 

ପୁଣି ପାତ୍ର ମୁହଁରେ ବିସ୍ମୟ ।

 

ଡି. ଏସ୍‌. ପି. ଚାଲି ଯାଉ ଯାଉ ଫେରିଆସିଲେ । କହିଲେ–‘‘ଯେହେତୁ ଆପଣ ଅଛନ୍ତି, ମୁଁ ଭିତରେ ଆଉ ଲୋକ ଦେଉନାହିଁ । ଆପଣଙ୍କର ହାତକଡ଼ା ଖୋଲିଦେଉଛି । ଆପଣ ସ୍ତ୍ରୀ ଓ ପୁଅର ଯତ୍ନ ନିଅନ୍ତୁ । କିନ୍ତୁ ପଳେଇବା ପାଇଁ ଚେଷ୍ଟା କରିବେ ନାହିଁ ।’’

 

ତାଙ୍କ ଆଦେଶ ଅନୁସାରେ ଜଣେ ସବ୍‌ଇନସପେକ୍‌ଟର ହାତକଡ଼ା ଖୋଲିଦେଲେ । ପୁଲିସ୍‌ ବାବୁମାନେ କବାଟ ବନ୍ଦକରି ଚାଲିଗଲେ । ବାହାରେ ଡି. ଏସ୍‌. ପି. ଦୁଇଜଣ ସବ୍‌ ଇନସପେକ୍‌ଟରଙ୍କୁ ବସେଇ ଦେଇଗଲେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିବାପାଇଁ ।

 

ସେମାନେ ଗଲାପରେ ଝାଁସୀ କହିଲା–‘‘ବଡ଼ ଅଦ୍ଭୁଦ ଏ ଲୋକଟି । କିଛି ବୁଝିହେଉ ନାହିଁ । –ଆଉ ସମସ୍ତେ କେମିତି ଅଛନ୍ତି ?’’

 

‘‘କିଛି ପଚାର ନାହିଁ । ସେମାନେ ଶୁଣୁଥିବେ ।’’ କହି ପାତ୍ର ପାଖରେ ବସିପଡ଼ିଲା ।

 

ତା’ ପରେ ପରେ ପାଞ୍ଚଦିନ ବିତିଯାଇଥାଏ । ଔଷଧପତ୍ର ଏବଂ ଭଲ ଖାଇବା ଫଳରେ ଝାଁସୀ ସୁସ୍ଥ ହୋଇ ଚଲାବୁଲା କରୁଥାଏ । ପ୍ରତିଦିନ ଡି. ଏସ୍‌. ପି. ଆସି ଦୁଃଖସୁଖ ହୁଅନ୍ତି । ପାତ୍ର ସାଙ୍ଗରେ ନକ୍‌ସଲପନ୍ଥୀ ଆଦର୍ଶ ବିଷୟରେ ଚର୍ଚ୍ଚା କରନ୍ତି । କିନ୍ତୁ ଝାଁସୀ ବା ପାତ୍ର ଜାଣିପାରୁନଥିଲେ ଯେ ସେହି କଥାବାର୍ତ୍ତା ଭିତରେ ସେମାନଙ୍କର ସବୁ ଗୁପ୍ତକଥା ସେ ଆଦାୟ କରିନେଉଥିଲେ । ବାହାରେ ବସୁଥିବା ସବ୍‍ଇନସିପେକ୍ଟରମାନେ ମଧ୍ୟ ସ୍ୱାମୀସ୍ତ୍ରୀଙ୍କର କଥାବାର୍ତ୍ତାରୁ ବହୁତ ତଥ୍ୟ ଉଦ୍‌ଘାଟନ କରିନେଇଥିଲେ ।

 

ଷଷ୍ଠଦିନ ଡି. ଏସ୍‌. ପି କହିଲେ–‘‘ଏଥର ଆପଣ ଦୁଇଜଣଙ୍କୁ ଜେଲ୍‌କୁ ଯିବାକୁ ପଡ଼ିବ ।’’

 

‘‘ଝାଁସୀ ଓ ଛୁଆ ଦୁହେଁ ! ପଚାରିଲା ପାତ୍ର ।

 

‘‘ହଁ ଦୁହେଁ । ସେମାନେ ରାଜମହେନ୍ଦ୍ରୀ ଜେଲକୁ ଯାଇପାରନ୍ତି । ଆପଣଙ୍କୁ ବିଶାଖାପାଟଣା ପଠାଯିବ । ଆପଣଙ୍କ କେଶ୍‌ ସେଇଠି ଅଛି ।’’

 

‘‘ମୋତେ ପଠେଇ ଦିଅନ୍ତୁ । କିନ୍ତୁ ଝାଁସୀକୁ ଆଉ କିଛି ଦିନ ଏଠାରେ ରଖନ୍ତୁ ।’’ ଡି. ଏସ୍‌. ପିଙ୍କ ହାତଧରି ଅନୁରୋଧ କଲା ପାତ୍ର ।

 

‘‘ରଖିବି, କିନ୍ତୁ ଗୋଟିଏ ସର୍ତ୍ତରେ ।’’

 

‘‘ସର୍ତ୍ତ କ’ଣ ?’’

 

‘‘ଆପଣଙ୍କ ସାଥିମାନଙ୍କ ନାଁ ମୋତେ କହିବେ । ସେମାନେ କେଉଁଠି ରହୁଛନ୍ତି ତାହା ମଧ୍ୟ କହିବେ ।’’

 

‘‘ସାଥୀମାନଙ୍କର ନାଁ କହିଦେବି । କିନ୍ତୁ ସେମାନଙ୍କର ଠିକଣା କହିବି ନାହିଁ । ମୋର ଆଦର୍ଶ ମୋତେ ବାଧା ଦେଉଛି । ମୁଁ ଆପଣଙ୍କ ପାଖରେ ଶପଥ କରିଦେଇପାରିବି ଯେ ସେ ଆଦର୍ଶ ପଛରେ ଆଉ ଗୋଡ଼େଇବି ନାହିଁ, କିନ୍ତୁ ସେମାନଙ୍କୁ ଧରେଇଦେବା ବନ୍ଦୋବସ୍ତ କରିବି ନାହିଁ-।’’ କହିଲା ପାତ୍ର ।

 

‘‘ସେଇୟା ହେଉ । ଆପଣ ନାଁ ସବୁ କହିଦିଅନ୍ତୁ ।’’

 

ପାତ୍ର ତା’ର ଓ ଅନ୍ୟଦଳର ଲୋକମାନଙ୍କର ନାଁ ସବୁ କହିଗଲା । ତା’ର ବକ୍ତବ୍ୟ ପରେ ତାକୁ ଶେଷଥର ପାଇଁ ଝାଁସୀ ସାଙ୍ଗରେ କଥାବାର୍ତ୍ତା କରିବାପାଇଁ ଛାଡ଼ିଦେଇ ପରେ କୋର୍ଟକୁ ପଠେଇ ଦିଆଗଲା । ପାତ୍ରର ଚାରାନଥିଲା କୋର୍ଟରେ କହିବାପାଇଁ ଯେ ତା’ ସ୍ତ୍ରୀକୁ ପୁଲିସ୍‌ ଅଟକ ରଖିଛନ୍ତି ।

 

ପାତ୍ର ଚାଲିଗଲା ପରେ ଝାଁସୀ ପୁଣି ଦୁଃଖରେ ଭାଙ୍ଗିପଡ଼ିଲା । ଡି. ଏସ୍‌. ପି. ପାଖରେ ବସି ବୋଧସୋଧ କରି କହିଲେ–‘‘ଆପଣ ମୋର ଭଉଣୀ ପରି । ଏସବୁ କାମ ପଛରେ କାହିଁକି ଧାଇଁଛନ୍ତି । ବର୍ତ୍ତମାନ ପିଲାଛୁଆ ହେଲାଣି–ଘରଦ୍ୱାର କଥା ଚିନ୍ତା କରନ୍ତୁ ।’’

 

‘‘ମୁଁ ଏବେ କ’ଣ କରିବି ? ଆଖିରୁ ଲୁହ ପୋଛୁ ପୋଛୁ କହିଲା ଝାଁସୀ ।

 

‘‘ଆପଣଙ୍କ ସ୍ୱାମୀ ତ ସବୁ କହିଦେଇଛନ୍ତି । ଆପଣ ଏବେ ରାଜସାକ୍ଷୀ ହେଇଯାଆନ୍ତୁ । ଆପଣଙ୍କର ମଙ୍ଗଳ ଓ ସ୍ୱାମୀଙ୍କର ମଙ୍ଗଳ ଏବଂ ଛୁଆର ମଧ୍ୟ ମଙ୍ଗଳ ।’’

 

‘‘ଆପଣ ଯାହା ସୁବିଧା ମନେକରିବେ ସେଇୟା କରନ୍ତୁ ।’’ କହି ଝାଁସୀ ବସିପଡ଼ିଲା ।

 

ଡି. ଏସ୍‌. ପି.ଙ୍କ ମୁହଁରେ ସ୍ମିତହସ ଖେଳିଗଲା ।

 

ରାଜସାକ୍ଷୀ ହେବାପାଇଁ ଝାଁସୀ ଯାହାସବୁ ବୟାନ ଦେଲା ସେଥିରେ ଡି. ଏସ୍‌. ପି. ଓ ଗୁଇନ୍ଦାବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ପଶ୍ଚିମପଟେ ଆଳତି, ଅତି ଓ ବୋରି ପାହାଡ଼ରେ ରହୁଥିବା ଦଳସବୁ ମଝିରେ ମଝିରେ ଡକା ସିକାଳା ପାହାଡ଼ରେ ଆସି ଆଡ୍ଡ଼ା ଜମାନ୍ତି । ପଶ୍ଚିମ ପଟେ କୋଳାହଳ–ପୂର୍ବପଟେ ଆଶ୍ରୟସ୍ଥଳ । ବେଶ୍‌ ଚମତ୍କାର ଯୋଜନା । ଝାଁସୀର କଥାବାର୍ତ୍ତାରୁ ଜଣାପଡ଼ୁଥିଲା ଆଦିବାସୀ ଯୁବକ ଗମାଙ୍ଗ ଭଲ କୁଡ଼ିଆସବୁ ତିଆରି କରିଥିଲା ଗଠା–ଡକାସିକଳା ପାହାଡ଼ ଉପରେ ।

 

ବୟାନ ସରୁ ସରୁ ରାତି ଦଶଟା ହୋଇଯାଇଥାଏ । କାଳବିଳମ୍ବ ନକରି ଡି. ଏସ୍‌. ପି. ଗୁଇନ୍ଦାବାବୁ ଓ ଦୁଇଜଣ ସିପାହୀ ବାହାରିପଡ଼ିଲେ ସେହି ଆଡ଼୍‍ଡ଼ାସ୍ଥଳୀର ଅନୁସନ୍ଧାନରେ । ପଦ୍ମପୁରରେ ଜିପ୍‌ ରଖିଦେଇ କାଳୀଜହ୍ନିଆ ରାତିରେ ଭୂତ ପରି ଚାଲିଲେ ଚାରିଜଣ । ହାତରେ ଦୁଇଟା ରିଭଲ୍‌ଭର୍‌ ଓ ଦୁଇଟା ବନ୍ଧୁକ । ଶୀତ ପ୍ରତି ଭ୍ରୂକ୍ଷେପ ନାହିଁ; ନାଳ ନର୍ଦ୍ଦମା, କଣ୍ଟାଝଣ୍ଟା, ଖାଲ, ଢିପ–କୌଣସି ପ୍ରତି ନଜର ନାହିଁ । ନକ୍‌ସଲପନ୍ଥୀ ଯେମିତି ଆଦର୍ଶ ପଛରେ ଗୋଡ଼େଇଥାଆନ୍ତି, ଏମାନେ ମଧ୍ୟ କର୍ତ୍ତବ୍ୟପଥରେ ଗୋଡ଼େଇଛନ୍ତି । ସେ ମଧ୍ୟ ଗୋଟିଏ ନିଶା । କର୍ତ୍ତବ୍ୟ କରି ଯଶ ଅର୍ଜନ କରିବା ଆକାଂକ୍ଷା ।

 

ଅଧାମେଘ, ଅଧାମୁକ୍ତ ଆକାଶ ଭିତରେ କୃଷ୍ଣପକ୍ଷ ଅଷ୍ଟମୀର ଜହ୍ନ ଲୁଚକାଳି ଖେଳୁଥାଏ-। ସେହି ଛାଇ ଆଲୁଅର ଲୁଚକାଳି ଭିତରେ ପୁଲିସ୍‌ ଦଳ ଆଗେଇ ଯାଉଥାଆନ୍ତି । ଆଲୁଅ ହେଲେ ସନ୍ତର୍ପଣରେ ଗଛ ଛାଇରେ ଧୀରେ ଧୀରେ ଚାଲୁଥାଆନ୍ତି । ଅନ୍ଧାର ହେଲେ କ୍ଷିପ୍ର ଗତିରେ ମାଡ଼ିଚାଲନ୍ତି । ନିଜ ନିଜ ଭିତରେ ଇସାରା କେବଳ ଟ୍ଟି ଟ୍ଟି ଭର ଧ୍ୱନୀପରି । ଦୂରରେ ଲକ୍ଷ୍ୟ କରୁଥିବା ଲୋକ ମଣିଷ ବୋଲି ବାରିପାରିବ ନାହିଁ, ଭାବିବ ପାଣି ପାଖରେ ଟିଁ ଟିଁ ଆ ପକ୍ଷୀ ଶବ୍ଦ କରୁଛି–ନଚେତ୍‌ କୌଣସି ନିଶାଚର ପକ୍ଷୀ ଭୟ ପାଇ ପାଣି ପାଖରୁ ଉଡ଼ିଯାଉଛି ।

 

କାଳୀଜହ୍ନ ଭିତରେ ଶୁଖିଲା ନଦୀପଠାରୁ ଅତଡ଼ା ଉପରକୁ ଉଠିବା ଉପକ୍ରମ କରୁଥିଲେ ପୁଲିସ୍‌ଦଳ–ଆଗରେ ଡି. ଏସ୍‌. ପି. । ସମସ୍ତଙ୍କ ହାତରେ ରିଭଲଭର, ବନ୍ଧୁକ । ଅତଡ଼ା ଉପରକୁ ଉଠିଯାଇ ଡି. ଏସ୍‌. ପି. ଦେଖିଲେ ସାମନାରେ ଗୋଟାଏ ବିରାଟକାୟ ଭାଲୁ । ଚାରି ପାଞ୍ଚଫୁଟ ଦୂରରେ ସାମନା ଦୁଇଗୋଡ଼ ଉପରକୁ ଉଠେଇ ତାଙ୍କୁ ଲକ୍ଷ୍ୟ କରୁଛି । ତା’ର ଲମ୍ବା ମୁହଁରୁ ବିରକ୍ତିର ଶବ୍ଦ ବାହାରିଆସୁଛି, ତା’ର ନିଜ ଅଞ୍ଚଳରେ ଶତ୍ରୁରୂପୀ ମଣିଷକୁ ଦେଖି ସେ ଆକ୍ରମଣ ପାଇଁ ଉଦ୍ୟତ ହେଉଛି । ଅପ୍ରତ୍ୟାଶିତ ଭାବେ ଭାଲୁକୁ ଦେଖି ଡି. ଏସ୍‌. ପି. ଅଟକିଗଲେ । ପଛେ ପଛେ ଆସୁଥିବା ଗୁଇନ୍ଦାବାବୁ ଓ ସିପାହୀ ଦୁଇଜଣ ତାଙ୍କ ଉପରେ କଚାଡ଼ି ହୋଇପଡ଼ି ପରେ ପ୍ରକୃତିସ୍ଥ ହେଲେ । ଭାଲୁ ପୁଲିସ୍‌ ଦଳକୁ ଅନେଇ ରହିଥାଏ । ମଳୀନ ଆଲୋକରେ ସୁଦ୍ଧା ତା’ ଆଖି ଲାଲ୍ ଦେଖାଯାଉଥାଏ । ମଣିଷ ପ୍ରତି ଘୃଣା ଓ ବିରକ୍ତିର ଭାବ ସ୍ପଷ୍ଟ ହୋଇଉଠୁଥାଏ ଆଖି ଦୁଇଟିରେ ।

 

ଡି. ଏସ୍‌. ପି. କ’ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ । ଗୁଳିକଲେ ଚାରିଆଡ଼େ ପ୍ରତିଧ୍ୱନିତ ହେବ, ନକ୍‌ସଲ୍‍ପନ୍ଥୀ ଶିବିରରେ ଚହଳ ପଡ଼ିଯିବ । ଗୁଳି ନକଲେ ଭାଲୁ ଆକ୍ରମଣ କରିବ । ଡି. ଏସ୍‌. ପି. ସମସ୍ତଙ୍କୁ ଇସାରାଦେଲେ ପ୍ରସ୍ତୁତ ହୋଇ ରହିବାପାଇଁ–ଭାଲୁ ଟିକିଏ ଆଗକୁ ଆସିଲେ ଗୁଳି ଚଳେଇବେ । ବହୁତ ସମୟ ଧରି ଭାଲୁ ଓ ପୁଲିସ୍‌ଦଳ ସାମନା ସାମନି ହୋଇ ରହିଲେ–ସତେଯେମିତିକି ଯୁଦ୍ଧ ପୂର୍ବରୁ ଶତ୍ରୁର ବଳ କଳନା କରାଯାଉଛି । ବହୁ ସମୟ ସେମିତି ଛିଡ଼ା ହୋଇ ରହିବା ପରେ ଭାଲୁ ଆସ୍ତେ ଆସ୍ତେ ଅନ୍ୟଦିଗରେ ଚାଲିଗଲା । ତଥାପି ପୁଲିସ୍‌ଦଳ ସେହିଠାରେ କିଛି ସମୟ ଅପେକ୍ଷା କରି ରହିଲେ–କାଳେ ଆତର୍କିତ ଭାବେ ଭାଲୁ ଆକ୍ରମଣ କରିଦେବ ।

 

ନଦୀ ଅତଡ଼ା ଉପରୁ ଗଲାବେଳେ ରାତି ତିନିଟା ବାଜିଯାଇଥାଏ । ଆଉ କିଛି ବାଟ ଆଗକୁ ଗଲାପରେ ଦୂରରୁ କୁକୁର ଭୁକିବା ଶବ୍ଦ ଶୁଣାଗଲା । ତରତରରେ ପୁଲିସ୍‌ଦଳ ଆଗକୁ ଗୋଡ଼ କାଢ଼ିଲେ । ପାଖ ଗାଁ ମୁଣ୍ଡ ଦେଇ ପାର ହୋଇ ଚାଲିବେ ପାହାଡ଼ ଉପରକୁ । ଚୋର ଦେଖିଲେ କୁକୁର ମୁହଁ ବନ୍ଦ ହୋଇଯାଏ; କିନ୍ତୁ ପୁଲିସ୍‌ ଦେଖିଲେ ବେଶୀ ଭୁକେ । ଗାଁ ମୁଣ୍ଡରେ ତାହା ହିଁ ହୋଇଥିଲା । ଚାରିଆଡ଼େ କୁକୁର ଭୁକିଉଠିଲେ । ରାତିର ନିସ୍ତବ୍‌ଧତା ନଷ୍ଟ ହୋଇଗଲା ।

 

କୁକୁର ଭୁକିବାରୁ ନକ୍‌ସଲପନ୍ଥୀମାନେ ଠଉରେଇ ନେଇଥିଲେ ପୁଲିସ୍‌ ଆସିଲେଣି । ତରତର ହୋଇ ସେମାନେ କୁଡ଼ିଆ ସବୁ ଖାଲିକରି ଚାଲିଗଲେ ଆଖି ପିଛୁଳାକ ମଧ୍ୟରେ । ପୁଲିସ୍‌ ଯେମିତି ଅଶରୀରୀ ପରି ଆସୁଥିଲେ, ସେମିତି ନକ୍‌ସଲପନ୍ଥୀମାନେ ଛାୟାପରି ଉଭେଇଗଲେ । ଡି. ଏସ୍‌. ପି. ଆସି କେବଳ ଶୂନ୍ୟ କୁଡ଼ିଆ ସବୁ ଦେଖିବାକୁ ପାଇଲେ ।

 

ବହୁ ଆଶାନେଇ, ଦେହ ପ୍ରତି ଯତ୍ନ ନନେଇ ଡି. ଏସ୍. ପି. ଆସିଥିଲେ ସେମାନଙ୍କୁ ଧରିବାପାଇଁ । ଲକ୍ଷ୍ୟସ୍ଥଳରେ ପହଞ୍ଚି ସୁଦ୍ଧା ନିଜର କାର୍ଯ୍ୟ ସାଧିତ ହୋଇନଥିବା ଯୋଗୁଁ ସେ ବିମର୍ଷ ହୋଇପଡ଼ିଲେ । ସବୁ ଅବସାଦ ଡି. ଏସ୍‌. ପି.ଙ୍କ ଦେହକୁ କ୍ଳାନ୍ତ ଓ ଅବଶ କରିଦେଲା । ସେଇଠି ଗୋଟିଏ କୁଡ଼ିଆ ଭିତରେ ଶୋଇପଡ଼ିଲେ । ନଡ଼ା ଶେଯ ତାଙ୍କୁ ତୁଳା ଶେଯପରି ମନେହେଉଥିଲା । ଗୋଡ଼ ଦୁଇଟି କୁଡ଼ିଆ ବାହାରେ ରହିଯାଇଥିଲା । ସେଥିପ୍ରତି ତାଙ୍କର ନଜର ନାହିଁ । ଅନ୍ୟମାନଙ୍କୁ ଗୋଟିଏ ଗୋଟିଏ କୁଡ଼ିଆରେ ଶୋଇବାପାଇଁ କହୁ କହୁ ଡି. ଏସ୍‌. ପି.ଙ୍କ ଆଖିପତା ବନ୍ଦ ହୋଇଆସିଲା । ନକ୍‌ସଲପନ୍ଥୀ ପାଲଟା ଆକ୍ରମଣ କରିବେ କି ନାହିଁ, ସେମାନଙ୍କ ଭିତରୁ କେହି ପାଖଆଖରେ ଲୁଚି ରହିଥିବେ କି ନାହିଁ, ସେ ବିଷୟ ଚିନ୍ତା କରିବାପାଇଁ ସମୟ ନାହିଁ–ଅବଶ ଶରୀର ଯୋଗୁଁ ଭାବନାଶକ୍ତି ମଧ୍ୟ ସୀମିତ ।

 

ନିଦରୁ ଉଠୁ ଉଠୁ ଦିନ ଆଠଟା । ପାହାଡ଼ର ପଶ୍ଚିମ ପଟକୁ ଆହୁରି ସୂର୍ଯ୍ୟ କିରଣ ଆସି ନାହିଁ । ନିଦରୁ ଉଠି ଡି. ଏସ୍‌. ପି. ବସିବାପାଇଁ ଚେଷ୍ଟା କଲେ । ଗୋଡ଼ ଦୁଇଟା ଶୀତରାତିରେ କୁଡ଼ିଆ ବାହାରେ ରହିଯାଇଥିଲା । ପ୍ରବଳ ଥଣ୍ଡା ଓ କାକରପଡ଼ି ପେଣ୍ଡାର ମାଂସପେଶୀ ସବୁ କାଲୁଆ ହୋଇଯାଇଥିଲା । ତା’ ଭିତରେ ଜୀବନର ସଂଚାର କରିବାପାଇଁ ବହୁତ ସମୟ ଲାଗିଗଲା-। ନିଜ ଦୁଇହାତରେ ଗୋଡ଼ ପେଣ୍ଡାକୁ ମାଲିସ୍‌ କରୁକରୁ ଡି. ଏସ୍‌. ପି. ଭାବୁଥାଆନ୍ତି ନକ୍‌ସଲପନ୍ଥୀ କର୍ମୀଙ୍କ ବିଷୟରେ । କେତେ ଉଚ୍ଚ ଆଶା, କେତେ ମହତ ଆଦର୍ଶ ସେମାନଙ୍କର । ନିଜ ଜୀବନ ପ୍ରତି ତିଳେମାତ୍ର ମମତା ନାହିଁ, ସୁଖ ସୁବିଧା ପ୍ରତି ନଜର ନାହିଁ, ଘରଦ୍ୱାର ନାହିଁ, କିଛି ନାହିଁ । ଭବିଷ୍ୟତ ଅନ୍ଧକାରମୟ । ତଥାପି ସେମାନେ ଲଢ଼ୁଆ ମନୋଭାବ ବଜାୟ ରଖିଛନ୍ତି । ଲକ୍ଷ୍ୟ କେତେ ମହତ୍‌, କିନ୍ତୁ ପଥ କେତେ ବିଭୀଷିକାମୟ । ବିଭୀଷିକାର ବାଟ ଛାଡ଼ି ଦେଇଥିଲେ ବୋଧହୁଏ ସେମାନେ ନିଜ କଳ୍ପିତ ସମାଜ ପ୍ରତିଷ୍ଠା କରିଦେଇଥାଆନ୍ତେ ବହୁଦିନ ଆଗରୁ ।

 

ପୁଲିସ୍‌ ଦଳ ତନ୍ନ ତନ୍ନ କରି କୁଡ଼ିଆସବୁ ଖୋଜା ଖୋଜି କରିବାରେ ଲାଗିଗଲେ । କେବଳ ଗୋଟିଏ କୁଡ଼ିଆରେ କିଛି କାଗଜପତ୍ର ମିଳିଲା । ଅନ୍ୟ ଗୋଟିଏ କୁଡ଼ିଆରେ କିଛି କୋଳଥ ଡାଲି, ଦୁଇଟା ବଡ଼ ହାଣ୍ଡି, ଲୁଣ ଏବଂ ଟୋଲ ତେଲ ଥିବା ଦେଖାଗଲା । ଡି. ଏସ୍‌. ପି. ଚିନ୍ତାକଲେ ଏହି ଦଳ କେବଳ କୋଳଥ ଡାଲି ଖାଇ ବଞ୍ଚିଛନ୍ତି । ନିଜ ଅଜାଣତରେ ସେମାନଙ୍କ ପ୍ରତି ଡି. ଏସ୍‌. ପିଙ୍କର ଅନୁକମ୍ପା ବଢ଼ିଗଲା । ମହତ୍‌ ଲକ୍ଷ୍ୟକୁ ଆଖିଆଗରେ ରଖିଲେ ପାର୍ଥୀବ କଷ୍ଟ, କଷ୍ଟ ଭାବେ ପ୍ରତୀତ ହୁଏ ନାହିଁ । ସୂର୍ଯ୍ୟ କିରଣରେ ମିଳେଇଯିବା ବରଫ ପରି ସେ ମଧ୍ୟ ଦୂରୀଭୂତ ହୁଏ । ଲକ୍ଷ୍ୟପଥରେ ଶରୀର କେବେ ପ୍ରତିବନ୍ଧକ ହୋଇପାରେ କି ?–ଭାବିଲେ ଡି. ଏସ୍‌ . ପି. ।

 

କାଗଜପତ୍ର ସବୁ ତନ୍ନ ତନ୍ନ କରି ପଢ଼ାପଢ଼ି କଲେ ପୁଲିସ୍‌ ଅଫିସର ଦୁଇଜଣ । ସେଥିରୁ ସେମାନେ ଦଳର କାର୍ଯ୍ୟକଳାପ, ଟଙ୍କା ପଇସାର ଟିକିନିଖି ହିସାବ ପାଇଲେ । ଦଳର ଭବିଷ୍ୟତ ଯୋଜନା ବିଷୟରେ ଅନେକ ତଥ୍ୟ ପାଇଲେ । ସେ ସବୁ କାଗଜପତ୍ର ପଢ଼ାପଢ଼ି କରୁ କରୁ ଡି. ଏସ୍‌. ପି. ଅନୁଭବ କଲେ ବୁଦ୍ଧିଜୀବୀମାନଙ୍କର ଆଶା, କଳ୍ପନାର ରୂପରେଖ । ସେମାନଙ୍କର ସୁନେଲି କଳ୍ପନା–ସେମାନଙ୍କ ଭାବନା ଅନୁସାରେ ଯଦି କାର୍ଯ୍ୟ ହୁଅନ୍ତା ତା’ହେଲେ ପୃଥିବୀ ସ୍ୱର୍ଗରେ ପରିଣତ ହୋଇଯାଆନ୍ତା । ପଢ଼ାପଢ଼ି କରୁକରୁ ଡି. ଏସ୍‌. ପି. ଚିନ୍ତାକଲେ–ସେମାନଙ୍କ କଳ୍ପନା ବାସ୍ତବ ହୋଇପାରିବ କି ? ଇଟା ଛାଞ୍ଚରେ ତିଆରି ଇଟାପରି ଏକ ରୂପନେଇ ପ୍ରତ୍ୟେକ ମଣିଷ ତା’ର ବ୍ୟକ୍ତିତ୍ୱ, ତା’ର ଆଶା, ତା’ର ଅହଂ, ତା’ର ସ୍ୱାର୍ଥକୁ ତ୍ୟାଗ କରିପାରିବ କି ? ଯଦି ଏହା ସମ୍ଭବ, ତେବେ କଳ୍ପନା ବାସ୍ତବ ରୂପରେଖା ନେବ, ନଚେତ୍ ମରୀଚିକାରେ ପରିଣତ ହୋଇଯିବ । ଗୋଟିଏ କାଗଜ ପଢ଼ୁପଢ଼ୁ ଡି. ଏସ୍‌. ପି. ଅଟକିଗଲେ, ପୁଣି ପଢ଼ିଲେ । ସେଥିରେ ଲେଖାଥିଲା–ପୁରାତନକୁ ବିଦୀର୍ଣ୍ଣକରି ନୂତନ ସୃଷ୍ଟି ହୁଏ । ବିଦୀର୍ଣ୍ଣତା ଧ୍ୱଂସ–ରକ୍ତପାତର ପରିଚାୟକ–ଯେମିତିକି ଉଷା ଅନ୍ଧକାରକୁ ବିଦୀର୍ଣ୍ଣକରି ଉଠିଆସେ, ଶିଶୁ ଜନନୀ ଜଠରକୁ ବିଦୀର୍ଣ୍ଣ କରି ଲହୁଲୁହାଣ ହୋଇ ନୂତନ ପୃଥିବୀ ଦେଖେ ।

 

ସବୁକାମ ଶେଷ କରୁ କରୁ ଦିନ ବାରଟା ହୋଇଯାଇଥାଏ । କାମ କରୁଥିଲାବେଳେ ଭୋକଶୋଷ ଜଣାପଡ଼ୁନଥିଲା । କାମ ଶେଷ ହେଲାପରେ ଭୋକର ଜ୍ୱାଳା ଅସହ୍ୟ ହେଲା । ଗତରାତିରେ କିଛି ନଖାଇ ତରତରରେ ସେମାନେ ଚାଲିଆସିଥିଲେ । ଏବେ କାମ ଶେଷ ଖାଇବାପାଇଁ କିଛି ନାହିଁ । ବାର ଚଉଦ ମାଇଲ ଚାଲିବାପାଇଁ ଗୋଡ଼ରେ ଶକ୍ତି ନାହିଁ ।

 

ଚାରିଆଡ଼କୁ ଅନେଇ ବହୁତ ଚିନ୍ତା କଲାପରେ, ହଠାତ୍‌ ଡି. ଏସ୍‌. ପି. ହସିଉଠିଲେ–ସେ ଯେମିତିକି ଗୋଟିଏ କିଛି ସୂତ୍ର ପାଇଛନ୍ତି । ନିଜ ଲୋକମାନଙ୍କୁ କୋଳଥ ଡାଲି ସିଝେଇବାପାଇଁ କହିଲେ । ସିଝାକୋଳଥ ଡାଲି ଟୋଲ ତେଲରେ ବଘରା ହେଲା । ବଣ କଦଳୀପତ୍ର ପକେଇ ସମସ୍ତେ ବସିଗଲେ । ଦାନ୍ତ ଘଷିବା ପାଇଁ ପାଣି ନାହିଁ ବା ଇଚ୍ଛା ମଧ୍ୟ ନାହିଁ । ସେମିତି ବସି ସିଝା, ଲୁଣଲଗା କୋଳଥଡାଲି ସବୁ ପରମ ତୃପ୍ତିରେ ଖାଇଗଲେ । ପେଟରେ ଭୋକ ଯେତେ ବଢ଼େ, ଖାଦ୍ୟ ସେତିକି ତୃପ୍ତିକର ହୁଏ–କୋଳଥ ଡାଲି ଅମୃତ ପରି ଲାଗିଥିଲା ।

 

ଦେହରେ ବଳ ଆସିଲା । ନୂଆ ଯୋଜନା ମନେ ମନେ ଚିନ୍ତାକରି ଡି. ଏସ୍‌. ପି ତାଙ୍କ ଦଳକୁ ଧରି ବାହାରିପଡ଼ିଲେ ପଦ୍ମପୁର–ନକ୍‌ସଲପନ୍ଥୀ ଆଦର୍ଶରେ ସୃଷ୍ଟି ହେଉଥିବା ସମାଜକୁ ରୋକି ଦେବାପାଇଁ ।

 

ପଶ୍ଚିମରେ ଯୋଜନା ଚାଲିଥାଏ ସ୍ୱପ୍ନର ସୌଧକୁ ଧ୍ୱଂସ କରିବାପାଇଁ, ପୂର୍ବରେ ଆୟୋଜନ ଚାଲିଥାଏ ନୂଆ ରାଜ୍ୟ ଗଢ଼ିବା ପାଇଁ, ସବୁଜ କଳ୍ପନାକୁ ସ୍ୱର୍ଣ୍ଣଭ କରିବାପାଇଁ । କେଉଁଠାରେ ଶେଷ ପର୍ଯ୍ୟାୟର ଆରମ୍ଭ–କେଉଁଠାରେ ଆରମ୍ଭର ଶେଷ ପର୍ଯ୍ୟାୟ ।

 

ନଉପଡ଼ାଠାରୁ ଛତ୍ରପୁର ଯାଏ ବିସ୍ତୃତ ସମୁଦ୍ରକୂଳ ଅଞ୍ଚଳ ଉଦ୍ୟାନ ନାମରେ ପ୍ରସିଦ୍ଧ । ପୂର୍ବରେ ବଙ୍ଗୋପସାଗର ଏବଂ ତା’ର ଅନେକ ଛୋଟ ଛୋଟ ହ୍ରଦ–ଭୂଭାଗ ଭିତରକୁ ମାଡ଼ିଆସିଛି-। ସମୁଦ୍ରଠାରୁ କୋଡ଼ିଏ ପଚିଶ ମାଇଲ ପଶ୍ଚିମରେ ପୂର୍ବଘାଟ ପର୍ବତମାଳାର କିୟଦଂଶ–କେରାଣ୍ଡି ମାଳ, ତୁମ୍ବା ପାହାଡ଼ ଓ ମହେନ୍ଦ୍ରଗିରୀ । ସେହି ପଚିଶ ମାଇଲ୍‌ ବ୍ୟବଧାନ ଭିତରେ ଅସଂଖ୍ୟ ଗାଁ–ଦୁଇ ଭାଷାଭାଷୀ । ପଶ୍ଚିମ ସୀମା ସୂଚେଇଦିଏ ସନ୍ଧି ଗାଁ–ପାଖରେ କଳିଙ୍ଗ–ଦଳା ପାହାଡ଼ । ଅତୀତର କୌଣସି ଏକ ଅଶୁଭ ଦିନରେ ଓଡ଼ିଶାର ଗୌରବ ଚୂର୍ଣ୍ଣୀଭୂତ ହୋଇଥିଲା ଏହି କଳିଙ୍ଗଦଳା ପାଖ ଯୁଦ୍ଧ କ୍ଷେତ୍ରରେ । ସନ୍ଧି ଅନୁସାରେ ସେହି ଭୂଖଣ୍ଡର ଦକ୍ଷିଣ ଅଞ୍ଚଳ–ବାହୁଦାଠାରୁ ଦକ୍ଷିଣକୁ–ବିଜୟନଗର ରାଜ୍ୟର ଅନ୍ତର୍ଭୁକ୍ତ ହୋଇଥିଲା । ଦୁର୍ବଳ ଓଡ଼ିଶା ରାଜ୍ୟ, ମୋଗଲ ସୁବା ଓ ବର୍ଗୀ ଆକ୍ରମଣର ପୃଷ୍ଠଭୂମିରେ ଉଦ୍ୟାନ ଖଣ୍ଡ ଓଡ଼ିଆ ଓ ତେଲଗୁମାନଙ୍କର ବସବାସସ୍ଥଳୀ ହୋଇଯାଇଥିଲା । ଯଦିଚ ଦୁଇଟି ଭାଷାଭାଷୀ ଲୋକ ରହିଥିଲେ, ତଥାପି ଉଦ୍ୟାନ ଅଞ୍ଚଳ ଉଦ୍ୟାନ ପ୍ରକୃତି ହରେଇନଥିଲା । ପ୍ରକୃତି ତାକୁ ଦୁଇଟି ଭାଗରେ ବିଭକ୍ତ କରିପାରିନଥିଲା । କଦଳୀ, ଆମ୍ବ, କାଜୁବାଦାମ, ତାଳ, ନଡ଼ିଆ, ଓ କିଆ ପରିପୂର୍ଣ୍ଣ ଏହି ଅଞ୍ଚଳ ସମୃଦ୍ଧିର ସୋପାନରେ ଖୁବ୍‌ ଉପରକୁ ଉଠିଯାଇଥିଲା । ମହେନ୍ଦ୍ର ତନୟା, ବାହୁଦା ଏବଂ ବଂଶଧରାର ଅବବାହିକା ଉର୍ବର କରିଥିଲା ଏହାର ସମତଳ ଅଞ୍ଚଳ । ସେହି ସମୃଦ୍ଧି ସୋପାନ ଆରୋହଣ ପର୍ବରେ ଅନେକ ନିରୀହ, ନିଷ୍ପେଷିତ ଜନସାଧାରଣ ଦଳି ଚକଟି ହୋଇଯାଇଥିଲେ । ଯେଉଁମାନେ ଧନୀ ହେବାକୁ ଲାଗିଲେ, ସେମାନେ ଅନ୍ୟର ଦୁଃଖ ଦୁର୍ଦ୍ଦଶା ପ୍ରତି ନଜର ଦେଲେନାହିଁ । ଧନୀ ଓ ନିର୍ଦ୍ଧନ ଭିତରେ ବ୍ୟବଧାନ ବଢ଼ିବାକୁ ଲାଗିଲା । ଏକଦା ସମୃଦ୍ଧ ‘ଉଦ୍ୟାନ’ର ଶାନ୍ତ ପରି–ଦେଶରେ ଅଶାନ୍ତିର ବାତାବରଣ ଦେଖାଦେଲା । ନିଷ୍ପେଷିତକୁ ଉତ୍ତେଜିତ କରିବାପାଇଁ, ଶୋଷଣମୁକ୍ତ କରିବାପାଇଁ, ଦୁଇ ଭାଷାଭାଷୀ ସଂପ୍ରଦାୟର ଲୋକ କାନ୍ଧକୁ କାନ୍ଧ ଲଗେଇ ଛିଡ଼ା ହୋଇଗଲେ । ପ୍ରତାପରୁଦ୍ର–କୃଷ୍ଣଦେବ ରାୟଙ୍କର ଦାୟାଦମାନେ ଏକାଠି ହେବାପାଇଁ ଶପଥନେଲେ–ନୂଆ ମଣିଷ ହୋଇ ନୂଆ ଯୁଦ୍ଧରେ ଅବତୀର୍ଣ୍ଣ ହେବାପାଇଁ, ନୂଆ ଶତ୍ରୁର ମୁକାବିଲା ପାଇଁ । କୃଷ୍ଣମୂର୍ତ୍ତି, ପାଣିଗ୍ରାହୀ, ରମେଶ ସାହୁ–ଭାଷାଗତ ବ୍ୟବଧାନ ଭୁଲି ଆଗେଇଆସିଲେ ନିଜର ଆଦର୍ଶକୁ ରୂପାୟିତ କରିବାପାଇଁ । ମଞ୍ଜୁଷା, ପଲାସା, ଜରଡ଼ା, ସୁରଙ୍ଗି, ସୋମପେଣ୍ଠ, ବାରୁଆ, ଇଚ୍ଛାପୁର ଅଞ୍ଚଳ ସରଗରମ ହୋଇଉଠିଲା ସେମାନଙ୍କ କାର୍ଯ୍ୟକଳାପରେ ।

 

ମହେନ୍ଦ୍ର ତନୟା ବେଷ୍ଟିତ ମହେନ୍ଦ୍ରଗିରି ସେମାନଙ୍କୁ ଯୋଗେଇଲା ଆଶ୍ରୟ । ପଞ୍ଚପାଣ୍ଡବଙ୍କର ବନବାସ ବେଳର ଆଶ୍ରୟସ୍ଥଳୀ ମହେନ୍ଦ୍ରଗିରି ସମୁଦ୍ର ତଟକୁ କୋଡ଼ିଏ ମାଇଲ ଦୂରରେ ଅବସ୍ଥିତ ଏହାର ଭତ୍ତୁଙ୍ଗ ଚୂଡ଼ା । ତା’ର ଶିଖର ଦେଶରୁ ଲକ୍ଷ୍ୟ କରିହେବ ସୁଦୂର ମହୋଦଧି, ଅନତି ଦୂରର, ସମୃଦ୍ଧ ବସତି, ସହର, ଆଧୁନିକତାର ସ୍ୱାକ୍ଷର ବହନ କରିଥିବା ରେଳ ଲାଇନ ଓ ଜାତୀୟ ରାଜପଥ । ମଞ୍ଜୁଷା ଓ ଜରଡ଼ା ସହର ମହେନ୍ଦ୍ରଗିରି ପାହାଡ଼ମାଳାର ଦୁଇ ପାଖରେ । ତୁମ୍ବା ମାଳଦେଇ ସେହି ଦୁଇ ସହର ଭିତରେ ଯୋଗସୂତ୍ର ରକ୍ଷା କରିବା ସୁବିଧାଜନକ । ଅବହେଳିତ ଏହି ଅଞ୍ଚଳ ସରକାରୀ କର୍ମଚାରୀଙ୍କର ଆଖିଆଗକୁ ଆସିନାହିଁ, ସମତଳ ଅଞ୍ଚଳ ବିଷୟ ବୁଝିଦେଲେ ଯେମିତିକି ସେମାନଙ୍କର କାମ ଶେଷ ।

 

ଗଞ୍ଜେଇ ଚାଷ କରିବାରେ ସେ ଅଞ୍ଚଳ ଲୋକ ଧୂରନ୍ଧର । ଶୀତଦିନେ କମଳା ଆଦାୟ ହୁଏ । ତା’ ଛଡ଼ା କାଠ କାଟି, ବାଉଁଶ କାଟି ପାନବରଜକୁ ପଠେଇବା ସେମାନଙ୍କ କାମ । ସରକାରୀ ଲୋକଙ୍କର ଗଞ୍ଜେଇ ଚାଷ ଉପରେ କଟକଣା, ବାଧ୍ୟବାଧକତା କରି ପଇସା ଆଦାୟ ସେମାନଙ୍କୁ ଅତିଷ୍ଠ କରିଦିଏ–ଦିନ ଦିନ ଧରି ।

 

ସେମାନଙ୍କ ଭିତରେ ନବଜାଗରଣ ଆଦି ପାଇଁ ପାଣିଗ୍ରାହୀ, କୃଷ୍ଣମୂର୍ତ୍ତି ଓ ରମେଶ ଲାଗିପଡ଼ିଥାନ୍ତି । ବୁରାକଥା, ଦାସକାଠିଆ, ହରିକଥା ମାଧ୍ୟମରେ ପାଣିଗ୍ରାହୀ ନକ୍‌ସଲପନ୍ଥୀ ଆଦର୍ଶକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ବ୍ୟଗ୍ର । –ସର୍ବସ୍ୱ ଅପହୃତ ସର୍ବହରା ସ୍ୱରଉତ୍ତୋଳନ କରି କରୁ । ତା’ର ଆଉ ଅଛି କ’ଣ ଯେ ସେ ହରେଇବ । ବରଂ ସ୍ୱରଉତ୍ତୋଳନ କରି ସେ କାରାବରଣ କରୁ । ତା’ର କାରାବରଣ ଅନ୍ୟମାନଙ୍କ ପାଇଁ ମୁକ୍ତିର ପଥ ଖୋଲିଦେବ । ଅନ୍ୟମାନେ କାରାଗାରରୁ ବାହାରି ମୁକ୍ତିର ଆଲୋକ ଦେଖିବେ । ସେ ଧରୁ ମୁକ୍ତିର ମଶାଲ । ସେ ଲଢ଼େଇ କରୁ । ଲଢ଼େଇରେ ମୃତ୍ୟୁ ହେଉ । ସେଥିରେ କିଛି ଯାଏଆସେ ନାହିଁ, କାରଣ ସେହି ମୃତ୍ୟୁରେ ତା’ର ଦେହ ରାସ୍ତାର ଅସଂଖ୍ୟ ଗର୍ତ୍ତପୁରଣ କରିବ ଓ ଅନ୍ୟମାନେ ସୁବିଧାରେ ଆଗେଇଯାଇପାରିବେ । ପାଣିଗ୍ରାହୀର ମର୍ମସ୍ପର୍ଶୀ କବିତା, ଲୋକଗୀତି, ଉଦ୍‌ବୋଧନୀ, ଶୀତଳ ରକ୍ତକୁ ଉତ୍ତେଜିତ କରିବା କୌଶଳ–ଭାରତ ଲୀଳା, ରାମନାଟକ, ପ୍ରହ୍ଲାଦ ନାଟକ, ବୁରାକଥା, ଗୋଲାନାଚ, (ଗୋଲା ଗୋଟି, ମେଷ–ପାଳକ ଜାତି–ସେମାନଙ୍କର ନାଚକୁ ଗୋଲାନାଚ କୁହାଯାଏ) ଦାସକାଠିଆ ମାଧ୍ୟମରେ ଗାଁରୁ ଗାଁକୁ ପ୍ରଚାରିତ ହୋଇଗଲା । ସମସ୍ତଙ୍କ ମୁହଁରେ ସେହି କଥା–ଆମେ ସର୍ବହରା, ଆମେ ଶୋଷିତ, ଆମେ ଖଟିଖିଆ । ଆମକୁ ଶୃଙ୍ଖଳ ଆଉ କାରା ଅଟକେଇ ପାରିବ ନାହିଁ । ଆମେ ଶୃଙ୍ଖଳ ଛିନ୍ନ କରିବୁ । ଆମେ କାରାଗାରକୁ ଧ୍ୱଂସ କରିଦେବୁ । ଦୁନିଆର ସବୁ ଖଟିଖିଆ ଏକହେବୁ । ଉଦ୍ୟାନ ଅଞ୍ଚଳ ହେବ ଆମର–ଆମର ଶ୍ରେଣୀବିମୁକ୍ତ ସମାଜ ପ୍ରତିଷ୍ଠିତ ହେବ ଏହିଠାରେ । କବିତାର ଝଙ୍କାର ଶୁଣାଗଲା ଗିରିନଦୀର ପ୍ରଖର ସ୍ରୋତସ୍ଥିତ ଭୀମ ଭୈରବ ନାଦ ଭିତରେ, ଶୁଣାଗଲା ଝାଉଁବଣର ବଂଶୀସ୍ୱନ ଭିତରେ, ଶୁଣାଗଲା ସମୁଦ୍ର ତଣ୍ଡାରେ–ଫେନୀଳ ଲହରୀର ସଂଗୀତ ଭିତରେ । ଅନେକ ପ୍ରଭାବିତ ହେଲେ, ସ୍ୱରଉତ୍ତୋଳନ କଲେ, ମାଂସପେଶୀ ସୁଦୃଢ଼ କଲେ ।

 

ପାର୍ବତୀପୁର–ଗୁଣୁପୁର ଅଞ୍ଚଳରେ ପୁଲିସ୍‌ର ଚଢ଼ଉ, ଖୋଜଖବର, ତଲାସୀର ତୀବ୍ରତା ବଢ଼ିବା ଦେଖି ଭେଙ୍କେଟ ନୂଆ ଯୋଜନା କରିବସିଲା । ପଶ୍ଚିମରେ ହେଉଥିବା ଚଢ଼ଉକୁ କମେଇବା ପାଇଁ ପୂର୍ବରେ ପ୍ରତି ଆକ୍ରମଣ ଆବଶ୍ୟକ–ଏହା ତ ମାଓ ସେତୁଙ୍କ ବାଣୀରେ ଲିପିବଦ୍ଧ-। ସେହି ପ୍ରସ୍ତାବ ବାତିଲା କୃଷ୍ଣମୂର୍ତ୍ତି ଆଗରେ । କୃଷ୍ଣମୂର୍ତ୍ତି ଓ ରମେଶ ଧନୀକର ସନ୍ତାନ । ଐଶ୍ୱର୍ଯ୍ୟ ଏବଂ ଭୋଗବିଳାସ ଭିତରେ ବଢ଼ି ଆସିଛନ୍ତି ସେମାନେ । ଭୌଗୋଳିକ ପରିସ୍ଥିତି, ଅଧିବାସୀମାନଙ୍କର ପ୍ରସ୍ତୁତି, ଆକାଂକ୍ଷା ଏବଂ ଅତ୍ୟାଚାରର ତୀବ୍ରତା ପ୍ରତି ନଜର ନଦେଇ ସେମାନେ ଆଗେଇଆସିଲେ ଉଦ୍ୟାନ ଅଞ୍ଚଳକୁ ଶ୍ରେଣୀ–ସଂଗ୍ରାମର ଅନ୍ୟ ଏକ କୁରୁକ୍ଷେତ୍ର କରିବାପାଇଁ । ମନରେ ଅଦମ୍ୟ ଉତ୍ସାହ । ଆଦର୍ଶର ପତାକା ବାହକ ହେବାପାଇଁ ଅଫୁରନ୍ତ ଇଚ୍ଛା, ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା କରିବା ଆଶା ସେମାନଙ୍କୁ ଆଗେଇ ନେଇଥିଲା କିଛିବାଟ । କିନ୍ତୁ ଉଦ୍ୟାନ ଅଞ୍ଚଳ ପାର୍ବତୀପୁର ନୁହେଁ । ବନ୍ଧୁର ପାର୍ବତ୍ୟ ଅଞ୍ଚଳ ଖୁବ୍‌ କମ୍‌ । ଆଦିବାସୀ ସଂଖ୍ୟାଲଘୁ-। ସେଠାରେ ସମ୍ମୁଖ ସଂଗ୍ରାମ କରିବା ଦୁଃସାଧ୍ୟ । ପାର୍ବତୀପୁର ଅଞ୍ଚଳର କୌଶଳ ପ୍ରୟୋଗ କରିବା ଚେଷ୍ଟାକରି ସେମାନେ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ପାର୍ବତୀପୁର, ଗୁଣପୁର ଅଞ୍ଚଳ ପରି ଶତ ସହସ୍ର ଅତ୍ୟାଚାରିତ ଗିରିଜନ ଆଗେଇ ଆସିଲେ ନାହିଁ–ଶ୍ରେଣୀଶତ୍ରୁକୁ ଧ୍ୱଂସ କରିବାପାଇଁ-। ଅଳ୍ପକେତେକ ଗିରିଜନ ମଂଜୁଷା, ତରଳା ତୁମ୍ବା, ରାମଗିରି ଏବଂ ଘୋଡ଼ାହାଡ଼–ବାହୁଦା ଅବବାହିକାରୁ ଆସିଲେ ଏମାନଙ୍କ ସହ । ମୁଷ୍ଟିମେୟ ଦଳ ସହ ପ୍ରତିସ୍ତରରେ ହେଲା ପ୍ରତିରୋଧ । ଆକ୍ରମଣର ଜବାବ ପ୍ରତିଆକ୍ରମଣରେ ଦିଆଗଲା । ଭୂମ୍ୟାଧିକାରୀମାନେ ନିଜେ ଥିଲେ ପ୍ରତିପତ୍ତିଶାଳୀ, ଊଣାଅଧିକେ ସମସ୍ତେ ମାରଣାସ୍ତ୍ରରେ ସଜ୍ଜିତ ଥିଲେ । ନିଜର ଶୋଷଣ ପ୍ରବୃତ୍ତିକୁ ଜାହିର କରିବାପାଇଁ ସେମାନେ ପୁରୁଷ ପୁରୁଷ ଧରି ପ୍ରସ୍ତୁତ ହୋଇ ରହିଥିଲେ । ସେମାନଙ୍କ ମୁକାବିଲା ପାଇଁ ଯେଉଁ ମନୋବଳ, ଯେଉଁ କଷ୍ଟସହିଷ୍ଣୁତା ଦରକାର ତାହା ନଥିଲା ଏହି ଦଳପତିମାନଙ୍କ ପାଖରେ । ବର୍ଷ ବର୍ଷ ଧରି ଦଶବର୍ଷ ସେମାନେ ଗିରିକନ୍ଦରରେ ବୁଲି ନିଜେ ଗିରିଜନ ହୋଇପାରିନଥିଲେ । ସେହି ଅଞ୍ଚଳର ଭୌଗୋଳିକ ସ୍ଥିତି ବିଷୟରେ ଅନଭିଜ୍ଞ ଥିଲେ । ସେହି ଅଞ୍ଚଳର ଆର୍ଥିକ ଦୂରବସ୍ଥା ବିଷୟରେ ସମ୍ୟକ ଜ୍ଞାନ ଅର୍ଜନ କରିପାରିନଥିଲେ । ....ସେମାନେ ଦଳପତି କିନ୍ତୁ ଦଳର ଲୋକ ନୁହନ୍ତି ।

 

ତଥାପି ସେମାନେ ଆଗେଇ ଆସିଥିଲେ ଶ୍ରେଣୀଶତ୍ରୁକୁ ନିପାତ କରିବାପାଇଁ । ଗମନାଗମନର ସୁବିଧା ଏବଂ ଗୁଳି ବନ୍ଧୁକର ଆମଦାନୀ ସେମାନଙ୍କୁ ସାହାଯ୍ୟ କରିଥିଲା ଗରିଲା ଆକ୍ରମଣ କରିବାପାଇଁ । ସୋମପେଣ୍ଠ ରେଳଷ୍ଟେସନ୍‌ ପାଖରେ ସେମାନେ ସ୍ଥାପନ କରିଥିଲେ ନିଜର ଆଡ୍‌ଡ଼ା । ମୁଷ୍ଟିମେୟ ଲୋକଙ୍କୁ ନେଇ ପାଖ କାଜୁବାଦାମ ଜଙ୍ଗଲରେ ତାଲିମ ଦେଇଥିଲେ ବନ୍ଧୁକ ଚାଳନା ବିଷୟରେ । ସୁନପୁର ସମୁଦ୍ରକୂଳର ପଥୁରିଆ ଅଞ୍ଚଳରେ ସେମାନେ ବନ୍ଧୁକ ଚଳେଇବା ଶିଖିଥିଲେ । ସମୁଦ୍ରକୂଳର ପଥରିଆ ଅଞ୍ଚଳ, ଝାଉଁବଣର ଶୀତଳ ପରିବେଶ ଭିତରେ ସେମାନେ ନିଜର କୌଶଳ ଚିନ୍ତାକଲେ, ପରଖ କଲେ, ଅଭ୍ୟାସ କଲେ । ଯେତିକି ତାଲିମ୍‌ ପାଇଲେ ସେଥିରେ ସେମାନେ ଭାବିନେଇଥିଲେ ଶତ୍ରୁକୁ ନିପାତ କରିପାରିବେ । କିନ୍ତୁ ଏଇଠି ମଧ୍ୟ ସେମାନଙ୍କ ଧାରଣା ଭୁଲ୍‌ ପ୍ରମାଣିତ ହୋଇଥିଲା । ଝଡ଼ପରି ଆସି କୌଣସି ଗାଁରେ ଆକ୍ରମଣ କଲାବେଳେ ସେମାନେ ପ୍ରତିରୋଧର ସମ୍ମୁଖୀନ ହେଲେ । ସେମାନଙ୍କ ଲକ୍ଷ୍ୟ ପୂରଣ ହେଉନଥିବା ଦେଖି ସେମାନେ ଆହୁରି ବ୍ୟସ୍ତ ହୋଇଉଠିଲେ–ସେମାନଙ୍କ କଳ୍ପିତ ସମାଜର ମୂଳଦୁଆ ସ୍ଥାପନ ହୋଇପାରୁ ନାହିଁ । ସେମାନଙ୍କ ଆଦର୍ଶରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିହେଉ ନାହିଁ ।

 

ଶେଷରେ ବାଧ୍ୟହୋଇ ଆକ୍ରମଣ କଲେ ହରଡ଼ମରା ଗାଁଉପରେ । ଗାଁ ନାଁ ଯେମିତି କୌଶଳ ମଧ୍ୟ ସେମିତି ପ୍ରୟୋଗ କରାଗଲା । ସିଧାସଳଖ ଆକ୍ରମଣ କଲେ ହରଡ଼ ହୁରୁଡ଼ିଯାଏ । ଲୁଚି ଛପି ଗଛ ଉହାଡ଼ରେ ରହି ଗୁଳି କଲେ ହରଡ଼ ମରେ । କୃଷ୍ଣମୂର୍ତ୍ତି ଓ ତା’ ଦଳ ସେମିତି ଆକ୍ରମଣ କଲେ ହରଡ଼ମରା ଉପରେ । ସେଠାକାର ଧନୀ ଧ୍ରୂବ ପାତ୍ର ଘରେ ପଶିଲେ । କିନ୍ତୁ ତିନି ପୁରୁଷର ଶିଶୁଆ କବାଟକୁ ଭାଙ୍ଗିବାପାଇଁ ସେମାନଙ୍କୁ ଦୁଇଘଣ୍ଟା ଲାଗିଗଲା । ‘‘ମାଓସେତୁଂ ଜିନ୍ଦାବାଦ୍‌’’ରେ ଗାଁର କେହି ଭାଗନେଲେ ନାହିଁ । ବରଂ ପ୍ରତି ଆକ୍ରମଣରେ କୃଷ୍ଣମୂର୍ତ୍ତି ଦଳର ଜଣେ କ୍ଷତବିକ୍ଷତ ହୋଇଗଲେ । ହୁଁ କାର, ପ୍ରତିହୁଁକାର ଭିତରେ ହରଡ଼ ଭିଡ଼ିଗଲା । ଧ୍ରୁବ ପାତ୍ର ମରିଗଲା; କିନ୍ତୁ ଉଦ୍ଦେଶ୍ୟ ସାଧିତ ହେଲା ନାହିଁ । ବ୍ୟତିବ୍ୟସ୍ତ ହୋଇ କୃଷ୍ଣ ମୂର୍ତ୍ତି ଓ ତାଙ୍କ ଦଳ ନିଜର ଅକ୍ଷମ ସାଥୀକୁ ନେଇ ଚାଲିଆସିଲେ । ସେହି ବ୍ୟର୍ଥତା ସେମାନଙ୍କ ମନୋବଳ ଭାଙ୍ଗି ନଦେଇ ବରଂ ଦ୍ୱିଗୁଣିତ କରିଦେଲା–ଭୋକିଲା ଲୋକକୁ ଅଧାପେଟ ଖାଇବାଦେଲେ ସେ ଯେମିତି ଅଧିକା ଭୋକିଲା ହୋଇ କାଙ୍ଗାଳପରି ‘ହା ଅନ୍ନ’ ‘ହା ଅନ୍ନ’ କରିଉଠେ–ଛୋଟ ଛୋଟ ଗରିଲାଦଳ ଗଢ଼ି ସେମାନେ ଆକ୍ରମଣ କଲେ ହରିଚନ୍ଦନପୁର ଶାସନ, ଭ୍ରମରପୁର, ଗୋବିନ୍ଦପୁର । କେଉଁ କେଉଁ ଜାଗାରେ ସେମାନେ ଶ୍ରେଣୀଶତ୍ରୁକୁ ନିପାତ କଲେ, ତମସୁକ, କବଲା ନଷ୍ଟ କରିଦେଲେ; କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । ଗାଁର ସବୁ ଲୋକଙ୍କୁ ଏକାଠି କରି ସେମାନଙ୍କ ସମ୍ମୁଖରେ ପ୍ରଜା ବିଚାରାଳୟ କରି ଦଣ୍ଡ ଦେବାର ଅବକାଶ ପାଇଲେ ନାହିଁ । ପ୍ରତ୍ୟେକ ସ୍ଥାନରେ କ୍ଷିପ୍ରତା ଏବଂ ଅଚାନକ ଭାବେ ସେମାନଙ୍କୁ ସାହାଯ୍ୟ କଲା କେତେଜଣଙ୍କୁ ହତ୍ୟା କରିବାପାଇଁ ଏବଂ ସେମାନଙ୍କ ଟଙ୍କା ସୁନା ନେବାପାଇଁ । କିନ୍ତୁ ସାଧାରଣ ଜନମାନସରେ ଏହାର ପ୍ରଭାବ କିଛି ଲକ୍ଷ୍ୟ କରାଗଲା ନାହିଁ । ମନୁଷ୍ୟ ମନରେ ପ୍ରଭାବ ପକାଏ କୌଣସି ଆଧିଭୌତିକ, ଆଧିଦୈବିକ ବା ଅସାଧାରଣ ଘଟଣା । ଯେଉଁଠାରେ ଘଟଣାର ସ୍ୱାତନ୍ତ୍ର୍ୟ ନାହିଁ, ସେଠାରେ ତାହା ମନୁଷ୍ୟ ମନକୁ ଆଲୋଡ଼ିତ କରେ ନାହିଁ ।

 

ଲୋକଙ୍କର ସେମାନଙ୍କ ଆଦର୍ଶ ପ୍ରତି ଦରଦ ରହିଲା; କିନ୍ତୁ କାର୍ଯ୍ୟ ପ୍ରତି ଆନୁଗତ ପ୍ରକାଶ ପାଇଲା ନାହିଁ । ଦଳର ସଂଖ୍ୟା ବଢ଼ି ପାରିଲା ନାହିଁ । ଗୀତ, ନାଚ, ପ୍ରଚାରକୁ ଲୋକେ ଆଗ୍ରହରେ ଦେଖିଲେ, ଶୁଣିଲେ; କିନ୍ତୁ ଅସୀ ଉତ୍ତୋଳନ କରି ଯୁଦ୍ଧ କରିବାପାଇଁ ଆଗଭର ହେଲେ ନାହିଁ । ଏହା ଦେଖି କୃଷ୍ଣମୂର୍ତ୍ତି, ରମେଶ ଏବଂ ସୁବାରାଓ ଚିନ୍ତିତ ହୋଇଉଠିଲେ । ପର୍ଶୁରାମ କୁଣ୍ଡ ପାଖ ଶବର ପଲ୍ଲୀରେ ବସି ଦିନପରେ ଦିନ ମନ୍ତ୍ରଣା କରିବାରେ ଲାଗିଲେ । ମହେନ୍ଦ୍ର ତନୟାର ପର୍ଶୁରାମକୁଣ୍ଡ ସେମାନଙ୍କ ଆଶ୍ରମରେ ପରିଣତ ହୋଇଗଲା । ତା’ର ପ୍ରଧାନ କାରଣ ଥିଲା କୃଷ୍ଣମୂର୍ତ୍ତି ଓ ରମେଶର ଅଭ୍ୟାସ । କୃଷ୍ଣମୂର୍ତ୍ତି ମଇଳା ପାଣିରେ ଗାଧୁଆ ପାଧୁଆ କରିପାରେ ନାହିଁ, ଟିକିଏ ପାଣି ମଇଳା ହୋଇଥିଲେ ପିଇପାରେ ନାହିଁ । ମହେନ୍ଦ୍ର ତନୟାର ସ୍ୱଚ୍ଛ ପାଣି ଛାଡ଼ି ସେ ଦୂରକୁ ଯାଇପାରେ ନାହିଁ । ରମେଶ ଦାମୀ ସିଗାରେଟ୍‌ର ଦାସ । ସୋମପେଣ୍ଠ ଏବଂ ମଞ୍ଜୁଷା ସେଠାରୁ ପାଞ୍ଚ ଛଅ ମାଇଲ ଦୂରରେ । ସିଗାରେଟ୍‌ ଶେଷ ହୋଇଗଲେ ସୁବିଧାରେ ଏହି ଦୁଇ ସହରରୁ ଆଣିହୁଏ । ଅଭ୍ୟାସର ଦାସ ଆଦର୍ଶର କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ।

 

ସିଗାରେଟ୍‌ ଶେଷ ହୋଇଗଲାପରେ ଗୋଟିଏ ଦିନ ରମେଶ ଶହେ–ଟଙ୍କିଆ ନୋଟ୍‌ ଖଣ୍ଡିଏ ନୋଟ୍‌ ଖଣ୍ଡିଏ ଦେଇ ପାଖ ଗାଁର ସଉରାଟୋକା ଜଣକୁ ପଠେଇଲା ସୋମପେଣ୍ଠ । ରେଳଷ୍ଟେସନ୍‌ ପାଖ ବଜାରରେ ପିଲାଟି ଦୋକାନକୁ ଦୋକାନକୁ ଘୂରି ବୁଲିଲା ସିଗାରେଟ୍‌ କିଣିବା ପାଇଁ । କୌପୁନୀପିନ୍ଧା ସଉରା ପିଲା ପାଖରେ ଶହେଟଙ୍କିଆ ନୋଟ୍‌ ଏବଂ ତା’ର ଦାମୀ ସିଗାରେଟ୍‌ ସନ୍ଧାନ ଛୋଟିଆ ବଜାରରେ ବେଶ୍ କୌତୂହଳ ସୃଷ୍ଟି କଲା । ପାନ ଦୋକାନୀ ସଙ୍ଗେ ସଙ୍ଗେ ଖବରଦେଲା ପୁଲିସ୍‌ କ୍ୟାମ୍ପକୁ । ପୁଲିସ୍‌ ଧରିନେଲେ ପିଲାଟିକୁ । ପ୍ରଥମେ ପଚରାପଚରି ଏବଂ ପରେ ଦୁଇଚାରି ବିଧା ଚାପୁଡ଼ା ପରେ ପିଲାଟି ସବୁ କହିପକେଇଲା ।

 

ସଂଧ୍ୟା ପରେ ପରେ ପୁଲିସ୍‌ଦଳ ବାହାରିଲେ ପର୍ଶୁରମା କୁଣ୍ଡ । ସଉରା–ପିଲାଟି ବାଟ କଢ଼େଇ ନେଉଥାଏ । ବୁଲାବାଟରେ, ଜନଗହଳି ରାସ୍ତାରେ ଯାଇଥିଲେ ବହୁତ ଡେରି ହୋଇଥାନ୍ତା; କିନ୍ତୁ ସଉରାପିଲା ସିଧାବାଟ ଜାଣେ, ସେ ବାଟରେ ଗଲେ ବାଘ ସୁଦ୍ଧା ଜାଣିପାରିବ ନାହିଁ । ଅଧରାତି ବେଳକୁ ସେମାନେ ପର୍ଶୁରାମକୁଣ୍ଡ ପାଖରେ ପହଞ୍ଚିଲେ । ନିଃଶବ୍ଦରେ ସମସ୍ତେ ଉଠିଗଲେ ପାଖମୁଣ୍ଡିଆ ଉପରକୁ । ମୁଣ୍ଡିଆ ଉପରୁ ଲକ୍ଷ୍ୟ କରାଗଲା–ପର୍ଶୁରାମକୁଣ୍ଡ ପଥର ଚଟାଣ ଉପରେ ସମସ୍ତେ ବସି ଖୁସି ଗପ କରୁଛନ୍ତି । ସୁବାରାଓ ତା’ର ସ୍ୱରଚିତ କବିତା ଆବୃତି କରି ସମସ୍ତଙ୍କୁ ଶୁଣାଉଛି । ତା’ର ସଙ୍ଗୀତ ସହିତ ତାଳଦେଇ ଅତି ଅସ୍ପଷ୍ଟ ଗୁଞ୍ଜରଣ କରି ପର୍ଶୁରାମକୁଣ୍ଡର ସ୍ୱଚ୍ଛପାଣି ତଳକୁ ବହିଯାଉଥାଏ । ମନେହେଉଥିଲା ସତେଯେମିତି କି ଦଳେ କଲେଜ ପିଲା ବଣଭୋଜୀ କରିବାପାଇଁ ମହେନ୍ଦ୍ର ତନୟାକୁ ଆସିଛନ୍ତି । ବଡ଼ ବଡ଼ କାଠଗଣ୍ଡି ଲଗେଇ ଖୁବ୍‌ ଜୋର ନିଆଁ କରିଥାଆନ୍ତି । ନିଆଁ ଏତେ ଜୋର୍‌ରେ ଜଳୁଥାଏ ଯେ ମହେନ୍ଦ୍ର ତନୟାର ଶେଯ ପୂରାପୂରି ଆଲୋକିତ ହୋଇଯାଇଥାଏ ।

 

ସବୁ ଦେଖିସାରି ପୁଲିସ୍‌ଦଳ ଲାଇଟ୍‌ମେସିନ୍‌ ଗନ୍‌ରୁ ଗୁଳି ଚଳେଇଲେ । ଦୟାମାୟା ନାହିଁ । ଗରିଲାକୁ ଗରିଲା ଆକ୍ରମଣ କରାଗଲା । ମେସିନ୍‌ଗନ୍‌ ଗୁଳିରେ ଖୁସିଗପ କରୁଥିବା ସବୁ ଲୋକ ଗଛକାଟିଲା ପରି ପଥର ଚଟାଣ ଉପରେ ଲୋଟିପଡ଼ିଲେ । ଯିଏ ସବୁ କୁଡ଼ିଆ ଭିତରେ ଥିଲେ ସେମାନେ ବାହାରକୁ ଚାଲିଆସିଲେ, ଗୁଳିମାଡ଼ ଶୁଣି । ସେମାନେ ମଧ୍ୟ ଗୁଳିମାଡ଼ର ଶିକାର ହେଲେ । ମେସିନଗନ୍‌ ଗୁଳିର ଶବ୍ଦ ସୃଷ୍ଟି କଲା ତାଣ୍ଡବ–ମହେନ୍ଦ୍ର ତନୟାର ପର୍ଶୁରାମ କୁଣ୍ଡରେ ଜମଦଗ୍ନିର ଆଜ୍ଞାବହ ପର୍ଶୁରାମର କ୍ରୋଧଦୀପ୍ତ ପଦଶବ୍ଦ ଯେମିତିକି ଶୁଣାଯାଉଥିଲା ଚତୁର୍ଦ୍ଦିଗରେ ।

 

ରମେଶ କିଛି ଦୂରରେ ବସି ତା’ର ଶେଷ ସିଗାରେଟ୍‌ ଟାଣୁଥିଲା । ଗୁଳିମାଡ଼ ଶୁଣି ଦୌଡ଼ି ପଳେଇବା ପାଇଁ ଚେଷ୍ଟା କଲା । ସେହି ଦୌଡ଼ରେ ଚିତାବାଘର କ୍ଷିପ୍ରତା ଅଥବା ହରିଣର ଚଞ୍ଚଳତା ଥିଲେ ବୋଧହୁଏ ସେ ରକ୍ଷା ପାଇପାରନ୍ତା । କିନ୍ତୁ ତା’ର ଗତି ଥିଲା ଗୋଟିଏ ବାର୍‌ହାର । ଲାଇଟ୍‌ ମେସିନ୍‌ଗନ୍‌ର ଗୁଳି ତା’ ଦେହରେ ସିଲେଇ ହୋଇଗଲା ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ । ଯନ୍ତ୍ରଣାରେ ସ୍ୱର ବାହାରିବା ପାଇଁ ତା’ ଦେହରେ ଶକ୍ତି ନଥିଲା ।

 

ପୁଲିସ୍‌ଦଳ ବହୁ ସମୟପରେ ନକ୍‌ସଲପନ୍ଥୀ କ୍ୟାମ୍ପକୁ ଆସିଲେ ଅତି ସାବଧାନତାର ସହ । ଭୟ ହେଉଥାଏ କାଳେ କିଏ ବଞ୍ଚିଥିବ । ନିସ୍ତବ୍‌ଧତା ସେହି ଭୟକୁ ଆହୁରି ଦ୍ୱିଗୁଣିତ କରିଦେଉଥାଏ । ସେତେବେଳେ କାଠଗଡ଼ ସବୁ ଖୁବ୍‌ ଜୋରରେ ଜଳୁଥାଏ । ସେହି ନିଆଁର ଶିଖା ସୂଚେଇ ଦେଉଥାଏ ବେପରୁଆ ମନୋଭାବ, ଅନୁଭୂତି ବିହୀନତା, ଭୋଗଲାଳସା ସମସ୍ତଙ୍କୁ ପର୍ଶୁରାମ କୁଣ୍ଡରେ ଆହୁତି ଦେଇଦେବ ।

 

ଆଳତି, ଆଳତିରୁ ବୋରିପାହାଡ଼ ଏବଂ ବୋରିପାହାଡ଼ରୁ ଅକ୍ରିପାହାଡ଼ । ପାହାଡ଼ ପରେ ପାହାଡ଼, କୁଡ଼ିଆ ପରେ କୁଡ଼ିଆ ବଦଳେଇବାକୁ ପଡ଼ୁଛି ଭେଙ୍କେଟକୁ । ପୁଲିସ୍‌ର ଚଢ଼ଉ, ଆକ୍ରମଣ ବଢ଼ିଯାଇଛି । ଗାଁ ପରେ ଗାଁ ସେମାନେ ଘୂରିବୁଲୁଛନ୍ତି ସାମାନ୍ୟ ସନ୍ଦେହ ହେଲେ ଲୋକଙ୍କୁ ନେଇଯାଉଛନ୍ତି । ପୁଲିସ୍‌ର ଗୁଇନ୍ଦାସଂସ୍ଥା ଖୁବ୍‌ ଭଲ କାମ କଲାଣି । ଖବର ପାଇ ଘଣ୍ଟାଏ ଭିତରେ ପହଞ୍ଚି ଯାଉଛନ୍ତି । ମାଓ ସେତୁଂ ବିଷୟ, ଆନ୍ଦୋଳନ ବିଷୟରେ ଯାହା ସବୁ ପ୍ରଚାରପତ୍ର ଆସୁଛି ପୁଲିସ୍‌ ଜବତ କରିନେଉଛି । ସବୁ ଖବର ଯେମିତିକି ପୁଲିସ୍‌ ପାଖରେ ଆପେ ପହଞ୍ଚିଯାଉଛି । ଗାଁ ଗାଁରେ ପୋଖରୀ ଖୋଳା ହେଉଛି, ଘର ତିଆରି ହେଉଛି । ଲୋକମାନେ ସେଥିରେ ବ୍ୟସ୍ତ । ମଜୁରୀ ମିଳୁଛି, ଟଙ୍କା ପଇସା ମିଳୁଛି, ସରକାରୀ ସାହାଯ୍ୟ ଆସୁଛି । ଗୋଟିଏ କୁହୁଡ଼ିଘେରା ଆଦର୍ଶ ପଛରେ ଗୋଡ଼େଇବା ପାଇଁ ଲୋକଙ୍କର ଆଉ ଆଗ୍ରହ ନାହିଁ ।

 

ଉଦ୍ୟାନ ଅଞ୍ଚଳରେ କୃଷ୍ଣମୂର୍ତ୍ତି, ରମେଶ, ସୁବାରାଓ ପୁଲିସ୍‌ ଗୁଳିରେ ମରିଗଲେଣି, ନାଗୀ ଧରାହୋଇ ଜେଲ୍‌ରେ । ପାତ୍ର ଓ ତା’ ସ୍ତ୍ରୀର ଖବର ଅନ୍ତର ନାହିଁ । କରିମ୍‌ ଗଞ୍ଜ, ଓ୍ୱାରାଙ୍ଗଲ୍‌–ଗୁଣ୍ଠୁର, ଖାମାମ୍‌ ସବୁଆଡ଼େ ପୁଲିସ୍‌ର ଧରପଗଡ଼ । ଯିଏ ଧରାପଡ଼ିଯାଇଛି କିଛିନା କିଛି ଖବର ଦେଇଦେଉଛି । ଗୋପନୀୟ ହୋଇ କିଛି ରହୁନାହିଁ । ଆଦର୍ଶ ଭିତରେ ପୁଣି ବାଦାନୁବାଦ–ଲୋକଙ୍କୁ ହତ୍ୟା କରାଯିବ କି ନାହିଁ ? ବର୍ତ୍ତମାନର ପରିବେଶ ଶ୍ରେଣୀସଂଗ୍ରାମ ପାଇଁ ଉପଯୁକ୍ତ କି ନୁହେଁ ଆକ୍ରମଣ, ଦ୍ୱନ୍ଦ୍ୱ, ବାଦାନୁବାଦ ଚିନ୍ତାରେ ଭେଙ୍କେଟ ବିବ୍ରତ ହୋଇଉଠୁଥାଏ । ଦଳକୁ ଏକାଠି ରଖିବା କଷ୍ଟ–ପୁଲିସ୍‌ର ଆକ୍ରମଣରୁ ବଞ୍ଚିବା କାଠିକର ପାଠ । ଆଜିକାଲି ଦଳ ଲୋକ ହିସାବପତ୍ର ରଖୁନାହାନ୍ତି । ଲେଖା–ଲେଖି ହେଉନାହିଁ–କାଳେ ପୁଲିସ୍‌ ହାତରେ ସେସବୁ ପଡ଼ିଯିବ । ତା’ ଫଳରେ ଅର୍ଥ ତୋଷରପାତ ହେଉଛି । ଠିକଣା ସମୟରେ ଖର୍ଚ୍ଚ ପାଇଁ ଟଙ୍କା ମିଳୁନାହିଁ । ପରାଜିତର ଭାବନା ଆସିଯିବା ଫଳରେ ମନୋବଳ ଭାଙ୍ଗିପଡ଼ୁଛି । ଆଦର୍ଶ ଧୂଆଁର କୁଣ୍ଡଳୀରୂପେ ପ୍ରତୀତ ହେଉଛି । ଅବଦମିତ ଆଶା ନିରାଶା ଓ ସନ୍ଦେହରେ ରୂପାୟିତ ହେଉଛି । ଲକ୍ଷ୍ୟସ୍ଥଳ ଦୁର୍ବାର ମନେହେଉଛି ।

 

ଦଳର ଆଭିମୁଖ୍ୟ ବିଷୟରେ କଲିକତାରୁ କିଛି ଖବର ଆସୁନଥାଏ । ଶେଷକୁ ଭେଙ୍କେଟ ସ୍ଥିରକଲା ଭାନୀ ଓ ଅନ୍ୟ ଦୁଇଜଣ ଶିକ୍ଷିତ ଯୁବକଙ୍କୁ ବିଶାଖାପାଟଣା ପଠେଇବ । ଆଭିମୁଖ୍ୟ ବିଷୟ ସେମାନେ ବୁଝିଆସିବେ । ସେ ଯେତେ ପ୍ରସ୍ତାବ ଦେଲା ଭାନୀ ଦ୍ୱିମତ ହେଲା–ଏମିତି ପରିସ୍ଥିତିରେ ତା’ର ଚାଲିଯିବା ଉଚିତ ହେବ ନାହିଁ ।

 

ବିରକ୍ତ ହୋଇ ଭେଙ୍କେଟ କହିଲା–‘‘ଯାହା ଆଦେଶ ଦିଆଯାଉଛି ତାହା ପାଳନ କର । ଏ ସଂଘର୍ଷ ଦିନକ ଭିତରେ ଶେଷ ହେବ ନାହିଁ । ବର୍ଷ ବର୍ଷ ଧରି ଚାଲିବ । ଧନୀକତନ୍ତ୍ର ବହୁତ ଚାଲାକ୍‌ । ସେମାନଙ୍କୁ ମୂଳପୋଛ କରିବାପାଇଁ ଅସୀମ ଧୈର୍ଯ୍ୟ ଦରକାର । ଆଜି ମୁଁ ଅନୁଭବ କରୁଛି ଆମର ମନୋବଳ ଭାଙ୍ଗିଯାଉଛି ।’’

 

ଭାନୀ ଅଧିକା କିଛି ନକହି ବିଶାଖାପାଟଣା ଯିବାପାଇଁ ପ୍ରସ୍ତୁତ ହେଲା ।

 

ସଂଧ୍ୟା ସମୟରେ ଭେଙ୍କେଟର ଗୋଟିଏ ଗୁପ୍ତଚର ଆସି ଖବର ଦେଲା–‘‘ପାତ୍ର ପୁଲିସ୍‌ ଦ୍ୱାରା ଧରାହୋଇ କୋର୍ଟକୁ ଯାଇଥିଲା । ମୁଁ ଶୁଣିଲି ଆମର ସାଥୀମାନଙ୍କର ନାଁ ସବୁ ପୁଲିସ୍‍କୁ କହିଦେଇଛି ।’’

 

ପାତ୍ର ଏମିତି କାମ କରିଥିବ ବୋଲି ଭେଙ୍କେଟ ବିଶ୍ୱାସ କରିପାରିଲା ନାହିଁ । ପାତ୍ର ପରି ଆଦର୍ଶରେ ଅନୁପ୍ରାଣିତ ଲୋକ ଖୁବ୍‌ କମ୍‌ । ସେ ଏହା କରିନଥିବ । ତଥାପି ପଚାରିଲା-

 

‘‘ଝାଁସୀ କେଉଠି ?’’

 

‘‘କିଛି ଜଣାପଡ଼ୁନାହିଁ । ଜେଲ୍‌ରେ ଆମ ଲୋକ ପାତ୍ରକୁ ପଚାରିଥିଲେ । ସେ ଜାଣିନାହିଁ ବୋଲି କହିଲା ।’’

 

ଭେଙ୍କେଟ ଆହୁରି ଚିନ୍ତିତ ହୋଇଉଠିଲା । ଝାଁସୀ ଗଲା କୁଆଡ଼େ ? ତାକୁ ପୁଲିସ୍‌ ମାରିଦେଇନାହାନ୍ତି ତ ? ବହୁତ ଚିନ୍ତାକରି କୈଳାସମ୍‍କୁ ଡାକି କହିଲା–‘‘ଆଜି ରାତିରେ ଗୁଣୁପୁର ଯିବୁ । ଝାଁସୀ ବିଷୟରେ ଖବର ଆଣିବୁ । ପୁଲିସ୍‌ କେଉଁଠି କାଳେ ତାକୁ ଲୁଚେଇ ରଖି ଖବର ଆଦାୟ କରୁଥିବେ ।’’ କୈଳାସମ୍‌ର ଇଚ୍ଛାନଥାଏ ଗୁଣୁପୁର ଯିବାପାଇଁ । ଏତିକିବେଳେ ଲୋକସଂଖ୍ୟା କମ୍‌, ମନୋବଳ ସ୍ତୀମିତ; ସେହି ସମୟରେ କେତେଲୋକଙ୍କୁ ନେଇ ନିଜେ ଚାଲିଯିବା ଉଚିତ ହେବ ନାହିଁ । ଭେଙ୍କେଟ ଏକୁଟିଆ ହୋଇଯିବ–ପୁରୁଣା ଲୋକ କେହି ରହିବେ ନାହିଁ ।

 

କୈଳାସମ୍‍ର ସାହସ ନଥିଲା ଭେଙ୍କେଟ କଥାରେ ପ୍ରତିବାଦ କରିବାପାଇଁ । ପ୍ରତିବାଦ କରିପାରିଥାନ୍ତା ପାତ୍ର, ସେ ଯେ ନାହିଁ ! କିଛି ନ କହି ସେ ସେମିତି ଛିଡ଼ାହୋଇ ରହିଲା ।

 

ତା’ର ହାବଭାବ ଲକ୍ଷ୍ୟକରି ଭେଙ୍କେଟ କହିଲା–‘‘ତୁ ଭାବୁଛୁ ମୁଁ ଏକୁଟିଆ ହୋଇଯିବି । ମୁଁ ପଛେ ଏକୁଟିଆ ହୋଇଯାଏ ତଥାପି ଝାଁସୀକୁ ଖୋଜି ବାହାର କରିବା ଦରକାର । ପାତ୍ର ହୁଏତ ସବୁକଥା କହିନଥିବ । କିନ୍ତୁ ଝାଁସୀ ଧରାପଡ଼ିଗଲେ ସବୁକଥା, ସବୁ ଯୋଜନା, ସବୁ ଜାଗା ବିଷୟ କହିଦେବ । ତାକୁ ଖୋଜି ବାହାର କରିବା ନିହାତି ଦରକାର । ଦରକାର ପଡ଼ିଲେ ତାକୁ ମାରିଦେବୁ-।’’

 

ଚମକିପଡ଼ିଲା କୈଳାସମ୍‌ ।

 

‘‘ଏଥିରେ ଚମକିବାର କ’ଣ ଅଛି ? ଆଦର୍ଶ ପାଇଁ ବ୍ୟକ୍ତିବିଶେଷ କିଛି ନୁହେଁ–ତୁ ଯା’ କହିଲା ଭେଙ୍କେଟ ।

 

‘‘ଠିକ୍‌ ଅଛି ।’’ କହି କୈଳାସମ୍‌ ପାଞ୍ଚ ଛଅଜଣଙ୍କୁ ନେଇ ଚାଲିଗଲା । କୈଳାସମ୍‌ ଗଲାପରେ ଭେଙ୍କେଟ ନିଜର ଆଶ୍ରୟସ୍ଥଳୀକୁ ଅନେଇଲା । ପନ୍ଦର କୋଡ଼ିଏଟି କୁଡ଼ିଆ ଛାଡ଼ି ରହିଛି-। ଗଛଲତା ଉହାଡ଼ରେ ସେଗୁଡ଼ିକ ବାହାରକୁ ଦେଖାଯାଉନାହିଁ । କିନ୍ତୁ ଅଧିକାଂଶ ଖାଲି । ସେ ଲକ୍ଷ୍ୟକଲା ତା’ପାଖରେ ମୋଟେ ଦଶଜଣ ଲୋକ ଅଛନ୍ତି । ତା’ ଭିତରୁ ଆଠଜଣ କଲେଜ ପଢ଼ୁଆ ଯୁବକ । ଜଙ୍ଗଲ ଅଞ୍ଚଳର ରୀତିନୀତି, ହାବଭାବ ଜାଣିନାହାନ୍ତି । ସେମାନେ ଶ୍ରେଣୀ ସଂଘର୍ଷର ଆଦର୍ଶ ବିଷୟରେ ବୁଝେଇପାରିବେ ଘଣ୍ଟା ଘଣ୍ଟାଧରି । କିନ୍ତୁ ବନ୍ଧୁର ପରି ବନ୍ଧୁରପଥ ଅତିକ୍ରମ କରିବାପାଇଁ ଆବଶ୍ୟକ ପରିଶ୍ରମର ଅଭାବ ରହିଛି । ସେମାନଙ୍କୁ ନେଇ କେମିତି ସଂଗ୍ରାମ ଚଳେଇବ ସେହି ଭାବନାରେ ପୁଣି ବିବ୍ରତ ହୋଇଉଠିଲା ଭେଙ୍କେଟ । ଖାଲି ଆଦର୍ଶକୁ ନେଇ ସଂଘର୍ଷ ଚଳେଇ ହୁଏନାହିଁ । ସେଥିପାଇଁ କଠୋର ପରିଶ୍ରମ ଦରକାର । କଷ୍ଟସହିଷ୍ଣୁ ହେବା ଆବଶ୍ୟକ । ଅଧିବାସୀଙ୍କ ସହ ସମ୍ପର୍କ ଦରକାର । ଯୁବକମାନଙ୍କ ପାଖରେ ଏସବୁର ଅଭାବ-। ସେମାନଙ୍କୁ ଶିକ୍ଷା ଦେବାପାଇଁ ସମୟ ନାହିଁ, ଲୋକ ନାହାନ୍ତି, ପରିବେଶ ବଦଳିଯାଉଛି । ଚିନ୍ତିତ ଭେଙ୍କେଟ ଅସ୍ଥିର ଭାବରେ ବିଭିନ୍ନ ଖାଲିକୁଡ଼ିଆ ଗୁଡ଼ିକରେ ତାଟି ଲଗେଇଦେଲା ।

 

ଡି. ଏସ୍‌. ପି. ଗୁଣୁପୁରରେ ବସି ଝାଁସୀର ବୟାନକୁ ତର୍ଜମା କଲେ । ତା’ର ବୟାନ ଅନୁସାରେ ସୁ-ଚିନ୍ତିତ ଯୋଜନା କରି, ଅନେକ ପୁଲିସ୍‌ ଟୋଲି ତିଆରି କରି ବିଭିନ୍ନ ଜାଗାରେ ତଲାସୀ ଆରମ୍ଭ କରିଦେଲେ । ବହୁତ ଆପତ୍ତିଜନକ କାଗଜପତ୍ର, ଲୁଟ୍‌ ହୋଇଥିବା ଜିନିଷ ଏବଂ କେତେ ନକ୍‌ସଲପନ୍ଥୀ ଧରାହେଲେ; କିନ୍ତୁ ଭେଙ୍କେଟ ଧରାହୋଇ ପାରୁନଥାଏ । ପୁଲିସ୍‌ର କାର୍ଯ୍ୟକଳାପ ସତ୍ତ୍ୱେ ଭେଙ୍କେଟ ତା’ର କାର୍ଯ୍ୟକଳାପ ଚଳେଇଥାଏ । କେତେବେଳେ ଜବରଦସ୍ତି ଜିନିଷ ଛଡ଼େଇନିଏ, ଧାନ କାଟିନିଏ ନଚେତ୍‌ ଘର ଉପରେ ଆକ୍ରମଣ କରେ । ପୁଲିସ୍‌ ଚାରିଆଡ଼େ ବିଛେଇ ହୋଇଥାଆନ୍ତି ତଥାପି ତା’ର ଆକ୍ରମଣରେ ଧନୀକଗୋଷ୍ଠୀ ଅତିଷ୍ଠ, କିନ୍ତୁ ସେ କେଉଁଠାରେ ରହେ ଜଣାପଡ଼େ ନାହିଁ । ପାର୍ବତ୍ୟ ଅଞ୍ଚଳରେ ସେ ମୂଷା । ବାଘ ଜାଗାରେ ବାଘ ପରି, ମୂଷା ଗାତରେ ମୂଷାପରି ବ୍ୟବହାର କରି ସେ ନିଜକୁ ବଞ୍ଚେଇରଖେ ।

 

ଝାଁସୀର ଛୁଆକୁ ଧରି ଗପ କରୁ କରୁ ଡି. ଏସ୍‌. ପି. ପଚାରିଲେ–‘‘ମୁଁ ସବୁଆଡ଼େ ଭେଙ୍କେଟକୁ ଖୋଜିଲି । ପାଇଲି ନାହିଁ । ଅନ୍ୟ କେଉଁଠି ଆଡ଼୍‍ଡ଼ା ଅଛି ଯେଉଁଠାରେ ସେ ରହିଥିବ-?’’

 

କିଛି ସମୟ ଚିନ୍ତାକରି ଝାଁସୀ କହିଲା–‘‘ଅକ୍ରୀ ପାହାଡ଼ର କେବେ କେବେ ଆମେ ରହୁ । ହୁଏତ ସେଠାରେ ଥାଇପାରନ୍ତି ।’’

 

‘‘ଅକ୍ରୀ ପାହାଡ଼ ! କୁରୁପମ୍‌ ପାଖରେ ! ସେ’ ତ ଆନ୍ଧ୍ର ଅଞ୍ଚଳରେ ।’’ ଡି. ଏସ୍‌. ପି. କହିଲେ ।

 

‘‘ସେଇଠି ଥାଇପାରନ୍ତି ।’’

 

କଥାର ପ୍ରସଙ୍ଗ ବଦଳେଇ ବହୁତ ସମୟ ବସିପାରେ ଡି. ଏସ୍‌. ପି. ଚାଲିଗଲେ ।

 

ସେହି ରାତିରେ ଏଲ୍‌ଓ୍ୱିନ୍‌ପେଟା ଯାଇ ଭେଙ୍କେଟକୁ ଧରିବା ଯୋଜନା କରିବାରେ ଲାଗିଲେ । ଏତେ ସବୁ ଯୋଜନା ଭିତରେ ଗୋଟିଏ ଅଭାବ ରହିଯାଇଥିଲା–ଭେଙ୍କେଟକୁ ଚିହ୍ନିଛି କିଏ ? କେତେବର୍ଷ ଧରି ଭେଙ୍କେଟ ଲୋକଲୋଚନ ଅଗୋଚରରେ ରହିଯାଇଛି । ବିଭିନ୍ନ ବୟାନରୁ ଯାହା ଜଣାପଡ଼ୁଥିଲା ସେ ପୂରାପୂରି ଆଦିବାସୀ ପାଲଟିଯାଇଛି । ରାତି ଭିତରେ ଲୋକ ଖୋଜାପଡ଼ିଲା । ଶେଷରେ ମୁଣ୍ଡମେଖଳାରୁ ଲୋକ ଅଣାହେଲା । ସେ ଲୋକ ଚିହ୍ନଟ କରିବ ଭେଙ୍କେଟକୁ ।

 

କୌଣସି ବଡ଼ ଯୋଜନା ହାତକୁ ନେବା ପୂର୍ବରୁ ପୁଲିସ୍‌ କ୍ୟାମ୍ପରେ ନିସ୍ତବ୍‌ଧତା ବ୍ୟାପିଯାଇଥାଏ । ସମସ୍ତେ କିଛି ସମୟ ବିଶ୍ରାମ ନେଇଯାଆନ୍ତି । ଅଧିକା କିଛି ଖାଇନିଅନ୍ତି । ପୁଣି କେତେବେଳେ ଖାଇବାପାଇଁ ମିଳିବ ଜଣାନାହିଁ, ପୁଣି ବିଶ୍ରାମର ସମୟ କେତେବେଳେ ଆସିବ ତା’ର ଠିକଣା ନାହିଁ । ପୂର୍ବ ପରି ଯଦି ଭେଙ୍କେଟର ଗୁପ୍ତଚର ପୁଲିସ୍‌ ଶିବିର ପାଖରେ ଘୂରୁଥାଆନ୍ତେ ତା’ହେଲେ ସେମାନେ ସୁବିଧାରେ ଜାଣିପାରନ୍ତେ ରାତିରେ ବଡ଼ ଧରଣର ଚଢ଼ଉ ହେବ । କିନ୍ତୁ ଭେଙ୍କେଟର ଶିବିର ମହାଭାରତର ସପ୍ତଦଶ ଗତିର ଶିବିର ପରି । ମନୋବଳ, ଆଦର୍ଶ ପ୍ରତି ଅଗାଧ ବିଶ୍ୱାସ ବ୍ୟତୀତ ତା’ ପାଖରେ ଆଉ କିଛି ନଥିଲା ।

 

ମାର୍ଚ୍ଚ ଆରମ୍ଭ ସମୟ । ସକାଳୁ ସକାଳୁ ମହୁଲୀ ଶୀତ ହୁଏ । ଦିନବେଳା ଗରମ । ରାତି ଜଗୁଆଳି କାମ କରୁଥିବା ଯୁବକ ପାଲ୍ଲୀ ଦୁଇହାତ କାଖତଳେ ପରେଇ ଶୀତକୁ ଘଉଡ଼େଇବା ପାଇଁ ଚେଷ୍ଟା କରୁଥାଏ । ପାହାଡ଼ ଉପରେ ଶୀତଟା ଆହୁରି ବେଶୀ । ଦେହ ଥରି ଯାଉଥାଏ । ଘୋଡ଼େଇ ହେବାପାଇଁ ପାଖରେ କିଛି ନାହିଁ । ବନ୍ଧୁକକୁ ଡେରିଦେଇ ସେ ଛିଡ଼ାହେଲା । କାଖତଳେ ହାତ ପାପୁଲି ରଖିଲେ ମଧ୍ୟ ଶୀତ ଯାଉନାହିଁ । ପକେଟ୍‌ରୁ ସିଗାରେଟ୍‌ ବାହାର କରି ନିଆଁ ଲଗେଇଲା । ଚାରିଆଡ଼କୁ ଚାହିଁଲା । ସକାଳ ହେଇଆସୁଛି । ଆଉ ହୁଏତ ଅଧଘଣ୍ଟାପରେ ସୂର୍ଯ୍ୟ ଉଦୟ ହେବ । ଶୀତ କମିଯିବ । ପାହାଡ଼ ତଳକୁ ଲମ୍ବି ଯାଇଥିବା ପାଦଚଲା ରାସ୍ତାକୁ ସେ ଲକ୍ଷ୍ୟକଲା । ପାହାଡ଼ର ଚାରିପଟେ ମହୁଲ ଗଛ । ମହୁଲ ବାସ୍ନାରେ ଚାରିଆଡ଼େ ମହକିତ । ମହୁଲ ଜଙ୍ଗଲ ଭିତରେ ପାଦଚଲା ବାଟ ବେଶୀ ଦୂର ଦେଖାଯାଉ ନାହିଁ । ପାଲ୍ଲୀର ମନେହେଲା ଦୂର ମହୁଲ ଗଛ ପାଖ ବୁଦା ହଲ୍‌ଚଲ୍‌ ହେଉଛି । ଟିକିଏ ଅନେଇ ଭାବିଲା ଭାଲୁ ବୋଧହୁଏ ଆସିଛି ମହୁଲ ଫୁଲ ଖାଇବାପାଇଁ । ସିଗାରେଟ୍‌ରୁ ଦୁଇଦମ୍‌ ଟାଣି ବସିପଡ଼ିଲା । ତଥାପି ଶୀତ ଯାଉନାହିଁ–ପାଖରେ ପଡ଼ିଥିବା ପାଳମେଞ୍ଚାଏ ଆଣି ନିଜ ଉପରେ ପକେଇଦେଲା–ଅନ୍ତତଃ ଶୀତ ଟିକିଏ କମିଯାଉ !

 

ହଠାତ୍‌ କାହାର ଶକ୍ତିହାତ ତା’ ବେକ ଓ ପାଟି ଉପରେ ଚାପି ହୋଇଯିବା ଅନୁଭବ କରି ଚମକିପଡ଼ି ଛିଡ଼ା ହେବାପାଇଁ ଚେଷ୍ଟାକଲା ପାଲ୍ଲୀ । ଦୁଇଜଣ ଲୋକ ତାକୁ ଜବରଦସ୍ତି ମାଡ଼ିବସୁଥିବା ସେ ଜାଣିପାରିଲା । ପଛକୁ ଅନେଇ ଲକ୍ଷ୍ୟକଲା ଦୁଇଜଣ ସିପାହୀ ତାକୁ ଜୋର ଜବରଦସ୍ତି ଧରିନେଇଛନ୍ତି । ଜଣେ ତା’ କାନ ପାଖରେ ଚୁପ୍‌ ଚୁପ୍‌ କହିଲା–‘‘ଯଦି ପାଟିକରିବୁ ଆମେ ଗୁଳିକରି ତୋତେ ମାରିଦେବୁ । ତମ ନେତା କେଉଁଠି ରହୁଛନ୍ତି ଚୁପ୍‌ଚାପ୍‌ ଦେଖେଇଦେ ।’’

 

ଅନ୍ୟଜଣେ ସିପାହୀ କହୁଥାଏ–‘‘ସେ କଛି ଗଣ୍ଡଗୋଳ କରିବ ନାହିଁ, ଦେଖେଇଦେବ । ଦେଖୁନୁ ସିଗାରେଟ୍‌ ଖାଇ ଆମକୁ ତା’ ଜାଗା ଦେଖେଇଦେଲା ।’’

 

ସେମାନଙ୍କ କଥା ନ ସରୁଣୁ ସାପ ପରି ଘୁଷୁଡ଼ି ଘୁଷୁଡ଼ି ପନ୍ଦର କୋଡ଼ିଏ ଜଣ ପୁଲିସ୍‌ ଆସି ପହଞ୍ଚିଗଲେ । ପଲ୍ଲୀକୁ ଧରି ପ୍ରଥମ ଦୁଇଜଣ ସିପାହୀ ଆଗେ ଆଗେ ଚାଲିଥାଆନ୍ତି, ମାଙ୍କଡ଼ ପରି ।

 

ଅଜଣା, ଅସ୍ୱାଭାବିକ ପାଦଶବ୍ଦରେ ଭେଙ୍କେଟର ନିଦ ଭାଙ୍ଗିଗଲା । ବାହାରକୁ ଅନେଇ ଦେଖିଲା ଅନ୍ଧାର ଆହୁରି ଯାଇନାହିଁ । ଗଛର ପତ୍ର ଭଲ ଦେଖାଯାଉନାହିଁ । ଚାରିଆଡ଼େ ଅସ୍ୱାଭାବିକ ନିରବତା ଦେଖି ଭେଙ୍କେଟର ସନ୍ଦେହ ହେଲା–କିଛି ଅଘଟଣ ଘଟିଛି ।

 

ନିଜର ବନ୍ଧୁକ ଧରି ବିଦ୍ୟୁତ୍‌ ବେଗରେ ଭେଙ୍କେଟ ବାହାରକୁ ଚାଲିଆସିଲା । ଫଗୁଣର ସକାଳ ତାକୁ ସ୍ୱାଗତ ଜଣେଇଲା ବନ୍ଧୁକର ଆଓ୍ୱାଜରେ । କୁଡ଼ିଆ ମୁହଁରେ ଟଳିପଡ଼ିଲା ଭେଙ୍କେଟ । ଅନ୍ୟାନ୍ୟ କୁଡ଼ିଆରେ ରହୁଥିବା ସାଥୀମାନେ ବାହାରକୁ ଆସିବାପାଇଁ ଚେଷ୍ଟାକଲେ । ସମସ୍ତେ ଗୁଳିମାଡ଼ରେ ଗଛକାଟିଲାପରି ଲୋଟିପଡ଼ିଲେ । ଏହି ଗୁଳିମାଡ଼ ବେଳେ ପଲ୍ଲୀ ଚେଷ୍ଟାକଲା ଖସିଯିବା ପାଇଁ । ଗୋଟାଏ ପାହୁଣ୍ଡ ଆଗକୁ ବାହାର କରିଛି କି ନାହିଁ ଗୁଳିଆସି ବସିଲା ତା’ର ମେରୁଦଣ୍ଡରେ । ଖଣ୍ଡେ ଦୂର ଫୋପାଡ଼ି ହୋଇ ମୁହଁ ମାଡ଼ି ପଡ଼ି ରହିଲା–ଶେଷଥର ପାଇଁ ।

 

ପାହାଡ଼ର ଅଧାବାଟ ହୋଇଥିଲାବେଳେ ଗୁଳିର ଶବ୍ଦ ଶୁଣି ଡି. ଏସ୍‌. ପି. ତାଙ୍କ ବେଗ ଦ୍ୱିଗୁଣିତ କରିଦେଲେ । ଚିହ୍ନଟ କରିବାପାଇଁ ଆଣିଥିବା ଲୋକଟା ଡରରେ ପଛକୁ ରହିଯାଉଥାଏ । ତାକୁ ଭିଡ଼ି ଭିଡ଼ି ଏକରକମ୍ ଦୌଡ଼ିବାରେ ଲାଗିଲେ । ପାହାଡ଼ ଉପରକୁ ଆସି ଦେଖିଲେ ଚାରିଆଡ଼େ ସିପାହୀମାନେ ଜଗି ରହିଛନ୍ତି । ସଦ୍ୟ ଗୁଳିମାଡ଼ ହୋଇଥିବା ଦେହଗୁଡ଼ାକରୁ ପିଚ୍‌ ପିଚ୍‌ ହୋଇ ରକ୍ତ ବାହାରୁଛି । ସକାଳର ଆଲୁଅରେ ରକ୍ତ ଖୁବ୍‌ ନାଲି ଦେଖାଯାଉଥାଏ । ପାଖରେ ଥିବା ସିପାହୀକୁ ପଚାରିଲେ–‘‘କେହି ଖସିଯାଇନାହାନ୍ତି ତ ?

 

‘‘ନାହିଁ ସାର୍‌ ।’’

 

ଚିହ୍ନଟ ଲୋକ ଉଦ୍ଦେଶ୍ୟରେ ଡି. ଏସ୍‌. ସି. କହିଲେ–‘‘ଭେଙ୍କେଟ୍‌ କିଏ ?

 

ସେ ଲୋକ ଦୁଇତିନିଟା ମୁହଁ ଦେଖିସାରି ବନ୍ଧୁକ ଧରି ପଡ଼ୁଥିବା ଲୋକ ପାଖରେ ଠିଆହୋଇ ରହିଲା । ମନେହେଉଥାଏ ସେ ଭୟ ପାଇଯାଇଛି । ପୁଣି ପଚାରିବାରୁ ବନ୍ଧୁକ ଧରି ମୁହଁ ଉପରକୁ କରି ପଡ଼ିଥିବା ଲୋକକୁ ଭେଙ୍କେଟ ବୋଲି ଚିହ୍ନଟ କଲା ।

 

ଏତେବେଳଯାଏ ଧିରସ୍ଥିର ଥିବା ଡି. ଏସ୍‌. ପି. ହଠାତ୍‌ ଡେଇଁପଡ଼ି ନିଜର ରିଭଲ୍‌ଭର ବାହାରକରି ଲାଗ୍‌ଲାଗ୍‌ ଛ’ଟା ଗୁଳି ଚଳେଇଦେଲେ ରକ୍ତାକ୍ତ ଭେଙ୍କେଟର ମୁଣ୍ଡକୁ । ନିର୍ଜୀବ ମୁଣ୍ଡଟା ଗୁଳିମାଡ଼ରେ ଟିକିଏ ଏପଟ ସେପଟ ହୋଇଗଲା ।

 

ଡି. ଏସ୍‌. ପି. ଗର୍ଜିଉଠି କହୁଥାନ୍ତି–

 

‘‘କେତେ ନିରୀହ ଲୋକଙ୍କୁ, କେତେ ପୁଲିସ୍‌ ଲୋକଙ୍କୁ ମାରିଥିଲା । ତା’ ଦେହରେ ଆହୁରି ଗୁଳିମାଡ଼ କର । ମଲା ଲୋକଙ୍କ ଆତ୍ମା ଶାନ୍ତ ହେବ-।’’

 

ବହୁତ ସମୟ ଏପଟ ସେପଟ ହୋଇ, ରାଗ ତମତମ ମନକୁ ଶାନ୍ତ କରେଇ ଡି. ଏସ୍‌.ପି. ଗୋଟିଏ ବଡ଼ ପଥର ଉପରେ ବସିପଡ଼ିଲେ । ହଠାତ୍‍ ସେ ଅନୁଭବ କଲେ ଏକ ଅବ୍ୟକ୍ତ ଅସହାୟତା । ହାତର ରିଭଲ୍‌ଭର ବୋଝପରି ମନେହେଲା । ସେ ଭାବିଲେ ସେ ମଧ୍ୟ ଅସହାୟ, ନିରସ୍ତ୍ର, ନିର୍ବୋଧ ।

 

ଅନେଇଲେ ଭେଙ୍କେଟଆଡ଼କୁ । ଅର୍ଦ୍ଧ ନିମିଳିତ ଆଖିଦୁଇଟି ତଥାପି ସତେଜ ଦେଖାଯାଉଥାଏ । ମନେହେଉଥିଲା ପୂର୍ବ ଆକାଶ ଉପରେ ଦୃଷ୍ଟି ନିବଦ୍ଧ–ସେ ଆଖି ନୂତନ ଉଷାକୁ ଅଭିନନ୍ଦନ ଜଣାଉଛି । ଉଷାର ଅରୁଣିମା ଆଲୋକିତ କଲା ରିଭଲ୍‌ଭର୍‌ ଗୁଳିମାଡ଼ରେ କ୍ଷତବିକ୍ଷତ ଭେଙ୍କେଟର ମୁଣ୍ଡକୁ–ବୋହିଆସୁଥିବା ରକ୍ତ ମୁଣ୍ଡ ଚାରିପଟେ ବଳୟ ରୂପ ନେଉଥିଲା–କଣ୍ଟାର ମୁକୁଟ ପିନ୍ଧିଥିଲେ ବୋଧହୁଏ ସେମିତି ରକ୍ତ ବାହାରି ମୁଣ୍ଡ ଚାରିପାଖରେ ମେଖଳା ସୃଷ୍ଟି କରିଥାନ୍ତା-

Image